#ବ୍ରହ୍ମପୁର ପୌର ନିଗମ ସମେତ ରାଜ୍ୟର ସମସ୍ତ ପୌର
ଆୟୁକ୍ତ ଓ ଜିଲ୍ଲାପାଳମାନଙ୍କୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସଚ଼ିବ ଜୁଲାଇ ପ୍ରଥମ
ସପ୍ତାହରେ ପତ୍ର ଲେଖି ଚଳିତ ମୌସୁମୀ ଋତୁରେ ଡ଼େଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣକୁ ରୋକିବା ତଥା
ମୁକାବିଲା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିବା ପ୍ରକାଶ ।
ଏହିଭଳି ପରାମର୍ଶ ପ୍ରଶାସନିକ କ୍ଷେତ୍ରରେ ଗତାନୁଗତିକ କାର୍ଯ୍ୟ ରୂପେ ଧରି ନିଆଯାଉଥିଲେହେଁ
ବ୍ରହ୍ମପୁର ନିମନ୍ତେ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ ।
ଡ଼େଙ୍ଗୁ ଓ
ମ୍ୟାଲେରିଆ ସଂକ୍ରମଣର ମୁଖ୍ୟ କାରଣ ‘ମଶା’ । ବ୍ରହ୍ମପୁର ପୌର ନିଗମର ପରିମଳ ପରିଚାଳନା ବ୍ୟବସ୍ଥା ଅଭ୍ୟାସଗତ ଭାବେ ଅବହେଳିତ
ରହିଆସିଥିବା ସ୍ଥଳେ କୋଭିଡ଼୧୯-ମହାମାରୀ କାଳରୁ ଶୋଚ଼ନୀୟ ସ୍ତରରେ ପହଞ୍ଚିଛି । ପରିମଳ
ବ୍ୟବସ୍ଥା ସୁଧାରରେ ସ୍ଥାନୀୟ ନାଗରିକଙ୍କ ଅଭିଯୋଗକୁ ଗୁରୁତ୍ୱ ନଦିଆଯାଉଥିବା ହେତୁ ସହରର କେତେକ
ଅଞ୍ଚଳ ପରିଷ୍କୃତ ହେଉଥିବା ବେଳେ ଏବଂ ଅନ୍ୟ କେତେକ ଅଞ୍ଚଳରୁ ବର୍ଷ ସାରା ଅଳିଆ ଆବର୍ଜନା ଉଠେ
ନାହିଁ । ଉଦାହରଣରେ ସହରର ଘଞ୍ଚ ଜନବସତି ସମ୍ପନ୍ନ ପୁରାତନ ଅଞ୍ଚଳଗୁଡ଼ିକରେ ପ୍ରତ୍ୟେକ ଘର
ଧାଡ଼ି ପଛ ପଟେ ‘ସ୍କାଭେଞ୍ଜର
ଲେନ’ ରହିଛି ।
ସହରର ପରିମଳ ବ୍ୟବସ୍ଥା ଘରୋଇକରଣ ହେବା ପରେ ସେଗୁଡ଼ିକରୁ ଅଳିଆ ଉଠାଇବା ନିମନ୍ତେ ଟେଣ୍ଡରରେ
ବ୍ୟବସ୍ଥା ନଥାଏ । ଅତୀତରେ ପୌରପାଳିକା ନିଯୁକ୍ତ କର୍ମଚାରୀମାନେ ସ୍କାଭେଞ୍ଜର ଲେନଗୁଡ଼ିକୁ
ପ୍ରତିଦିନ ପରିଷ୍କାର କରୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପୌରପାଳିକା କର୍ମଚାରୀ ପ୍ରଥା
ପ୍ରଚଳିତ ଥିବା ଯାଏଁ ଜମାଦାରମାନେ ସାମୟିକଭାବେ ପରିଷ୍କାର ଜାରି ରଖିଥିଲେ । କିନ୍ତୁ ଘରୋଇକରଣ
ହେବାପରେ ଠିକାଦାର ଦ୍ୱାରା ନିଯୁକ୍ତ କର୍ମଚାରୀମାନେ ନିଜ ମନମୁତାବକ କିଛି ସ୍ଥାନ ଝାଡୁ ମାରିବା
ଓ ଅଳିଆ ଉଠାଇଥାନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କୌଣସି ଅନୁରୋଧ ସେମାନେ କର୍ଣ୍ଣପାତ କରନ୍ତି ନାହିଁ କିମ୍ୱା
ସେମାନଙ୍କ କାର୍ଯ୍ୟଧାରା ସଂପର୍କରେ ଅଭିଯୋଗ କରିବା ନିମନ୍ତେ ମଞ୍ଚଟିଏ ସାଧାରଣ ନାଗରିକ ଖୋଜି
ପାଏନାହିଁ । ଫଳରେ ସହରର ବହୁ ସ୍ଥାନରେ ଅଳିଆ
ଆବର୍ଜନା ମାସ ମାସ ଧରି ପଡ଼ିରହେ ।
ଡ଼େଙ୍ଗୁ
ଜୀବାଣୁ ବାହକ ମଶା ବାସଗୃହ ଆଖପାଖରେ ପଡ଼ି ରହିଥିବା ଅଳିଆ ଆବର୍ଜନା, ଯଥା ପ୍ଳାଷ୍ଟିକ, ରବର ଓ
ଟିଣ ଭଙ୍ଗା ପାତ୍ରରେ ଜମିଥିବା ସ୍ଥିର ଜଳରେ ଅଣ୍ଡା ଦିଏ । ତେଣୁ ଡ଼େଙ୍ଗୁ ପ୍ରତିରୋଧ ଅଭିଯାନରେ
ପ୍ରଥମେ ଜନବସତିର ଅଳିଆ ଆବର୍ଜନା ମୌସୁମୀ ବର୍ଷା ପୂର୍ବରୁ ପରିଷ୍କାର କରିବା ଆବଶ୍ୟକ ।
ସହରାଞ୍ଚଳ ପରିଷ୍କୃତ ରଖିବା ନିମନ୍ତେ ବ୍ରହ୍ମପୁର ପୌର ନିଗମ ଠିକାଦାର ନିଯୁକ୍ତ କରିଛନ୍ତି,
କିନ୍ତୁ ସେମାନଙ୍କ କାର୍ଯ୍ୟଧାରାର ତଦାରଖ କରିବା ନିମନ୍ତେ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇପାରି ନାହିଁ । ସ୍ଥାନୀୟ ସଚ଼େତନ ନାଗରିକ ଓ ନିର୍ବାଚ଼ିତ
ଜନପ୍ରତିନିଧି ‘କର୍ପୋରେଟର’ମାନଙ୍କ ଲିଖିତ ଅଭିଯୋଗ ଆଧାରରେ ସହରର ବିଭିନ୍ନ
ପ୍ରାନ୍ତରେ ଜମି ରହିଥିବା ଅଳିଆ ଆବର୍ଜନା ଉଠାଇବା ନିମନ୍ତେ ଏକ ଅଭିଯାନ ଆୟୋଜନ କରାଯାଇପାରେ । ଏହାର ତଦାରଖ କରିବା ନିମନ୍ତେ ସ୍ୱଚ୍ଛସାଥି ବାହିନୀ
ମଧ୍ୟ ଉପଲବ୍ଧ । କେବଳ ଇଚ୍ଛାଶକ୍ତି ଆବଶ୍ୟକ !
ମଶା ବଂଶ
ବୃଦ୍ଧି ପାଇଲେ ପୌର ନିଗମ ପକ୍ଷରୁ ସାଧାରଣରେ ମଶାମରା ଧୂଆଁ ‘ଫଗିଂ’ ଦ୍ୱାରା ମଶା ନିପାତ ନିମନ୍ତେ ଚେଷ୍ଟା କରାଯାଇଥାଏ
। ଏହି ବ୍ୟବସ୍ଥା ମହାମାରୀ କାଳରୁ ସୁଚାରୁରୂପେ କାର୍ଯ୍ୟକାରୀ ହୋଇନପାରୁଥିବା ଇତିହାସ ରହିଛି ।
ଗତ ବର୍ଷ ଔଷଧ ଅଭାବ କାରଣରୁ ଫଗିଂ ହୋଇପାରୁ ନଥିଲା । ଏହି ଭଳି ସାମାନ୍ୟ ସମସ୍ୟାର ସମାଧାନ
ନିମନ୍ତେ ଆଗୁଆ ପଦକ୍ଷେପ ନିଆଯିବା ଜରୁରୀ । କାରଣ ଜୁଲାଇ ଶେଷ ସପ୍ତାହରେ ବ୍ରହ୍ମପୁରରେ ଲଗାଣ
ବର୍ଷ ଆଶା କରାଗଲେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ବେଳକୁ ମଶାଙ୍କ ଉତ୍ପାତ ଆରମ୍ଭ ହୋଇଯିବ । ଅର୍ଥାତ,
ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ସୀମିତ ସାଧନରେ ପାଳି କରି ସହରର ସମସ୍ତ ୱାର୍ଡରେ ଫଗିଂ ବ୍ୟବସ୍ଥା
କରିବାକୁ ପଡ଼ିବ । ଏହା ଫେବୃୟାରୀ ଯାଏଁ ଛଅ ମାସ ଅନବରତ ଚାଲିବା ଆବଶ୍ୟକ ।
ରାଜ୍ୟ
ସ୍ୱାସ୍ଥ୍ୟ ସଚ଼ିବଙ୍କ ପତ୍ରରେ ଉଲ୍ଲେଖ ରହିଥିବା ପରାମର୍ଶଗୁଡ଼ିକ ମଧ୍ୟରେ (୧)
ଡ଼େଙ୍ଗୁ-ମ୍ୟାଲେରିଆ ସଂକ୍ରମଣ ରୋକିବା ଲାଗି ଏହାର ଉତ୍ସକୁ ନଷ୍ଟ କରିବା, (୨) ମଶା କାମୁଡ଼ା
ନିବାରଣ ସଂପର୍କରେ ଜନସଚ଼େତନତା ଆୟୋଜନ ଓ (୩) ଚ଼ିକିତ୍ସା ଲାଗି ରକ୍ତଭଣ୍ଡାରରେ ରକ୍ତ
ସଂରକ୍ଷିତ ରଖିବା ଗୁରୁତ୍ୱପୂର୍ଣ୍ଣ । ଡ଼େଙ୍ଗୁ ଆକ୍ରାନ୍ତଙ୍କ ରକ୍ତରେ ‘ପ୍ଳେଟଲେଟ’ ସଂଖ୍ୟା କମିଯାଏ ଏବଂ ଏହାଫଳରେ ସ୍ୱାସ୍ଥ୍ୟାବସ୍ଥା
ସଂକଟପନ୍ନ ହୋଇପଡ଼େ । ତେଣୁ ସ୍ୱେଚ୍ଛାସେବୀଙ୍କଠାରୁ ରକ୍ତ ସଂଗ୍ରହ ମଧ୍ୟ ଡ଼େଙ୍ଗୁ ମୁକାବିଲାର
ଏକ ଅଭିନ୍ନ ଅଙ୍ଗ । ଏଦିଗରେ ସଂଗଠିତ ଉଦ୍ୟମ ଆବଶ୍ୟକ ।
ଡ଼େଙ୍ଗୁ ସଂକ୍ରମଣ ସଂଖ୍ୟା ୨୦୨୪ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ଓଡ଼ିଶା ରାଜ୍ୟରେ ଦୁଇ ଶହରୁ ଅଧିକ ସଂଖ୍ୟାରେ ପହଞ୍ଚିଥିଲା । ରାଜ୍ୟସ୍ତରରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୧୦୦ ଏବଂ କେବଳ ଭୁବନେଶ୍ୱରରେ ୫୦ ଛୁଇଁଥିଲା । ସେହିପରି ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ପ୍ରାୟ ୮୦୦ ଜ୍ୱରାକ୍ରାନ୍ତଙ୍କ ରକ୍ତ ପରୀକ୍ଷାରେ ଆଠ ଜଣ ଡ଼େଙ୍ଗୁ ପଜିଟିଭ ଥିଲେ । ସେମାନଙ୍କ ମଧ୍ୟରୁ ଛଅ ଜଣ ଜିଲ୍ଲା ବାହାରୁ ସଂକ୍ରମିତ ହୋଇଥିବା ସ୍ଥଳେ ଦୁଇ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ । ଏଥିରୁ ବୁଝିନେବା କଥା ଜନସାଧାରଣଙ୍କ ବିଭିନ୍ନ ଅଞ୍ଚଳକୁ ଆତଯାତ ଡ଼େଙ୍ଗୁ ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ । ଏହି ଦିଗରେ ଜନସାଧାରଣ ସତର୍କ ରହିବା ବିଧେୟ ।
No comments:
Post a Comment