ବ୍ରହ୍ମପୁରରେ
ସାର୍ବଜନୀନ ଦଶହରା ପୂଜା ଅବସରରେ ଦୁର୍ଗା ମେଢ଼ ନିର୍ମାଣ ନିକଟ ଅତୀତର ପରମ୍ପରା I କୋଲକତାରୁ
କଟକ ଦେଇ ଏଭଳି ଏକ ସାମୂହିକ ପୂଜାର୍ଚ୍ଚନା ପ୍ରଥା ଏଠାରେ ଗତ ଶତାଦ୍ଦୀର ଷଷ୍ଠ ଦଶକରୁ ଲୋକପ୍ରିୟ
ହେବାରେ ଲାଗିଲା I ଅବଶ୍ୟ ଏହା ପୂର୍ବରୁ ବଙ୍ଗଭାଷୀମାନଙ୍କ ଦ୍ୱାରା
୧୯୩୪ ମସିହାରୁ ରେଳଷ୍ଟେସନ ନିକଟରେ ବିଧିବଦ୍ଧଭାବେ ଦୁର୍ଗା ପୂଜା ସମିତି ଜରିଆରେ ଦୁର୍ଗା ମେଢ଼
ନିର୍ମିତ ହୋଇଆସୁଥିଲା I ଦୀର୍ଘ ଦିନ ଧରି ସେମାନେ ଖଲ୍ଲିକୋଟ ମହାବିଦ୍ୟାଳୟ
ପ୍ରାଙ୍ଗଣରେ ଦୁର୍ଗା ମେଢ଼ ଆୟୋଜନ କରୁଥିଲେ I ପରେ ତାହା ପୁରୁଣା
ବସଷ୍ଟାଣ୍ଡ ନିକଟସ୍ଥ ଚ଼ାଟର୍ଜୀ ଲେନରେ ନିର୍ମିତ ଏକ ସ୍ଥାୟୀ ମଣ୍ଡପକୁ ସ୍ଥାନାନ୍ତରିତ ହୋଇଛି I
ସହରର
ପ୍ରାଚ଼ୀନତମ ଦୁର୍ଗା ମେଢ଼ ମଧ୍ୟରୁ ସାନ ବଜାର ଅନ୍ୟତମ I ସ୍ୱାଧୀନୋତ୍ତର
ଅବସ୍ଥାରେ ସେଠାରେ କୁଆଡ଼େ ପ୍ରବଳ ମାତ୍ରାରେ ଜୁଆଖେଳ ହେଉଥିଲା I ଗ୍ରାମାଞ୍ଚଳରୁ
କିଣାବିକା ଉଦ୍ଦେଶ୍ୟରେ ବ୍ରହ୍ମପୁରରେ ପହଞ୍ଚୁଥିବା ଗ୍ରାହକମାନେ ଜୁଆ ଖେଳ ପ୍ରତି ଆକର୍ଷିତ ହୋଇ
ସର୍ବସ୍ୱାନ୍ତ ହେଉଥିଲେ I ବଜାରର ମୁରବୀ ସ୍ଥାନୀୟ ବ୍ୟକ୍ତିମାନେ ଜୁଆ
ଖେଳର ମୂଳୋତ୍ପାଟନ କରିବା ନିମନ୍ତେ ସଂଗଠିତ ହୋଇଥିଲେ I ଏହି ଅଞ୍ଚଳରେ
ପ୍ରତ୍ୟେକ ବ୍ୟବସାୟୀ ଦୈନିକ ଦଶ ପଇସା ଚ଼ାନ୍ଦା ଦେଇ ଏକ ପାଣ୍ଠି ସୃଷ୍ଟି କରି ଜୁଆ ଖେଳ
ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ I ଏହି ଅବସରରେ ପ୍ରଶାସନ ପକ୍ଷରୁ
ତତ୍ପରତା ପ୍ରକାଶ ପାଇ ଜୁଆ ଖେଳ ବନ୍ଦ ହୋଇଥିଲା I ତେବେ ସଂଗୃହୀତ
ଚ଼ାନ୍ଦାର ସୁବିନିଯୋଗ କରି ହନୁମାନ ବଜାର ଛକରେ ୧୯୫୬ ମସିହାରୁ ଦୁର୍ଗା ମେଢ଼ ପରିକଳ୍ପନା
କରାଯାଇଥିଲା I ପ୍ରଥମ କିଛି ବର୍ଷ ଲଛମନଜୀ ବାଲାଜୀ ମନ୍ଦିରର ଉତ୍ତର
ଦ୍ୱାର ନିକଟରେ ଅନୁଷ୍ଠିତ ହେବା ପରେ ପୂର୍ବ ପଟକୁ ସ୍ଥାନାନ୍ତରିତ ହୋଇଥିଲା I ପରେ ମନ୍ଦିର ପକ୍ଷରୁ କିଛି ସ୍ଥାନ ଦାନ ସୂତ୍ରରେ ପାଇବା ପରେ ଦୁର୍ଗାପୂଜା ସମିତି ଏକ
ସ୍ଥାୟୀ ମଣ୍ଡପ ନିର୍ମାଣ କରିଥିଲେ I
ପ୍ରାରମ୍ଭିକ
ଅବସ୍ଥାରେ ବିଭିନ୍ନ ବଜାର ଅଞ୍ଚଳ ଛକସ୍ଥାନଗୁଡ଼ିକରେ ଦୁର୍ଗା ମେଢ଼ ନିର୍ମିତ ହେଉଥିବା ସ୍ଥଳେ
ଅଷ୍ଟମ ଓ ନବମ ଦଶକରେ ବିଭିନ୍ନ ସାହୀକୁ ସଂପ୍ରସାରିତ ହୋଇଥିଲା I ବ୍ରହ୍ମପୁରରେ
ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ପରକୁ ସାର୍ବଜନୀନ ଦଶହରା ପୂଜା ଅନ୍ୟତମ ବୃହତ ମହୋତ୍ସବର
ମାନ୍ୟତା ପାଇଥାଏ I #ବ୍ରହ୍ମପୁର ଦୁର୍ଗା ମେଢ଼ ନିର୍ମାଣ
ଆଞ୍ଚଳିକସ୍ତରରେ ଭାଇଚ଼ାରା ବୃଦ୍ଧିରେ ସହାୟକ ହେବା ସାଙ୍ଗକୁ କିଣାବିକା ଓ ପର୍ଯ୍ୟଟନ ପାଇଁ
ଆଖାପାଖ ଗ୍ରାମାଞ୍ଚଳରୁ ଦର୍ଶନାର୍ଥୀଙ୍କୁ ଆକର୍ଷିତ କରିଥାଏ I ଏଭଳି
ଉତ୍ସବାନୁଷ୍ଠାନ ସ୍ଥାନୀୟ ବ୍ୟାବସାୟ ବୃଦ୍ଧିରେ ସହାୟକ ହୋଇଥାଏ I ବ୍ରହ୍ମପୁର
ଏକ ବ୍ୟାବସାୟିକ ପେଣ୍ଠ ହୋଇଥିବା ହେତୁ ବ୍ୟବସାୟୀ ମହଲରୁ ଆଡ଼ମ୍ୱରପୂର୍ଣ୍ଣ ଦୁର୍ଗା ମେଢ଼
ଆୟୋଜନ ପାଇଁ ସହାୟତା ଯୋଗାଇ ଦିଆଯାଇଥାଏ I
ଦଶହରା
ଅବସରରେ ନବରାତ୍ରୀ ଦାଣ୍ଡିଆ ନୃତ୍ୟ ଆୟୋଜନ ଗତ କିଛି ବର୍ଷରୁ ସହରର ଉତ୍ସବାନୁଷ୍ଠାନ ସୂଚ଼ୀରେ
ଯୋଡ଼ିଛି I
ପୂର୍ବେ ଏହା ଗୁଜରାଟୀ ସଂପ୍ରଦାୟର କତିପୟ ମହିଳାଙ୍କ ମଧ୍ୟରେ ସୀମିତ
ଥିବାସ୍ଥଳେ ଚଳିତ ବର୍ଷ ଏହା ନୃତ୍ୟ ଓ ବ୍ୟାୟାମ ଗୋଷ୍ଠୀ ’ଜିମ’ଗୁଡ଼ିକୁ ସଂପ୍ରସାରିତ ହୋଇଥିବା ଦେଖିବାକୁ ମିଳିଛି I ଟେଲିଭିଜନ
ସାଙ୍ଗକୁ ସୋସିଆଲ ମିଡ଼ିଆ ଯୋଗେ ପଡ଼ୋଶୀ ରାଜ୍ୟର ସଂସ୍କୃତି ଆମ ସହରରେ ସାମାଜିକ ଜୀବନକୁ
ପ୍ରଭାବିତ କରୁଥିବା ଏଥିରୁ ସ୍ୱଷ୍ଟ ଅନୁମିତ ହୁଏ I
ପରିବର୍ତ୍ତିତ
ପରିବେଶରେ ଏଭଳି ସାଂସ୍କୃତିକ ପରମ୍ପରା ନୂତନ ପୋଷାକପତ୍ର ପରିଧାନ, ପ୍ରସାଧନ
ଓ ସେଲଫି ଉତ୍ତୋଳନରେ ପର୍ଯ୍ୟବସିତ ହେଉଥିବା ହେତୁ ଉପଭୋକ୍ତା ସାଂସ୍କୃତିର ପ୍ରସାରରେ ସହାୟକ ହୋଇଥାଏ
I ଏଣିକି ଦୁର୍ଗା ମେଢ଼ ଦର୍ଶନାର୍ଥୀମାନେ ମୋବାଇଲ ଫୋନ କ୍ୟାମରାରେ
ଚ଼ିତ୍ର ଓ ଭିଡ଼ିଓ ଉତ୍ତୋଳନ କରି ହ୍ୱାର୍ଟସଆପ ଭଳି ମେସେଞ୍ଜର ଆପଯୋଗେ ନିଜ ପରିଚ଼ିତ ମହଲରେ
ବ୍ୟାପକ ମାତ୍ରାରେ ପ୍ରସାରଣ କରୁଥିବା ସହରର ଦୁର୍ଗାମେଢ଼ଗୁଡ଼ିକୁ ଭାଇରାଲ କରିବାରେ ଲାଗିଛି I
ଫଳରେ ମେଢ଼ ପ୍ରାଙ୍ଗଣମାନଙ୍କରେ ସାଜସଜ୍ଜାର ଗୁରୁତ୍ୱ ଏହି କାରଣରୁ ବୃଦ୍ଧି
ପାଇବାରେ ଲାଗିଛି I
(ପ୍ରମେୟ / ୧୭
ଅକ୍ଟୋବର ୨୦୧୮)
---
No comments:
Post a Comment