Friday, April 22, 2016

Neglecting the culture of water bodies / ଅବହେଳାରେ ପୁଷ୍କରଣୀ ସଂସ୍କୃତି

ପ୍ତଦଶ ଶତାଦ୍ଦୀ ମଧ୍ୟଭାଗରୁ କ୍ରମବର୍ଦ୍ଧିଷ୍ଣୁ #ବ୍ରହ୍ମପୁର ସହର ମଠ, ମନ୍ଦିର ଓ ପୁଷ୍କରଣୀମୟ ଜନବସତି ରୂପେ ଗଢ଼ି ଉଠିଥିଲା | ଐତିହାସିକମାନଙ୍କ ମତରେ ୧୬୭୨ ଖ୍ରୀଷ୍ଟାଦ୍ଦରେ ହରିଡ଼ାଖଣ୍ଡିଠାରେ ଲକ୍ଷ୍ମୀନୃସିଂହ ସ୍ୱାମୀ ମନ୍ଦିର ଓ ତାହାର କିଛି ସମୟ ପୂର୍ବରୁ ବର୍ତ୍ତମାନର ବଡ଼ବଜାରଠାରେ ମହୁରି ରାଜବାଟୀ ପ୍ରତିଷ୍ଠା ପରେ ପରେ ସେହି ଅଞ୍ଚଳ ପରିସୀମାରେ ବହୁଳ ପରିମାଣରେ ମଠ ମନ୍ଦିରର ଉପସ୍ଥିତି କାରଣରୁ ଏହାକୁ ଦେବତାଙ୍କପୁର ବା ବ୍ରହ୍ମପୁର ନାମିତ କରାଯାଇଥିଲା | ଘନ ସବୁଜିମାର ଆସ୍ତରଣ ଓ ଜଳାଶୟ ସଂଗକୁ ପ୍ରଶସ୍ତ ରାସ୍ତାଘାଟ ଓ ପରିଚ୍ଛନ୍ନତା ବ୍ରହ୍ମପୁରକୁ ପରବର୍ତ୍ତୀ ଅବସ୍ଥାରେ ସମଗ୍ର ମାଡ୍ରାସ ପ୍ରେସିଡ଼େନ୍ସିରେ ସୁନାମ ଅର୍ଜନଲାଗି ସମର୍ଥ କରାଇପାରିଥିଲା |
          ମଠ ମନ୍ଦିର ସଂଲଗ୍ନ ପୁଷ୍କରଣୀ ଖନନ ଭାରତୀୟ ସଂସ୍କୃତିର ଏକ ଅଂଶ ବିଶେଷ | ଅତଏବ ଅଧିକ ସଂଖ୍ୟାରେ ମଠମନ୍ଦିରର ଅର୍ଥ ଅଧିକ ସଂଖ୍ୟାରେ ପୁଷ୍କରଣୀର ଉପସ୍ଥିତି ସ୍ୱାଭାବିକ | ବିଭିନ୍ନ ଧାର୍ମିକ ବିଧିବିଧାନ ପୁଷ୍କରଣୀରେ ସମାହିତ ହୋଇଥାଏ ଏବଂ ପୁଷ୍କରଣୀର ରକ୍ଷଣାବେକ୍ଷଣ ସ୍ଥାନୀୟ ନାଗରିକଙ୍କ କର୍ତ୍ତବ୍ୟରୂପେ ପରିଗଣିତ ହୋଇ ଆସିଛି |
          ତେବେ ସ୍ୱାଧୀନୋତ୍ତର ଅବସ୍ଥାରେ ବ୍ରହ୍ମପୁରରେ ଏହି ପରମ୍ପରାରେ ବିଚ୍ୟୁତି ଦେଖିବାକୁ ମିଳିଲା | ପ୍ରଥମତଃ ପୁଷ୍କରଣୀଗୁଡ଼ିକ ରକ୍ଷଣାବେକ୍ଷଣ ଲାଗି ସାମାଜିକ ତଥା ପ୍ରଶାସନିକସ୍ତରରେ ଅବହେଳା ପ୍ରଦର୍ଶନ କରାଗଲା, ଦ୍ୱିତୀୟତଃ ବ୍ୟକ୍ତିଗତ ମାଲିକନାରେ ଥିବା ବହୁ ପୁଷ୍କରଣୀଗୁଡ଼ିକୁ ପୋତି ଦିଆଯାଇ ଗୃହନିର୍ମାଣ ଲାଗି ଡ଼ିହ ପ୍ରସ୍ତୁତ କରାଗଲା ଓ ତୃତୀୟତଃ ସରକାରୀ ମାଲିକାନାରେଥିବା ଅନ୍ୟ କେତେକ ବୃହତ ପୁଷ୍କରଣୀକୁ ପୋତି ବିଭିନ୍ନ ସାର୍ବଜନୀନ କାର୍ଯ୍ୟରେ ଲଗାଗଲା | ଫଳରେ ବ୍ରହ୍ମପୁରରୁ ପୁଷ୍କରଣୀ ସଂସ୍କୃତି କ୍ରମଶଃ ଲୋପ ପାଇବାରେ ଲାଗିଲା | ତା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ସହରରେ ୪୨ ଗୋଟି ପୋଖରୀ ବଞ୍ଚରହିଛି |
          ଜନପଦରେ ଜନସାଧାରଣଙ୍କ ପାଇଁ ଜଳଉତ୍ସରୂପେ କାର୍ଯ୍ୟକରିବା ସାଙ୍ଗକୁ ଭୂଗର୍ଭରେ ଜଳସ୍ତର ନିୟନ୍ତ୍ରଣ ତଥା ପାରିପାର୍ଶ୍ୱିକ ବାୟୁମଣ୍ଡଳରେ ଆଦ୍ରତା ବଜାୟ ରଖିବାରେ ପୁଷ୍କରଣୀଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ | ବର୍ତ୍ତମାନ ପୁଷ୍କରଣୀ ଅଭାବରେ ବ୍ରହ୍ମପୁର ସହରବାସୀ ତତ୍ ଜନିତ ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ହେଉଛନ୍ତି | ଚଳିତ ଗ୍ରୀଷ୍ମଋତୁରେ ସହରରେ ତାପମାତ୍ରା ବୃଦ୍ଧିର ଏହା ଅନ୍ୟତମ କାରଣ |
          ବ୍ରହ୍ମପୁର ପୌରପାଳିକାଙ୍କ ପକ୍ଷରୁ ସହରର ବିକାଶଲାଗି ଆନ୍ତର୍ଜାତିକ ସହାୟତା ଆବେଦନ କରାଯିବା ଅବସରରେ ଏଠାକାର ଜୀର୍ଣ୍ଣ ଅବସ୍ଥାରେ ଥିବା ପୁଷ୍କରଣୀଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଅନୁଦାନକାରୀ ସଂସ୍ଥା ଗୁରୁତ୍ୱ ଆରୋପ କରିଥିଲେ | ଚ଼ବିଶି ଗୋଟି ପୁଷ୍କରଣୀର ପୁନରୁଦ୍ଧାର ପାଇଁ ପ୍ରାୟ ଷୋହଳ କୋଟି ଟଙ୍କା ମଂଜୁର ହୋଇଥିଲା | ୨୦୦୭ ମସିହାରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୭ ଗୋଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟି ପୁଷ୍କରଣୀର ପୁନରୁଦ୍ଧାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା | ତେବେ ସେଥିରେ ଟେଣ୍ଡର ଫିକ୍ସିଂ ଓ ନିମ୍ନମାନର କାର୍ଯ୍ୟ ସଂପର୍କରେ ଅଭିଯୋଗ ବର୍ତ୍ତମାନ ସମ୍ୱାଦପତ୍ରର ପୃଷ୍ଠା ମଣ୍ଡନ କରୁଛି |
          ସହରାଞ୍ଚଳରେ ପାରିପାର୍ଶ୍ୱିକ ପରିବେଶ ସନ୍ତୁଳନରେ ପୁଷ୍କରଣୀର ଭୂମିକା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଉଦାହରଣମାନ ସମୟକ୍ରମେ ଚର୍ଚ୍ଚାର ପରିସରକୁ ଆସିବାରେ ଲାଗିଛି | ଗତବର୍ଷ ବର୍ଷାଦିନେ ଚ଼େନ୍ନାଇରେ ଓ ପୂର୍ବବର୍ଷ ମୁମ୍ୱାଇରେ ଜଳାଶୟ ଅଭାବ କାରଣରୁ ରାସ୍ତାଘାଟର ବନ୍ୟାଜଳ ବାସଗୃହ ମଧ୍ୟକୁ ପ୍ରବେଶ ଜନିତ ସହରବାସୀଙ୍କ ଦୁର୍ଦ୍ଦଶା ଅନ୍ୟାନ୍ୟ ସହରପ୍ରତି ଚ଼େତାବନୀ ସାଜିଛି | ବ୍ରହ୍ମପୁରରେ ଆସିକାରୋଡ଼ରେ ଏକ ବିରାଟ ଜଳାଶୟ ପୋତି ସେଥିରେ ମାର୍କେଟ କମ୍ପ୍ଳେକ୍ସ  ନିର୍ମାଣଲାଗି ପ୍ରସ୍ତାବ ଦୀର୍ଘଦିନରୁ ଲଟକି ରହିଛି | ଠିକ୍ ତାହାର ସାମ୍ନାରେ ଅନ୍ୟଏକ ଜଳାଶୟ ତାମେୟା ବନ୍ଧ ପୋତି ଗୋଟିଏ ପାର୍କ ଗଢ଼ାଗଲା | ସହରର ଅନ୍ୟାନ୍ୟ ଅଞ୍ଚଳରେ ଛୋଟ ବଡ଼ ବହୁ ପୁଷ୍କରଣୀ ପୋତିବା ଯୋଜନା ଚାଲିଥିବା ଖବର ପ୍ରକାଶ ପାଉଛି | ଅନ୍ତତଃ ପକ୍ଷେ ଏଣିକି ପୁଷ୍କରଣୀ ପୋତା ସଂସ୍କୃତିକୁ ସାଧାରଣସ୍ତରରେ ପ୍ରତିବାଦ କରିବା ସମୟ ଆସିପହଞ୍ଚିଛି | ଏବର୍ଷ ପ୍ରଚ଼ଣ୍ଡ ରୌଦ୍ରତାପରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଗୃହ ମଧ୍ୟରେ କଠୋରୀଗୁଡ଼ିକରେ ଖୋଲାପାତ୍ରରେ ପାଣି ରଖିବା ପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଉଛନ୍ତି | ଏହାଦ୍ୱାରା କଠୋରୀରେ ଆଦ୍ରତା ବଢ଼ିବା କୁହାଯାଉଛି | ତେବେ ଜନପଦରେ ଆଦ୍ରତା ବୃଦ୍ଧି କରି ପାଣିପାଗରେ ସନ୍ତୁଳନ ରକ୍ଷା ପାଇଁ ପୁଷ୍କରଣୀ କଥା ଆମେ କିପରି ଭୂଲି ଯିବା ?


ସଂବାଦ (ବ୍ରହ୍ମପୁର ସଂସ୍କରଣ) ୨୦ ଏପ୍ରିଲ ୨୦୧୬ ରେ ପ୍ରକାଶିତ

2 comments: