#ବ୍ରହ୍ମପୁର ସହର ଚଳଚ଼ିତ୍ର ମାୟାରେ
ଦୀର୍ଘଦିନରୁ ଆବଦ୍ଧ । ଏଠାରେ ରାଜ୍ୟର ପ୍ରଥମ ସ୍ଥାୟୀ ପ୍ରେକ୍ଷାଳୟ ‘ଶ୍ରୀ
ସୀତାରାମ ବିଳାସ ଟକିଜ’ ୧୯୨୮ରେ ପ୍ରତିଷ୍ଠିତ ହୋଇଥିଲା । ଏଥିପୂର୍ବରୁ
ତମ୍ୱୁ ଟାଣି ଚଳଚ଼ିତ୍ର ପ୍ରଦର୍ଶନର ବ୍ୟବସ୍ଥା କରାଯାଉଥିଲା । ଏସଏସଭିଟିରେ ପ୍ରଥମେ ମୂକ
ଚଳଚ଼ିତ୍ର ପ୍ରଦର୍ଶିତ ହେଉଥିଲା । ରୂପେଲି ପରଦା ପାର୍ଶ୍ୱରେ ଏକ ବ୍ୟାଣ୍ଡ ବାଦକ ଦଳ ଆବହ ସଂଗୀତ
ପରିବେଷଣ କରୁଥାନ୍ତି । ଜଣେ ସ୍ଥାନୀୟ ଭାଷ୍ୟକାର ଲାଉଡ଼ସ୍କିକର ଯୋଗେ ମୂକ ଚଳଚ଼ିତ୍ରରେ
ପ୍ରଦର୍ଶିତ ଦୃଶ୍ୟାବଳୀ ସଂପର୍କରେ ଟୀପ୍ପଣି ପ୍ରଦାନର ବ୍ୟବସ୍ଥା ରହିଥାଏ । କ୍ରମେ ମୂକ
ଚଳଚ଼ିତ୍ର ପ୍ରଦର୍ଶନରୁ ସବାକ ଚଳଚ଼ିତ୍ର ପ୍ରଦର୍ଶନ ଏବଂ ପରେ ସିନେମାସ୍କୋପ ସ୍କ୍ରିନର
ବ୍ୟବସ୍ଥା ହେଲା । ତେବେ ତ୍ରି-ଡ଼ି, ଆଇ-ମାସ୍କ ସ୍କ୍ରିନ ଆଡ଼କୁ ଯାଇପାରି ନାହିଁ ।
ବ୍ରହ୍ମପୁରରେ
ଚଳଚ଼ିତ୍ର ପ୍ରଦର୍ଶନରେ ଅନୁପ୍ରାଣିତ ହୋଇ କେତେକ ସ୍ଥାନୀୟ ଯୁବକ ଚଳଚ଼ିତ୍ର ନିର୍ମାଣ ଓ
ନିର୍ଦ୍ଦେଶନା ପ୍ରତି ଆଗ୍ରହ ପ୍ରକାଶ କରିଆସିଛନ୍ତି । ସେମାନଙ୍କ ମଧ୍ୟରେ ଗଣେଶ ମହାପାତ୍ର,
ଶିଶିର ମିଶ୍ର, ଜଲାଲ ଆଦେନୀ ଓ ରଘୁ ମିଶ୍ର ପ୍ରମୁଖ ଚଳଚ଼ିତ୍ର ନିର୍ଦ୍ଦେଶକ ଭାବେ ଖ୍ୟାତ ।
ଗଣେଶ ମହାପାତ୍ର ଓ ଶିଶିର ମିଶ୍ର ମୁମ୍ୱାଇରେ ଅବସ୍ଥାପିତ ହୋଇଥିବା ସ୍ଥଳେ ଜଲାଲ ଆଦେନୀ କିଛି
କାଳ ମୁମ୍ୱାଇ ଓ କଟକ ବାସିନ୍ଦା । କେବଳ ରଘୁ ମିଶ୍ର ବ୍ରହ୍ମପୁର ଭାପୁର ବଜାର ପାନବିକା ସାହୀରେ
ବସବାସ କରୁଥିଲେ । ସଂଯୋଗବଶତଃ ଗଣେଶ ମହାପାତ୍ର ଓ ଜଲାଲ ଆଦେନୀ ତାଲିମପ୍ରାପ୍ତ ଟେକ୍ସଟାଇଲ ଓ
ଇଲେକ୍ଟ୍ରକାଲ ଇଞ୍ଜିନିୟର ଥିଲେ ଏବଂ ଶିଶିର ମିଶ୍ର ରାସାୟନ ଶାସ୍ତ୍ର ଅଧ୍ୟାପକ ଓ ରଘୁ ମିଶ୍ର
ଚିକିତ୍ସକ ଭାବେ କାର୍ଯ୍ୟ କରିଥିଲେ । ଗଣେଶ ମହାପାତ୍ର ଓ ରଘୁ ମିଶ୍ରଙ୍କ ବିୟୋଗ ଘଟିଥିବା
ସ୍ଥଳେ ଜଲାଲ ଆଦେନୀ ୮୫ ବର୍ଷ ବୟସରେ ୨୦୨୧ ମାର୍ଚ୍ଚ ୨୯ ତାରିଖ ହୋଲି ଦିନ ଭୋରରେ ହୃଦଘାତରେ କଟକ
ବାସଭବନରେ ପରଲୋକ ଗମନ କରିଛନ୍ତି ।
ଜଲାଲ ଆଦେନୀଙ୍କ
ପରିବାର ଭଞ୍ଜନଗର ସ୍ଥାୟୀ ବାସିନ୍ଦା । ବ୍ରହ୍ମପୁର ଭୀମାରାଓ ପେଟାରେ କିଛିକାଳ ବସବାସ କରିଥିଲେ
। ଜଲାଲ କୁଇନ ମିସନ ହାଇସ୍କୁଲ ଓ ଖଲ୍ଲିକୋଟ କଲେଜରେ ଶିକ୍ଷାସାରି କୋଲକତାର ଯାଦବପୁର
ଇଂଜିନିୟରିଂ କଲେଜରୁ ଶିକ୍ଷାର୍ଜନ କରିଥିଲେ । ସେ କିଛି କାଳ
ରେଳବିଭାଗରେ ନିଯୁକ୍ତି ପାଇ ଚାକିରୀ କରିବାପରେ ଚାକିରୀ ଛାଡ଼ି ବିଦ୍ୟୁତ ଠିକାଦାର ଭାବେ
କାର୍ଯ୍ୟ କରିଥିଲେ ।
ସେ ବ୍ରହ୍ମପୁରରେ
ସପ୍ତମ ଦଶକ ଆରମ୍ଭ ବେଳକୁ ‘କିଏ ବୁଝିବ’
ଶୀର୍ଷକ ଏକ ଓଡ଼ିଆ ଚଳଚ଼ିତ୍ର ନିର୍ମାଣ ନିମନ୍ତେ ପ୍ରାଥମିକ କାର୍ଯ୍ୟ ଆରମ୍ଭ କରିଥିଲେ ।
କମାପଲ୍ଲୀ ଛକରେ ଏକ ଦୁଇ ମହଲା କୋଠାରେ ତାଙ୍କରି ଚଳଚ଼ିତ୍ର କମ୍ପାନୀ କାର୍ଯ୍ୟାଳୟ ଖୋଲିଥିଲା ।
ତେବେ ଚଳଚ଼ିତ୍ର ନିର୍ମାଣ କାମ ବିଶେଷ ଅଗ୍ରଗତି ନ କରିପାରିବାରୁ ଏକ ଥିଏଟର ଦଳ ଗଢ଼ି ନାଟକ
ପରିବେଷଣ କରିଥିଲେ । ଗୋଟିଏ ମଞ୍ଚରେ ଦୁଇଗୋଟି ଦୃଶ୍ୟ ଉପସ୍ଥାପନ ଭଳି ପରୀକ୍ଷାନିରୀକ୍ଷା ସେ
ସମୟରେ ବେଶ ଚହଳ ସୃଷ୍ଟି କରିଥିଲା ।
ଚଳଚ଼ିତ୍ର କିମ୍ୱା
ନାଟକ କେଉଁଥିରେ ସଫଳତା ନମିଳିପାରିବାରୁ ସେ ବ୍ରହ୍ମପୁରରୁ କଟକ ସ୍ଥାନାନ୍ତରିତ ହୋଇଥିଲେ ।
ସେଠାରେ ବକ୍ସି ବଜାର ପେନସେନ ଲେନରେ ଘରକରି ରହିଥିଲେ । ୧୯୭୭ରେ ତାଙ୍କରି ପ୍ରଯୋଜନା ଓ
ନିର୍ଦ୍ଦେଶନାରେ ‘ଅନୁତାପ’
ନିର୍ମିତ ହୋଇଥିଲା । ପରେ ‘ହୀରା-ମୋତି-ମାଣିକ’ ଓ ‘ବାସନ୍ତୀ ଅପା’ ନାମକ ଦୁଇଗୋଟି
ଚଳଚ଼ିତ୍ର ରିଲିଜ ହୋଇଥିଲା । ତେବେ ‘ପୂଜାରିଣୀ’ ଚଳଚ଼ିତ୍ର ନିର୍ମାଣ ସଂପୂର୍ଣ୍ଣ ହୋଇ ରିଲିଜ ହୋଇପାରି ନଥିଲା ।
ଅଷ୍ଟମ ଦଶକ
ଆରମ୍ଭରୁ ସେ ମୁମ୍ୱାଇକୁ ନିଜର କର୍ମକ୍ଷେତ୍ର ରୂପେ ବାଛିଥିଲେ । ବଲିଉଡ଼ରେ ପ୍ରାୟ ପନ୍ଦର ବର୍ଷ
ରହେଣୀ କାଳରେ ‘ଜମାନା-କ୍ୟା-କହେଗା’
(୧୯୮୨), ‘ହମନେ-ପ୍ୟାର-କିୟା’ (୧୯୯୨), ‘ପ୍ରେମ ଉପହାର’ ଓ ‘ପ୍ରେମ କୁମାର’ (୧୯୯୪) ଭଳି ହିନ୍ଦି ଚଳଚ଼ିତ୍ର ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ
ପୁଣି କଟକ ଫେରି ଆସି ମୁଖ୍ୟତଃ ସଂଗୀତ ଚର୍ଚ୍ଚାରେ ବାକୀତକ ଜୀବନ କଟାଇଥିଲେ । ତାଙ୍କରି ଝିଅ
ଜଣେ କଣ୍ଠ ଶିଳ୍ପୀ ଓ ପୁଅ ତବଲା ବାଦକ । ସ୍କୁଲରେ ପଢ଼ିଲା ବେଳେ ନାରୀ ଭୂମିକାରେ ନାଟକରେ
ଅଭିନୟଠାରୁ ଆରମ୍ଭ କରି ଶେଷ ଜୀବନ ଯାଏଁ ମ୍ୟୁଜିକ ଆଲବମ, ଇଭେଣ୍ଟ ଓ ସୋସିଆଲ ମିଡ଼ିଆରେ
ଉପସ୍ଥିତି ଭଳି ସଦାସର୍ବଦା କଳାସଂସ୍କୃତି ସହ ସଂଯୁକ୍ତ ରହିଆସିଥିଲେ ... ବିଫଳତା ତାଙ୍କରି ବାଟ
ଓଗାଳି ପାରିନଥିଲା ।
ଜଲାଲ ଆଦେନୀଙ୍କ
ହାଇସ୍କୁଲ, କଲେଜ ଓ ସିନେମା-ଥିଏଟର ଜୀବନର ଆଦ୍ୟଭାଗ ବ୍ରହ୍ମପୁରରେ କଟିଥିଲା । ସହରର ସାଂସ୍କୃତିକ
ମାହୋଲ ତାଙ୍କୁ ବିମୋହିତ କରିଥିଲା । ଘରେ ବଡ଼ପୁଅ ହିସାବରେ ବାପା ମାଆ ଜଲାଲ ଇଞ୍ଜିନିୟର ହେଉ
ବୋଲି ଚାହୁଁଥିଲେ । ସେ ଇଂଜିନିୟରିଂ ଶିକ୍ଷାଲାଭ କରି ନିଯୁକ୍ତି ଏବଂ ଠିକାଦାର ଭାବେ ମଧ୍ୟ
କାର୍ଯ୍ୟ କରିଥିଲେ । ତେବେ ସିନେମା ଓ ସଙ୍ଗୀତର ମାୟା କେବଳ ତାଙ୍କୁ କାହିଁକି ତାଙ୍କରି
ପରିବାରକୁ ସୃଜନ କ୍ଷେତ୍ରକୁ ଟାଣି ଆଣିଥିଲା । ଜଲାଲଙ୍କ ସଂଘର୍ଷର କାହାଣୀ ପ୍ରତିକୂଳ ପରିବେଶରେ
କଳାକାରଭାବେ ନିଜକୁ ପ୍ରତିଷ୍ଠିତ କରିବାଲାଗି ଉଦ୍ୟମରତ ବ୍ରହ୍ମପୁରର ସଂସ୍କୃତିପ୍ରେମୀଙ୍କୁ
ସବୁବେଳେ ଉଦବୁଦ୍ଧ କରିବ ।
‘ୟୁ-ଟ୍ୟୁବ’ରେ
ଉପଲବ୍ଧ ଜଲାଲ ଆଦେନୀଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ଼ିତ୍ର ‘ଅନୁତାପ’ର ଲୋକପ୍ରିୟ ଗୀତ ‘ନିଦ ଭରା ରାତି...’ ଭିଡ଼ିଓ ଦେଖିବା ପାଇଁ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ :
(‘ଅନୁପମ ଭାରତ’ ବ୍ରହ୍ମପୁର ସଂସ୍କରଣ / ୩ ଏପ୍ରିଲ ୨୦୨୧/ ପୃଷ୍ଠା : ୮)
Illustration : "cinema seats" by mark lorch is licensed under CC BY-NC 2.0
No comments:
Post a Comment