Friday, August 13, 2021

Freedom Fighters in Jail / କାରାଗାରରେ ସ୍ୱାଧୀନତା ସଂଗ୍ରାମୀ

 


ବିଂଶ ଶତାଦ୍ଦୀରେ ୧୯୩୦ ଲବଣ ସତ୍ୟାଗ୍ରହଠାରୁ ଆରମ୍ଭ କରି ୧୯୪୭ ସ୍ୱାଧୀନତା ପ୍ରାପ୍ତି ଯାଏଁ #ବ୍ରହ୍ମପୁର ଜେଲ ରାଜ୍ୟର ବିଭିନ୍ନ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କ ମିଳନସ୍ଥଳ ପାଲଟିଥିଲା କହିଲେ ଭୁଲ ହେବ ନାହିଁ । ବ୍ରିଟିଶ ଶାସନ କାଳରେ କଟକ, ବ୍ରହ୍ମପୁର ଓ ପୁରୀ ବୃହତ କାରାଗାର ମାନ୍ୟତା ପାଉଥିବା ଏବଂ ରେଳ ଯୋଗାଯୋଗ ବ୍ୟବସ୍ଥା ଥିବା ହେତୁ ସ୍ୱାଧୀନତା ସଂଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ଏହି ତିନି ଜେଲରେ ଅଟକ ରଖାଯାଉଥିଲା ।
 
ସେତେବେଳେ ରାଜନୀତିକ ବନ୍ଦୀମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଉଥିଲା । ଯେଉଁ ବନ୍ଦୀମାନଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ କୋର୍ଟରେ ଅଭିଯୋଗ ଦାଖଲ କରାଯାଉଥିଲା, ସେମାନେ ପ୍ରଥମ ପର୍ଯ୍ୟାୟର ଏବଂ ଯେଉଁମାନଙ୍କ ବିରୁଦ୍ଧରେ କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ଦାଖଲ ହୋଇପାରୁ ନଥିଲା, ସେମାନେ ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ହେଉଥିଲେ । ଦ୍ୱିତୀୟ ପର୍ଯ୍ୟାୟର ବନ୍ଦୀମାନଙ୍କୁ ବ୍ରିଟିଶ ସରକାରଙ୍କ ପକ୍ଷରୁ ନିରାପତ୍ତା ଦୃଷ୍ଟିରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକ ରଖାଯାଉଥିଲା । ସେମାନେ ସିକ୍ୟୁରିଟି ପ୍ରିଜନର ଭାବେ ପରିଚ଼ିତ ହେଉଥିଲେ ।
 
ସିକ୍ୟୁରିଟି ପ୍ରିଜନରମାନଙ୍କୁ ଜେଲରେ ଅନ୍ୟ ବନ୍ଦୀମାନଙ୍କଠାରୁ ସାମାନ୍ୟ ଅଧିକ ସୁବିଧା ଯୋଗାଇ ଦିଆଯାଉଥିଲା । ଶୋଇବା ପାଇଁ ଖଟ, ଶେଜ, ମଶାରୀ, ଲୁଗାପଟା, ତେଲ, ସାବୁନ, ବ୍ଲେଡ଼ ଇତ୍ୟାଦି ସମେତ ଖାଦ୍ୟ ସାମଗ୍ରୀ ରାସନ ମିଳୁଥିଲା । ସେମାନଙ୍କୁ ନିଜେ ରୋଷାଇ କରି ଖାଇବା କିମ୍ୱା ଅନ୍ୟ କଏଦୀମାନଙ୍କ ପାଇଁ ରନ୍ଧାଯାଉଥିବା ଖାଦ୍ୟ ଗ୍ରହଣର ସୁଯୋଗ ରହିଥିଲା । ଦୁଇ ଭିନ୍ନ ରାଜନୀତିକ ବନ୍ଦୀଙ୍କୁ ଭିନ୍ନ ଭିନ୍ନ ଖୁଆଡ଼ରେ ରଖାଯାଉଥିଲା । ସନ୍ଧ୍ୟା ଛଅଟା ପରେ ସମସ୍ତେ ନିଜ ନିଜ କଠୋରୀ ଭିତରେ ଆବଦ୍ଧ ରହୁଥିଲେ ଏବଂ ବାହାରୁ ତାଲା ପଡୁଥିଲା ।
 
ଜେଲରେ ବନ୍ଦୀ ସ୍ୱାଧୀନତା ସଂଗ୍ରାମୀଙ୍କ ଅନୁଭୂତି ରୋମାଞ୍ଚକର । ବ୍ରହ୍ମପୁରରେ ପ୍ରତି କିଛି ବର୍ଷ ଅନ୍ତରରେ ଲଘୁଚାପଜନିତ ବାତ୍ୟା ଲାଗି ରହିଥାଏ । ୧୯୪୩ରେ ଆଗତ ବାତ୍ୟା ୩୬ ଘଣ୍ଟା ଧରି ବଳବତ୍ତର ରହିଥିଲା । ସେତେବେଳକୁ ସ୍ଥାନୀୟ ଜେଲରେ ପ୍ରାୟ ଦୁଇ ଶହ ସାଧାରଣ ବନ୍ଦୀ ଓ ଦେଢ଼ ଶହ ରାଜନୀତିକ ବନ୍ଦୀ ବସବାସ କରୁଥାନ୍ତି । ପ୍ରବଳ ବର୍ଷା, ପବନ ଯୋଗୁଁ ଜେଲର ଦୈନନ୍ଦିନ କାର୍ଯ୍ୟସୂଚୀରେ ବାଧା ପହଞ୍ଚିଲା । ରନ୍ଧାବଢ଼ା କିମ୍ୱା ବିକଳ୍ପ ଖାଦ୍ୟର ବ୍ୟବସ୍ଥା ହୋଇପାରିଲା ନାହିଁ । ତିନିଦିନ ଭୋକରେ କାଟିବା ପରେ ବାତ୍ୟା ଟିକିଏ ଥମିବା ଅବସରରେ ପ୍ରବଳ ପବନରେ ଭାଙ୍ଗିପଡ଼ିଥିବା ଆସବାବପତ୍ରରୁ ଲୁହାଛଡ଼ ଇତ୍ୟାଦି ସଂଗ୍ରହ କରି କେତେକ ସିକ୍ୟୁରିଟି ପ୍ରିଜନର ଅବ୍ୟବସ୍ଥାର ପ୍ରତିବାଦ କରି ଜେଲ ପାଚେରୀ ତାଡ଼ିବାକୁ ଉଦ୍ୟମ କଲେ । ପୋଲିସ ବନ୍ଧୁକର ଭୟ କାମ ଦେଲାନି । ଶେଷରେ ଜେଲ ସୁପରିଟେଣ୍ଡଣ୍ଟ ନିଜେ ପହଞ୍ଚି କଏଦୀଙ୍କୁ ବୁଝାସୁଝା କରି ଭଙ୍ଗାରୁଜାରୁ ନିବୃତ୍ତ କରାଇଲେ । ଅବଶ୍ୟ ଦୁଇ ଦିନ ପରେ ସାତଜଣଙ୍କୁ ବିଶୃଙ୍ଖଳା ଅଭିଯୋଗରେ ପାଞ୍ଚ ମାସ ଲେଖା ସଶ୍ରମ କାରାଦଣ୍ଡ ଶାସ୍ତି ଦିଆଯାଇଥିଲା ।
 
ସ୍ୱାଧୀନୋତ୍ତର ଅବସ୍ଥାରେ ବ୍ରହ୍ମପୁର ଗାନ୍ଧୀନଗର ନିବାସୀ ଜଗନ୍ନାଥ ମିଶ୍ର ଜଣେ ସ୍ୱାଧୀନତା ସଂଗ୍ରାମୀ । ଖଦୀ ଆନ୍ଦୋଳନରେ ଅଂଶ ଗ୍ରହଣ ହେତୁ ୧୯୪୨ରେ ଗିରଫ ହୋଇ ପ୍ରଥମେ ପୁରୀ ଓ ପରେ ବ୍ରହ୍ମପୁର ଜେଲରେ ରହିଥିଲେ । ଶେଷ ଜୀବନରେ ଟେଲିଫୋନ ଭବନ ସାମ୍ନା ଧରାକୋଟ ବଙ୍ଗଳା ମାର୍କେଟ କମ୍ପ୍ଳେକ୍ସରେ ଏକ ଆର୍ୟୁବେଦ ଔଷଧ ଦୋକାନ ଖୋଲି ଅବସର ଜୀବନ ଯାପନ କରୁଥିଲେ । ସେ ନିଜ ଜେଲ ଅନୁଭୂତିରେ ଲେଖିଛନ୍ତି ଯେ ଜେଲରେ ରାଜନୀତିକ ବନ୍ଦୀମାନେ ଦିନ ବେଳା ନିଜ ନିଜ କାର୍ଯ୍ୟରେ ବ୍ୟାପୃତ ରହୁଥିଲେ । କିଏ ବହି ପଢ଼ିଲାଣିତ କିଏ ନୂଆ ଭାଷା ଶିଖୁଥିଲା ବା ସାହିତ୍ୟ ରଚନାରେ ସମୟ କାଟୁଥିଲା । ବନ୍ଦୀମାନେ ବୈଜୟନ୍ତୀ ନାମରେ ଏକ ହାତଲେଖା ପତ୍ରିକା ପ୍ରସ୍ତୁତ କରିଥିଲେ । ସଭା ସମିତି ହୁଏ, ଏପରିକି ଥରେ ଏକ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା ଗଣେଶ ପୂଜା, ଦଶହରା ପାଳିତ ହେଉଥିଲା ଇତ୍ୟାଦି ।
 
୧୯୪୩ ମାର୍ଚ୍ଚ ୨୯ ତାରିଖ ଦିନ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା । ଜଗନ୍ନାଥ ମିଶ୍ରଙ୍କ ଭାଷାରେ, ଫାଶୀ ଦିଆଯିବା ପୂର୍ବଦିନ ସେ କାହାରିକି ଦେଖା କରିବାକୁ ସୁବିଧା ଦିଆଗଲା । ଲକ୍ଷ୍ମଣ ନାୟକଙ୍କ କହିବା ଅନୁଯାୟୀ ସଦାଶିବ ତ୍ରିପାଠୀ ଲକ୍ଷ୍ମଣ ନାୟକଙ୍କ ସେଲକୁ ଯାଇ ତାଙ୍କ ସହ କଥାବାର୍ତ୍ତା କଲେ । ସଦାଶିବ ତ୍ରିପାଠୀ ପଚାରିଲେ, ଲକ୍ଷ୍ମଣ ତୋର ପିଲାଛୁଆଙ୍କ ପାଇଁ କଣ କହିବୁ କି ?’ ସେ (ଲକ୍ଷ୍ମଣ ନାୟକ) ଉତ୍ତର ଦେଲେ ସେ କଥା ଆପଣମାନେ ବୁଝିବେ । ସଦାଶିବ ବାବୁ କହିଲେ, ଆଉ କଣ କହୁଛୁ ?’ ଲକ୍ଷ୍ମଣ ନାୟକ କହିଲେ, ଦୁଃଖ ହେଉଛି, ମୁଁ ସ୍ୱାଧୀନ ଭାରତ ଦେଖି ପାରିବି ନାହିଁ । ତା ପରଦିନ ଭୋର ଚାରିଟା ବେଳୁ ଆରମ୍ଭ ହୋଇଗଲା ଫାଶୀ କାର୍ଯ୍ୟକ୍ରମ । ଆମେ ରହୁଥିବା ସ୍ଥାନରୁ ଲକ୍ଷ୍ମଣ ନାୟକ ସେଲ ଓ ଫାଶୀ ଦେବା ସ୍ଥାନ ଖୁବ ନିକଟ ଥିଲା । ଅତଏବ ପ୍ରାୟ ଏକ ଘଣ୍ଟାରୁ ବେଶୀ ସମୟ ଜେଲ ଫାଟକର ଲୁହା ଦରବାଜା ବାରମ୍ୱାର ଫିଟିବା ଓ ବନ୍ଦହେବାର ଶବ୍ଦ ଆମ୍ଭମାନଙ୍କ ପ୍ରାଣରେ ଭୀଷଣ ଆଘାତ ଦେଉଥିଲା । ତାପରେ ତାଙ୍କୁ ଫାଶୀ ଦିଆଗଲା । ସେହି ସମୟରେ ନବ ବାବୁ ଭୋ ଭୋ କାନ୍ଦୁଥିଲେ । ଆମେ ଛଅଜଣ ତାଙ୍କ ପାଖରେ ଥିଲୁ । ସେହିଦିନ ଜେଲର ସମସ୍ତ ରାଜନୈତିକ ବନ୍ଦୀ ଅନଶନ କରିଥିଲେ ।
 
ଉଲ୍ଲେଖଯୋଗ୍ୟ ଲକ୍ଷ୍ମଣ ନାୟକ ଓ ସଦାଶିବ ତ୍ରିପାଠୀ ଉଭୟ କୋରାପୁଟ ଜିଲ୍ଲା ବାସିନ୍ଦା । ସଦାଶିବ ତ୍ରିପାଠୀ ଓ ନବ ବାବୁ (ନବକୃଷ୍ଣ ଚୌଧୂରୀ) ସ୍ୱାଧୀନ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଥିଲେ ଏବଂ ଜଗନ୍ନାଥ ମିଶ୍ର କୋଦଳା ବିଧାନସଭା ଆସନରୁ ଥରେ ବିଧାୟକ ଭାବେ ନିର୍ବାଚ଼ିତ ହୋଇଥିଲେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୪ ଅଗଷ୍ଟ ୨୦୨୧ / ପୃଷ୍ଠା :୮)

Photo by Ivan Aleksic on Unsplash

No comments:

Post a Comment