ମହାତ୍ମା ଗାନ୍ଧୀଙ୍କ ପ୍ରଥମ #ବ୍ରହ୍ମପୁର ଗସ୍ତର ଶତବାର୍ଷକୀ ୨୯ ମାର୍ଚ୍ଚ ୨୦୨୧ରେ ଆୟୋଜନ ଅବସରରେ ସହରରେ ଗାନ୍ଧୀଙ୍କ ଜନ୍ମଶତବାର୍ଷକୀ ପାଳନର ସ୍ମୃତି ମନେ ପଡ଼ିଥାଏ । ବିଂଶ ଶତାଦ୍ଦୀର ଷଷ୍ଠ ଓ ସପ୍ତମ ଦଶକରେ ବ୍ରହ୍ମପୁରରେ ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ର ଏକ ଶାଖା କାର୍ଯ୍ୟାଳୟ ସକ୍ରିୟ ଥିଲା । ସରକାରୀସ୍ତରରେ ୧୯୬୮-୬୯ ଗାନ୍ଧୀ ଶତବାର୍ଷିକୀ ପାଳନ ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ତଥା ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଓ ସାମାଜିକ ସଂଗଠନମାନଙ୍କ ଦ୍ୱାରା ବର୍ଷବ୍ୟାପୀ ଉତ୍ସବାନୁଷ୍ଠାନ ଅନୁଷ୍ଠିତ ହୋଇଥିଲେ ହେଁ ସବୁସ୍ତରରେ ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ ସାମିଲ ହୋଇଥିଲା ।
ବ୍ରହ୍ମପୁରର ଦଳୁଆ
ସାହୀର ଏକ ଦୁଇ ମହଲା କୋଠା ଭଡ଼ା ଘରରେ ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ କାର୍ଯ୍ୟକରୁଥାଏ । ଜନ୍ମ ଶତବାର୍ଷକୀ ପାଳନର କିଛି କାଳ ପରେ କାର୍ଯ୍ୟାଳୟଟି
ଖ୍ରୀଷ୍ଟିଆନ ହସପିଟାଲ ଛକସ୍ଥିତ ଅନ୍ୟ ଏକ ଦୁଇ ମହଲା କୋଠାର ଉପର ମହଲାକୁ ସ୍ଥାନାନ୍ତରିତ ହୋଇଥିଲା
। ଉଭୟ ସ୍ଥାନରେ ଅନ୍ୟୂନ କୋଡ଼ିଏ ଜଣ ବସିବା ଭଳି ପାଠନାଗାରର ବ୍ୟବସ୍ଥା ଥିଲା । କେତେକ ସମ୍ୱାଦପତ୍ର,
ପତ୍ରପତ୍ରିକା ସାଙ୍ଗକୁ ଗାନ୍ଧୀ ସାହିତ୍ୟ ପାଠର ସୁବିଧା ମିଳୁଥିଲା । ବିଭିନ୍ନ ମହାପୁରୁଷଙ୍କ
ଜୟନ୍ତୀ, ଶ୍ରାଦ୍ଧୋତ୍ସବ ଏବଂ ଯୁବନେତୃତ୍ୱ ଶିବିରମାନ ପଠନାଗାର କକ୍ଷରେ ଅନୁଷ୍ଠିତ ହେଉଥିଲା ।
ସେହି ସମୟ ବେଳକୁ ବ୍ରହ୍ମପୁରରେ ଅନ୍ୟତ୍ର ଏଭଳି ଉତ୍ସବାନୁଷ୍ଠାନ ଆୟୋଜନର ସୁବିଧା ନଥାଏ ।
ବ୍ରହ୍ମପୁର ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ରେ
ସଭାସମିତିର ବିବରଣୀ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ରେ ନିୟମିତ ପ୍ରକାଶ ପାଏ । ସେତେବେଳକୁ ଦୈନିକ
ସମ୍ୱାଦପତ୍ରଗୁଡ଼ିକର ଆଞ୍ଚଳିକ ସଂସ୍କରଣ ନଥାଏ । ଅର୍ଥାତ ଆଠ ପୃଷ୍ଠାର ସମ୍ୱାଦପତ୍ରରେ ଯେଉଁ
ସମ୍ୱାଦ ପ୍ରକାଶ ପାଏ ତାହା ସାରା ଓଡ଼ିଶାର ପାଠକ ପଢୁଥିଲେ । ଏହି କାରଣରୁ ରାଜ୍ୟସ୍ତରରେ
ବ୍ରହ୍ମପୁର ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’
ବେଶ ସୁନାମ ଅର୍ଜନ କରିଥାଏ ।
ବ୍ରହ୍ମପୁର
କାର୍ଯ୍ୟାଳୟରେ ଶ୍ରୀବତ୍ସ ନାୟକ ସଂଯୋଜକଭାବେ ଦାୟିତ୍ୱ ନିର୍ବାହ କରୁଥାନ୍ତି । ସେତେବେଳକୁ
ତାଙ୍କରି ବୟସ ୪୦ ରୁ ୫୦ । ଖାଦୀ ଧୋତି କୁର୍ତ୍ତା ପରିହିତ ବଳିଷ୍ଠ ଚେହରା, ଆଖିରେ ଚ଼ଷମା ଓ
ପଟେ ମୋଟା ନିଶ, ବେଶ୍ ଗାନ୍ଧୀବାଦୀର ପରିଚୟ । ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ର ସଭାସମିତିରେ ‘ସମାଜ’ର
ପ୍ରତିନିଧି କୃପାସିନ୍ଧୁ ଦାସ ଓ ‘ପ୍ରଜାତନ୍ତ୍ର’ର ପ୍ରତିନିଧି ରାମାନୁଜ ପଟ୍ଟନାୟକଙ୍କୁ ବରାବର ଦେଖିବାକୁ ମିଳେ । ଦିହେଁ ମଧ୍ୟ ଖଦଡ଼
ଧୋତି, କୁର୍ତ୍ତା ପରିହିତ । କୃପାସିନ୍ଧୁ ଦାସ ସାଇକଲ ଚଢ଼ନ୍ତି, ରାମାନୁଜ ପଟ୍ଟନାୟକ ପାଦରେ
ଚାଲି ବୁଲନ୍ତି । ଶ୍ରୀନିବାସ ଆୟଙ୍ଗାର ‘ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ’, ‘ଅମୃତ ବଜାର ପତ୍ରିକା’ ଓ ‘କଳିଙ୍ଗ’ର ପ୍ରତିନିଧି । ସେ ଚିକିଟି ରାଜପୁରୋହିତ ଦକ୍ଷିଣ
ଭାରତୀୟ ବଂଶଜ । ପେଣ୍ଟ ସାର୍ଟ ପିନ୍ଧି ଲାମ୍ୱ୍ରେଟା ସ୍କୁଟରରେ ବୁଲୁଥିଲେ ।
ଶ୍ରୀବତ୍ସ ନାୟକ
ଢ଼େଙ୍କାନାଳ ଜିଲ୍ଲା ବାସିନ୍ଦା । ସପ୍ତମ ଦଶକ ଶେଷ ବେଳକୁ ‘ଗାନ୍ଧୀ
ଶାନ୍ତି ପ୍ରତିଷ୍ଠାନ’ର ବ୍ରହ୍ମପୁର ଶାଖା ବନ୍ଦ ହୋଇଯିବା ପରେ ସେ
ଢେଙ୍କାନାଳ ଫେରି ସକ୍ରିୟ ରାଜନୀତିରେ ଯୋଗ ଦେଇ କିଛି କାଳ ବିଧାୟକ ହୋଇଥିଲେ । ସେ ଭାରୀ
ମେଳାପୀ ଓ ସ୍ନେହୀ ଚରିତ୍ର । ବ୍ରହ୍ମପୁରରେ ୧୯୬୪ ରୁ ୧୯୭୨ ଯାଏଁ ଆଠ ବର୍ଷ ଛାତ୍ର ରାଜନୀତି
ବାରମ୍ୱାର ବିସ୍ପୋରକ ପରିବେଶ ସୃଷ୍ଟି କରିଥିବା ଅବସରରେ ଶ୍ରୀବତ୍ସ ନାୟକ ଛାତ୍ରନେତାମାନଙ୍କ ସହ
ଯୋଗସୂତ୍ର ସ୍ଥାପନ କରି ଯଥାସଂଭବ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଉଦ୍ୟମ କରୁଥିଲେ ।
ଗାନ୍ଧୀ ଜନ୍ମ
ଶତବାର୍ଷକୀରେ କେନ୍ଦ୍ର ସରକାରଙ୍କ ପବ୍ଳିକେସନ ଡିଭିଜନ ପକ୍ଷରୁ ସମଗ୍ର ଗାନ୍ଧୀ ରଚନାବଳୀ ଶହେ
ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଥିଲା, ଫିଲ୍ମସ ଡ଼ିଭିଜନ ଆନୁକୁଲ୍ୟରେ ବହୁ ପ୍ରାମାଣିକ ଚ଼ିତ୍ର
ପ୍ରସ୍ତୁତ ହୋଇ ଚଳଚ଼ିତ୍ର ପ୍ରେକ୍ଷାଳୟମାନଙ୍କରେ ପ୍ରଦର୍ଶିତ ହୋଇଥିଲା ଏବଂ ଫିଲଡ଼ ପବ୍ଳିସିଟି
ପକ୍ଷରୁ ଗାନ୍ଧୀଙ୍କ ଫୋଟୋଚିତ୍ର ସମ୍ୱଳିତ ପ୍ରଦର୍ଶନୀମାନ ବିଭିନ୍ନ ପ୍ରାନ୍ତରେ ଆୟୋଜିତ
ହୋଇଥିଲା । ଅସ୍ପୃଶ୍ୟତା ନିବାରଣ, ସାଂପ୍ରଦାୟିକ ସଦଭାବ, ନାରୀ ଶିକ୍ଷା, ନିଶା ନିବାରଣ ଓ ଖଦୀ-ଗ୍ରାମଦ୍ୟୋଗ
ପ୍ରସାର ଭଳି ପ୍ରସଙ୍ଗମାନ ବିଭିନ୍ନସ୍ତରରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
ବିଡ଼ମ୍ୱନାର ବିଷୟ
ଏହିଯେ ଗାନ୍ଧୀ ଶତବାର୍ଷିକୀ ପାଳନ-ପର ତିନି ବର୍ଷ ୧୯୬୯ ରୁ ୭୨ ବ୍ରହ୍ମପୁରର ଯୁବମାନସ ଅଶାନ୍ତ
ହୋଇପଡ଼ିଥିଲା । ଅଗ୍ରଣୀ ଖଲ୍ଲିକୋଟ ମହାବିଦ୍ୟାଳୟରେ ଅନବରତ ଛାତ୍ର ଅଶାନ୍ତି, ପରୀକ୍ଷାରେ ଅସତଉପାୟ
ଅବଲମ୍ୱନ ଅଭିଯୋଗ ସାଙ୍ଗକୁ ନବପ୍ରତିଷ୍ଠିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପରୀକ୍ଷା
ପରିଚାଳନାରେ ବିଶୃଙ୍ଖଳା ଆଞ୍ଚଳିକ ଶିକ୍ଷା ପରିବେଶକୁ କଳୁଷିତ କରିପକାଇଥିଲା । ସେହି ସମୟରେ
ପଡ଼ୋଶୀ ପଶ୍ଚିମବଙ୍ଗରେ ନକ୍ସଲ ଆନ୍ଦୋଳନ ସାଙ୍ଗକୁ ଉତ୍କଟ ବେକାରୀ ଓ ଯୁବ ଅଶାନ୍ତି ଦେଖା
ଦେଇଥାଏ । ଓଡ଼ିଶା ରାଜ୍ୟ ରାଜନୀତିରେ ଅସ୍ଥିରତା ଲାଗି ରହିଥାଏ । ଗାନ୍ଧୀ ଐତିହ୍ୟ ଏ ଧରଣର
ବିଶୃଙ୍ଖଳାକୁ କେତେଦୂର ଆୟତ୍ତ କରିଥିଲା ନା ସମକାଳୀନ ଯୁବମାନସକୁ ପ୍ରଭାବିତ କରିବାରେ ବିଫଳ
ହୋଇଥିଲା, ତାହା ବିତର୍କର ବିଷୟ !
(‘ଅନୁପମ ଭାରତ’ ବ୍ରହ୍ମପୁର ସଂସ୍କରଣ / ୨୭ ମାର୍ଚ୍ଚ ୨୦୨୧/ ପୃଷ୍ଠା : ୮)
Illustration : "gandhiji in honolulu" by Brian Glanz is licensed under CC BY 2.0
No comments:
Post a Comment