ପାରମ୍ପରିକ ଭାବେ ଦୀପାବଳିରେ ବାଣ ଫୁଟାଯାଏ । ଯେହେତୁ
ବର୍ଷର ଅନ୍ୟ କୌଣସି ଦିନ ସଭିଏଁ ବାଣଫୁଟାନ୍ତି ନାହିଁ, ତେଣୁ ଦୀପାବଳିରେ ବାଣଫୁଟା ଗୁରୁତ୍ୱ
ବହନ କରିଥାଏ । ପାରିବାରିକସ୍ତରରେ ବାଣଫୁଟା ସାଙ୍ଗକୁ ସାଙ୍ଗସାଥିଙ୍କ ମେଳରେ ବାଣଫୁଟା ଆନନ୍ଦମୁଖର
ପରିବେଶ ସୃଷ୍ଟିକରେ । ବଡ଼ ସହରରେ ବହୁତଳ ଅଟ୍ଟାଳିକା ‘ଆପାର୍ଟମେଣ୍ଟ’ରେ ବସବାସ କରୁଥିବା ପରିବାରବର୍ଗଙ୍କ ପାଇଁ ନିଜ ବାସଗୃହ ସାମ୍ନାରେ ବାଣଫୁଟାର ସୁବିଧା
ନଥିବା ହେତୁ ସେମାନେ ଆପାର୍ଟମେଣ୍ଟ ପ୍ରାଙ୍ଗଣରେ ପଡ଼ିଶାଅଡ଼ିଶାଙ୍କ ସହ ସମବେତ ହୋଇ
ନିର୍ଦ୍ଧିଷ୍ଟ ସମୟ ପାଇଁ ବାଣ ଫୁଟାନ୍ତି । ଆପାର୍ଟମେଣ୍ଟ ସଂସ୍କୃତି କ୍ରମଶଃ ବ୍ରହ୍ମପୁରକୁ
ଆକ୍ରାନ୍ତ କରିଚାଲିଛି । ତେବେ ଅତୀତରେ ନିଆରା ଢ଼ଙ୍ଗରେ ସହରରେ ସାମୂହିକସ୍ତରରେ ବାଣଫୁଟା
ପ୍ରଥା ପ୍ରଚଳିତ ଥିଲା ।
ପଚ଼ାଶ ବର୍ଷ ତଳର କଥା । ଗତ ଶତାଦ୍ଦୀର ପଞ୍ଚମ ଓ ଷଷ୍ଠ
ଦଶକରେ କିଛି କାଳ ପାଇଁ #ବ୍ରହ୍ମପୁର ବିଜୟା ଟକିଜ ଛକରେ ଏକ ଛୋଟକାଟର ସାର୍ବଜନୀନ ବାଣଫୁଟା
ସ୍ୱତଃପ୍ରବୃତ୍ତଭାବେ ଅନୁଷ୍ଠିତ ହେଉଥିଲା । ସନ୍ଧ୍ୟାର ପ୍ରଥମ ପ୍ରହରରେ ଘରେ ଶ୍ରାଦ୍ଧକର୍ମ
ସାରି ପ୍ରସାଦ ସେବନପରେ ଆଖପାଖ ଅଞ୍ଚଳର ଯୁବକମାନେ ବିଜୟା ଟକିଜ ଛକରେ ରାତ୍ରର ଦ୍ୱିତୀୟ
ପ୍ରହରରେ ଏକତ୍ରୀତ ହେଉଥିଲେ । ବିଜୟା ଟକିଜ ତ କୋଡ଼ିଏ ବର୍ଷ ତଳୁ ଅସ୍ଥିତ୍ୱ ହରାଇଲାଣି । ସେହି ଛକ ଆଜିକାଲି ଗିରିମାର୍କେଟ ଛକ ନାମରେ ପରିଚିତ ।
ବିଜୟା ଟକିଜ ଛକରେ ଚାରିଗୋଟି ରାସ୍ତା ସଂଯୋଜିତ-ସତ୍ୟ
ନାରାୟଣ ମନ୍ଦିର ରାସ୍ତା, ପାନବିକା ସାହୀ, ଗୋଲିଲା ସାହୀ ଓ ଭିକ୍ଟୋରିଆ ବା ଗିରି ମାର୍କେଟ
ରାସ୍ତା । ଅନତିଦୂରରେ କର୍ପୋରେସନ ରାସ୍ତା ବା ବିଜୁ ପଟ୍ଟନାୟକ ପାର୍କ ରାସ୍ତା । ଦୀପାବଳି
ରାତି ଆଠ-ନଅ ବେଳକୁ ଛକ ସଂଲଗ୍ନ ରାସ୍ତାଗୁଡ଼ିକରେ ଯୁବକମାନେ ଏକତ୍ରୀତ ହେବାପରେ ଛକ ମଧ୍ୟସ୍ଥଳ
ଟ୍ରାଫିକ ଷ୍ଟାଣ୍ଡରେ ବିଭିନ୍ନ ଧରଣର ଆତସବାଜି ପ୍ରଦର୍ଶନ କରାଯାଉଥିଲା । ଗୋଟିଏ ପଟର ବାଣଫୁଟା
ପରେ ଅପର ପଟର ବାଣ ଫୁଟା ଏକ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତାତ୍ମକ ପରିବେଶରେ ବେଶ କିଛି ସମୟ
ଧରି ଚାଲୁଥିଲା ।
ପ୍ରାୟ ଘଣ୍ଟାଏ-ଦୁଇଘଣ୍ଟା ଆତସବାଜି ପ୍ରଦର୍ଶନ ପରେ
ରାସ୍ତାଗୁଡ଼ିକରେ ଉପସ୍ଥିତ ବିଭିନ୍ନ ପକ୍ଷର ବାଣ ସରିଆସିଲେ ଗୋଟିଏ ରାସ୍ତାରେ ସମବେତ ଦର୍ଶକ ‘ଚୁଚୁନ୍ଦ୍ରା’ ବା କ୍ଷୁଦ୍ରାକୃତି ଚିନାବାଦାମ ଖୋଳରେ ପ୍ରସ୍ତୁତ ‘ଚ଼େଙ୍ଗା’ ବାଣ ସମ୍ମୁଖ ରାସ୍ତାର ଦର୍ଶକ ମଣ୍ଡଳୀ ଆଡ଼କୁ ଫୋପଡ଼ା ଆରମ୍ଭ କରିଦିଅନ୍ତି । ଫଳରେ
ବାଣ ଭୟରେ ଦର୍ଶକମାନେ ଏଣେତେଣେ ଦୌଡ଼ନ୍ତି । ତେବେ କାହାରି ମନରେ ବିଦ୍ୱେଷଭାବ ନଥାଏ । କାରଣ
କେଉଁ ରାସ୍ତାରେ କିଏ ଛିଡ଼ା ହେବ ଏଥିପାଇଁ କୌଣସି ବାଛବିଚାର ନଥାଏ । ବିଶୃଙ୍ଖଳା ଆରମ୍ଭ ହେବା
ପୂର୍ବରୁ ଉପସ୍ଥିତ ପୋଲିସ ହଲପଟା କରେ ଏବଂ ସଭିଏଁ ଛତ୍ରଭଙ୍ଗ ଦିଅନ୍ତି ।
ରାଜ୍ୟବ୍ୟାପୀ ୧୯୬୪ ଛାତ୍ର ଆନ୍ଦୋଳନରେ ବ୍ରହ୍ମପୁରର
ଛାତ୍ରମାନେ ସାମିଲ ହୋଇ ମାସାଧିକକାଳ ଶିକ୍ଷାନୁଷ୍ଠାନ ବର୍ଜନ କରିଥିଲେ । ଏହି ଆନ୍ଦୋଳନ ସହରର
ଯୁବମାନସରେ ବିଶୃଙ୍ଖଳିତ ଆଚରଣର କାରଣ ପାଲିଟିଗଲା । ସପ୍ତମ ଦଶକରେ କ୍ରମବର୍ଦ୍ଧମାନ ଶିକ୍ଷିତ
ବେକାର ସମସ୍ୟା ତଥା ରାଜନୀତିକ, ସାଂସ୍କୃତିକ ଓ ସାମାଜିକ ଅବକ୍ଷୟର ଧାରା ଶାନ୍ତ ପରିବେଶକୁ
ଆନ୍ଦୋଳିତ କରିଥିଲା । ପଡ଼ୋଶୀ ପଶ୍ଚିମ ବଙ୍ଗ ଓ ଆନ୍ଧ୍ର ପ୍ରଦେଶରେ ଉଗ୍ରବାଦୀ କାର୍ଯ୍ୟକଳାପର
ପ୍ରାଦୁର୍ଭାବ ବ୍ରହ୍ମପୁରରେ ପ୍ରତିଫଳିତ ହୋଇଥିଲା । ଅଶାନ୍ତ ପରିବେଶ ହେତୁ ଦୀପାବଳି ଅବସରରେ
ବିଜୟା ଟକିଜ ଛକର ସାମୂହିକ ବାଣଫୁଟା ପରମ୍ପରାର ଯବନିକାପାତ ହେଲା । ପୋଲିସ ପକ୍ଷରୁ
ଶାନ୍ତିରକ୍ଷା ଉଦ୍ଦେଶ୍ୟରେ ଏହି ପ୍ରଥାକୁ ନିଷେଧ କରାଗଲା । ସହରର ଭାଇଚାରାର ଏକ ସଂସ୍କୃତି
ବିଦ୍ୱେଷ ଆଶଙ୍କାରେ ହଜିଗଲା ।
ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ପ୍ରମୁଖ ବାଣ ବଜାର ।
ତାମିଲନାଡୁର ଶିବକାଶୀରୁ ବାଣ ଆମଦାନୀ କରି ବିକ୍ରୀରେ ଏଠାକାର ଏକ ସ୍ୱତନ୍ତ୍ର ବ୍ୟବସାୟୀ
ଗୋଷ୍ଠୀ ସକ୍ରିୟ । ସହର ନିକଟସ୍ଥ ଆସିକାର ନଳବଣ୍ଟା ଗ୍ରାମରେ ପ୍ରସ୍ତୁତ ବାଣ ମଧ୍ୟ ବ୍ରହ୍ମପୁର
ବଜାରର ଅନ୍ୟତମ ଆକର୍ଷଣ । ଦୀପାବଳି ସାଙ୍ଗକୁ ବିବାହବ୍ରତ ଓ ଭସାଣି ଶୋଭାଯାତ୍ରାରେ ବାଣଫୁଟା
ଯାଏ । କାର୍ତ୍ତିକ ପୂର୍ଣ୍ଣିମା, ନାଗପଞ୍ଚମୀ, ଇଂଲିଶ ନବବର୍ଷ ଓ କ୍ରିକେଟରେ ଭାରତ ବିଜୟ ଲାଭ
କଲେ କାଁ ଭାଁ ବାଣଫୁଟାର ଶବ୍ଦ ଶୁଭେ । ତେବେ ବାଣଫୁଟା ନେଇ ପ୍ରଦୂଷଣ ଯୁକ୍ତି, ନ୍ୟାୟିକ
ହସ୍ତକ୍ଷେପ, ପ୍ରଶାସନିକ କଟକଣା ଓ ବାଣର ଚ଼ଢ଼ାଦର ହେତୁ ବାଣଫୁଟା କମି ଆସି ନଗନ୍ୟସ୍ତରରେ
ପହଞ୍ଚିଲାଣି ।
ଆନ୍ତର୍ଜାତିକସ୍ତରରେ ଅଙ୍ଗାରକାମ୍ଳ ପ୍ରଦୂଷଣ ‘କାରବନ
ଏମିସନ’କୁ ନେଇ ଟଣାଓଟରା ଚାଲିଛି । ଯୁକ୍ତରାଷ୍ଟ୍ର ଆମେରିକାରେ କାରବନ
ଏମିସନ ବ୍ୟକ୍ତିପିଚ୍ଛା ବାର୍ଷିକ ୧୬.୫ ମେଟ୍ରିକ ଟନ ହିସାବ କରାଯାଉଥିବା ସ୍ଥଳେ ଭାରତ ଭାଗରେ
୧.୭ ମେଟ୍ରିକ ଟନ ପଡୁଛି । ତେବେ ଦୀପାବଳିରେ ବାଣଫୁଟା ଜନିତ ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ
ଦେଶବ୍ୟାପୀ ସବୁଜ ଆତସବାଜି ‘ଗ୍ରୀନ କ୍ରେକର’
ବ୍ୟବହାରଲାଗି ଉଦ୍ୟମ ଚାଲିଛି । ୨୦୧୯ ଦୀପାବଳି ନିମନ୍ତେ ଶିବକାଶୀରେ ପ୍ରସ୍ତୁତ ୬୦ ପ୍ରତିଶତ
ବାଣ ଗ୍ରୀନ କ୍ରେକର ପର୍ଯ୍ୟାୟଭୁକ୍ତ ହେଉଥିବାସ୍ଥଳେ ଦାମ ପାରମ୍ପରିକ ବାଣଠାରୁ ଚାରି ଗୁଣ ଧାର୍ଯ୍ୟ
ହେଉଥିବା ହେତୁ ୪୦ ପ୍ରତିଶତ କମ ବ୍ୟବସାୟ ଆକଳନ କରାଯାଉଛି । ଆପାତତଃ ଏହି ପରିସଂଖ୍ୟାନର ପ୍ରଭାବ ବ୍ରହ୍ମପୁରରେ ପଡ଼ିବା ନିଶ୍ଚିତ । ହୁଏତ
ସମୟକ୍ରମେ ଦୀପାବଳିରେ ବାଣଫୁଟା ଏକ ସ୍ମୃତି ପାଲଟିଯିବା ଅସଂଭବ ନୁହେଁ ।
---