Friday, March 11, 2022

Memories of Gopalpur Steel Plant / ଗୋପାଳପୁର ଇସ୍ପାତ ପ୍ରକଳ୍ପ ସ୍ମୃତି

 

#ବ୍ରହ୍ମପୁର ସଂଲଗ୍ନ ଗୋପାଳପୁରଠାରେ ଶିଳ୍ପାୟନ ନିମନ୍ତେ ଏକାଧିକ ପ୍ରକଳ୍ପ ରୂପାୟନ ନିମନ୍ତେ ଉଦ୍ୟମ କରାଯାଇଛି । ତେବେ ବିଭିନ୍ନ କାରଣରୁ ଅନେକ ସମ୍ଭବ ହୋଇପାରି ନାହିଁ । ସାଧାରଣ ବିଚାରରେ ଗୋପାଳପୁରରେ ଶିଳ୍ପାୟନକୁ ମିଥ୍ୟା ରାଜନୀତିକ ପ୍ରତିଶୃତି ରୂପେ ଆକ୍ଷେପ କରାଯାଇଥାଏ । ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ସୁଯୋଗର ପୂର୍ବାନୁମାନରେ କ୍ଷମତାସୀନ ସରକାରୀ ରାଜନୀତିକ ଦଳ ପତିଆରା ସୃଷ୍ଟି ନିମନ୍ତେ ପରିବେଶ ଗଢ଼ି ତୋଳୁଥିଲେ ହେଁ ବହୁ ଭିନ୍ନ କାରଣରୁ ଗୋପାଳପୁରରେ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହୋଇନପାରୁଥିବା ଦୃଷ୍ଟିକୁ ଆସିଥାଏ ।
 
ସ୍ୱାଧୀନତା-ପୂର୍ବ ଅବସ୍ଥାରେ ଗୋପାଳପୁରରେ ଆଜିକାର ମୁଖ୍ୟ ପର୍ଯ୍ୟଟନ ବେଳାଭୂମି ବିଚରେ ବନ୍ଦର କାର୍ଯ୍ୟକ୍ଷମ ଥିଲା । ବିଚ଼ରୁ ସମୁଦ୍ର ଗର୍ଭକୁ ଏକ ସୁଦୀର୍ଘ ଜେଟି ନିର୍ମିତ ହୋଇଥିଲା । ଏହାକୁ ବ୍ୟବହାର କରି ଯାତ୍ରୀ ଓ ମାଲ ଷ୍ଟିମରରେ ପହଞ୍ଚିବା ପରେ ଷ୍ଟିମର ଗଭୀର ଜଳରେ ନଙ୍ଗର ପକାଇଥିବା ବଡ଼ ଜାହାଜରେ ନେଇ ଛାଡୁଥିଲାବିଚ଼ ରାସ୍ତାର ଦୁଇ ପାର୍ଶ୍ୱରେ ବଡ଼ ବଡ଼ ଗୋଦାମ ରହିଥିଲା । ମେଫେୟାର ହୋଟେଲ ଜାହାଜ ଯାତ୍ରୀଙ୍କ ବନ୍ଦରରେ ସାମୟିକ ରହେଣୀ ନିମନ୍ତେ ଜଣେ ବିଦେଶୀ ବ୍ୟବସାୟୀ ନିର୍ମାଣ କରିଥିଲେ । ଗୋପାଳପୁର ବନ୍ଦର ବନ୍ଦ ହୋଇଯିବାର ବିଭିନ୍ନ କାରଣ ଚ଼ିହ୍ନଟ କରାଯାଇଥାଏ । ତେବେ ମୁଖ୍ୟତଃ ପର୍ଯ୍ୟାପ୍ତ ରପ୍ତାନୀ ଓ ଆମଦାନୀ ଅଭାବ, ରେଳପଥର ବିକାଶପରେ ଅପେକ୍ଷାକୃତ ସରଳ ପରିବହନ ସୁବିଧା ଉପଲବ୍ଧ ହେବା ଏବଂ ପ୍ରାକୃତିକ ଭାବେ ଗୋପାଳପୁର ବଡ଼ ବନ୍ଦରରେ ଗଢ଼ି ତୋଳିବା ନିମନ୍ତେ ଅନୁପଯୁକ୍ତ ଥିବା ଇତ୍ୟାଦିକୁ ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ପୋଷଣ କରିଥାନ୍ତି ।
 
ସ୍ୱାଧୀନୋତ୍ତର ଇତିହାସରେ ଗୋପାଳପୁରରେ ଟାଟା ଦ୍ୱାରା ବୃହତ ଇସ୍ପାତ କାରଖାନା ପ୍ରସ୍ତାବ ଏକ ଚର୍ଚ୍ଚିତ ଅଧ୍ୟାୟ । ଇସ୍ପାତ ପ୍ରକଳ୍ପକୁ କେନ୍ଦ୍ର କରି ବନ୍ଦର ଓ ରେଳପଥ ବିକାଶ, ଏଲ-ଏଣ୍ଡ-ଟି ଭଳି କେତେକ ନାମୀ ଶିଳ୍ପଦ୍ୟୋଗୀଙ୍କ ଦ୍ୱାରା ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠା ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସଂପର୍କରେ ପ୍ରଚାରିତ ହୋଇଥିଲା । ତେବେ ଏଥି ମଧ୍ୟରୁ ବହୁ ସୁବିଧାସୁଯୋଗ ତଥ୍ୟାଶ୍ରିତ ନଥିଲା । ଉଦାହରଣରେ ଟାଟା ପକ୍ଷରୁ ଆଧୁନିକ ଇସ୍ପାତ କାରଖାନା କାର୍ଯ୍ୟକ୍ଷମ ହୋଇଥିଲେ ଏଥିରେ ବ୍ରହ୍ମପରବାସୀ ପୂର୍ବରୁ ଦେଖିଥିବା ରାଉରକେଲା ବା ଭାଇଜାଗର ଇସ୍ପାତ କାରଖାନା ଭଳି ଶ୍ରମିକ ନିଯୁକ୍ତ ହୋଇନଥାନ୍ତେକାରଣ ଅତ୍ୟାଧୁନିକ ଉଦ୍ୟୋଗ ପରିଚାଳନାରେ ବହୁ କମ ଶ୍ରମ ଶକ୍ତି ବ୍ୟବହୃତ ହୋଇଥାଏ... ଇତ୍ୟାଦି ।
 
ବିଂଶ ଶତାଦ୍ଦୀର ଶେଷ ଦଶକ ଦ୍ୱିତୀୟାର୍ଦ୍ଧରେ ଗୋପାଳପୁରଠାରେ ଇସ୍ପାତ ପ୍ରକଳ୍ପ ପ୍ରସ୍ତାବ ଉପସ୍ଥାପନ ସମୟରେ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ଦଳ ସରକାର । ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥାନ୍ତି । କିନ୍ତୁ ତୁରନ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରରୁ କଂଗ୍ରେସ ଅପସରି ଗଲା । ଫଳରେ ରାଜନୀତିକ ଅଭିସନ୍ଧିମୂଳକ ପ୍ରତିଶୃତି ପୂରଣରେ ଆନ୍ତରିକତା ଅଭାବ ଦେଖାଗଲା ବୋଲି ଅଭିଯୋଗ ହୋଇଥାଏ । କିନ୍ତୁ ପ୍ରକୃତ କାରଣ ସଂପର୍କରେ ଖୋଦ ଶିଳ୍ପଦ୍ୟୋଗୀ ଭିନ୍ନ ମତ ଅବତରଣା କରିଥାନ୍ତି ।
 
ଦୈନିକ ସମ୍ୱାଦର ରବିବାସରୀୟ ପତ୍ରିକା ରବିବାର ୧୫ ଫେବୃୟାରୀ ୨୦୧୫ ସଂସ୍କରଣରେ ତତ୍ କାଳୀନ ଟାଟା କମ୍ପାନୀର ଗୋପାଳପୁର ପ୍ରୋଜେକ୍ଟର ଭାଇସ-ପ୍ରେସିଡ଼େଣ୍ଟ ଅରୁଣ ମିଶ୍ରଙ୍କ ସହ ଏକ ସାକ୍ଷାତକାର ପ୍ରକାଶିତ ହୋଇଥିଲା । ସେଥିରୁ ଏକାଂଶର ଅବିକଳ ଉଦ୍ଧୃତି ଗୋପାଳପୁରରେ ଟାଟାର ଇସ୍ପାତ କାରଖାନା ପ୍ରସ୍ତାବରୁ ଓହରିଯିବାର କାରଣ ସ୍ପଷ୍ଟ କରିଥାଏ
 
­୧୯୯୬ ଟାଟା-ଷ୍ଟିଲ ଗୋପାଳପୁର ପ୍ରେଜେକ୍ଟ ବିରୋଧରେ ଆନ୍ଦୋଳନ ହୋଇଥିଲା । ସେଦିନର ସେ ଆନ୍ଦୋଳନ ସମ୍ପର୍କରେ କଣ କହିବାକୁ ଚାହିଁବେ ?
-      କାହାର ଆନ୍ଦୋଳନ ?
­ବନ୍ଦନା ଶିବାଙ୍କ ଆନ୍ଦୋଳନ, ଗୋପାଳପୁରରେ ଟାଟା ଷ୍ଟିଲ ପ୍ଳାଣ୍ଟ ପ୍ରୋଜେକ୍ଟକୁ ନେଇ....
-      ଷ୍ଟିଲ-ପ୍ଲାଣ୍ଟ ପାଇଁ ପ୍ରକୃତରେ ଗୋପାଳପୁର ସୁଇଟେବଲ ନଥିଲା । ତେଣୁ ଷ୍ଟିଲ-ପ୍ଳାଣ୍ଟ ହେବାର କୌଣସି ଚାନ୍ସ ନାହିଁ । ସେଥିପାଇଁ ଷ୍ଟିଲ-ପ୍ଳାଣ୍ଟ ପାଇଁ କଳିଙ୍ଗ ନଗରରେ ଜମି ଦିଆଗଲା ଓ ଆମେ କଳିଙ୍ଗ ନଗର ଗଲୁ । ନହେଲେ ଆମେ କଳିଙ୍ଗନଗରରେ କାହିଁକି ଷ୍ଟିଲ ପ୍ଳାଣ୍ଟ କରିଲୁ, ଗୋପାଳପୁରରେ କରିଲୁ ନାହିଁ ? ଇଣ୍ଟିଗ୍ରେଟେଡ଼ ଷ୍ଟିଲ ପ୍ଲାଣ୍ଟ ପାଇଁ ଯେଉଁ ପ୍ରକାର ପାଣି ଏବଂ ଅନ୍ୟାନ୍ୟ ସୁବିଧାର ଆବଶ୍ୟକତା ଅଛି, ସେ ସବୁ ଗୋପାଳପୁରରେ ନଥିଲା ।
 
ସାକ୍ଷାତକାର ଉପକ୍ରମରେ ଲେଖାଥିଲା ଅରୁଣ ମିଶ୍ର କଳାହାଣ୍ଡି ଜିଲ୍ଲାର ବାସିନ୍ଦା । ସେ ଟାଟା ନଗରରେ ଜନ୍ମଗ୍ରହଣ କରି ଖଡ଼ଗପୁର ଆଇଆଇଟି ସାଙ୍ଗକୁ ଫ୍ରାନ୍ସ ଓ ଆଷ୍ଟେଲିଆରେ ଅଧ୍ୟୟନ କରିଥିଲେ । ସେ ଟାଟା ଷ୍ଟିଲର ସ୍ପେଶାଲ ଇକନୋମିକ ଜୋନର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ଅବସ୍ଥାପିତ ରହିଥିଲେ । ଅର୍ଥାତ, ଅରୁଣ ମିଶ୍ରଙ୍କ ସ୍ୱୀକାରୋକ୍ତି ଐତିହାସିକ ଗୁରୁତ୍ୱ ଯେ ବହନ କରେ ଏଥିରେ ସନ୍ଦେହ ନାହିଁ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୨ ମାର୍ଚ୍ଚ ୨୦୨୨/ ପୃଷ୍ଠା :)

Photo by Tim Mossholder on Unsplash 


No comments:

Post a Comment