ରାଜ୍ୟର
ସର୍ବତ୍ର,
ମୁଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜୁଆ ଖେଳର ପରମ୍ପରା ରହିଆସିଥିଲେ
ହେଁ ବ୍ରହ୍ମପୁର ସହରର ଜୁଆ ଖେଳ ଚର୍ଚ୍ଚିତ ହୋଇଥାଏ I ଏଠାରେ
ବର୍ଷସାରା ଜୁଆ ଖେଳ ଲାଗି ରହିଥିବାବେଳେ କୁମାରପୂର୍ଣ୍ଣିମା ଅବସରରେ ପରିମାଣ ବଢ଼ିଯାଏ I
ଅତୀତରେ ଗଞ୍ଜାମ ଜିଲ୍ଲାର ଘରେ ଘରେ କୁମାର ପୂର୍ଣ୍ଣିମାରେ ପରିବାରର ସମସ୍ତ
ସଦସ୍ୟ କଉଡ଼ି ଛୁଇଁବା ବିଧି ପାଳିତ ହେଉଥିଲା I
କୁହାଯାଏ ଯେ
ରାଜ୍ୟର ଅନ୍ୟତ୍ର ଜୁଆ ଖେଳ ମନୋରଞ୍ଜନଭିତ୍ତିକ ଥିବା ସ୍ଥଳେ ବ୍ରହ୍ମପୁର ତଥା ଗଞ୍ଜାମରେ
କେତେକଙ୍କ ପାଇଁ ବୃତ୍ତିକେନ୍ଦ୍ରୀକ I ଅର୍ଥାତ କିଛି ଲୋକ କେବଳ ଜୁଆ ଖେଳରୁ ଉପାର୍ଜନ
କରି ଜୀବନବ୍ୟାପୀ ଚଳିଥାନ୍ତି I ହୁଏତ ଏମାନଙ୍କ ସଂଖ୍ୟା ନଗଣ୍ୟ
ହୋଇପାରେ, ତେବେ ଜୁଆ ଖେଳରେ କ୍ରମାଗତ ହାରି ଜମିବାଡ଼ି, ଘରଦ୍ୱାର ବିକ୍ରୀକରି ସର୍ବସ୍ୱାନ୍ତ ହେବା ଉଦାହରଣର ଅଭାବ ନାହିଁ I
ଗଞ୍ଜାମ ଜିଲ୍ଲା, ଖାସ
କରି #ବ୍ରହ୍ମପୁର ସହରରେ ଦାର୍ଘ ଅତୀତରୁ ଜୁଆ ଖେଳର ଉପସ୍ଥିତି ରହସ୍ୟାବୃତ I ଊନବିଂଶ ଶତାଦ୍ଦୀର ଶେଷଭାଗରୁ ଗୋପାଳପୁର ବନ୍ଦର ଦେଇ ଗଞ୍ଜାମରୁ ଶ୍ରମିକମାନେ ରେଙ୍ଗୁନ
ଯାତ୍ରା କରୁଥିଲେ I ବିଂଶ ଶତାଦ୍ଦୀ ଆରମ୍ଭରୁ ରେଳପଥ ସଂଯୋଗ ପରେ
ମୁମ୍ୱାଇ, ଅହମ୍ମଦାବାଦ କଳକାରଖାନା ଆଡ଼େ ମୁହାଁଇଲେ I ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଶେଷ ସୁଦ୍ଧା ଗଞ୍ଜାମର ଚ଼ାରି ଲକ୍ଷ ଶ୍ରମିକ ସୁରତର
ବସ୍ତ୍ରଶିଳ୍ପରେ ନିୟୋଜିତ ଥିବା ହିସାବ କରାଯାଏ I
ଜିଲ୍ଲାର
ଦେଶାନ୍ତରୀ ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ଯୁବାବସ୍ଥାରେ କିଛି ବର୍ଷ ବିଦେଶରେ କଟାଇ ଗୃହସ୍ଥ
ଜୀବନଯାପନ ଲାଗି ପୁଣି ଜନ୍ମମାଟିକୁ ଫେରି ଆସନ୍ତି I ଦେଶାନ୍ତରୀ ଶ୍ରମିକଙ୍କ ମଧ୍ୟରେ
ଅତୀତରେ ଜୁଆ ଖେଳ ଏକ ମନୋରଞ୍ଜନର ମାଧ୍ୟମରୂପେ ପ୍ରଚ଼ଳିତ ଥିବାବେଳେ କ୍ରମଶଃ ସେଥିରେ ଅଭ୍ୟସ୍ତ
ହୋଇପଡୁଥିଲେ I ପରବର୍ତ୍ତୀ ଜୀବନ ସେହି ଅଭ୍ୟାସରେ ପ୍ରଭାବିତ ହୋଇପଡ଼େ
ବୋଲି ବିଚ଼ାର କରାଯାଇପାରେ I
ବ୍ରହ୍ମପୁର
ସାନବଜାର ଅଞ୍ଚଳ ଜୁଆ ଖେଳ ପାଇଁ ପ୍ରସିଦ୍ଧି ଲାଭ କରିଥିଲା I ଜିଲ୍ଲାର ଗ୍ରାମାଞ୍ଚଳରୁ
ଗ୍ରାହକମାନେ ବଜାରସଉଦା କରିବାକୁ ସହରରେ ପହଞ୍ଚୁଥିବା ଅବସରରେ ଜୁଆଡ଼ିଙ୍କ କବଳରେ ପଡ଼ି
ପଇସାପତ୍ର ହରାଉଥିଲେ I ସମସ୍ୟା ଉତ୍କଟ ହେବାଫଳରେ ବ୍ୟବସାୟରେ
ମାନ୍ଦାବସ୍ଥା ଦେଖାଦେଲା I ଦୋକାନୀମାନେ ଏକଯୁଟ ହୋଇ ଦୋକାନ ପିଛା
ଦୈନିକ ଦଶ ପଇସା ଚ଼ାନ୍ଦା ସଂଗ୍ରହକରି ସାନବଜାରରେ ଜୁଆ ଖେଳ ବିରୁଦ୍ଧରେ ବିଦ୍ରୋହ ଘୋଷଣା
କରିଥିଲେ I ଶେଷରେ ପ୍ରଶାସନିକ ତତ୍ପରତା କାରଣରୁ ୧୯୫୬ ବେଳକୁ ଜୁଆ
ଖେଳ ବନ୍ଦ ହୋଇଥିଲା I
ସହରର କେତେକ
ବାସଗୃହ ତଥା ହୋଟେଲ ରୁମରେ ଦଳଭିତ୍ତିରେ ଜୁଆଖେଳ ଚ଼ାଲେ I ପ୍ରତି ଦଳରେ ଆଠରୁ ଦଶ
ଜୁଆଡ଼ି ଏକାଠି ହୋଇଥାନ୍ତି I ତିନିପତି ଖେଳରେ ଥରକା ହଜାରେ
ଦୁଇହଜାରରୁ ଦଶ କୋଡ଼ିଏ ହଜାର ଯାଏଁ ଟଙ୍କା ବାଜି ପଡ଼େ I ଜିଲ୍ଲାର
ଗ୍ରାମାଞ୍ଚଳରେ ଜୁଆଆଡ୍ଡାମାନ ଚ଼ାଲୁଥିଲେ ହେଁ ବିତ୍ତଶାଳୀ ଖେଳାଳୀଙ୍କ ସମାଗମ ବ୍ରହ୍ମପୁରରେ
ଜମେ I ସହରରେ ଖାସ ମହିଳାମାନଙ୍କ ପାଇଁ ମଧ୍ୟ ଜୁଆ ଆଡ୍ଡାଥିବା ଜଣାଯାଏ
I ଅତୀତରେ କେତେକ ଖ୍ୟାତି ସମ୍ପନ୍ନ ବ୍ୟବସାୟୀ ଓ ରାଜନେତା ନିୟମିତ
ଜୁଆ ଖେଳୁଥିବା ଇତିହାସ ଶୁଣିବାକୁ ମିଳେ I
ସଭ୍ୟତାର ବିକାଶ
ସହ ଜୁଆ ଖେଳ ଯୋଡ଼ି ହୋଇ ଆସିଛି I ବିକଶିତ ରାଷ୍ଟ୍ରଗୁଡ଼ିକରେ ଜୁଆ ଖେଳ ସରକାରୀ
ସ୍ୱୀକୃତି ବା ଲାଇସେନ୍ସ ପାଇଥାଏ I ଆଧୁନିକ ଯୁଗରେ ତିନିପତି ବଦଳରେ କମ୍ପ୍ୟୁଟର ଓ ଇଣ୍ଟରନେଟଭିତ୍ତିକ ଖେଳ ଲୋକପ୍ରିୟତା
ହାସଲ କରିଛି I ବୈଧ ଜୁଆ ଆଡ୍ଡା ବା କ୍ୟାସିନୋ ଆନ୍ତର୍ଜାତିକ
ପର୍ଯ୍ୟଟନର ଅନ୍ୟତମ ବିଭବ ରୂପେ ବିକଶିତ ହୋଇଛି I ବିଳାସମୟ ପୋତ ‘କ୍ରୁଇଜ’ ଗୁଡ଼ିକରେ ଜୁଆଖେଳ ମୁଖ୍ୟ ଆକର୍ଷଣ
। ତେବେ ବ୍ରହ୍ମପୁରର ଜୁଆଖେଳର ପରମ୍ପରା ଦୀର୍ଘ ଅତୀତରୁ ଉଜ୍ଜୀବିତ ରହିଆସିଛି I
***
No comments:
Post a Comment