Friday, September 11, 2020

Corporate Hospital in the City / ସହରରେ କର୍ପୋରେଟ ହସପିଟାଲ



ମହାମାରୀ-ପର ଅବସ୍ଥାରେ ଆନ୍ତର୍ଜାତିକସ୍ତରରେ ଜନସ୍ୱାସ୍ଥ୍ୟ ବିକାଶ ନିମନ୍ତେ ସ୍ୱାସ୍ଥ୍ୟସେବା ପ୍ରତି ଗୁରୁତ୍ୱ ଦିଆଯିବା ଏବଂ ସେଥିରେ ଭାରତ, ଓଡ଼ିଶା ତଥା #ବ୍ରହ୍ମପୁର ମଧ୍ୟ ସାମିଲ ହେବା ସ୍ୱାଭାବିକ । ଏକ ପକ୍ଷରେ ସରକାରୀସ୍ତରରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ପ୍ରସାର ଲାଗି ଯୋଜନାମାନ ପ୍ରଣୟନ ସ୍ଥଳେ ଘରୋଇସ୍ତରରେ ହସପିଟାଲ, ନର୍ସିଂହୋମ, ଡ଼ାଇଗ୍ନୋଷ୍ଟିକ ସେଣ୍ଟର ସ୍ଥାପନ ଓ ସ୍ୱାସ୍ଥ୍ୟକର୍ମୀ ସଂଖ୍ୟା ବୃଦ୍ଧି ନିମନ୍ତେ ନିବେଶ ବଢ଼ିବ ।

କୋଭିଡ଼-୧୯ ସଂକ୍ରମଣ ପ୍ରଥମ ତରଙ୍ଗରେ ୨୦୨୦ ମାର୍ଚ୍ଚରୁ ଅଗଷ୍ଟ ଛଅମାସ ମଧ୍ୟରେ ବ୍ରହ୍ମପୁର ସହରରେ ତିନି ହଜାରରୁ ଉର୍ଦ୍ଧ୍ୱ ପଜିଟିଭ ଚ଼ିହ୍ନଟ ହୋଇଥିବା ବେଳେ ୫୬ ଜଣଙ୍କ ପ୍ରାଣହାନୀ ଘଟିଥିଲା । ଗଞ୍ଜାମ ଜିଲ୍ଲାରେ ରୋଗାକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଠର ହଜାର ପହଞ୍ଚିଥିଲା । ସାରା ରାଜ୍ୟରେ କୋଭିଡ଼-୧୯ର ଚ଼ିକିତ୍ସା ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ବିନା ଦେୟରେ ଯୋଗାଇ ଦିଆଯାଉଥିବା ସ୍ଥଳେ ଜିଲ୍ଲା ତଥା ସହରର ସ୍ୱଚ୍ଛଳବର୍ଗ ଘରୋଇ ଚ଼ିକିତ୍ସା ବ୍ରହ୍ମପୁରରେ ନପାଇପାରି ଭୁବନେଶ୍ୱର କିମ୍ୱା ବିଶାଖପାଟଣା ଅଭିମୁଖେ ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ ।

ବ୍ରହ୍ମପୁରରେ କର୍ପୋରେଟ ହସପିଟାଲ ଅଭାବ ସ୍ୱାଭିମାନୀମାନଙ୍କୁ ବ୍ୟଥିତ କରିଛି । ସହରରେ ଘରୋଇସ୍ତରରେ ଗୁଣାତ୍ମକ ଚ଼ିକିତ୍ସା ବ୍ୟବସ୍ଥାର ଆବଶ୍ୟକତା ଦୀର୍ଘ ଦିନରୁ ଅନୁଭୂତ ହେଉଥିଲେହେଁ ଏହି ଦିଗରେ ଉଦ୍ୟମ ଫଳପ୍ରଦ ହୋଇ ନପାରିଥିବା ଅନେକଙ୍କୁ ନିରାଶ କରିଛି । ମହାମାରୀକାଳରେ ସରଳ ଓ ସୁଲଭ ଘରୋଇ ଚ଼ିକିତ୍ସା ଅଭାବରୁ ଜରୁରୀ ଚ଼ିକିତ୍ସା ଭିନ୍ନ ସାଧାରଣ ରୋଗୀଙ୍କ ନିଦାନ ଓ ଚ଼ିକିତ୍ସା ଦୀର୍ଘକାଳ ଲାଗି ଏଡ଼ାଇ ଦିଆଯିବା ବାଧ୍ୟବାଧକତା ଭବିଷ୍ୟତ ସ୍ୱାସ୍ଥ୍ୟସେବା ପାଇଁ ଆଶଙ୍କା ସୃଷ୍ଟି କରିଛି ।

ସପ୍ତଦଶ ଶତାଦ୍ଦୀର ଶେଷ ଭାଗରେ ବ୍ରହ୍ମପୁର ସହର ସ୍ଥାପନ ପରଠାରୁ ଊନବିଂଶ ଶତାଦ୍ଦୀର ଶେଷ ଭାଗ ଯାଏଁ ପାରମ୍ପରିକ କବିରାଜୀ ଚ଼ିକିତ୍ସା ହିଁ ଚାଲି ଆସିଥିଲା । ବିଂଶ ଶତାଦ୍ଦୀ ମଧ୍ୟଭାଗରେ ସ୍ୱାଧିନତା ଲାଭ କଲା ବେଳକୁ ଦେଶରେ ହାରାହାରି ଜୀବଦ୍ଦଶା ୩୨ ବର୍ଷ ଥିବା ସ୍ଥଳେ ତତ୍ ପୂର୍ବ ଶହେବର୍ଷ ତଳେ ସାଧାରଣ ନାଗରିକଙ୍କ ଆୟୁ କେତେ ଥିବ ତାହା ସହଜରେ ଅନୁମେୟ । ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ଅବସ୍ଥାରେ ଇଂଲିଶ ଶାସନ ପ୍ରବର୍ତ୍ତନରେ ୧୮୬୭ରେ ନଗରପାଳିକା ପ୍ରତିଷ୍ଠାପରଠାରୁ ଜନସ୍ୱାସ୍ଥ୍ୟ ସେବା ପ୍ରତି ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଥିଲା ।

ମାଲଟବୀଙ୍କ ଦ୍ୱାରା ପ୍ରସ୍ତୁତ ଗଞ୍ଜାମ ଡ଼ିଷ୍ଟ୍ରିକଟ ମାନୁଆଲ (୧୯୧୮)ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପୁରୀ ଫେରନ୍ତା ବ୍ରହ୍ମପୁରର ତୀର୍ଥଯାତ୍ରୀମାନଙ୍କ ଦ୍ୱାରା ସଂକ୍ରମିତ କଲେରା ରୋଗର ପ୍ରାଦୁର୍ଭାବ ବାରମ୍ୱାର ଅନୁଭୂତ ହେଉଥିଲା । ଏହାର ପ୍ରତିକାର ନିମନ୍ତେ ଆଧୁନିକ ଡ଼ାକ୍ତରୀ ଚିକିତ୍ସା ବ୍ୟବସ୍ଥାର ଭିତ୍ତିଭୂମି ଗଢ଼ି ତୋଳିବା ଉଦ୍ଦେଶ୍ୟରେ ସହର ବାହାରେ, ଅର୍ଥାତ ଅଧୁନା ସିଟି ହସପିଟାଲ ପରିସରରେ ଏକ ଚ଼ିକିତ୍ସାଳୟ ପ୍ରତିଷ୍ଠିତ ହୋଇଥିଲା । ଏହାର ପରିଚାଳନା ନିମନ୍ତେ ପୌରପାଳିକାଙ୍କ ବଜେଟରୁ ଅନୁଦାନ ବ୍ୟବସ୍ଥା କରାଯାଇଥିଲା । ସମୟକ୍ରମେ ଚ଼ିକିତ୍ସାଳୟଟି ଜିଲ୍ଲାସ୍ତରୀୟ ହସପିଟାଲରେ ପରିଣତ ହୋଇଥିଲା ।

ବ୍ରହ୍ମପୁର ମେଡ଼ିକାଲ କଲେଜ ୧୯୬୨ରୁ ସହରରେ କାର୍ଯ୍ୟ ଆରମ୍ଭ କରିଥିଲା । ବର୍ଷକ ଆଗରୁ ୧୯୬୧ରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଏକ ସଂପ୍ରସାରିତ ଅଂଶ ରୂପେ ଏହା ପ୍ରତିଷ୍ଠା ହୋଇଥିଲା । ବ୍ରହ୍ମପୁର ମେଡ଼ିକାଲ କଲେଜର ହସପିଟାଲ ସିଟି ହସପିଟାଲ କୋଠାରେ ହିଁ ଚାଲୁଥିଲା । କୋର୍ଟପେଟା ଅଞ୍ଚଳରେ ମେଡ଼ିକାଲ କଲେଜର ନିଜସ୍ୱ କୋଠାବାଡ଼ି ୧୯୬୯ରେ ଉଦଘାଟିତ ହୋଇଥିବାବେଳେ ହସପିଟାଲ ୧୯୭୩ରେ ସ୍ଥାନାନ୍ତରିତ ହେଲା । ପରବର୍ତ୍ତୀ ଅବସ୍ଥାରେ ଜିଲ୍ଲାସ୍ତରୀୟ ହସପିଟାଲଟି ସିଟି ହସପିଟାଲ ନାମିତ ହୋଇଥିଲା । ତିନି ଏକର ପରିମିତ ଅଞ୍ଚଳରେ କାର୍ଯ୍ୟକ୍ଷମ ଏହି ହସପିଟାଲରେ ବାର୍ଷିକ ପ୍ରାୟ ଅଢ଼େଇ ଲକ୍ଷରୁ ତିନି ଲକ୍ଷ ରୋଗୀ ଚ଼ିକିତ୍ସିତ ହୋଇଥାନ୍ତି ।

ସ୍ୱାଧୀନୋତ୍ତର ଭାରତରେ କ୍ରମାଗତଭାବେ ଜନସଂଖ୍ୟା ଓ ସ୍ୱାସ୍ଥ୍ୟରକ୍ଷା ସଚ଼େତନତା ସାଙ୍ଗକୁ ଅର୍ଥନୀତିକ ସାମର୍ଥ୍ୟ ବୃଦ୍ଧିକୁ ଆଧାର କରି ବିଂଶ ଶତାଦ୍ଦୀର ଶେଷ ପର୍ଯ୍ୟାୟରେ ଦେଶର ବଡ଼ ବଡ଼ ସହରରେ କର୍ପୋରେଟ ହସପିଟାଲ ବିକଶିତ ହୋଇଥିଲା । ଏହି ସୁବିଧା ସୁଯୋଗ କ୍ରମଶଃ ବିଶାଖପାଟଣା ଓ ଭୁବନେଶ୍ୱରରେ ଉପଲବ୍ଧ ହେବା ପରେ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାର ସ୍ୱଚ୍ଛଳବର୍ଗ ସରଳ ଓ ସୁଲଭ ଗୁଣାତ୍ମକ ଘରୋଇ ଚ଼ିକିତ୍ସା ଲାଗି ବ୍ରହ୍ମପୁରରୁ ପଡ଼ୋଶୀ ସହର ମୁହାଁ ହେବାରେ ଲାଗିଲେ ।

ବ୍ରହ୍ମପୁରରେ କର୍ପୋରେଟ ହସପିଟାଲ ବିକଶିତ ନହୋଇ ପାରିବାର ବିଭିନ୍ନ କାରଣ ମଧ୍ୟରେ ସହରର ପାଞ୍ଚଲକ୍ଷ ସୀମିତ ଜନସଂଖ୍ୟା, ଦେଢ଼ ଶହରୁ ଅଢ଼େଇ ଶହ କିଲୋମିଟର ଦୂରରେ ବହୁ ସଂଖ୍ୟକ ନାମୀଦାମୀ କର୍ପୋରେଟ ହସପିଟାଲର ସୁବିଧା ତଥା ସ୍ଥାନୀୟ ଉଦ୍ୟୋଗୀଙ୍କ ଦ୍ୱାରା ନିବେଶ ଅଭାବ ମୁଖ୍ୟ କାରଣ ରୂପେ ଚ଼ିହ୍ନଟ କରାଯାଇପାରେ । ତେବେ ମହାମାରୀରେ ସ୍ୱାସ୍ଥ୍ୟସେବା ଲାଗି ଭିତ୍ତିଭୂମିର ଜରୁରୀ ଆବଶ୍ୟକତା ଏବଂ ସ୍ଥାନୀୟ ଉପଭୋକ୍ତାଙ୍କ ଦ୍ୱାରା ପଡ଼ୋଶୀ ସହର ଦୁଇଗୋଟିରେ ପର୍ଯ୍ୟାପ୍ତ ଖର୍ଚ୍ଚ ପାରମ୍ପରିକ ଦୃଷ୍ଟିକୋଣକୁ ବଦଳାଇଦେବାରେ ସମର୍ଥ ହେବା ଆଶା କରାଯାଇପାରେ ।

ମହାମାରୀ କାଳରେ ସରକାରୀ କୋଭିଡ଼ ଚିକିତ୍ସାଳୟ ସ୍ଥାପନ ଲାଗି ବ୍ରହ୍ମପୁରର ଘରୋଇ ହସପିଟାଲ ଅମିତ ପକ୍ଷରୁ କନିଷିଠାରେ ନବନିର୍ମିତ କୋଠା ଯୋଗାଣପରେ କଟକର ଅଶ୍ୱିନୀ ଓ ନିର୍ମାଣଧୀନ ଶୀତଳାପଲ୍ଲୀ ଟାଟା ହସପିଟାଲରେ ଭୁବନେଶ୍ୱରର ହାଇଟେକ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା ତତ୍ତ୍ୱାବଧାନ ନିମନ୍ତେ ସୁଯୋଗ ସୃଷ୍ଟି ଅନ୍ତତଃପକ୍ଷେ ଏହି ତିନିଗୋଟି କର୍ପୋରେଟ ହସପିଟାଲ କର୍ତ୍ତୃପକ୍ଷଙ୍କୁ ବ୍ରହ୍ମପୁର ସହରରେ ସ୍ୱାସ୍ଥ୍ୟସେବା ପରିଚାଳନାର ବାସ୍ତବ ସ୍ଥିତି ସଂପର୍କରେ ପରିଚ଼ିତ କରାଇଦେଇପାରିଥିବା ବିଶ୍ୱାସ କରାଯାଇପାରେ । ସେମାନଙ୍କ ଅଭିଜ୍ଞତା ଓ ପଡ଼ୋଶୀ ସହରଗୁଡ଼ିକରେ ସ୍ଥାନୀୟ ଉପଭୋକ୍ତାଙ୍କ ଭିଡ଼ ସଂପର୍କୀତ ତଥ୍ୟାବଳୀ ବ୍ରହ୍ମପୁରରେ କର୍ପୋରେଟ ହସପିଟାଲ ବ୍ୟାବସାୟିକ ମଡ଼େଲ ଗଢ଼ି ତୋଳିବାରେ ସହାୟକ ହୋଇପାରେ ।

ଅତଏବ ମହାମାରୀ-ପର ଅବସ୍ଥାରେ ବ୍ରହ୍ମପୁରରେ କର୍ପୋରେଟ ହସପିଟାଲ ପ୍ରତିଷ୍ଠାର ସମ୍ଭାବନା ଗୁରୁତ୍ୱ ବହନ କରେ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଅମିତ, ଅଶ୍ୱିନୀ ଓ ହାଇଟେକ ହସପିଟାଲର ଉଦ୍ୟୋକ୍ତାମାନଙ୍କ ଦକ୍ଷିଣ ଓଡ଼ିଶା ସହ ସଂପର୍କ ରହି ଆସିଛି । ସହର ଉପକଣ୍ଠ ଶୀତଳାପଲ୍ଲୀରେ ଟାଟା ହସପିଟାଲ ମଧ୍ୟ ନିକଟ ଭବିଷ୍ୟତରେ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିଯିବା ନିଶ୍ଚିତ । ଘରୋଇ ଉଦ୍ୟମରେ ଏହି ସବୁ ସମ୍ଭାବନା ସହରର ବିକଳ୍ପ ଜନସ୍ୱାସ୍ଥ୍ୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଯେ ନିର୍ବାହ କରିବ ଏଥିରେ ସନ୍ଦେହ ନାହିଁ ।


Photo by : Tareq Salahuddin is licensed under CC BY 2.0

No comments:

Post a Comment