Friday, November 6, 2020

Prof. Harihar Das / ପ୍ରଫେସର ହରିହର ଦାସ




#ବ୍ରହ୍ମପୁର ସହରର ଜଣେ ସ୍ୱନାମଧନ୍ୟ ଶିକ୍ଷାବିତ ଓ ସାହିତ୍ୟିକ ପ୍ରଫେସର ହରିହର ଦାସଙ୍କ ୪ ନଭେମ୍ୱର ୨୦୨୦ ପାହନ୍ତା ପ୍ରହରରେ ପରଲୋକ ସ୍ଥାନୀୟ ବରିଷ୍ଠ ନାଗରିକ ଓ ସାଂସ୍କୃତିକ ମହଲରେ ଗଭୀର ରେଖାପାତ କରିଛି । ପରିଚ଼ିତବର୍ଗରେ ସେ ଜଣେ ସଂଭ୍ରମ ଚରିତ୍ର । ଶବ୍ଦକୋଷରେ ସଂଭ୍ରମର ଅର୍ଥ ଭୟ, ସମ୍ମାନ ବା ଭୟମିଶ୍ରିତ ଶ୍ରଦ୍ଧାକୁ ବୁଝାଇଥାଏ । ପ୍ରଫେସର ଦାସଙ୍କ ସାନ୍ନିଧ୍ୟ ଛାତ୍ର, ସହକର୍ମୀ ଓ ସତୀର୍ଥଙ୍କ ଗହଣରେ ସେହିଭଳି ଏକ ଅନୁଭବ ପରିପ୍ରକାଶ ହେଉଥିଲା । ବ୍ରହ୍ମପୁରରେ ଜନ୍ମିତ ତଥା ତିନି ଦଶନ୍ଧି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଶିକ୍ଷକତା ପରେ ପୁରୁଣା ଖ୍ରୀଷ୍ଟିଆନ ସାହୀ ବାସଭବନରେ ଦୁଇ ଦଶନ୍ଧି ଧରି ଅବସର ଜୀବନଯାପନ ତାଙ୍କରି ବ୍ୟକ୍ତିତ୍ୱର ବହୁ ଗୁଣଗ୍ରାହୀ ସୃଷ୍ଟି କରିଥିଲା । ବଳିଷ୍ଠ ଚ଼େହରା ସାଙ୍ଗକୁ ସ୍ପଷ୍ଟବାଦିତା ଅନେକଙ୍କ ଭିଡ଼ ମଧ୍ୟରେ ତାଙ୍କରି ଉପସ୍ଥିତି ବେଶ ବାରି ହେଉଥିଲା

ପ୍ରଫେସର ଦାସ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ବିଭାଗରେ ଶିକ୍ଷକତା କରିଥିଲେ । ପାରମ୍ପରିକ ଉଚ୍ଚଶିକ୍ଷାର ମାନଦଣ୍ଡ ଶ୍ରେଣୀ ଗୃହରେ ଶିକ୍ଷାଦାନ, ଗବେଷଣାରେ ଦିଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ଜୀବନ ଜୀବିକା ଗଠନରେ ପ୍ରେରଣାକୁ ବୁଝାଇଥାଏ । ପ୍ରଫେସର ଦାସଙ୍କ କର୍ମମୟ ଜୀବନ ସେଥିରେ କଟିଥିଲା । କିଛି କାଳ ପାଇଁ ବିଶ୍ୱବିଦ୍ୟାଳୟର ବିଭିନ୍ନ ପ୍ରଶାସନିକ ପଦପଦବୀରେ ମଧ୍ୟ ଅବସ୍ଥାପିତ ହୋଇଥିଲେ । ତେବେ ସେଥିପ୍ରତି ତାଙ୍କରିଠାରେ ଆସକ୍ତି ପରିଲକ୍ଷିତ ହେଉନଥିଲା । ଅଧ୍ୟୟନ ଓ ଶିକ୍ଷାଦାନରେ ସମୟ କଟୁଥିଲା ।

ପ୍ରଫେସର ଦାସ ଛାତ୍ର ଜୀବନରୁ ସାହିତ୍ୟ ରଚନାରେ ସଂପୃକ୍ତ ରହିଆସିଥିଲେ ଏବଂ ବିଗତ ପାଞ୍ଚ ଦଶନ୍ଧି ଧରି କ୍ରମାଗତ ଭାବେ ବହୁ ପୁସ୍ତକ ପ୍ରକାଶିତ ହୋଇଥିଲା । ସେ କ୍ଷୁଦ୍ରଗଳ୍ପ, ଉପନ୍ୟାସ, କବିତା ଓ ଲଳିତ ନିବନ୍ଧ କ୍ଷେତ୍ରରେ ଦକ୍ଷତା ହାସଲ କରିଥିଲେ ହେଁ ଜଣେ ଗାଳ୍ପିକ ଭାବେ ପରିଚିତ । ତାଙ୍କରି ଦଶଗୋଟି ଗଳ୍ପ ସଂକଳନ, ତିନିଗୋଟି ଉପନ୍ୟାସ, ତିନି ଗୋଟି କବିତା ସଂକଳନ ଓ ଗୋଟିଏ ଲଳିତ ନିବନ୍ଧ ସଂକଳନ ପ୍ରକାଶ ପାଇଥିଲା । ଏତଦ୍ ବ୍ୟତୀତ କିଛି ପାଠ୍ୟପୁସ୍ତକର ମଧ୍ୟ ସେ ପ୍ରଣେତା ।

କ୍ଷୁଦ୍ରଗଳ୍ପ ସଂକଳନ ମଧ୍ୟରେ କ୍ରାନ୍ତିକାରୀ ଜୀବନର ଉପକଥା (୧୯୬୮), କ୍ରିପର ଓ ଅନ୍ୟାନ୍ୟ ଗଳ୍ପ (୧୯୭୧), ହ୍ରଦ (୧୯୭୭), ଶେଷ ସଂଳାପ (୧୯୭୮), ହୈମବତୀର ଅଭିମାନ (୧୯୮୩), ଦୃଷ୍ଟିର ପରିଧି (୧୯୮୪), କିଛି ସ୍ୱପ୍ନ, କିଛି ବାସ୍ତବତା (୧୯୮୭), ନିରୁଦ୍ଦିଷ୍ଟ ବ୍ୟକ୍ତି ସଂପର୍କରେ (୧୯୮୯), ସଂପର୍କର ଅଭିନୟ (୧୯୯୯) ଓ ଇଂଲିଶରେ ଏନ ଏକ୍ସପାସନ ଅନ୍ତର୍ଭୁକ୍ତ । ସମୁଦ୍ରର ମନ (୧୯୬୭), ପ୍ରତାରଣାର ମହାକାବ୍ୟ (୨୦୦୨) ଓ ପ୍ରତିନିଧି ତିନିଗୋଟି ପ୍ରକାଶିତ ଉପନ୍ୟାସ । କବିତା ସଂକଳନ ମଧ୍ୟରେ ନୟନ ଲୁହର ଧାରେ (୧୯୬୨), ତୁମେ ମୋ ରୂପସୀ (୧୯୬୩) ଓ ଇଂଲିଶରେ ମିଉଜିଙ୍ଗ ଅଫ ବାଇଗନ ଡ଼େଜ ତଥା ଲଳିତ ନିବନ୍ଧ ସଂକଳନ ନିଜସ୍ୱ ଅନୁଭୂତି ତାଙ୍କରି ସାହିତ୍ୟ କୃତୀ ।

ସହରରେ ଜଣେ ରାଜନୀତି ବିଜ୍ଞାନୀଭାବେ ପ୍ରଫେସର ଦାସଙ୍କ ଯେତିକି ଖ୍ୟାତିଥିଲା ଜଣେ ସାହିତ୍ୟିକ ଭାବେ ମଧ୍ୟ ଅନୁରୂପ ଲୋକପ୍ରିୟତା ଗଢ଼ି ଉଠିଥିଲା । ସ୍ୱାଧୀନୋତ୍ତର ଓଡ଼ିଶାରେ ପାଞ୍ଚବାର୍ଷିକ ଯୋଜନା ପ୍ରଣୟନ କାଳରେ ସାମାଜିକ ପରିବର୍ତ୍ତନ, କ୍ରମବର୍ଦ୍ଧମାନ ଦୁର୍ନୀତି, ଯୁବ ଆକ୍ରୋଶ ଓ ବିକଳ୍ପର ସନ୍ଧାନ ସୃଜନ ଦୃଷ୍ଟିକୋଣରେ ସ୍ପଷ୍ଟ ବାରି ହୋଇପଡୁଥିଲା । ତାଙ୍କରି ସ୍ୱାଭିମାନୀ ବ୍ୟକ୍ତିତ୍ୱ ଗଳ୍ପ, ଉପନ୍ୟାସର ଚରିତ୍ରଗୁଡ଼ିକରେ ବେଶ ପ୍ରତିବିମ୍ୱିତ ।

ପ୍ରଫେସର ଦାସଙ୍କ ଜନ୍ମଭୂମି ଓ ମାତୃଭାଷା ପ୍ରତି ଗଭୀର ଅନୁରାଗ ସାମାଜିକ ଜୀବନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବାବସ୍ଥାରେ ଗଞ୍ଜାମବାସୀଙ୍କୁ ନିଜ ସ୍ଥିତି ଜାହିର କରିବା ନିମନ୍ତେ ଯେଉଁ ସଂଘର୍ଷ କରିବାକୁ ପଡିଥିଲା ରାଜ୍ୟ ଗଠନ ପର ଅବସ୍ଥାରେ ମଧ୍ୟ ଏକ ଉପାନ୍ତ ଜିଲ୍ଲା ହେତୁ ତାହା ଲାଘବ ହୋଇପାରିନଥିଲା । ପ୍ରଫେସର ଦାସଙ୍କ ଜନ୍ମ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଠିକ ଦୁଇବର୍ଷ ପରେ ହୋଇଥିବା ହେତୁ ତାଙ୍କରି କଶୋରାବସ୍ଥା ଓ ଯୁବାବସ୍ଥା ଏହି ସଂଘର୍ଷ ମଧ୍ୟ ଦେଇ ଗତି କରିବା ସ୍ୱାଭାବିକ । ସେ ଜଣେ ଉଗ୍ର ଭୂମିପୁତ୍ର ହିସାବରେ ପରିଣତ ବୟସରେ ମଧ୍ୟ ବ୍ରହ୍ମପୁରବାସୀଙ୍କ ନ୍ୟାର୍ଯ୍ୟ ଅଧିକାର ସାବ୍ୟସ୍ତ କରିବାକୁ ପଛାଉ ନଥିଲେ । ଅବଶ୍ୟ ବିନା ଦ୍ୱିଧାରେ ନିଜ ସୃଜନର ଦ୍ୱୀପ ମଧ୍ୟରେ ଅବଦ୍ଧ ରହିବା ଶ୍ରେୟସ୍କର ମଣିଥିଲେ । ତାହାହିଁ ତାଙ୍କରି ଜୀବନର ପରାକାଷ୍ଠା ।

(ଅନୁପମ ଭାରତ / ୦୭ ନଭେମ୍ୱର ୨୦୨୦/ ପୃଷ୍ଠା : ୮)

Photo by : Ian Britton is licensed under CC BY-NC 2.0

No comments:

Post a Comment