Friday, November 13, 2020

Deepavali without crackers / ବିନା ଆତସବାଜିରେ ଦୀପାବଳି



ଦୀପାବଳିରେ ବାଣଫୁଟା #ବ୍ରହ୍ମପୁର ଉତ୍ସବ ପଞ୍ଜିକାରେ ଅନ୍ୟତମ ଆକର୍ଷଣ । ଚଳିତ ୨୦୨୦ ମହାମାରୀ ଭୟରେ ମାର୍ଚ୍ଚ ମାସରେ ଦୋଳ ଓ ହୋଲି ପରଠାରୁ ସମସ୍ତ ପର୍ବପର୍ବାଣୀ ଆଡ଼ମ୍ୱର ସହକାରେ ପାଳନରୁ ସହରବାସୀ କ୍ଷାନ୍ତ ରହିଥିବା ସ୍ଥଳେ ନଭେମ୍ୱର ଦୀପାବଳି ମଧ୍ୟ ସେଥିରେ ସାମିଲ ହେଲାଓଡ଼ିଶା ସରକାର ରାଜ୍ୟରେ ନଭେମ୍ୱର ୧୦ ରୁ ୩୦ ଯାଏଁ ମହାମାରୀ ସତକର୍ତାରେ ବାଣ ବିକ୍ରୀ ଓ ବାଣଫୁଟା ନିଷେଧ କରିଛନ୍ତି । ତେଣୁ ସହରରେ ଦୀପାବଳିରେ ଅତସବାଜି ପ୍ରଦର୍ଶନ ଆୟୋଜନ ଆପାତତଃ ବନ୍ଦ ରହିଲା ।

 

ବିଶେଷଜ୍ଞମାନଙ୍କ ମତରେ ଓଡ଼ିଶାର ସହରାଞ୍ଚଳ ଘଞ୍ଚ ଜନବସତିରେ ବାଣଫୁଟା ହେତୁ ବାୟୁ ପ୍ରଦୂଷଣ ମାତ୍ରା ପ୍ରାୟ ସାତଗୁଣ ବୃଦ୍ଧି ପାଇଥାଏ । ଏୟାର କ୍ୱାଲିଟି ଇନଡ଼େକ୍ସ ସାଧାରଣରେ ୫୦ ପାଖାପାଖି ରହୁଥିବା ସ୍ଥଳେ ଦୀପାବଳି ରାତିରେ ୩୫୦ ଉପରକୁ ଚାଲିଯାଏ ଏହି ପରିବେଶ କ୍ରମଶଃ ହ୍ରାସ ପାଇ ତିନି ଚାରି ଦିନ ଯାଏଁ ପ୍ରଭାବ ବଳବତ୍ତର ରହେ । ପ୍ରଦୂଷଣ ହେତୁ ବିଭିନ୍ନ ଶ୍ୱାସରୋଗରେ ପୀଡ଼ିତଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଏ । ଚଳିତ ବର୍ଷ ମୁଖ୍ୟତଃ କୋଭିଡ଼-୧୯ ରୁ ସୁସ୍ଥ ହୋଇଥିବା ସଂଖ୍ୟାଲଘୁ ଜନସାଧାରଣଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ଯୁକ୍ତିଯୁକ୍ତକେତେକଙ୍କ ମତରେ ପ୍ରଦୂଷିତ ବାୟୁମଣ୍ଡଳ କରୋନାଭୂତାଣୁ ସଂକ୍ରମଣକୁ ପାଞ୍ଚରୁ ଦଶ ପ୍ରତିଶତ ବଢ଼ାଇଦେବା ମଧ୍ୟ ସମ୍ଭାବନା ରହିଛି ।

 

ଏମିତିରେ ବିଗତ କିଛି ବର୍ଷ ଧରି ୨୦୧୭ରୁ ବ୍ରହ୍ମପୁରରେ ଦୀପାବଳି ଅବସରରେ ବାଣ ବିକ୍ରୀ ବିଭିନ୍ନ ପ୍ରଶାସନିକ କଟକଣା ହେତୁ ବିଶୃଙ୍ଖଳିତ ହୋଇ ଆସିଥିଲା ଗତ ଶତାଦ୍ଦୀର ଷଷ୍ଠ ଦଶକ ଯାଏଁ ମୁଖ୍ୟତଃ ବଡ଼ବଜାର ଓ ଭାପୁର ବଜାରରେ ଆଙ୍ଗୁଠି ଗଣତି ଦୋକାନରେ ବାଣ କିଣାବିକା ହେଉଥିଲା । ସପ୍ତମ, ଅଷ୍ଟମ ଓ ନବମ ଦଶକରେ କ୍ରମଶଃ କମାପଲ୍ଲୀ, ବିଜିପୁର, ଗେଟବଜାର ଓ ପରେ ସାହୀ ସାହୀର ଛୋଟମୋଟ ଦୋକାନକୁ ବାଣବିକ୍ରୀ ସଂପ୍ରସାରିତ ହେଲା । ବାଣ ଏକ ନିଷିଦ୍ଧ ସାମଗ୍ରୀ ଏବଂ ବିକ୍ରୀ ନିମନ୍ତେ ସ୍ୱତନ୍ତ୍ର ପ୍ରଶାସନିକ ଅନୁମତି ଆବଶ୍ୟକ ପଡୁଥିବା ହେତୁ ପୋଲିସର ଧରପଗଡ଼ ପରେ ସହରତଳି ପ୍ରେମନଗର ଆମ୍ୱମାର୍କେଟକୁ ୧୯୯୮ରେ ବାଣ ବିକ୍ରୀ ସ୍ଥାନାନ୍ତରିତ ହୋଇଥିଲା ।

 

ପାଞ୍ଚବର୍ଷ ପରେ ୨୦୦୩ରେ ଅନ୍ଧପସରା ରୋଡ଼ରେ ସ୍ୱତନ୍ତ୍ର ବାଲୁଙ୍କେଶ୍ୱର ବାଣ ବଜାର ସ୍ଥାପିତ ହୋଇ ପ୍ରାୟ ତିନିଡ଼ଜନ ଦୋକାନରେ ବାଣ କାରବାର ଚାଲିଲା । ଗତ ବର୍ଷ ସେଠାରେ ଏକ ପେଟ୍ରୋଲ ପମ୍ପ ଖୋଲିବାରୁ ପ୍ରଶାସନିକ ବାରଣ ଫଳରେ ବାଣ ବଜାର ବନ୍ଦ ରହିଲା ୨୦୨୦ରେ ନିରାପତ୍ତା ନିୟମାବଳୀକୁ ବିଚାରକୁ ନେଇ ଏକ ନୂଆ ସ୍ଥାନ ଆସିକାରୋଡ଼ ହରିଡ଼ାଖଣ୍ଡି ପୋଖରୀ ନିକଟରେ ବାଣ ମାର୍କେଟ ଖୋଲିବାକୁ ପାଇକାରୀ ବ୍ୟବସାୟୀ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ହେତୁ ଚଳିତ ବର୍ଷ ବାଣ ବିକ୍ରୀ ବନ୍ଦ ରହିଲା ।

 

ବ୍ରହ୍ମପୁରକୁ ବାଣ ତାମିଲନାଡୁର ଶିବକାଶୀରୁ ଓ ଛତିଶଗଡ଼ ରାୟପୁରରୁ ଆସେ । ଆସିକା ନିକଟସ୍ଥ ନଳବଣ୍ଟା ଗ୍ରାମରେ ତାଳ ଫୋଟକା, କୁମ୍ପି, ଚେଙ୍ଗା ଭଳି ପାରମ୍ପରିକ ବାଣ ପ୍ରସ୍ତୁତ ହୋଇ ମଧ୍ୟ ଏଠାକାର ବଜାରରେ ପହଞ୍ଚେ । ଚଳିତ ୨୦୨୦ରେ ମହାମାରୀ ପ୍ରଭାବରେ ପୂର୍ବ ବର୍ଷ ତୁଳନାରେ ମାତ୍ର ୨୦ ରୁ ୨୫ ପ୍ରତିଶତ ଆତସବାଜି ଶିବକାଶୀରୁ ବିଭିନ୍ନ ରାଜ୍ୟକୁ ରପ୍ତାନୀ ହୋଇଥିବା ଜଣାଯାଏ ବ୍ରହ୍ମପୁରରେ ଗତବର୍ଷ ବଜାର ବନ୍ଦ ହେତୁ ବିକ୍ରୀ ନହୋଇ ପର୍ଯ୍ୟାପ୍ତ ସଂଖ୍ୟକ ସାମଗ୍ରୀ ଗଚ୍ଛିତ ରହିଥିବା ହେତୁ ଚଳିତବର୍ଷ ନୂତନ ଆମଦାନୀ ହୋଇନପାରିଥିବା ଅନୁମାନ କରାଯାଇପାରେ । ବିଗତ ଦୁଇ ଦଶନ୍ଧିରୁ ଭାରତୀୟ ଆତସବାଜି ବଜାରରେ ଚୀନ ସାମଗ୍ରୀ ପ୍ରମୁଖ ସ୍ଥାନ ଅଧିକାର କରୁଥିଲା । କିନ୍ତୁ ଇତିମଧ୍ୟରେ ଚୀନ ସମଗ୍ରୀ ବର୍ଜନ ଏକ ଗଣଅଭିଯାନରେ ପରିଣତ ହୋଇ ବଜାରକୁ ପ୍ରଭାବିତ କରିଛି । ଏହି ସବୁ କାରଣରୁ ବ୍ରହ୍ମପୁରରେ ୨୦୨୦ ଦୀପାବଳି ବାଣଫୁଟା ବ୍ୟାବସାୟିକସ୍ତରରେ ବହୁ ପୂର୍ବରୁ ଅଘୋଷିତ ବନ୍ଦର ନିଷ୍ପତ୍ତି ନିଆଯାଇ ସାରିଥିଲା ବୋଲି କୁହାଯାଇପାରେ ।

 

ଆନ୍ତର୍ଜାତିକସ୍ତରରେ ଚୀନରେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଦୀରୁ ଆତସବାଜି ପ୍ରଦର୍ଶନ ଖ୍ୟାତି ଲାଭ କରିଥିଲା ଶତୃକୁ ଭୟଭୀତ କରାଇବା କିମ୍ୱା ଭୂତପ୍ରେତଙ୍କୁ ତଡ଼ିବା ନିମନ୍ତେ ବାଣଫୁଟା ପରମ୍ପରା ଚଳି ଆସିଥିଲା । ମୁଖ୍ୟତଃ ଚୀନ ନୂତନବର୍ଷ ଅବସରରେ ବ୍ୟାପକ ବାଣଫୁଟା ଆୟୋଜିତ ହୋଇଥାଏ । ଆତସବାଜି ପ୍ରଦର୍ଶନ ବିଭିନ୍ନ ପୂର୍ବ-ଏସୀୟ ରାଷ୍ଟ୍ର ସମେତ ୟୁରୋପୀୟ ରାଷ୍ଟ୍ରପୁଞ୍ଜ, ବ୍ରିଟେନ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଚଳିତ । ଭାରତରେ ମୋଗଲ ଶାସନ କାଳରେ ଷୋଡ଼ଶ ଶତାଦ୍ଦୀରେ ଆଡ଼ମ୍ୱରପୂର୍ଣ୍ଣ ଆତସବାଜି ପ୍ରଦର୍ଶନର ପ୍ରମାଣ ମିଳେ । ତେବେ ଏହି ଖର୍ଚ୍ଚବହୁଳ ବ୍ୟାପାର କେବଳ ରାଜପରିବାର ଓ ଧନୀକ ବର୍ଗଙ୍କ ମଧ୍ୟରେ ସୀମିତ ରହୁଥିଲା । ଓଡ଼ିଶାରେ ଆତସବାଜି ପ୍ରସ୍ତୁତ କଳାକୌଶଳ ପ୍ରଚଳିତ ଥିବା ଗଜପତି ପ୍ରତାପରୁଦ୍ର ଦେବ (୧୪୯୭-୧୫୩୯) ରଚିତ କୌତୁକ ଚ଼ିନ୍ତାମଣିରେ ବର୍ଣ୍ଣିତ । ଊନବିଂଶ ଶତାଦ୍ଦୀରେ କଲିକତାରେ ବିଭିନ୍ନ ରଙ୍ଗର ଦିଆସିଲି, ଫୁଲଝରି ଓ ଫୋଟକା ଉତ୍ପାଦନ ଆରମ୍ଭ ହୋଇଥିଲା । ସର୍ବସାଧାରଣରେ ପାଳିତ ଦୀପଦାନର ପର୍ବ ଦୀପାବଳିରେ ଏହି ଦେଶୀୟ ପ୍ରସ୍ତୁତ ବାଣ କ୍ରମଶଃ ସାମିଲ ହେବାରେ ଲାଗିଲା ।

 

ବାଣ ବିକ୍ରୀ ଓ ଫୁଟା କଟକଣା ହେତୁ ଚଳିତ ୨୦୨୦ ବ୍ରହ୍ମପୁର ଦୀପାବଳି ଗୃହ ଦ୍ୱାରରେ ଦୀପ ପ୍ରଜ୍ୱଳନରେ ସୀମିତ ରହିବସୁପ୍ରିମକୋର୍ଟ ୨୦୧୭ରେ ଦିଲ୍ଲୀରେ ବାଣ ବିକ୍ରୀ ଓ ଫୁଟା ବନ୍ଦ ଆଦେଶ ଦେବାପରେ ଦେଶବ୍ୟାପୀ ତାହାର ପ୍ରଭାବ ପଡିଥିଲା ଏବଂ ବ୍ରହ୍ମପୁର ମଧ୍ୟ ସେଥିରୁ ବାଦ ପଡ଼ିନାହିଁ । ବିଶ୍ୱବ୍ୟାପୀ ପ୍ରଦୂଷଣ ଓ ପାଣିପାଗ ପରିବର୍ତ୍ତନ ସଂପର୍କରେ ଚ଼େତନା ପ୍ରସାର ଅବସରରେ ବ୍ରହ୍ମପୁରବାସୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ମହାମାରୀ ବ୍ୟାପକ ସାମାଜିକ ବିଘଟନ ଘଟାଇଥାଏ । ଏମିତି ଦୀପାବଳିରେ ବାଣଫୁଟା କିଛି ବର୍ଷ ବନ୍ଦ ରହିଲେ କ୍ରମଶଃ ଯେ ଏହି ପରମ୍ପରା ଜନମାନସରୁ ଉଭେଇ ନଯିବ ସେ କଥା କିଏ ଜାଣିଛି ?

(ଅନୁପମ ଭାରତ / ୧୪ ନଭେମ୍ୱର ୨୦୨୦/ ପୃଷ୍ଠା : ୮)

Photo by : kkalyan is licensed under CC BY-SA 2.0

No comments:

Post a Comment