ହିନ୍ଦୁ ଧର୍ମାବଲମ୍ବୀମାନେ
ଦେବଦେବୀଙ୍କଠାରେ କୃତଜ୍ଞତାଜ୍ଞାପନ ପାଇଁ ବିଭିନ୍ନ ତୀର୍ଥ ଭ୍ରମଣ ତଥା ଧାର୍ମିକ ଉତ୍ସବରେ ଅଂଶ
ଗ୍ରହଣ କରିଥାନ୍ତି l ସାଧାରଣ ଜୀବନଯାତ୍ରାରେ ଝଡ଼ଝଞ୍ଜାର
ସମ୍ମୁଖୀନ ହେବାବେଳେ ଅନେକେ ଦେବଦେବୀଙ୍କ କୃପା ଲାଭଲାଗି ପ୍ରାର୍ଥନା କରି ଶରଣାପନ୍ନ
ହୋଇଥାନ୍ତି l ସମୟାନ୍ତେ ସ୍ଥିତାବସ୍ଥାକୁ ଫେରିବା
ପରେ ବିଭିନ୍ନ ଧାର୍ମିକ ପର୍ବପର୍ବାଣୀରେ ଅଂଶ ଗ୍ରହଣ କରି କୃତଜ୍ଞତା ଜ୍ଞାପନ ମଧ୍ୟ କରିଥାନ୍ତି l ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକମହୋତ୍ସବ ଭାବେ ଗଢ଼ି
ଉଠିଥିବାସ୍ଥଳେ ମୁଖ୍ୟତଃ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ ତଥା ମାନସିକ ବେଶ ଧାରଣକୁ ବିଚାରକୁ
ନେଲେ ଏହାକୁ ଏକ କୃତଜ୍ଞତା ଜ୍ଞାପନର ପର୍ବ ରୂପେ ବିବେଚନା କରାଯାଇପାରେ l
ଠାକୁରାଣୀ ଯାତ୍ରାରେ ବେଶ ଧାରଣ
ପାଇଁ ଜଣେ ନିଜେ ମାନସିକ କରିପାରେ କିମ୍ବା ଅନ୍ୟ ଜଣକ ପାଇଁ ମଧ୍ୟ ମାନସିକ କରାଯାଇ ପାରେ l ବୟସ୍କ ପୁରୁଷମାନେ ନିଜେ ମାନସିକ କରୁଥିବା ବେଳେ କମ ବୟସର
ବାଳକମାନଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା ବା ପରିବାରର ଗୁରୁଜନମାନେ ମାନସିକ କରିଥାନ୍ତି l ପାରମ୍ପରିକଭାବେ ଗଞ୍ଜାମ ଜିଲ୍ଲାରେ ଶକ୍ତିପୂଜା ବହୁଳଭାବେ ପ୍ରଚଳିତ
ଏବଂ ବ୍ରହ୍ମପୁରରେ ବଡ ଠାକୁରାଣୀ ଅଧିଷ୍ଠାତ୍ରୀ ଦେବୀରୂପେ ପୂଜିତ l
ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଦ୍ୱି-ବାର୍ଷିକ
ଠାକୁରାଣୀ ଯାତ୍ରା ୨୪୦ରୁ ଅଧିକ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ହେତୁ ଏହି ଭଳି ଏକ ଧାର୍ମିକ
ମହୋତ୍ସବରେ ବେଶ ଧାରଣଲାଗି ମାନସିକ କରିବା ଧାରା ଲୋକଆଦୃତ ହୋଇପାରିଛି l ବେଶଧାରଣ କେବଳ ପୁରୁଷମାନଙ୍କ କ୍ଷେତ୍ରରେ, ମୁଖ୍ୟତଃ ବାଳକଙ୍କଠାରୁ
ଯୁବକଙ୍କ ମଧ୍ୟରେ ସୀମିତ ଥିବାବେଳେ ମହିଳାମାନେ ଘଟଧାରଣ ଲାଗି ମାନସିକ କରିଥାନ୍ତି l ପୁରୁଣା ବ୍ରହ୍ମପୁରର ଅନେକ ପରିବାରରେ ଏହା ଏକ ପରମ୍ପରା ରୂପେ
ପ୍ରବର୍ତ୍ତି ହୋଇଆସିଛି l
ଠାକୁରାଣୀ ଯାତ୍ରା ଆୟୋଜନରେ
ବିଭିନ୍ନ ନୀତି ରୂପାୟନ ଲାଗି କେତେକ ନିର୍ଦ୍ଦିଷ୍ଟ ପରିବାର ପୁରୁଷାନୁକ୍ରମିକ ଭାବେ ସେବା
ଯୋଗାଇ ଆସୁଥିବା ଲକ୍ଷ୍ୟ କରାଯାଇପାରେ l ଯାତ୍ରା
ଆୟୋଜନ ନିମନ୍ତେ ନିଷ୍ପତି ଗ୍ରହଣ ପରେ ଶୁଭଖୁଣ୍ଟି ସ୍ଥାପନଠାରୁ ଆରମ୍ଭ କରି, ଅସ୍ଥାୟୀ ମଣ୍ଡପ
ନିର୍ମାଣ, ଗୋବର ଲେପନ ଓ ଝୋଟି ଦିଆ, ଘଟ ନିର୍ମାଣ, ଘଟ ଚିତ୍ରଣ, ଫୁଲ ସଂଗ୍ରହ, ବାଉଁଶ
ଚାଙ୍ଗୁଡ଼ି ପ୍ରଦାନ, ଛାମୁଣ୍ଡିଆ ନିର୍ମାଣ, ଘଟ ପରିକ୍ରମାରେ ସୁରକ୍ଷା ଏବଂ ପୂଜା ପଦ୍ଧତି
ପରିଚାଳନା ଲାଗି ବଂଶାନୁକ୍ରମିକଭାବେ କାର୍ଯ୍ୟ କରି ଆସୁଛନ୍ତି l
ଦ୍ୱି-ବାର୍ଷିକ #ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ଦେଶୀବେହେରା
ନିଜ କୁଳର ସେନାପତି ଓ ସର୍ବସାଧାରଣଙ୍କ ସମ୍ମତି ହାସଲ କରିବାପରେ ବଡ ଠାକୁରାଣୀଙ୍କଠାରୁ ଆଜ୍ଞା
ପାଇ ଶୁଭଖୁଣ୍ଟ ସ୍ଥାପନ ମାଧ୍ୟମରେ ଯାତ୍ରା ତିଥି ଘୋଷଣା କରିଥାନ୍ତି l ଶୁଭଖୁଣ୍ଟ ପ୍ରସ୍ତୁତି ନିମନ୍ତେ ବାଉଁଶ ଆଗାସାହୀସ୍ଥିତ ପୃଷ୍ଟି ବଂଶ
ପୁରୁଣା ବାଉରି ସାହୀରୁ କାଟି ଆଣିଥାନ୍ତି l ପୃଷ୍ଟି
ପରିବାରଙ୍କ କୌଳିକ ବୃତ୍ତି ତୁଳାଭିଣା l ସେ ବାଉଁଶ
ନିଜ ଘରେ ଇଷ୍ଟଦେବୀଙ୍କଠାରେ ପୂଜା କରି ଗେରୁ ଲିପି ଚନ୍ଦନ, ସିନ୍ଦୁର ଲଗାଇ ଦେଶୀବେହେରାଙ୍କ ଘର
ସାମନାରେ ଆୟୋଜିତ ସଭାସ୍ଥଳକୁ ଆଣିଥାନ୍ତି l ଏହି
ଶୁଭଖୁଣ୍ଟ ଶୋଭାଯାତ୍ରାରେ ବଡ ଠାକୁରାଣୀ ମନ୍ଦିରକୁ ନିଆଯାଇ ଆଜ୍ଞାମାଳ ସହ ଫେରିବା ପରେ
ଅସ୍ଥାୟୀ ମଣ୍ଡପ ନିର୍ମାଣସ୍ଥଳରେ ସ୍ଥାପନ କରାଯାଇଥାଏ l
ଅସ୍ଥାୟୀ ପୂଜା ମଣ୍ଡପ ନିର୍ମାଣ
ପାଇଁ ଜଣେ କୌଳିକ ମହାରଣା ସ୍ୱତଃପ୍ରବୃତଭାବେ ସେବା ଯୋଗାଉଥିବା ବେଳେ ପାରମ୍ପରିକଭାବେ
ଶଙ୍କରପୁର ସାହୀର ବାଉରି ସଂପ୍ରଦାୟର ଅବିବାହିତ କନ୍ୟା ଓ ମହିଳାମାନେ ଅସ୍ଥାୟୀ ମଣ୍ଡପରେ ଗୋବର
ଲିପା ଓ ଝୋଟି ଦିଆ କାର୍ଯ୍ୟ ସମାପନ କରିଥାନ୍ତି l
ଅସ୍ଥାୟୀ ମଣ୍ଡପ କଞ୍ଚା ବାଉଁଶ ଓ ନଡ଼ାରେ ନିର୍ମିତ ହେବା ବେଳେ ଝୋଟି ପାଇଁ ଧଳା ଖଡି ପାଣିରେ
ଘୋରି ପିଠଉ ତିଆରି କରାଯିବା ନୀତି ରହିଛି l ଠାକୁରାଣୀଙ୍କୁ
ନିମନ୍ତ୍ରଣ କରିବାପାଇଁ ଫୁଲସୁନ୍ଦରୀ ସାହୀରୁ ଫୁଲ ଚାଙ୍ଗୁଡି ଅଣାଯାଉଥିବା ବେଳେ ଷଣ୍ଢ ମହାନ୍ତି
ସାହୀରେ ବସବାସ କରୁଥିବା ଅନ୍ୟଏକ ରାଉଳ ପରିବାର ଇଟାମଲ୍ଲୀ ଫୁଲ ହାର ଯୋଗାଇଥାନ୍ତି l
ବଡ ବଜାରରେ ଆୟୋଜିତ ଠାକୁରାଣୀ
ଯାତ୍ରା ପାଇଁ ଅନ୍ୟୂନ ସାତ କିଲୋମିଟର ଦୂରବର୍ତ୍ତୀ ଲାଞ୍ଜିପଲ୍ଲୀର କୁମ୍ଭାରମାନେ ଘଟ ନିର୍ମାଣ
କରି ଆସୁଛନ୍ତି l ଶୁଭ ତିଥି ଚୟନ କରି କୁମ୍ଭାରମାନେ ଘଟ
ତିଆରି କାମ ଆରମ୍ଭ କରିଥାନ୍ତି l
ମଧ୍ୟରାତ୍ରୀରେ କୁମ୍ଭାର ପରିବାରର ଜଣେ ପୁରୁଷ ସଦସ୍ୟ ମୃତିକା ପୂଜା କରି ଏକ
ନିର୍ଦ୍ଦିଷ୍ଟସ୍ଥାନରୁ କାଠରେ ତାଡି ମାଟି ସଂଗ୍ରହ କରିଥାନ୍ତି l
ମାଟି ହାଣ୍ଡି ନିର୍ମାଣ ପରେ ତାହାକୁ ଯେଉଁ ସ୍ଥାନରେ ପୋଡ଼ା ଯାଇଥାଏ ତାହାକୁ ପୋତି ଦିଆଯାଏ l ଅପର ପକ୍ଷେ ଯାତ୍ରାର ଶେଷ ଦିବସରେ ସାଧାରଣ ମହିଳାମାନେ ମଣ୍ଡନ
କରୁଥିବା ଘଟ ଲାଠୀ ଓ ଚିକରଡା ଗ୍ରାମର କୁମ୍ଭକାରମାନଙ୍କ ଦ୍ୱାରା ନିର୍ମିତ ହୋଇଥାଏ l ଲାଞ୍ଜିପଲ୍ଲୀର କୁମ୍ଭକାରମାନେ ଦେଶୀବେହେରାଙ୍କ ଘରେ ଘଟ ଯୋଗାଇ
ଦେବା ପରେ ମୁଖ୍ୟ ଘଟ ସହ ଆଠଗୋଟି ପାର୍ଶ୍ୱଘଟକୁ ଆଇନାବନ୍ଧ ସାହୀର ଏକ ପରିବାରର ମହିଳାମାନେ
ଚିତ୍ରିତ କରିଥାନ୍ତି l ଘଟରେ ବ୍ୟବହୃତ ଟାହିଆ ଶଙ୍କରପୁର
ସାହୀର ମେଦିରିମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ l
ସେହିପରି ଠାକୁରାଣୀଙ୍କୁ ନିମନ୍ତ୍ରଣ ଶୋଭାଯାତ୍ରାରେ ପାଣ୍ଡବ ନଗରର ବାଦ୍ୟକାର ଓ ଷଣ୍ଢ ମହାନ୍ତି
ସାହୀର ବୀରକାହାଳି ବାଦକ ସାମିଲ ହୋଇ ଆସୁଛନ୍ତି l
ଘଟ ପରିକ୍ରମା କାଳରେ ମୁଖ୍ୟଘଟ ପାର୍ଶ୍ୱରେ ଦଳେଇ ବଂଶଜ ସାହାୟତା ପ୍ରଦାନର ପରମ୍ପରା ରହିଛି l ସେମାନେ ପ୍ରସାଦ ବିତରଣ ଓ ଅସ୍ଥାୟୀ ମଣ୍ଡପରେ ପରିଚ୍ଛନ୍ନତା
ଇତ୍ୟାଦି କାର୍ଯ୍ୟ ମଧ୍ୟ ତତ୍ୱାବଧାନ କରିଥାନ୍ତି l
ଯାତ୍ରା ପାଇଁ ଛାମୁଣ୍ଡିଆ ନିର୍ମାଣ କାମର ଦାୟିତ୍ୱ ପ୍ରତିବର୍ଷ ଦେଶୀବେହେରା ସାହୀ ବ୍ୟବସାୟୀ
ସଂଘ, ଦେଶୀବେହେରା ସାହୀ ପଟ୍ଟା ରିକ୍ସା ସଂଘ, ତ୍ରିନାଥ ଠାକୁର ପଟ୍ଟା ରିକ୍ସା ସଂଘ, ନଡିଆ
ଗୋର୍ଜୀ ବ୍ୟବସାୟୀ ସଂଘ ପ୍ରମୁଖ ଗ୍ରହଣ କରିଥାନ୍ତି l
ଠାକୁରାଣୀ ଯାତ୍ରାରେ ଭୋଗ ରୂପେ ପ୍ରସିଦ୍ଧ ଗଜା ମୁଆଁ ପୁରୁଣା ବ୍ରହ୍ମପୁରର ଗୁଡିଆ
ସଂପ୍ରଦାୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ବିକ୍ରୀ କରାଯାଇଥାଏ l
ଠାକୁରାଣୀ ଯାତ୍ରା ଆୟୋଜନ
କାଳରେ ଦେଶୀବେହେରାଙ୍କ ପକ୍ଷରୁ ବିଭିନ୍ନ ସେବା ପ୍ରଦାନକାରୀ ପରିବାର ଓ ସଂପ୍ରଦାୟଙ୍କୁ
ଯାତ୍ରାରେ ଯୋଗଦାନ ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯିବା ପରମ୍ପରା ରହିଛି l ଏହିପରି ସାମୂହିକ ଉଦ୍ୟମ ହେତୁ ଯାତ୍ରା ପରିଚାଳନା ସମ୍ଭବପର ହୋଇଥାଏ l
ସମ୍ବାଦ
(ବ୍ରହ୍ମପୁର ସଂସ୍କରଣ) ୧୯ ଏପ୍ରିଲ ୨୦୧୭
No comments:
Post a Comment