Friday, August 28, 2020

Pandemic Update - 2 / ମହାମାରୀ ଅପଡ଼େଟ - ୨



ଗଣେଶ ଚ଼ତୁର୍ଥୀ-ପୂର୍ବ ଅବସ୍ଥାରୁ କୋଭିଡ଼-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ସୁଧାର ଆସିବା ତଥା ଗଣେଶ ଚତୁର୍ଥୀ-ପର ଅବସ୍ଥାରୁ #ବ୍ରହ୍ମପୁର ପୌର ପ୍ରଶାସନ ପକ୍ଷରୁ ଦୋକାନ ବଜାର ଖୋଲିବା ଓ ଗ୍ରାମାଞ୍ଚଳରୁ ଏଠାକୁ ଆତଯାତ ଉପରେ କୋହଳ ନୀତି ଅନୁସରଣ ପରେ ସହରବାସୀଙ୍କ ମନରେ ଏକ ବଡ଼ ପ୍ରଶ୍ନ: ମହାମାରୀ କବଳରୁ ମୁକ୍ତି କେବେ ?ଆନ୍ତର୍ଜାତିକସ୍ତରରେ ମହାମାରୀ ସ୍ଥିତି ସଂପର୍କରେ ସାଧାରଣରେ ଯାହା ଆଶଙ୍କା କରାଯାଉଥିଲା ତାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧ୍ୟକ୍ଷଙ୍କ ପକ୍ଷରୁ ସ୍ୱୀକାର କରାଯାଇଛି ଯେ ଏହାର ପ୍ରକୋପ ଦୁଇବର୍ଷ ଯାଏଁ ବଳବତ୍ତର ରହିବା ସଂଭବପର ।
 
ଶହେ ବର୍ଷ ପୂର୍ବେ ୧୯୧୮ରୁ ୧୯୨୦ ମଧ୍ୟରେ ଇନଫ୍ଳୁଏନଜା ଭୂତାଣୁ ପ୍ରଭାବିତ ସ୍ପାନିଶ ଫ୍ଳୁ ଦୁଇ ବର୍ଷ ଯାଏଁ ଦାଉ ସାଧିଥିଲା । ଏହି ମହାମାରୀରେ ପ୍ରାୟ ୫୦ କୋଟି ଆକ୍ରାନ୍ତ ହୋଇ ପାଞ୍ଚ କୋଟି ପ୍ରାଣ ହରାଇଥିଲେ । ଭାରତରେ ମୃତାହତଙ୍କ ସଂଖ୍ୟା ଦେଢ଼ କୋଟି ଯାଏଁ ହିସାବ କରାଯାଇଥିଲା । ମହାମାରୀର ଗତିପ୍ରକୃତିରେ ସାମଞ୍ଜସ୍ୟ ବିଚାରକୁ ନେଲେ ୨୦୧୯ ଡ଼ିସେମ୍ୱରରୁ ସଂକ୍ରମିତ କୋଭିଡ଼-୧୯ ମହାମାରୀ ୨୦୨୧ ଶେଷ ଯାଏଁ ଜନଜୀବନରେ ବିତ୍ପାତ ଜାରୀ ରଖିପାରେ ।
 
ବିଗତ ଶହେ ବର୍ଷ ମଧ୍ୟରେ ସାମାଜିକ କ୍ଷେତ୍ରରେ ବହୁ ପରିବର୍ତ୍ତନ ଘଟିଛି ଏବଂ ତାହା ମହାମାରୀ ସଂକ୍ରମଣକୁ ପ୍ରଭାବିତ କରୁଛି । ଏକ ପକ୍ଷରେ ଜଗତୀକରଣ ପରିବେଶରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଗମନାଗମନର ମାତ୍ରା ବୃଦ୍ଧି ପାଇଥିବା ହେତୁ ଭୂତାଣୁ ସହଜରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ କ୍ଷୀପ୍ର ଗତିରେ ସଂକ୍ରମିତ ହୋଇପାରୁଛି । ଅପରପକ୍ଷେ ଗଣମାଧ୍ୟମର ପ୍ରସାର ଓ ବ୍ୟବହାର ତଥା ବିଜ୍ଞାନରେ ଉନ୍ନତି ରୋଗ ପ୍ରତିରୋଧ ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ଓ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରୁଛି । ଅତୀତରେ ଭୂତାଣୁ ପ୍ରତିଷେଧକ ଟୀକା ଉଦ୍ଭାବନ ପାଞ୍ଚରୁ ଦଶ ବା କୋଡ଼ିଏ ବର୍ଷ ଲାଗି ଯାଉଥିବା ସ୍ଥଳେ ତାହା ବର୍ତ୍ତମାନ ବର୍ଷକ ମଧ୍ୟରେ ବିକଶିତ ହେବା ଆଶା ଦୃଢ଼ୀଭୂତ ହୋଇଛି । ଏହି ପରିବେଶ ମହାମାରୀକୁ ଯଥାସଂଭବ ଆୟତ୍ତ କରିବାରେ ସଫଳକାମୀ ହୋଇପାରୁଛି ବୋଲି ଆତ୍ମ-ବିଶ୍ୱାସ ଜନ୍ମାଇଥାଏ ।
 
ଭାରତ କୋଭିଡ଼-୧୯ ସଂକ୍ରମଣରୁ କେବେ ପ୍ରଭାବମୁକ୍ତ ହେବ ସେ ସଂପର୍କରେ ବହୁ ଗାଣିତିକ ମଡ଼େଲର ଆକଳନ ଚର୍ଚ୍ଚାରେ ରହିଛି । ତେବେ ଦେଶର ବିସ୍ତୃତ ଭୌଗଳିକ ପରିବେଶ, ସାମାଜିକ ଓ ସାଂସ୍କୃତିକ ବିବିଧତା ମହାମାରୀ ଅଧ୍ୟୟନରେ ଦେଶକୁ ବହୁ ଖଣ୍ଡରେ ବିଭକ୍ତ କରିଥାଏ । ଅର୍ଥାତ ମହାମାରୀର ପ୍ରଭାବ ସମଗ୍ର ଦେଶରେ ଏକ ସମୟରେ ସମଭାବରେ ଅନୁଭୂତ ନ ହୋଇ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୂପରେ ପ୍ରତିବିମ୍ୱିତ ହେଉଥିବା ଲକ୍ଷ୍ୟ କରାଯାଏ । ଉଦାହରଣରେ ମହାମାରୀ ଆରମ୍ଭ ଅବସ୍ଥାରେ ଭୁବନେଶ୍ୱରରେ କାୟା ବିସ୍ତାର କରିଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ଜୁନ-ଜୁଲାଇରେ ବ୍ରହ୍ମପୁର ଆଡ଼କୁ ମୁହାଁଇଥିଲା ଏବଂ ଅଗଷ୍ଟରେ ପୁଣି ଭୁବନେଶ୍ୱର-କଟକକୁ ଲେଉଟିଛି ।
 
ବ୍ରହ୍ମପୁରରେ ଅଗଷ୍ଟ ୩ ରୁ ୭ ମଧ୍ୟରେ ୨,୮୩୦ ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା ସିରୋ ସର୍ଭେରୁ ସହରର ୩୧ ପ୍ରତିଶତ ବା ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କ ଶରୀରରେ ସାର୍ସ କରୋନା-୨ ଭୂତାଣୁ ପ୍ରତିରୋଧକ ଆଣ୍ଟିବଡ଼ି ବିକଶିତ ହୋଇଥିବା ଜଣାଯାଇଛି । ଏହି ସର୍ବେକ୍ଷଣର ପରିସଂଖ୍ୟାନ ଆଧାରରେ ଅନ୍ତତଃପକ୍ଷେ ବ୍ରହ୍ମପୁରରେ ମହାମାରୀର ସମ୍ଭାବ୍ୟ ଗତିବିଧି ସଂପର୍କରେ ବିଶ୍ୱାସଯୋଗ୍ୟ ଆକଳନ ସଂଭବପର ବୋଲି ଆଶା କରାଯାଇପାରେ । ପ୍ରକାଶିତ ଏକ ସମ୍ୱାଦ ସୂତ୍ରରୁ ଜଣାଯାଏ ଯେ ଜାତୀୟସ୍ତରରେ ମହାମାରୀ ପରିଚାଳନାରେ ସଂପୃକ୍ତ ବିଶେଷଜ୍ଞମାନେ ଦେଶରେ ଆଗାମୀ ସେପ୍ଟେମ୍ୱର ମାସ ଏପରିକି ଅକ୍ଟୋବର ଯାଏଁ ସଂକ୍ରମଣ ହାର ବୃଦ୍ଧି ଅବ୍ୟାହତ ରହିବା ଆକଳନ କରୁଛନ୍ତି ।
 
ଭାରତରେ କୋଭିଡ଼-୧୯ ପ୍ରଥମ ତରଙ୍ଗ ଶେଷ ପାଦରେ ମହାମାରୀଜନିତ ମୃତ୍ୟୁ ସଂଖ୍ୟା କମାଇବା ନିମନ୍ତେ ସାମାନ୍ୟ ଲକ୍ଷଣ ପ୍ରକାଶମାତ୍ରେ ତୁରନ୍ତ ଚିକିତ୍ସା ଏବଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ବ୍ରହ୍ମପୁର ପୌରନିଗମଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ବୈକୁଣ୍ଠ ନଗରସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣ୍ଟିଜେନ ଟେଷ୍ଟ କରାଯାଉଥିବା ସ୍ଥଳେ ଭ୍ରାମ୍ୟମାଣ କୋଭିଡ଼ ଗାଡ଼ିରେ ଆରଟି-ପିସିଆର ପରୀକ୍ଷା ନିମନ୍ତେ ନମୂନା ସଂଗ୍ରହ ଜାରୀ ରହିଛି । ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଥିବା ଆଠଗୋଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥଣ୍ଡା, ଜ୍ୱର, କାଶ ଚ଼ିକିତ୍ସା କରାଯାଉଛି । ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଡ଼ାକ୍ତରମାନେ ପିପିଇ କିଟ୍ ପିନ୍ଧି ରୋଗୀଙ୍କ ଚିକିତ୍ସା କରୁଛନ୍ତି ।
 
ସାର୍ସ କରୋନା-୨ ଭୂତାଣୁ କବଳରୁ ବର୍ତ୍ତିବା ନିମନ୍ତେ ସମସ୍ତଙ୍କ ସହ ବ୍ରହ୍ମପୁରବାସୀ ମଧ୍ୟ ଟୀକା ପାଇଁ ଅପେକ୍ଷାରତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମୂଳରୁ କୁହାଯାଇ ଆସୁଛି ଯେ ପ୍ରତିଷେଧକ ଟୀକା ୧୨ ରୁ ୧୮ ମାସ ପୂର୍ବରୁ ଅସଂଭବ । ଅର୍ଥାତ ଆନ୍ତର୍ଜାତିକସ୍ତରରେ ପ୍ରଥମ ଟୀକା ୨୦୨୦ ଡ଼ିସେମ୍ୱରରୁ ୨୦୨୧ ଜୁନ ମଧ୍ୟରେ ବିକଶିତ ହୋଇପାରେ । ମାର୍କିନ ବୈଜ୍ଞାନିକମାନେ ଅତୀତରେ ଆୟୋଜିତ ଚାରି ଲକ୍ଷ ଟୀକା ପରୀକ୍ଷଣର ବିବରଣୀ ଅନୁଶୀଳନ କରି ଦର୍ଶାଇଛନ୍ତି ଯେ ମାନବ ଶରୀରରେ ଟୀକା ପରୀକ୍ଷଣର ଦ୍ୱିତୀୟରୁ ତୃତୀୟ ପର୍ଯ୍ୟାୟରେ ମାତ୍ର ୫୮ ପ୍ରତିଶତ ସଫଳତା ହାସଲ ହେଉଥିବା ସ୍ଥଳେ ଶେଷରେ ୮୫ ପ୍ରତିଶତ ଯାଏଁ ବ୍ୟବହାର ଲାଗି ସ୍ୱୀକୃତିପ୍ରାପ୍ତ ହୋଇଥାଏ । ତେଣୁ ବିକଶିତ ସବୁ ଟୀକା ଯେ କାମରେ ଲାଗିବ ସେଭଳି ଧାରଣା ବି ଭୂଲ ।
 
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହୁଛନ୍ତି ଯେ ଭାରତରେ ବିକଶିତ ଦୁଇଗୋଟି ଟୀକା ପରୀକ୍ଷଣ ସୁଚାରରୂପେ ଚାଲିଲେ ବର୍ଷ ଶେଷ ସୁଦ୍ଧା ବ୍ୟବହାରଯୋଗ୍ୟ ପ୍ରତିଷେଧକ ପାଇବା ସଂଭବ । ତେବେ ପ୍ରଶ୍ନ ରହିଲା, ଯଦି ୨୦୨୧ ଜାନୁୟାରୀ ସୁଦ୍ଧା ଟୀକା ଆସିଯାଏ, ତେବେ ବ୍ରହ୍ମପୁରରେ ସମସ୍ତଙ୍କ ପାଖେ ପହଞ୍ଚିବାକୁ ଛଅମାସ ଲାଗିଯିବନି କି ? ଅର୍ଥାତ ଦଶମାସ, ବର୍ଷେ ଅପେକ୍ଷାର କଥା ! ଅତଏବ ସେ ଯାଏଁ ମାସ୍କ ପିନ୍ଧନ୍ତୁ, ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସନ୍ତୁ ନାହିଁ, ବ୍ୟକ୍ତିବ୍ୟକ୍ତି ମଧ୍ୟରେ ସାଧ୍ୟମତେ ଛଅ ଫୁଟ ଦୂରତ୍ୱ ରଖନ୍ତୁ, ବାହାରେ କାମଦାମ କରୁଥିଲେ ଘରେ ଶିଶୁ ଓ ବରିଷ୍ଠ ନାଗରିକଙ୍କ ସହ ସମୟ କାଟିବା ବେଳେ ମଧ୍ୟ ମାସ୍କ ପିନ୍ଧନ୍ତୁ, ବାରମ୍ୱାର ହାତ ଧୁଅନ୍ତୁ, ଅପ୍ରଶସ୍ତ କଠୋରୀ ବଦଳରେ ପ୍ରଶସ୍ତ ହଲ କିମ୍ୱା ବାସଗୃହ ବଦଳରେ ମୁକ୍ତ ବାୟୁ ଚଳାଚଳ କରୁଥିବା ବାହାର ପରିବେଶରେ ଅନ୍ୟମାନଙ୍କ ସହ ଦେଖା ସାକ୍ଷାତ କରନ୍ତୁ ଏବଂ ରୋଗାକ୍ରାନ୍ତ ହେବା ସନ୍ଦେହ ହେବା ମାତ୍ରେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ ।

(ଅନୁପମ ଭାରତ / ୨୯ ଅଗଷ୍ଟ ୨୦୨୦/ ପୃଷ୍ଠା : ୨)

Photo by : maggie_talal is licensed under CC BY-SA 2.0

No comments:

Post a Comment