#ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଧାର୍ମିକ ରୀତିନୀତି ସହ
ସାଂସ୍କୃତିକ, ସାମାଜିକ ଓ ଅର୍ଥନୀତିକ ଦିଗଗୁଡ଼ିକ ଯୋଡ଼ିହୋଇ ରହିଥାଏ । କିମ୍ୱଦନ୍ତୀ ପ୍ରକାରେ ଯଦି ମହୁରି ରାଜା ନାରାୟଣ ଦେବଙ୍କ ପୁତ୍ର ହରିହର ନରେନ୍ଦ୍ର
ଦେବଙ୍କ ରାଜତ୍ୱ ସମୟରେ ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀରୁ ବୁଣାକାର ‘ଦେବାଙ୍ଗ’ ସଂପ୍ରଦାୟ ବ୍ରହ୍ମପୁର ପହଞ୍ଚି ବସତି ସ୍ଥାପନ
କରିଥିଲେ ଏବଂ ସେମାନଙ୍କ ଉଦ୍ୟମରେ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥିଲା, ତେବେ ଊନବିଂଶ
ଶତାଦ୍ଦୀରେ ଶହେ ବର୍ଷ ଧରି ସୀମିତ ସଂଖ୍ୟକ ବ୍ରହ୍ମପୁର ନିବାସୀ ଯାତ୍ରାରେ ସାମିଲ ହେଉଥିଲେ
ବୋଲି କହିବାକୁ ହେବ । ସହରର ଜନସଂଖ୍ୟା ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହ ସମତାଳରେ
ଠାକୁରାଣୀ ଯାତ୍ରା ଯାକଜମକରେ ପାଳିତ ହୋଇଥିବା ସୁସ୍ପଷ୍ଟ ।
ଅଷ୍ଟାଦଶ
ଶତାଦ୍ଦୀ ଶେଷଭାଗରେ ରାଜମହେନ୍ଦ୍ରୀରୁ ଆଗନ୍ତୁକ ବୁଣାକାରମାନେ ବ୍ରହ୍ମପୁରରେ ଡ଼େରା ଓ ପାଟରା
ନାମରେ ମଧ୍ୟ ପରିଚ଼ିତ । ସେମାନେ ବ୍ରହ୍ମପୁରରେ ପହଞ୍ଚିବା ବେଳକୁ ମହୁରି ରାଜଧାନୀ ଶହେ ବର୍ଷର
ଜନପଦ । ଅଧୁନା ବଡ଼ ବଜାର କେନ୍ଦ୍ରସ୍ଥଳରେ ରାଜବାଟୀ ଏବଂ ଏହାକୁ ଘେରି ବସତି ସ୍ଥାପନ ହୋଇଥିବା
ସ୍ଥଳେ ବଡ଼ ଠାକୁରାଣୀ ମନ୍ଦିର ଗ୍ରାମ ଶେଷରେ ବିଦ୍ୟମାନ ଥିଲା ବୋଲି ଅନୁମାନ କରାଯାଇପାରେ ।
ହୁଏତ ସେଠାରେ ସ୍ଥାୟୀ ପୂଜକ ନିଯୁକ୍ତ ହୋଇନଥିଲେ । କିମ୍ୱଦନ୍ତୀ କହେ ଯେ ଦେଶୀବେହେରା
ଠାକୁରାଣୀଙ୍କୁ ପୂଜା-ଅର୍ଚ୍ଚନା ଅବସରରେ ଦିବ୍ୟ-ଅନୁଭବ ପରେ ରାସ୍ତାରେ ଯାହାକୁ ପ୍ରଥମେ ଦେଖିବେ ସେ
ପୂଜକ ହେବ ବୋଲି ଶୂନ୍ୟବାଣୀ ଶୁଣିଥିଲେ ।
ଦେଶୀବେହେରା ଠାକୁରାଣୀ ପୀଠରୁ ବାହାରିବା ପରେ ପ୍ରଥମେ ଜଣେ
ଭଣ୍ଡାରୀ ସଂପ୍ରଦାୟର ବ୍ୟକ୍ତିଙ୍କୁ ଦେଖିଥିଲେ । ସେହିଦିନୁ ବ୍ରହ୍ମପୁର ଠାକୁରାଣୀ ମନ୍ଦିରରେ
ଭଣ୍ଡାରୀ ସଂପ୍ରଦାୟର ପୂଜକ ନିଯୁକ୍ତ ହୋଇ ଆସିଛନ୍ତି । ଏହି ପ୍ରଥା ଗଞ୍ଜାମର ବିଭିନ୍ନ
ଗ୍ରାମାଞ୍ଚଳରେ ମଧ୍ୟ ପ୍ରଚଳିତ । ପ୍ରଶ୍ନ ଉଠେ, ଏହି ପ୍ରଥା ପୂର୍ବରୁ ପ୍ରଚଳିତ ଥିଲା ନା ପାଟରା
ସଂପ୍ରଦାୟଙ୍କ ପୂଜକ ନିଯୁକ୍ତି ପରେ ଅନ୍ୟତ୍ର ଅନୁକରଣ କରାଗଲା ?
ବ୍ରହ୍ମପୁର
ସହର ପଡ଼ୋଶୀ ଗଞ୍ଜାମ ଓ ଶ୍ରୀକାକୁଲମ ଜିଲ୍ଲାର ବହୁ ଗ୍ରାମରେ ଠାକୁରାଣୀ ମନ୍ଦିର ରହିଛି ।
ଅଧିକାଂଶ ମନ୍ଦିରରେ ବର୍ଷକରେ ଥରେ ଯାତ୍ରା ଅନୁଷ୍ଠିତ ହେଉଥିବା ସ୍ଥଳେ କେତେକ ମନ୍ଦିରରେ କିଛି
ବର୍ଷ ଅନ୍ତରରେ ଯାତ୍ରା ପାଳିତ ହୁଏ । ଉଦାହରଣରେ ଇଚ୍ଛାପୁରରେ ପ୍ରତି ଦଶ ବର୍ଷରେ ଥରେ
ଠାକୁରାଣୀ ଯାତ୍ରା ଆୟୋଜିତ ହୁଏ । ଚଳିତ ୨୦୨୩ ଏପ୍ରିଲ ମାସରେ ଠାକୁରାଣୀ ଯାତ୍ରା ପାଳିତ
ହୋଇଥିଲା । ତେବେ ପ୍ରଶ୍ନ ଉଠେ, ଦେବାଙ୍ଗ ସଂପ୍ରଦାୟ ଦ୍ୱାରା ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା
ପ୍ରଚଳନ ସ୍ଥାନୀୟ ସଂସ୍କୃତିର ପରିପ୍ରକାଶ ନା ଦାକ୍ଷିଣାତ୍ୟ ବିଧିବିଧାନ ପାଳନ ?
ବ୍ରହ୍ମପୁର
ଠାକୁରାଣୀ ଯାତ୍ରାର ଆଡ଼ମ୍ୱର ସହ ରଥ ଓ କଳାକୁଞ୍ଜ ସଂପର୍କ ନିବିଡ଼ । ଠାକୁରାଣୀ ଯାତ୍ରାର ଅନ୍ୟାନ୍ୟ ପୁରାତନ ରଥ ମଧ୍ୟରେ ଶଙ୍କରପୁର ସାହିର ରାମଚ଼ନ୍ଦ୍ର ରଥ
ଅନ୍ୟତମ । ପୂର୍ବେ ଏହି ରଥରେ ଚକ ଲାଗୁଥିଲା ଏବଂ ରଥ ଟଣା ହୋଇ ବଡ଼ବଜାରକୁ ଅଣାଯାଉଥିଲା ।
କିନ୍ତୁ ବର୍ତ୍ତମାନ ଶଙ୍କରପୁର ସାହିରେ ହିଁ ପ୍ରଦର୍ଶିତ ହେଉଛି । ଅପରପକ୍ଷେ ଜେନାସାହିର ବୀର
ଲକ୍ଷ୍ମଣ ରଥ ଆଜି ଯାଏଁ ବଡ଼ ବଜାରରେ ପ୍ରଦର୍ଶିତ ହେବା ପାଇଁ ଅଣାଯାଉଛି । ଏହି ରଥଟି ୧୯୦୫
ମସିହାରୁ ନିୟମିତ ଭାବେ ପ୍ରସ୍ତୁତ ହେଉଥିବା ଜଣାଯାଇଥାଏ । ବୀର ଲକ୍ଷ୍ମଣ ରଥର ମୂର୍ତ୍ତି ସାମଗ୍ରୀ
ସବୁ ଜେନା ସାହିର ଶ୍ରୀ ବୃନ୍ଦାବନ ଚ଼ନ୍ଦ୍ର ଯୁଗଳ ମହାପ୍ରଭୁଙ୍କ ମନ୍ଦିରରେ ସାଇତି ରଖାଯାଇ
ପ୍ରତିଥର ଯାତ୍ରାରେ ପ୍ରଦର୍ଶିତ ହୋଇଥାଏ । ଏହାକୁ ମରାମତ କରି ପ୍ରଦର୍ଶନଯୋଗ୍ୟ କରିବା ପାଇଁ
୧୦ରୁ ୧୨ ଦିନ ସମୟ ଲାଗିଥାଏ ।
କଳାକୁଞ୍ଜ
ନିର୍ମାଣ ପରମ୍ପରା ୧୯୬୩ ଓ ୧୯୬୫ ଠାକୁରାଣୀ ଯାତ୍ରାରେ ପ୍ରସାରିତ ହୋଇଥିବା ଲକ୍ଷ୍ୟ କରାଯାଏ ।
୧୯୬୭ ମସିହା ଠାକୁରାଣୀ ଯାତ୍ରାରେ ବହୁ ସଂଖ୍ୟକ କଳାକୁଞ୍ଜ ନିର୍ମିତ ହୋଇଥିଲା । ଏହି କଳାକୁଞ୍ଜ
ନିର୍ମାଣ ପାଇଁ କଟକରୁ ଶିଳ୍ପୀ ଆସୁଥିଲେ । ବର୍ତ୍ତମାନ କଳାକୁଞ୍ଜଗୁଡ଼ିକ ସ୍ଥାନୀୟ ଶିଳ୍ପୀ
ନିର୍ମାଣ କରୁଥିବା ବେଳେ କିଛି ସଂଖ୍ୟକ ବାହାର ସହରର ଶିଳ୍ପୀଙ୍କୁ ମଧ୍ୟ ନିମନ୍ତ୍ରିତ
କରାଯାଇଥାଏ ।
ବ୍ରହ୍ମପୁରରେ ୧୯୩୪ରେ
ପ୍ରତିଷ୍ଠିତ ‘ବ୍ରହ୍ମପୁର
ଇଲେକ୍ଟ୍ରିକ ସପ୍ଳାଇ କରପୋରେସନ ଲିମିଟେଡ଼’ ଦ୍ୱାରା ବିଦ୍ୟୁତ ଆଲୋକ ବ୍ୟବସ୍ଥା ଏବଂ ଆଞ୍ଚଳିକ ଗଣମାଧ୍ୟମର ପ୍ରଚଳନ ମଧ୍ୟ ଠାକୁରାଣୀ
ଯାତ୍ରାର ଆଡ଼ମ୍ୱର ପରିପ୍ରକାଶରେ ସହାୟକ ହୋଇଛି । ବିଦ୍ୟୁତ ଆଲୋକର ସୁବିଧା ମିଳିବା ପରେ
ପ୍ରତ୍ୟେହ ସନ୍ଧ୍ୟାରେ ଘଟ ପରିକ୍ରମା ଓ ମଧ୍ୟ ରାତ୍ରୀ ଯାଏଁ ଜନସାଧାରଣଙ୍କ ଯାତ୍ରାରେ ଯୋଗଦାନ
ସୁଗମ ହୋଇପାରିଥିଲା । ରଥ ଓ ରାସ୍ତାଘାଟରେ ରଙ୍ଗବେରଙ୍ଗୀ ଆଲୋକ ସଜ୍ଜା ଉତ୍ସବମୁଖର ପରିବେଶ
ସୃଷ୍ଟିରେ ସହାୟତା ଦେଇଥିଲା । ସେହିପରି ବିଂଶ ଶତାଦ୍ଦୀର ନବମ ଦଶକରୁ ବ୍ରହ୍ମପୁରରୁ ମୁଦ୍ରିତ
ସମ୍ୱାଦପତ୍ର ପ୍ରକାଶନ ଏବଂ ଶେଷ ଦଶକରୁ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ ସେବା ଠାକୁରାଣୀ ଯାତ୍ରା
ସଂପର୍କରେ ବ୍ୟାପକ ଚର୍ଚ୍ଚା ତଥା ପ୍ରଚାର ପ୍ରସାରର ସୁଯୋଗ ସୃଷ୍ଟି କରିଥିଲା ।
ବ୍ରହ୍ମପୁରର ଜନସଂଖ୍ୟା ୨୦୨୩ ସୁଦ୍ଧା ପ୍ରାୟ ପାଞ୍ଚ ଲକ୍ଷ ଆକଳନ କରାଯାଉଥିବା ଏବଂ ପଡ଼ୋଶୀ ଅଞ୍ଚଳଗୁଡ଼ିକ ସହ ସଡ଼କପଥରେ ଯାନବାହନ ଚଳାଚଳ ସଂଯୁକ୍ତ ହେବା ପରିବେଶ ମଧ୍ୟ ଯାତ୍ରାରେ ଯୋଗଦେବା ଲାଗି ବହୁ ସଂଖ୍ୟକ ଜନସାଧାରଣଙ୍କୁ ଉତ୍ସାହିତ କରୁଥିବା ବିଚାର କରାଯାଇପାରେ । ଆରମ୍ଭରୁ ଯାତ୍ରା ଆୟୋଜନକୁ ସ୍ଥାନୀୟ ବ୍ୟବସାୟୀମାନେ ପ୍ରୋତ୍ସାହନ ଯୋଗାଇ ଆସିଛନ୍ତି । ଅତୀତରେ ଦକ୍ଷିଣ ଓଡ଼ିଶାର ମୁଖ୍ୟ ଫସଲ ଧାନ ଅମଳ ଓ ବିକ୍ରୀବଟା ପରେ ଗ୍ରୀଷ୍ମ ଋତୁରେ ବ୍ରହ୍ମପୁର ବଡ଼ ବଜାରରେ ଗ୍ରାମାଞ୍ଚଳବାସୀ ପହଞ୍ଚି ଜିନିସପତ୍ର କିଣାବିକା କରୁଥିଲେ । ବର୍ତ୍ତମାନ ସୁଦ୍ଧା ସର୍ବତ୍ର ଉତ୍ସବ ଆୟୋଜନ ସହ ସାମଗ୍ରୀ ବିକ୍ରୟ ପରମ୍ପରା ସଂପୃକ୍ତ । ସ୍ୱର୍ଣ୍ଣ, ବସ୍ତ୍ର ଓ ସୌଖିନ ଘରକରଣା ବଜାର ଭାବେ ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁରର ଗୁରୁତ୍ୱ ବଜାୟ ରହିଆସିଛି । ବ୍ରହ୍ମପୁରରେ ଆଡ଼ମ୍ୱରପୂର୍ଣ୍ଣ ଠାକୁରାଣୀ ଯାତ୍ରା ଆୟୋଜନରେ ସାଂସ୍କୃତିକ ଓ ସାମାଜିକ ଦିଗଗୁଡ଼ିକ ସହ ଅର୍ଥନୀତିକ ଦିଗଟି ମଧ୍ୟ ଗୁରୁତ୍ୱ ବହନ କରେ ।
Photo by Paulo Infante on Unsplash
No comments:
Post a Comment