Friday, September 4, 2020

Education, Educational Institutions & The Teacher / ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷକ



ମହୁରି ରାଜପ୍ରସାଦ ୧୬୬୨ରୁ ୧୬୭୨ ମଧ୍ୟରେ ଅଧୁନା ବଡ଼ ବଜାରଠାରେ ସ୍ଥାପିତ ହେବା ପରେ ଏହାର ଆଖପାଖ ଅଞ୍ଚଳରେ ବହୁ ମଠ, ମନ୍ଦିର ଓ ପୁଷ୍କରଣୀ ଗଢ଼ି ଉଠିଥିଲା ଏବଂ କ୍ରମବିକଶିତ ଜନପଦଟି ଦେବତାମାନଙ୍କ ବାସସ୍ଥଳୀ #ବ୍ରହ୍ମପୁର ନାମିତ ହୋଇଥିବା ସ୍ଥାନୀୟ କେତେକ ଐତିହାସିକ ବିଶ୍ୱାସ କରିଥାନ୍ତି । ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟର ଶାସନଭାର ଇଂଲିଶ ସରକାର ୧୮୫୦ରେ ଗ୍ରହଣ କରିଥିଲେ । ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ଅବସ୍ଥାରେ ୧୮୭୦ ବେଳକୁ ଓଡ଼ିଶାରେ ଇଂଲିଶ ଶିକ୍ଷା ପ୍ରସାର ଅବସରରେ ବ୍ରହ୍ମପୁର ଏକ ରେଭିନ୍ୟୁ ତାଲୁକର ମାନ୍ୟତା ପାଇଥିବା କାରଣରୁ ଏଠାରେ ବିଦ୍ୟାଳୟମାନ ସ୍ଥାପନର ସୁଯୋଗ ସୃଷ୍ଟି ହୋଇଥିଲା । ପାରମ୍ପରିକଭାବେ ମଠରେ ବିଦ୍ୟାର୍ଥୀମାନେ ଅବସ୍ଥାନ କରି ଶିକ୍ଷାର୍ଜନର ପ୍ରଥା ପ୍ରଚଳିତ ଥିବା ହେତୁ ନବ ପ୍ରତିଷ୍ଠିତ ଇଂଲିଶ ବିଦ୍ୟାଳୟଗୁଡ଼ିକରେ ଭର୍ତ୍ତି ହୋଇଥିବା ଆଖପାଖ ଅଞ୍ଚଳର ବିଦ୍ୟାର୍ଥୀମାନଙ୍କ ପାଇଁ ମଠ ଗୁଡ଼ିକ ଆଶ୍ରୟସ୍ଥଳୀ ରୂପେ ବ୍ୟବହୃତ ହେଉଥିଲା ।
 
ରାଜପ୍ରସାଦ ସ୍ଥାପନ କାଳରୁ ବ୍ରହ୍ମପୁର ଏକ ବ୍ୟାବସାୟିକ ପେଣ୍ଠ ରୂପେ ଗଢ଼ି ଉଠୁଥିବା ସ୍ଥଳେ ପ୍ରଥମେ ପ୍ରଶାସନିକ ଓ ଦ୍ୱିତୀୟରେ ଶିକ୍ଷା ଅନୁଷ୍ଠାନର ସୁଯୋଗ ସୃଷ୍ଟି ହୋଇଥିଲା । ତୃତୀୟରେ ୧୮୬୭ରେ ବ୍ରହ୍ମପୁର ନଗରପାଳିକା ପ୍ରତିଷ୍ଠିତ ହେବାପରେ ଜନସ୍ୱାସ୍ଥ୍ୟର ବିକାଶ ନିମନ୍ତେ ତତ୍ କାଳୀନ ସହର ବାହାରେ ଅର୍ଥାତ ଅଧୁନା ସିଟି ହସପିଟାଲ ପ୍ରାଙ୍ଗଣରେ ଚ଼ିକିତ୍ସାଳୟ ନିର୍ମିତ ହୋଇଥିଲା ।
 
ଊନବିଂଶ ଶତାଦ୍ଦୀର ଶେଷରେ ବ୍ରହ୍ମପୁରରେ ଦେୱାନୀ ଓ ଦୌରାଜଜ୍ କୋର୍ଟ ତଥା ଜେଲ ପ୍ରତିଷ୍ଠିତ ହେବାପରେ ସହରରେ ବ୍ୟବସାୟୀଙ୍କ ଭିନ୍ନ ପ୍ରଶାସନିକ କର୍ମଚାରୀ, ଓକିଲ ଏବଂ ସେମାନଙ୍କ ଗୁମସ୍ତା ତଥା ଶିକ୍ଷକମାନେ ସହରର ଆଭିଜାତ୍ୟ ଶ୍ରେଣୀରେ ଗଣ୍ୟ ହେଉଥିଲେ । ଶିକ୍ଷାୟତନ ଓ ଶିକ୍ଷକମାନଙ୍କ ଗୁରୁତ୍ୱ ବ୍ରହ୍ମପୁର ବିକାଶ ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ ରହି ଆସିଥିଲା । ୧୯୦୧ର ଜନଗଣନା ଅନୁଯାୟୀ ସହରର ଜନସଂଖ୍ୟା ୨୫ ହଜାର ଥିବା ସ୍ଥଳେ ୧୯୦୩-୦୪ ଶିକ୍ଷାବର୍ଷରେ ଖଲ୍ଲିକୋଟ ମହାବିଦ୍ୟାଳୟରେ ୩୪୨ ଜଣ ଉଚ୍ଚଶିକ୍ଷା ପାଉଥିବା ସରକାରୀ ହିସାବରୁ ଜଣାଯାଏ । ସ୍ଥାନୀୟ ପୌରପାଳିକା ପକ୍ଷରୁ ବିଂଶ ଶତାଦ୍ଦୀର ପ୍ରଥମାର୍ଦ୍ଧରେ ସହର ଓ ସହର ତଳି ଅଞ୍ଚଳଗୁଡ଼ିକରେ ପ୍ରାଥମିକ ବିଦ୍ୟାଳୟମାନ ସ୍ଥାପନ ଫଳରେ ସହରରେ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ।
 
୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଏପରିକି ୧୯୪୭ ଭାରତ ସ୍ୱାଧୀନ ହେବା ଯାଏଁ ବ୍ରହ୍ମପୁର ମୁଖ୍ୟତଃ ଏକ ଦ୍ୱି-ଭାଷୀ ସହରରୂପେ ବିକଶିତ ହୋଇଥିଲା । ୧୯୦୧, ୧୯୧୧ ଓ ୧୯୨୧ ଜନସୁମାରୀ ଅଧ୍ୟୟନ କଲେ ବ୍ରହ୍ମପୁରରେ ଓଡ଼ିଆ ଭାଷାଭାଷୀ ବାସିନ୍ଦାଙ୍କ ତୁଳନାରେ ତେଲୁଗୁ ଭାଷାଭାଷୀ ବାସିନ୍ଦାଙ୍କ ସଂଖ୍ୟା କ୍ରମାଗତ ବଢ଼ି ଚାଲିଥିବା ଜଣାଯାଏ । ୧୯୧୧ ଜନସୁମାରୀରେ ସହରର ପ୍ରତି ହଜାରେ ଜନସଂଖ୍ୟାରେ ୫୧୨ ଜଣ ଓଡ଼ିଆ ଓ ୪୫୩ ଜଣ ତେଲୁଗୁ ଭାଷାଭାଷୀଙ୍କୁ ଚ଼ିହ୍ନଟ କରାଯାଇଥିଲା । ଫଳତଃ ବିଂଶ ଶତାଦ୍ଦୀର ପ୍ରଥମ ତିନି ଦଶନ୍ଧିରେ ଓଡ଼ିଆ ମାଧ୍ୟମ ଶିକ୍ଷା ସହ ତେଲୁଗୁ ମାଧ୍ୟମ ଶିକ୍ଷା ଏବଂ ତଦ୍ ଅନୁରୂପ ଶିକ୍ଷକଙ୍କ ସଂଖ୍ୟା ନିର୍ଦ୍ଧାରିତ ହେଉଥିଲା ।
 
ବ୍ରହ୍ମପୁର ସହରୀ ସଂସ୍କୃତିରେ ଶିକ୍ଷକମାନେ ସ୍ୱତନ୍ତ୍ର ସମ୍ମାନର ହକଦାର ଥିଲେ । ପ୍ରଶାସନିକ କର୍ମଚାରୀ, ଓକିଲ ଓ ସେମାନଙ୍କ ଗୁମସ୍ତା ଏବଂ ଶିକ୍ଷକ ପରିବାର ସନ୍ତାନସନ୍ତତିଙ୍କ ଭବିଷ୍ୟତ ଶିକ୍ଷାକୁ ଭିତ୍ତିକରି ଗଢ଼ି ଉଠୁଥିବା ହେତୁ ମଧ୍ୟବିତ୍ତ ପରିବାରବର୍ଗଙ୍କ ଗହଣରେ ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷକଙ୍କ ଗୁରୁତ୍ୱ ସ୍ୱଷ୍ଟ ବାରି ହେଉଥିଲା । ସ୍ଥାନୀୟ ବ୍ୟବସାୟୀମାନେ ମଧ୍ୟ ନିଜ ସନ୍ତାନସନ୍ତତିଙ୍କ ଶିକ୍ଷା ପ୍ରତି ଧ୍ୟାନ ଦେଉଥିଲେ । ଫଳରେ ସହରରେ ଏକ ଶିକ୍ଷାକେନ୍ଦ୍ରୀକ ସଂସ୍କୃତି ମୁଣ୍ଡ ଟେକିଥିଲା
 
ଅତୀତ ବ୍ରହ୍ମପୁରରେ ଶିକ୍ଷାର ପ୍ରସାର ନିମନ୍ତେ ଶିକ୍ଷକମାନଙ୍କ ସମର୍ପିତ ଜୀବନର ବହୁ ଉଦାହରଣ ଚର୍ଚ୍ଚିତ । ଅବଶ୍ୟ ସ୍ୱାଧୀନୋତ୍ତର ଅବସ୍ଥାରେ ଶିକ୍ଷାୟତନଗୁଡ଼ିକ ସଂଖ୍ୟାବୃଦ୍ଧି ଓ ୧୯୭୫-୭୭ ଜରୁରୀକାଳୀନ ପରିସ୍ଥିତି ପର ଅବସ୍ଥାରୁ ଘରୋଇ ଶିକ୍ଷାୟତନର ପ୍ରସାର ଦେଶର ଅନ୍ୟତ୍ର ଭଳି ବ୍ରହ୍ମପୁରରରେ ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷକଙ୍କ ଗୁଣାତ୍ମକ ଅଭିବୃଦ୍ଧିରେ ପ୍ରତିବନ୍ଧକ ସାଜିଥିବା ଦେଖିବାକୁ ମିଳେ । ତେବେ ୨୦୨୦-୨୧ ମହାମାରୀ-ପର ଅବସ୍ଥାରେ ଜାତୀୟ ଶିକ୍ଷାନୀତିରେ ପୁନଃବିନ୍ୟାସ ଓ ଶିକ୍ଷାଦାନରେ ପ୍ରାଦ୍ୟୋଗିକୀ କାରିଗରୀ କୌଶଳ ପ୍ରୟୋଗ ଦେଶର ଶିକ୍ଷା ପରିବେଶରେ ବ୍ୟାପକ ପରିବର୍ତ୍ତନ ଆଶା କରାଯାଉଛି ।
 
ଏହି ପରିବର୍ତ୍ତନରେ ବ୍ରହ୍ମପୁର କେତେଦୂର ସାମିଲ ହେବ ତାହା ସମୟ କହିବ । ଭର୍ଚୁଆଲ ମଞ୍ଚରେ ଶିକ୍ଷା ଗ୍ରହଣ, ବ୍ୟକ୍ତିଗତ ଋଚି ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ନିର୍ଦ୍ଧାରଣ, କୃତ୍ରିମ ବୁଦ୍ଧିମତ୍ତା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ସହାୟତାରେ ଶିକ୍ଷାଗତ ଦକ୍ଷତା ମୂଲ୍ୟାୟନ ସ୍ଥାନୀୟ ପରିବେଶରେ ଶିକ୍ଷକମାନଙ୍କୁ ଶିକ୍ଷା ସହାୟକ କର୍ତ୍ତବ୍ୟ ନିର୍ବାହ ସ୍ତରକୁ ଅବନତି କରାଇ ଦେବା ଭୟ ଦୃଢ଼ୀଭୂତ ହେଉ ନାହିଁ କି ? ହୁଏତ ସହରର ପାରମ୍ପରିକ କୋଳାହଳରେ ମାଷ୍ଟ୍ରେ ସମ୍ୱୋଧନଟି କ୍ରମଶଃ ଉଭେଇ ଯିବ !
Photo by : readerwalker is licensed under CC BY-NC-SA 2.0




No comments:

Post a Comment