Friday, July 19, 2024

Dr. Wuppala Lakshmana Rao / ଡ଼କ୍ଟର ଉପାଲା ଲକ୍ଷ୍ମଣ ରାଓ

 

#ବ୍ରହ୍ମପୁର ସହରବାସୀ ଭାବେ ତେଲୁଗୁ ସାହିତ୍ୟରେ ପ୍ରଭାବ ବିସ୍ତାର କରିଥିବା ଲେଖକଙ୍କ ମଧ୍ୟରେ ଡ଼କ୍ଟର ଉପାଲା ଲକ୍ଷ୍ମଣ ରାଓ ଅନ୍ୟତମ । ସେ ପୁରୁଣା ବସଷ୍ଟାଣ୍ଡ ଦଳୁଆ ସାହୀ ସଂଲଗ୍ନ ଦିଗମୂର୍ତ୍ତି ସାହୀରେ ଅଜାଙ୍କ ଘରେ ୧୮୯୮ରେ ଜନ୍ମ ଗ୍ରହଣ କରି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଖଲ୍ଲିକୋଟ ମହାବିଦ୍ୟାଳୟରେ ସମାପନ କରିଥିଲେ । ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକୋତ୍ତର ଉପାଧି ହାସଲ ପରେ ବ୍ରିଟେନ ଓ ଜର୍ମାନୀ ଭ୍ରମଣ ମୁଖ୍ୟତଃ ଉଦ୍ଭିଦ ବିଜ୍ଞାନ ଗବେଷଣାରେ କଟିଥିଲା । କିଛି କାଳ ଆନ୍ଧ୍ର ପ୍ରଦେଶର କାକିନାଡ଼ାରେ ଅଧ୍ୟାପନା, ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମ ଓ ଆନ୍ଧ୍ର ପ୍ରଦେଶରେ ଭାରୀଶିଳ୍ପ ପରିଚାଳନା କରିଥିଲେ । ସେ ୧୯୫୮ ରୁ ୧୯୭୦ ଯାଏଁ ତତ୍କାଳୀନ ସୋଭିଏତ ଋଷର ରାଜଧାନୀ ମସ୍କୋଠାରେ ସରକାରୀ ପ୍ରଗତି ପ୍ରକାଶନୀରେ ଋଷ ଭାଷାରୁ ତେଲୁଗୁ ଭାଷା ଅନୁବାଦକ ଭାବେ ଅବସ୍ଥାପିତ ହୋଇଥିଲେ । ଲକ୍ଷ୍ମଣ ରାଓ ୧୯୩୭ରେ ଜଣେ ବିଦେଶିନୀ ସୁଇସ ମହିଳାଙ୍କୁ ବିବାହ କରିଥିଲେ ଏବଂ ଉଭୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ମସ୍କୋରେ ପତ୍ନୀଙ୍କ ମୃତ୍ୟୁ ପରେ ସେ ଜନ୍ମସ୍ଥଳୀ ବ୍ରହ୍ମପୁର ଫେରି ଆସିଥିଲେ ଏବଂ ୧୯୮୫ ପରଲୋକ ଗମନ ଯାଏଁ ବ୍ରହ୍ମପୁର ବାସିନ୍ଦା ପାଲଟିଥିଲେ । ସ୍ଥାନୀୟ ତେଲୁଗୁ ସାହିତ୍ୟ ସଂଗଠନ ବିକାଶମ ସହ ତାଙ୍କରି ସଂପୃକ୍ତି ଉଲ୍ଲେଖଯୋଗ୍ୟ ।
 
କମ୍ୟୁନିଷ୍ଟ ପାର୍ଟିର ସଦସ୍ୟଭାବେ ଲକ୍ଷ୍ମଣ ରାଓ ପ୍ରଗତିବାଦୀ ଚ଼ିନ୍ତାଧାରା ପ୍ରସାର ନିମନ୍ତେ ସାହିତ୍ୟ ରଚ଼ନାକୁ ଅଗ୍ରାଧିକାର ଦେଇଥିଲେ । ମସ୍କୋରେ ପ୍ରଗତି ପ୍ରକାଶନୀରେ ୧୨ ବର୍ଷ ରହେଣୀ କାଳରେ ସେ ପ୍ରାୟ ୪୦ ଗୋଟି ପୁସ୍ତକ ଋଷ ଭାଷାରୁ ତେଲୁଗୁ ଭାଷାକୁ ଅନୁବାଦ କରିଥିଲେ । ସରଳ, ସାବଲୀଳ ତେଲୁଗୁ ଭାଷାରେ ସାହିତ୍ୟ ରଚ଼ନା ତାଙ୍କରି ବିଶେଷତ୍ୱ । ବ୍ରହ୍ମପୁରରେ ଶେଷ ୧୫ ବର୍ଷ ଅବସ୍ଥାନ କାଳରେ ବାତୁକୁ ପୁସ୍ତକ ନାମକ ଆତ୍ମଜୀବନୀ ରଚ଼ନା ତେଲୁଗୁ ସାହିତ୍ୟିକ ମହଲରେ ଲୋକପ୍ରିୟ ହୋଇପାରିଥିଲା । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁଦ୍ଧା ମାର୍କ୍ସ-ଏନଞ୍ଜଲସ-ଲେନିନ ଚ଼ିନ୍ତାଧାରା ପ୍ରସାରରେ ଦୀର୍ଘ ଦିନର ସଂପୃକ୍ତି ଏବଂ ଏସିସି ଭଳି ସିମେଣ୍ଟ କାରଖାନା ପ୍ରତିଷ୍ଠା ଲକ୍ଷ୍ମଣ ରାଓଙ୍କ ବହୁମୁଖୀ ଚ଼ରିତ୍ରର ପରିଚ଼ୟ ।
 
ପତ୍ନୀଙ୍କ ମୃତ୍ୟୁ ବେଳକୁ ଲକ୍ଷ୍ମଣ ରାଓଙ୍କ ବୟସ ୭୨ ବର୍ଷ । ବ୍ରହ୍ମପୁର ଫେରିବା ପରେ ସେ ହିଲପାଟଣାରେ ନିଜ ଭାଇଙ୍କ ଘରେ ବସବାସ କଲେ । ତାଙ୍କ ଭାଇ ଜଣେ ଚ଼କ୍ଷୁ ଚ଼଼ିକିତ୍ସକ ଏବଂ ସାନ ବଜାରରେ କ୍ଳିନକ ଥିଲା । ସେମାନେ ପୂର୍ବତନ ରାଷ୍ଟ୍ରପତି ଭି.ଭି.ଗିରିଙ୍କ ସଂପର୍କୀୟ ଓ ଗିରିଙ୍କ ବାସଗୃହ ପଛପଟ ହିଲପାଟଣାବାସୀ । ଭି.ଭି.ଗିରି ବିଲାତରୁ ଆଇନ ଶିକ୍ଷା ସାରି ବ୍ରହ୍ମପୁର ଫେରିବା ପରେ ଚାଷୀ ଓ ଶ୍ରମିକ ସଂଗଠନରେ ମନୋନିବେଶ କରିଥିଲେ । ତାଙ୍କରି ନେତୃତ୍ୱରେ ତତ୍କାଳୀନ ବେଙ୍ଗାଲ-ନାଗପୁର-ରେଳୱେ କର୍ମଚାରୀ ସଂଗଠନ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଧର୍ମଘଟ ଅବସରରେ ଲକ୍ଷ୍ମଣ ରାଓ ଭି.ଭି.ଗିରିଙ୍କ ବ୍ୟକ୍ତିଗତ ସହାୟକଭାବେ କିଛି କାଳ କାର୍ଯ୍ୟ କରିଥିଲେ । ପରେ ସପତ୍ନୀକ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଯୋଗ ଦେଇଥିଲେ ।
 
ଅବିଭକ୍ତ ଆନ୍ଧ୍ର ପ୍ରଦେଶରେ ବିଂଶ ଶତାଦ୍ଦୀ ଷଷ୍ଠ ଓ ସପ୍ତମ ଦଶକରେ ଗଠିତ ପ୍ରଗତିଶୀଳ ଲେଖକ ସାମ୍ମୁଖ୍ୟର ଲକ୍ଷ୍ମଣ ରାଓ ଜଣେ ପ୍ରତିଷ୍ଠାତା ସଦସ୍ୟ । ସେହି ସମୟରେ ଲେଖକ ସଂଗଠନଟି ସର୍ବଭାରତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା । ବ୍ରହ୍ମପୁରରେ କେତେକ ଓଡ଼ିଆ ଯୁବ ଲେଖକଙ୍କ ସୃଜନରେ ପ୍ରଗତିଶୀଳ ଚ଼ିନ୍ତାଧାରା ସ୍ଥାନ ପାଇଥିଲେହେଁ କୌଣସି ଉଲ୍ଲେଖଯୋଗ୍ୟ ସାହିତ୍ୟକୃତୀ ସଂଭବ ହୋଇପାରି ନଥିଲା । ଅପରପକ୍ଷେ ୧୯୬୮ରୁ ୧୯୭୫ ମଧ୍ୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଯୁବ ଶାଖାଗୁଡ଼ିକ ସହରରେ ତତ୍ପର ରହିଥିଲେ । ପାର୍କସାହୀସ୍ଥିତ କମ୍ୟୁନିଷ୍ଟ ପାର୍ଟି କାର୍ଯ୍ୟାଳୟକୁ ଲକ୍ଷ୍ମଣ ରାଓ ବେଳେ ବେଳେ ଯାଉଥାନ୍ତି । ସର୍ବଭାରତୀୟ ସ୍ତରରେ ବହୁ ବାମପନ୍ଥୀ ନେତୃବର୍ଗଙ୍କ ସହ ତାଙ୍କରି ସଂପର୍କ ରହି ଆସିଥିଲା ।
 
ବ୍ରହ୍ମପୁର ତେଲୁଗୁ ଲେଖକଙ୍କ ମହଲରେ ଲକ୍ଷ୍ମଣ ରାଓ ଆଦର୍ଶ ରୂପେ ପରିଗଣିତ । କୁହାଯାଏ ଯେ ସାହିତ୍ୟ ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ଯୁବ ସର୍ଜନଶୀଳଙ୍କୁ ଆବଶ୍ୟକସ୍ଥଳେ ପରାମର୍ଶ ଦେବାରେ ସେ ପଛଘୁଞ୍ଚା ଦେଉନଥିଲେ । ବହୁରାଷ୍ଟ୍ରରେ ତାଙ୍କରି ସୁଦୀର୍ଘ ଅନୁଭୂତି ପ୍ରଶଂସକମାନଙ୍କୁ ଆକୃଷ୍ଟ କରୁଥିଲା । ଦେହାବସାନର ଚାରି ଦଶକ ପରେ ମଧ୍ୟ ଲକ୍ଷ୍ମଣ ରାଓଙ୍କ ସ୍ମୃତି ବ୍ରହ୍ମପୁର ଗୁଣଗ୍ରାହୀଙ୍କ ମଧ୍ୟରେ ଉଜ୍ଜୀବିତ ।


Image by Birgit from Pixabay


Friday, July 12, 2024

Dengu Fever Scare / ଡ଼େଙ୍ଗୁ ଭୟ

 

#ବ୍ରହ୍ମପୁର ପୌର ନିଗମ ସମେତ ରାଜ୍ୟର ସମସ୍ତ ପୌର ଆୟୁକ୍ତ ଓ ଜିଲ୍ଲାପାଳମାନଙ୍କୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସଚ଼ିବ ଜୁଲାଇ ପ୍ରଥମ ସପ୍ତାହରେ ପତ୍ର ଲେଖି ଚଳିତ ମୌସୁମୀ ଋତୁରେ ଡ଼େଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣକୁ ରୋକିବା ତଥା ମୁକାବିଲା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିବା ପ୍ରକାଶ । ଏହିଭଳି ପରାମର୍ଶ ପ୍ରଶାସନିକ କ୍ଷେତ୍ରରେ ଗତାନୁଗତିକ କାର୍ଯ୍ୟ ରୂପେ ଧରି ନିଆଯାଉଥିଲେହେଁ ବ୍ରହ୍ମପୁର ନିମନ୍ତେ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ ।

 

ଡ଼େଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣର ମୁଖ୍ୟ କାରଣ ମଶାବ୍ରହ୍ମପୁର ପୌର ନିଗମର ପରିମଳ ପରିଚାଳନା ବ୍ୟବସ୍ଥା ଅଭ୍ୟାସଗତ ଭାବେ ଅବହେଳିତ ରହିଆସିଥିବା ସ୍ଥଳେ କୋଭିଡ଼୧୯-ମହାମାରୀ କାଳରୁ ଶୋଚ଼ନୀୟ ସ୍ତରରେ ପହଞ୍ଚିଛି । ପରିମଳ ବ୍ୟବସ୍ଥା ସୁଧାରରେ ସ୍ଥାନୀୟ ନାଗରିକଙ୍କ ଅଭିଯୋଗକୁ ଗୁରୁତ୍ୱ ନଦିଆଯାଉଥିବା ହେତୁ ସହରର କେତେକ ଅଞ୍ଚଳ ପରିଷ୍କୃତ ହେଉଥିବା ବେଳେ ଏବଂ ଅନ୍ୟ କେତେକ ଅଞ୍ଚଳରୁ ବର୍ଷ ସାରା ଅଳିଆ ଆବର୍ଜନା ଉଠେ ନାହିଁ । ଉଦାହରଣରେ ସହରର ଘଞ୍ଚ ଜନବସତି ସମ୍ପନ୍ନ ପୁରାତନ ଅଞ୍ଚଳଗୁଡ଼ିକରେ ପ୍ରତ୍ୟେକ ଘର ଧାଡ଼ି ପଛ ପଟେ ସ୍କାଭେଞ୍ଜର ଲେନ ରହିଛି । ସହରର ପରିମଳ ବ୍ୟବସ୍ଥା ଘରୋଇକରଣ ହେବା ପରେ ସେଗୁଡ଼ିକରୁ ଅଳିଆ ଉଠାଇବା ନିମନ୍ତେ ଟେଣ୍ଡରରେ ବ୍ୟବସ୍ଥା ନଥାଏ । ଅତୀତରେ ପୌରପାଳିକା ନିଯୁକ୍ତ କର୍ମଚାରୀମାନେ ସ୍କାଭେଞ୍ଜର ଲେନଗୁଡ଼ିକୁ ପ୍ରତିଦିନ ପରିଷ୍କାର କରୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପୌରପାଳିକା କର୍ମଚାରୀ ପ୍ରଥା ପ୍ରଚଳିତ ଥିବା ଯାଏଁ ଜମାଦାରମାନେ ସାମୟିକଭାବେ ପରିଷ୍କାର ଜାରି ରଖିଥିଲେ । କିନ୍ତୁ ଘରୋଇକରଣ ହେବାପରେ ଠିକାଦାର ଦ୍ୱାରା ନିଯୁକ୍ତ କର୍ମଚାରୀମାନେ ନିଜ ମନମୁତାବକ କିଛି ସ୍ଥାନ ଝାଡୁ ମାରିବା ଓ ଅଳିଆ ଉଠାଇଥାନ୍ତିସ୍ଥାନୀୟ ବାସିନ୍ଦାଙ୍କ କୌଣସି ଅନୁରୋଧ ସେମାନେ କର୍ଣ୍ଣପାତ କରନ୍ତି ନାହିଁ କିମ୍ୱା ସେମାନଙ୍କ କାର୍ଯ୍ୟଧାରା ସଂପର୍କରେ ଅଭିଯୋଗ କରିବା ନିମନ୍ତେ ମଞ୍ଚଟିଏ ସାଧାରଣ ନାଗରିକ ଖୋଜି ପାଏନାହିଁ ।  ଫଳରେ ସହରର ବହୁ ସ୍ଥାନରେ ଅଳିଆ ଆବର୍ଜନା ମାସ ମାସ ଧରି ପଡ଼ିରହେ ।

 

ଡ଼େଙ୍ଗୁ ଜୀବାଣୁ ବାହକ ମଶା ବାସଗୃହ ଆଖପାଖରେ ପଡ଼ି ରହିଥିବା ଅଳିଆ ଆବର୍ଜନା, ଯଥା ପ୍ଳାଷ୍ଟିକ, ରବର ଓ ଟିଣ ଭଙ୍ଗା ପାତ୍ରରେ ଜମିଥିବା ସ୍ଥିର ଜଳରେ ଅଣ୍ଡା ଦିଏ । ତେଣୁ ଡ଼େଙ୍ଗୁ ପ୍ରତିରୋଧ ଅଭିଯାନରେ ପ୍ରଥମେ ଜନବସତିର ଅଳିଆ ଆବର୍ଜନା ମୌସୁମୀ ବର୍ଷା ପୂର୍ବରୁ ପରିଷ୍କାର କରିବା ଆବଶ୍ୟକ । ସହରାଞ୍ଚଳ ପରିଷ୍କୃତ ରଖିବା ନିମନ୍ତେ ବ୍ରହ୍ମପୁର ପୌର ନିଗମ ଠିକାଦାର ନିଯୁକ୍ତ କରିଛନ୍ତି, କିନ୍ତୁ ସେମାନଙ୍କ କାର୍ଯ୍ୟଧାରାର ତଦାରଖ କରିବା ନିମନ୍ତେ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇପାରି ନାହିଁସ୍ଥାନୀୟ ସଚ଼େତନ ନାଗରିକ ଓ ନିର୍ବାଚ଼ିତ ଜନପ୍ରତିନିଧି କର୍ପୋରେଟରମାନଙ୍କ ଲିଖିତ ଅଭିଯୋଗ ଆଧାରରେ ସହରର ବିଭିନ୍ନ ପ୍ରାନ୍ତରେ ଜମି ରହିଥିବା ଅଳିଆ ଆବର୍ଜନା ଉଠାଇବା ନିମନ୍ତେ ଏକ ଅଭିଯାନ ଆୟୋଜନ କରାଯାଇପାରେଏହାର ତଦାରଖ କରିବା ନିମନ୍ତେ ସ୍ୱଚ୍ଛସାଥି ବାହିନୀ ମଧ୍ୟ ଉପଲବ୍ଧ । କେବଳ ଇଚ୍ଛାଶକ୍ତି ଆବଶ୍ୟକ !

 

ମଶା ବଂଶ ବୃଦ୍ଧି ପାଇଲେ ପୌର ନିଗମ ପକ୍ଷରୁ ସାଧାରଣରେ ମଶାମରା ଧୂଆଁ ଫଗିଂ ଦ୍ୱାରା ମଶା ନିପାତ ନିମନ୍ତେ ଚେଷ୍ଟା କରାଯାଇଥାଏ । ଏହି ବ୍ୟବସ୍ଥା ମହାମାରୀ କାଳରୁ ସୁଚାରୁରୂପେ କାର୍ଯ୍ୟକାରୀ ହୋଇନପାରୁଥିବା ଇତିହାସ ରହିଛି । ଗତ ବର୍ଷ ଔଷଧ ଅଭାବ କାରଣରୁ ଫଗିଂ ହୋଇପାରୁ ନଥିଲା । ଏହି ଭଳି ସାମାନ୍ୟ ସମସ୍ୟାର ସମାଧାନ ନିମନ୍ତେ ଆଗୁଆ ପଦକ୍ଷେପ ନିଆଯିବା ଜରୁରୀ । କାରଣ ଜୁଲାଇ ଶେଷ ସପ୍ତାହରେ ବ୍ରହ୍ମପୁରରେ ଲଗାଣ ବର୍ଷ ଆଶା କରାଗଲେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ବେଳକୁ ମଶାଙ୍କ ଉତ୍ପାତ ଆରମ୍ଭ ହୋଇଯିବ । ଅର୍ଥାତ, ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ସୀମିତ ସାଧନରେ ପାଳି କରି ସହରର ସମସ୍ତ ୱାର୍ଡରେ ଫଗିଂ ବ୍ୟବସ୍ଥା କରିବାକୁ ପଡ଼ିବ । ଏହା ଫେବୃୟାରୀ ଯାଏଁ ଛଅ ମାସ ଅନବରତ ଚାଲିବା ଆବଶ୍ୟକ ।

 

ରାଜ୍ୟ ସ୍ୱାସ୍ଥ୍ୟ ସଚ଼ିବଙ୍କ ପତ୍ରରେ ଉଲ୍ଲେଖ ରହିଥିବା ପରାମର୍ଶଗୁଡ଼ିକ ମଧ୍ୟରେ (୧) ଡ଼େଙ୍ଗୁ-ମ୍ୟାଲେରିଆ ସଂକ୍ରମଣ ରୋକିବା ଲାଗି ଏହାର ଉତ୍ସକୁ ନଷ୍ଟ କରିବା, (୨) ମଶା କାମୁଡ଼ା ନିବାରଣ ସଂପର୍କରେ ଜନସଚ଼େତନତା ଆୟୋଜନ ଓ (୩) ଚ଼ିକିତ୍ସା ଲାଗି ରକ୍ତଭଣ୍ଡାରରେ ରକ୍ତ ସଂରକ୍ଷିତ ରଖିବା ଗୁରୁତ୍ୱପୂର୍ଣ୍ଣ । ଡ଼େଙ୍ଗୁ ଆକ୍ରାନ୍ତଙ୍କ ରକ୍ତରେ ପ୍ଳେଟଲେଟ ସଂଖ୍ୟା କମିଯାଏ ଏବଂ ଏହାଫଳରେ ସ୍ୱାସ୍ଥ୍ୟାବସ୍ଥା ସଂକଟପନ୍ନ ହୋଇପଡ଼େ । ତେଣୁ ସ୍ୱେଚ୍ଛାସେବୀଙ୍କଠାରୁ ରକ୍ତ ସଂଗ୍ରହ ମଧ୍ୟ ଡ଼େଙ୍ଗୁ ମୁକାବିଲାର ଏକ ଅଭିନ୍ନ ଅଙ୍ଗ । ଏଦିଗରେ ସଂଗଠିତ ଉଦ୍ୟମ ଆବଶ୍ୟକ । 

 

ଡ଼େଙ୍ଗୁ ସଂକ୍ରମଣ ସଂଖ୍ୟା ୨୦୨୪ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ଓଡ଼ିଶା ରାଜ୍ୟରେ ଦୁଇ ଶହରୁ ଅଧିକ ସଂଖ୍ୟାରେ ପହଞ୍ଚିଥିଲା । ରାଜ୍ୟସ୍ତରରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୧୦୦ ଏବଂ କେବଳ ଭୁବନେଶ୍ୱରରେ ୫୦ ଛୁଇଁଥିଲା । ସେହିପରି ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ପ୍ରାୟ ୮୦୦ ଜ୍ୱରାକ୍ରାନ୍ତଙ୍କ ରକ୍ତ ପରୀକ୍ଷାରେ ଆଠ ଜଣ ଡ଼େଙ୍ଗୁ ପଜିଟିଭ ଥିଲେ । ସେମାନଙ୍କ ମଧ୍ୟରୁ ଛଅ ଜଣ ଜିଲ୍ଲା ବାହାରୁ ସଂକ୍ରମିତ ହୋଇଥିବା ସ୍ଥଳେ ଦୁଇ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ । ଏଥିରୁ ବୁଝିନେବା କଥା ଜନସାଧାରଣଙ୍କ ବିଭିନ୍ନ ଅଞ୍ଚଳକୁ ଆତଯାତ ଡ଼େଙ୍ଗୁ ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ । ଏହି ଦିଗରେ ଜନସାଧାରଣ ସତର୍କ ରହିବା ବିଧେୟ ।

Image by Ernesto Eslava from Pixabay

Friday, July 5, 2024

Urban Transportation / ସହରାଞ୍ଚଳ ବସସେବା

 

#ବ୍ରହ୍ମପୁର ସହରରେ ମାର୍ଚ୍ଚ ୨୦୨୪ରେ ଆରମ୍ଭ ହୋଇଥିବା ମୋ ବସସେବା ସହରାଞ୍ଚଳ ପରିବହନରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରି ନାହିଁ । ଗଣମାଧ୍ୟମରେ ପ୍ରକାଶିତ ବିବରଣୀ ଅନୁଯାୟୀ ପ୍ରାଥମିକ ପର୍ଯ୍ୟାୟରେ ବ୍ୟବହୃତ ୧୫ ଗୋଟି ବସ ମଧ୍ୟରୁ ୧୦ ଗୋଟି ଡ଼ିଜେଲ ଚାଳିତ ଓ ପାଞ୍ଚ ଗୋଟି ଇ-ବସ । ଇ-ବସଗୁଡ଼ିକ ଶୀତତାପ ନିୟନ୍ତ୍ରିତ । ଦ୍ୱିତୀୟ ପର୍ଯ୍ୟାୟରେ ଅଧିକା ୫୦ ଗୋଟି ଇ-ବସ ଆସିବା କୁହାଯାଉଛି । ଏହି ଅବସରରେ ବ୍ରହ୍ମପୁରରେ କାହିଁକି ସହରାଞ୍ଚଳ ବସସେବା ଲୋକପ୍ରିୟତା ହାସଲ କରିପାରୁ ନାହିଁ ସେ ସମସ୍ୟାଗୁଡ଼ିକ ତର୍ଜମା କରିବା ସମୟ ଉପନୀତ ।
 
ବସ ଚଳାଚଳ କ୍ଷେତ୍ରରେ ଓଡ଼ିଶାରେ ବ୍ରହ୍ମପୁର ନେତୃତ୍ୱ ନେଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଏଠାରେ ବସ ଯୋଗେ ସଡ଼କ ପରିବହନ ସେବା ଆରମ୍ଭ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ପେଟ୍ରୋଲ ଅଭାବ ହେତୁ କିଛି ଦିନ କୋଇଲା ଇନ୍ଧନ ବ୍ୟବହାର କରି ଷ୍ଟିମ ଚାଳିତ ବସ ଚଳାଇବା କାହାଣୀ ଶୁଣିବାକୁ ମିଳେ । ରାଜ୍ୟର ପ୍ରଥମ ସଂଗଠିତ ବସସେବା ଓଡ଼ିଶା ରୋଡ଼ ଟ୍ରାନ୍ସପୋର୍ଟ ବ୍ରହ୍ମପୁରରୁ ଆରମ୍ଭ ହୋଇଥିଲା । ସ୍ୱାଧୀନୋତ୍ତର ଅବସ୍ଥାରୁ ବ୍ରହ୍ମପୁର ସହରରେ ଟାଉନବସ ଚଳାଚଳ ନିମନ୍ତେ ବାରମ୍ୱାର ଉଦ୍ୟମ ବିଫଳ ହେବାପରେ ରାଜ୍ୟସ୍ତରୀୟ ପରିବହନ ସଂସ୍ଥା କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ କ୍ରୁଟ ଆନୁକୂଲ୍ୟରେ ମୋ ବସ ବ୍ରାଣ୍ଡରେ ସଂଭବତଃ ପଞ୍ଚମଥର ନିମନ୍ତେ ଟାଉନବସ ସେବା ଆରମ୍ଭ ହୋଇଥିଲା ।
 
ମାର୍ଚ୍ଚ ୨୦୨୪ରୁ ଜୁନ ୨୦୨୪ ଚାରି ମାସର ଅଭିଜ୍ଞତାରୁ ଜଣାଯାଏ ଯେ ମୋ ବସ ସେବାରେ ପର୍ଯ୍ୟାପ୍ତ ସଂଖ୍ୟକ ଯାତ୍ରୀ ହେଉନାହାନ୍ତି । ଚ଼ିହ୍ନଟ କରାଯାଇପାରୁଥିବା କାରଣଗୁଡ଼ିକ ମଧ୍ୟରେ ପ୍ରଥମତଃ, ବ୍ରହ୍ମପୁରର ବ୍ୟସ୍ତବହୁଳ ରୁଟଗୁଡ଼ିକରେ ଟାଉନବସ ଚ଼ଳାଚଳ କରିପାରୁ ନାହିଁ କହିବାକୁ ହେବ । ଉଦାହରଣରେ ସହରରେ ଫାଷ୍ଟଗେଟରୁ-ଗେଟବଜାର-କମାପଲ୍ଲୀ-ଇଞ୍ଜିନିୟରିଂ ସ୍କୁଲ ଭଳି ଇଞ୍ଜିନିୟରିଂ ସ୍କୁଲରୁ-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ-ଗାନ୍ଧୀନଗର-ରାମଲିଙ୍ଗ ବନ୍ଧ ମଧ୍ୟ ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା । ଦ୍ୱିତୀୟ ରୁଟରେ ଟାଉନବସ ସେବା ନାହିଁ । ସହରର କେନ୍ଦ୍ରସ୍ଥଳ ପୁରୁଣା ବସଷ୍ଟାଣ୍ଡ ସହ ଅନ୍ୟାନ୍ୟ ଅଞ୍ଚଳକୁ ଯୋଡ଼ିବାକୁ ପଡ଼ିବ । ପୁରୁଣା ବ୍ରହ୍ମପୁରରେ ଟାଉନବସ ସେବାରୁ ବଞ୍ଚିତ ହେଉଛି ।
 
ଦ୍ୱିତୀୟତଃ, ଟାଉନବସ ସେବା ଅର୍ଥ ସହରାଞ୍ଚଳ ମଧ୍ୟରେ ସାଧାରଣ ପରିବହନ ବ୍ୟବସ୍ଥାକୁ ବୁଝାଏ । ସହରତଳି ଅଞ୍ଚଳକୁ ଗମନାଗମନ ସୁବିଧା ଟାଉନବସର ଏକ ଗୌଣ ଅଂଶ, ମୁଖ୍ୟ ନୁହ । କିନ୍ତୁ ୧୯୯୪ରେ ସ୍ଥାନୀୟ ପୌରପାଳିକା ଓ ୨୦୧୪ରେ ଗଞ୍ଜାମ ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ଼ ଗଟସଲ ଉଦ୍ୟମରେ ଆରମ୍ଭ ହୋଇଥିବା ଟାଉନ ବସ ସେବାରେ ସହରତଳି ଅଞ୍ଚଳ ସଂଯୋଗକୁ ହିଁ ପ୍ରାଧାନ୍ୟ ଦିଆଯାଇଥିଲା । ଫଳରେ ଉଭୟ ଫେଲ ମାରିଥିଲା ।
 
ଭାରତ ସରକାରଙ୍କ ପକ୍ଷରୁ ଟାଉନବସ ସେବା ପ୍ରଚଳନ ନିମନ୍ତେ ଗୁରୁତ୍ୱ ଦିଆଯାଉଥିବା ମୁଖ୍ୟ କାରଣ ହେଲା ସହରାଞ୍ଚଳରେ ପରିବହନ ନିମନ୍ତେ ସାର୍ବଜନୀନ ବ୍ୟବସ୍ଥା ଉପଲବ୍ଧ ହେଲେ ଅଧିକ ସଂଖ୍ୟକ ଘରୋଇ ମଟରସାଇକଲ, ଗାଡ଼ି ଚଳାଚଳରୁ ଅବ୍ୟାହତି ମିଳିବ । ଫଳରେ ପ୍ରଦୂଷଣ କମିବ ଓ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆସିବ । ପ୍ରଧାନମନ୍ତ୍ରୀ ଇ-ବସ ସେବା ଯୋଜନାରେ କ୍ରୁଟକୁ ୪୦୦ ଗୋଟି ଇ-ବସ ଆସୁଥିବା ପ୍ରକାଶ । କ୍ରୁଟ ପକ୍ଷରୁ ରାଜ୍ୟର ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ସମ୍ୱଲପୁର ଓ ରାଉରକେଲାର ଛଅ ଗୋଟି ସହରରେ ମୋ ବସ ସେବା ଚାଲିଛି । ଇ-ବସ ପହଞ୍ଚିଲେ ପର୍ଯ୍ୟାୟକ୍ରମେ ପ୍ରଚଳିତ ଡ଼ିଜେଲ ବସ ପ୍ରତ୍ୟାହାର କରି ଇ-ବସ ସାମିଲ କରାଯିବ । ସାଧାରଣ ପରିବହନରେ ଇ-ବସ ବ୍ୟବହାର ଜନସାଧାରଣରେ ଯାନବାହାନରେ ପାରମ୍ପରିକ ଇନ୍ଧନ ବଦଳରେ ପର୍ଯ୍ୟାବରଣ ଅନୁକୂଳ ବିଦ୍ୟୁତ ଶକ୍ତି ବ୍ୟବହାର ପାଇଁ ପ୍ରଭାବିତ କରିବା ଉଦ୍ୟମ ମଧ୍ୟ ଅନ୍ୟତମ ଲକ୍ଷ୍ୟ ।
 
ତୃତୀୟତଃ, ସାଢ଼େ ତିନି ଶହ ବର୍ଷ ପୂର୍ବେ ଗଢ଼ି ଉଠିଥିବା ପାଞ୍ଚ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବ୍ରହ୍ମପୁର ସହରର ରାସ୍ତାଘାଟ ପରିସ୍ଥିତିକୁ ଲକ୍ଷ୍ୟରେ ରଖି ଟାଉନବସ ସେବା ପରିଚାଳନା ଅପରିହାର୍ଯ୍ୟ । ସହରର ଜନାକୀର୍ଣ୍ଣ ଅଞ୍ଚଳରେ ସର୍ବାଧିକ ଜନସାଧାରଣ ଚଳପ୍ରଚଳ ହେଉଥିବା ହେତୁ ଲମ୍ୱା ବସ ବଦଳରେ ମିନିବସ ଆବଶ୍ୟକ । ସହରାଞ୍ଚଳ ମଧ୍ୟରେ ଘରୋଇ ଗାଡ଼ି ଚଳାଚଳ ନିରୁତ୍ସାହିତ କରିବା ନିମନ୍ତେ ବିକଳ୍ପ ଟାଉନବସ ସେବା କେବଳ ମିନିବସ ପ୍ରଚଳନରେ ସଂଭବ । କୋଲକତାରେ ତ ଘରୋଇ ଟାଉନବସ ସେବାରେ ମିନିବସ ସାମିଲ ହେଉଛି । ଏ ଦିଗରେ କର୍ତ୍ତୃପକ୍ଷ କଣ ନିଷ୍ପତ୍ତି ନେବେ ଓ କେନ୍ଦ୍ରୀୟସ୍ତରରେ ଅନୁରୂପ ଇ-ବସ ଯୋଗାଣ ନିମନ୍ତେ କେତେଦୂର ପ୍ରବର୍ତ୍ତାଇପାରିବେ, ତାହା ଉପରେ ବ୍ରହ୍ମପୁରରେ ଟାଉନବସ ସେବାର ଭବିଷ୍ୟତ ନିର୍ଭରଶୀଳ ।
 
ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ଟାଉନବସ ସେବା ନୂତନଭାବେ ପ୍ରବର୍ତ୍ତିତ ହେଉଥିବା ହେତୁ ନିୟମିତ ପ୍ରଚାର ବ୍ୟବସ୍ଥା ଆୟୋଜନ ନକରାଯାଇପାରିଲେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇପାରିବ ନାହିଁ । ବ୍ରହ୍ମପୁରରେ ଟାଉନବସ ଚଳାଚଳ କରୁଥିବା ସଂପର୍କରେ ସହରବାସୀ ଜାଣନ୍ତି, କିନ୍ତୁ କେଉଁଠୁ କେତେବେଳେ ସେବା ଗ୍ରହଣ କରିପାରିବେ ସେଦିଗରେ ଅଜ୍ଞ । ଅନ୍ତତଃପକ୍ଷେ ସୋସିଆଲ ମିଡ଼ିଆରେ ପ୍ରଥମ ବର୍ଷ ପ୍ରଚାର ଜାରି ରହିବା ଆବଶ୍ୟକ । ସେହିପରି ଟାଉନବସ ସେବା ସଂପର୍କରେ ସହରବାସୀଙ୍କ ପ୍ରତିକ୍ରିୟା, ପରାମର୍ଶକୁ ଗୁରୁତ୍ୱ ଦିଆଯିବା ଉଚ଼ିତ ଏହା ପ୍ରାୟୋଜିତ ସ୍ତରରୁ ଖସି ବାସ୍ତବାଭିମୁଖୀ ହେଲେ ଅବଶ୍ୟ ସୁଫଳ ମିଳିବ !


Image by CopyrightFreePictures from Pixabay