ଦୀର୍ଘଦିନର ଅପେକ୍ଷାପରେ ସହରରେ ଅପରାହ୍ନରେ ଅସରାଏ
ବର୍ଷା ହୋଇଥିଲା । ବିଳମ୍ୱିତ ସଂଧ୍ୟାରେ ପରିବେଶ ବେଶ ଶାନ୍ତ ସ୍ନିଗ୍ଧ…. । ଜଣେ ଜଣାଶୁଣା
ଅଧିବକ୍ତା ବରିଷ୍ଠ ନାଗରିକ ଅଫିସ କାମ ସାରି ଅପେକ୍ଷାକୃତ କମ୍ ଭିଡ଼ଥିବା ରାସ୍ତାରେ ସ୍କୁଟରରେ
ପ୍ରଫୁଲ ମନରେ ଘରକୁ ଫେରୁଥିଲେ । ବିକଟାଳ ଶବ୍ଦକରି ହଠାତ୍ ଏକ ବାଇକ ପଛପଟୁ ଧକ୍କା ଦେଲା ।
ବରିଷ୍ଠ ନାଗରିକ ଛିଟିକି ପଡ଼ିଲେ । ସାମାନ୍ୟ ଖଣ୍ଡିଆ ଖାବରା ହୋଇ ଚଷମା ସଜାଡ଼ି ଉଠି ବାଇକ
ଆରୋହୀଙ୍କୁ ଦୃତଗତିରେ ଯାନବାହାନ ନଚଳାଇବା ଲାଗି ତାଗିଦ କଲେ । ବାଇକ ଆରୋହୀ ଉତ୍ୟକ୍ତ ହୋଇ
ଉଠିଲେ । ଉପଦେଶକର୍ତ୍ତାଙ୍କୁ ଉଚିତ ଜବାବ ଦେବାକୁ ପଛାଇଲେ ନାହିଁ…. ।
ବରିଷ୍ଠ ନାଗରିକ ସହରର ଜଣାଶୁଣା ବ୍ୟକ୍ତିତ୍ୱ । ସାଂଧ୍ୟ ଦୁର୍ଘଟଣାରେ ଭୌଗଳିକ ପରିଧିରେ ଅନ୍ତତଃ ପକ୍ଷେ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ଧରି ସାମାଜିକ କାର୍ଯ୍ୟସୂଚୀରେ ଜଡିତ । ହା…. ହା…. କରି ଆଖପାଖରେ ଉପସ୍ଥିତ ଲୋକ ଘେରି ଆସିଲେ । ଆରେ ଶ…. ଭିଆଇପିଟାରେ କହି ବାଇକ ଆଖି ପିଛୁଳାକେ ଛୁ….. ।
ଉପରୋକ୍ତ ବର୍ଣ୍ଣନା ସଂପୂର୍ଣ୍ଣ କାଳ୍ପନିକ । ସ୍ଥାନ-କାଳ-ପାତ୍ର ପରିବର୍ତ୍ତନ କଲେ ଦୈନିକ ପଚାଶରୁ ଉର୍ଦ୍ଧ୍ୱ ଏତାଦୃଶ ଦୁର୍ଘଟଣା #ବ୍ରହ୍ମପୁର ସହରରେ ଘଟୁଥିବା ହେତୁ ଅନେକଟା ସତ୍ୟ ହୋଇପାରେ, କିମ୍ୱା ସତ୍ୟର ପାଖପାଖି ଆସିପାରେ ।ପାରମ୍ପରିକଭାବେ ବ୍ରହ୍ମପୁର ସହରରେ ରାସ୍ତା ନିୟମକାନୁନ ଅଧିକାଂଶ ମାନନ୍ତି ନାହିଁ । ଅନ୍ୟ ସହରର ମଟରଗାଡ଼ି ଡ୍ରାଇଭରମାନେ ଏଠାରେ ପହଞ୍ଚିଲେ ପ୍ରଥମେ ପ୍ରଶ୍ନ କରନ୍ତି ‘ଏମିତି ଅସଜଡ଼ା ଟ୍ରାଫିକରେ ଆମେ ଗାଡ଼ି ଚଲାଇବୁ କେମିତି ?’
ନିକଟରେ ସହରର ଜନପ୍ରତିନିଧିଦ୍ୱୟ ଟ୍ରାଫିକ ବ୍ୟବସ୍ଥା ସଂପର୍କରେ ପୋଲିସ ପ୍ରଶାସନ ସହ ଆଲୋଚନା କରିଥିଲେ । ସମ୍ୱାଦପତ୍ରରେ ଖବର-ଫୋଟ ଛାପା ହେଲା, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେଲା, ପରେ ରିପୋର୍ଟକାର୍ଡ଼ରେ ଲେଖାଯିବ ସତ । ତେବେ ସହର ଅବ୍ୟବସ୍ଥିତ ଟ୍ରାଫିକ ସଜାଡ଼ିବାଲାଗି କ’ଣ କିଛି ଉପଯୋଗଯୋଗ୍ୟ ପରାମର୍ଶ ଦେଲେ କି ? କାହିଁ ଆମ ନଜରକୁ ଆସିନାହିଁ । ଯଦି ଗୋପନୀୟ ହୋଇଥିବ ଅଲଗା କଥା !
---
No comments:
Post a Comment