ଜନସଂଖ୍ୟା ଆକଳନ ଅନୁଯାୟୀ ଆମ ଦେଶରେ ବର୍ତ୍ତମାନ ପ୍ରାୟ ଦଶ ପ୍ରତିଶତ ଅଧିବାସୀ 60 ବର୍ଷରୁ
ଉର୍ଦ୍ଧ୍ୱ ବା ବରିଷ୍ଠ ନାଗରିକ ପର୍ଯ୍ୟାୟଭୁକ୍ତ | ପୁଣି ଏମାନଙ୍କ ମଧ୍ୟରୁ ପ୍ରାୟ ଶତକଡ଼ା ଦଶ ପ୍ରତିଶତ ବୃଦ୍ଧବୃଦ୍ଧା ଏକେତ ଶଯ୍ୟାଶାୟୀ
କିମ୍ୱା ଘରୁ ବାହାରିବା ଲାଗି ଅସମର୍ଥ | ଏହି ହିସାବ ଅନୁଯାୟୀ ବ୍ରହ୍ମପୁରର
ସମସାମୟିକ ସ୍ଥାୟୀ ଲୋକସଂଖ୍ୟା 4 ଲକ୍ଷ 50 ହଜାର ଧରାଗଲେ ପ୍ରାୟ 45 ହଜାର ବାସିନ୍ଦା ବରିଷ୍ଠ
ନାଗରିକ ଏବଂ 4 ହଜାରର 500 ବାସିନ୍ଦା ଶଯ୍ୟାଶାୟୀ କିମ୍ୱା ଘରୁ ବାହାରିବା ଲାଗି ଅସମର୍ଥ |
ଏହି
ପରିସଂଖ୍ୟାନ ଅଧ୍ୟୟନ କଲେ ପ୍ରଥମେ ମନକୁ ଆସେ ପରିଣତ ବୟସରେ ଶାରିରୀକ ଦୃଷ୍ଟିରୁ ଅସହାୟ
ସ୍ଥିତିରେ ଉପନୀତ ହୋଇଥିବା ବରିଷ୍ଠ ନାଗରିକଙ୍କ ପାଇଁ ଆମ ସହରରେ କ’ଣ ସବୁ ସାମାଜିକ ସୁରକ୍ଷା ଉପଲବ୍ଧ | ଶିଶୁ, ନାବାଳାକ, ଯୁବବର୍ଗ, ମହିଳା,
ସଂଖ୍ୟାଲଘୁ ସଭିଙ୍କ ପାଇଁ ଊଣା ଅଧିକେ କିଛି କିଛି ଘରୋଇ ଓ ସରକାରୀ ସୁବିଧାସୁଯୋଗ ଥିବାବେଳେ
ବରିଷ୍ଠନାଗରିକ, ମୁଖ୍ୟତଃ ଶଯ୍ୟାଶାୟୀଙ୍କ ନିମନ୍ତେ ଘରୋଇ କିମ୍ୱା ସରକାରୀ କୌଣସିଟି ସ୍ତରରେ
ଗୁରୁତ୍ୱ ଦିଆଯାଉଥିବା ମନେ ହୁଏନି | ଆପାତତଃ ପରିବାରବର୍ଗଙ୍କ ହେପାଜାତରେ
ସେମାନଙ୍କୁ ଛାଡ଼ି ଦିଆଯାଇଥାଏ | ନିକଟ ଅତୀତରେ ସନ୍ତାନସନ୍ତତିଙ୍କ ଦ୍ୱାରା
ବୃଦ୍ଧା ମାତାପିତାଙ୍କ ଭରଣପୋଷଣ ନିମନ୍ତେ ଏକ ଆଇନ ପ୍ରଣୟନ ହୋଇଥିଲେ ହେଁ ପ୍ରାୟତଃ ତାହାର
ଉପଯୋଗ ସଂଖ୍ୟା ନଗଣ୍ୟ |
ଦେଶରେ
ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢ଼ି ଚ଼ାଲିବାରେ ଲାଗିଛି | ସ୍ୱାସ୍ଥ୍ୟ ସେବାରେ ଉନ୍ନତି, ମୁଣ୍ଡପିଛା ଆୟ ବୃଦ୍ଧି ତଥା ଶିକ୍ଷା ପ୍ରସାର କାରଣରୁ
ପରମାୟୁ ବୃଦ୍ଧି ଘଟୁଛି | ‘ହେଲପ ଏଜ ଇଣ୍ଡିଆ’ ପକ୍ଷରୁ ଜାରି କରାଯାଇଥିବା ବିବରଣୀ ଅନୁଯାୟୀ 2050 ବେଳକୁ ଭାରତର ମୋଟ ଜନସଂଖ୍ୟାର 20
ପ୍ରତିଶତ ଲୋକ ବରିଷ୍ଠ ନାଗରିକ ପର୍ଯ୍ୟାୟଭୁକ୍ତ ହେବେ | ସେହି ହିସାବରେ 2050 ବେଳକୁ ଯଦି ବ୍ରହ୍ମପୁରର ଲୋକସଂଖ୍ୟା 10 ଲକ୍ଷ ଛୁଇଁଥିବ, ସେମାନଙ୍କ
ମଧ୍ୟରେ ଦୁଇ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଦେଖିବାକୁ ମିଳିବ | ସେଥି ମଧ୍ୟରୁ 20 ହଜାର ଶଯ୍ୟାଶାୟୀ ହେବା ଆଶା କରାଯାଇପାରେ |
ସମାଜରେ
ଏହି କ୍ରମବର୍ଦ୍ଧିଷ୍ଣୁ ବର୍ଗଙ୍କ ନିମନ୍ତେ ସୁଯୋଗସୁବିଧା ସୃଷ୍ଟି ଲାଗି ବିଚ଼ାରବିମର୍ଷ ତଥା
ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ | ଘରୋଇ ଓ ସରକାରୀ ଉଭୟସ୍ତରରେ ଏହାକୁ
ପ୍ରାଥମିକତା ଦେବାକୁ ପଡ଼ିବ | ପୌରପାଳିକାସ୍ତରରେ ଏଥି ନିମନ୍ତେ
ସୁଚ଼ିନ୍ତିତ କାର୍ଯ୍ୟକ୍ରମ ପ୍ରଣୟନ ଅପରିହାର୍ଯ୍ୟ | ଗଣତାନ୍ତ୍ରିକ ଶାସନରେ ଏଥି ନିମନ୍ତେ ଚ଼ାପ ପ୍ରୟୋଗ କରିବାପାଇଁ ବରିଷ୍ଠ ନାଗରିକଙ୍କ
ସାଙ୍ଗକୁ ଆସନ୍ନ ବାର୍ଦ୍ଧକ୍ୟ ପର୍ଯ୍ୟାୟଭୁକ୍ତ ନାଗରିକମାନେ ଏକଯୁଟ ହେବାର ସମୟ ଆସି ପହଞ୍ଚି
ନାହିଁକି |
ସମ୍ୱାଦ (#ବ୍ରହ୍ମପୁର ସଂସ୍କରଣ) 05 ଅଗଷ୍ଟ 2016
No comments:
Post a Comment