Friday, March 4, 2022

Voters Statistics / ଭୋଟର ସଂଖ୍ୟା

 


#ବ୍ରହ୍ମପୁର ମହାନଗର ନିଗମ ପୌର ପରିଷଦ ନିର୍ବାଚନ ନିମନ୍ତେ ୨୦୨୨ ମାର୍ଚ୍ଚ ଶେଷ ସପ୍ତାହ ଧାର୍ଯ୍ୟ ହେବା ଅବସରରେ ସହରର ଚିଠା ଭୋଟର ତାଲିକା ମଧ୍ୟ ଚୂଡ଼ାନ୍ତ ହୋଇଛି । ଏଥିରେ ତିନିଗୋଟି ବିଷୟ ଚର୍ଚ୍ଚା ପରିସରକୁ ଆସିଥାଏ
 
ପ୍ରଥମତଃ, ବ୍ରହ୍ମପୁର ମହାନଗର ସୀମାରେ ମୋଟ ଭୋଟର ସଂଖ୍ୟା ଦୁଇ ଲକ୍ଷ ୫୫ ହଜାର । ଦ୍ୱିତୀୟତଃ, ନଅ ବର୍ଷ ପୂର୍ବେ ୨୦୧୩ ମସିହାରେ ଅନୁଷ୍ଠିତ ଗତ ନିର୍ବାଚ଼ନରେ ଅଂଶଗ୍ରହଣ କରିଥିବା ଭୋଟର ସଂଖ୍ୟା ତୁଳନାରେ ମାତ୍ର ୨୯ ହଜାର ବଢ଼ିଛି । ତୃତୀୟତଃ, ଭୁବନେଶ୍ୱର ଓ କଟକ ମହାନଗର ନିଗମ ତୁଳନାରେ ବ୍ରହ୍ମପୁରରେ ଭୋଟର ସଂଖ୍ୟା ପଛୁଆ ରହିଛି । ଭୁବନେଶ୍ୱରରେ ସାତ ଲକ୍ଷ ୨୭ ହଜାର ଓ କଟକରେ ଚାରି ଲକ୍ଷ ୪୫ ହଜାର ଭୋଟର ପଞ୍ଜୀକୃତ ହୋଇଥିବା ଜଣାଯାଏ ।
 
ବ୍ରହ୍ମପୁରରେ ଜନସଂଖ୍ୟା ଅନୁପାତରେ ଭୋଟର ସଂଖ୍ୟା ନବଢ଼ିବାର କାରଣଗୁଡ଼ିକ ତର୍ଜମା କଲାବେଳେ ପ୍ରଥମତଃ, ସହରତଳି ଅଞ୍ଚଳରେ ନୂଆକରି ଗଢ଼ି ଉଠୁଥିବା ଜନବସତିଗୁଡ଼ିକୁ ଅନ୍ତର୍ଭୁକ୍ତ ନହୋଇପାରିବାକୁ ଦାୟୀ କରାଯାଏ । ଏହା ଦୀର୍ଘ ପ୍ରଶାସନିକ ପ୍ରକ୍ରିୟା ଏବଂ ଏଥିରେ ଅବହେଳା ଘଟୁଥିବା ଅଭିଯୋଗ ହୋଇଥାଏ । ଦ୍ୱିତୀୟତଃ, ସହରର ବର୍ଦ୍ଧିତ ଜନସଂଖ୍ୟାରେ ଶିଶୁ ଓ କିଶୋର ବର୍ଗ ଭୋଟର ତାଲିକାରେ ବାଦ ପଡ଼ିଥାନ୍ତି । ମୋଟାମୋଟି ଭାବେ ଆମ ଦେଶରେ ସମକାଳର ଜନସଂଖ୍ୟାରେ ୫୦ ଭାଗ ୨୪ ବର୍ଷରୁ କମ ବୟସ ବର୍ଗର ଶିଶୁ, କିଶୋର ଓ ଯୁବକ ଅନ୍ତର୍ଭୁକ୍ତ । କେବଳ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସବର୍ଗ ଭୋଟର ତାଲିକାରେ ସ୍ଥାନ ପାଉଥିବା ସ୍ଥଳେ ୧୮ ବର୍ଷରୁ କମ ବୟସବର୍ଗ ହିସାବକୁ ଆସିନଥାନ୍ତି । ତୃତୀୟତଃ, ସାମଗ୍ରିକଭାବେ ଓଡ଼ିଶାରେ ସହରୀକରଣ ଧାରା ମନ୍ଥର ରହିଥିବା ସୁସ୍ପଷ୍ଟ । ବ୍ରହ୍ମପୁରରେ ଗତ ନଅ ବର୍ଷ ମଧ୍ୟରେ ୨୯ ହଜାର ଭୋଟର ବଢ଼ିଥିବା ସ୍ଥଳେ ସେହି ସମୟସୀମାରେ ଭୁବନେଶ୍ୱରରେ ୩୪ ହଜାର ଓ କଟକରେ ୫୦ ହଜାର ଭୋଟର ସଂଖ୍ୟା ବୃଦ୍ଧି ପାଇଛି ।
 
ବ୍ରହ୍ମପୁରକୁ ଘେରି ସହରତଳି ଅଞ୍ଚଳରେ ବିଗତ ଦୁଇ ଦଶକରେ ଗଢ଼ିଉଠିଥିବା ଜନବସତିରେ ବସବାସ କରୁଥିବା ଜନସାଧାରଣ ପୌରସେବାରୁ ବଞ୍ଚିତ ହେଉଥିବା ଉଦବେଗର ବିଷୟ । ବିଭିନ୍ନ ଗ୍ରାମପଞ୍ଚାୟତ ଅଧୀନରେ ରହିଆସିଥିବା ସହରାଞ୍ଚଳବାସୀଙ୍କ ପରିସଂଖ୍ୟାନ ସହଜରେ ମିଳି ନଥାଏ । ଫଳରେ ପ୍ରକୃତରେ କେତେ ସଂଖ୍ୟକ ସହରବାସୀ ମୌଳିକ ସେବା ନିମନ୍ତେ ହକଦାର, ତାହା ହିସାବକୁ ଆସିନଥାଏ । ସେହିପରି ନଗର ଉନ୍ନୟନ ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନା ନିମନ୍ତେ ଅର୍ଥବରାଦ ମଧ୍ୟ ବ୍ରହ୍ମପୁର ଭାଗରେ କାଟଛାଟ ହୋଇଥାଏ । ବ୍ରହ୍ମପୁରର ନବଗଠିତ ପୌରପରିଷଦ ଏହି ଦିଗରେ ପ୍ରାଥମିକତା ଦେବା ବିଧେୟ ।
 
ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ନିମନ୍ତେ ୪୨ ଗୋଟି ୱାର୍ଡରୁ କର୍ପୋରେଟର ନିର୍ବାଚ଼ିତ ହେବେ । ଗତ ନିର୍ବାଚନରେ ୱାର୍ଡ଼ ସଂଖ୍ୟା ୪୦ ରହିଥିଲା । ଭୁବନେଶ୍ୱରରେ ୱାର୍ଡ ସଂଖ୍ୟା ୬୭ ଏବଂ କଟକରେ ୱାର୍ଡ ସଂଖ୍ୟା ୫୯ । ବ୍ରହ୍ମପୁରରେ ଚଳିତ ନିର୍ବାଚନରେ ପ୍ରତି ୱାର୍ଡ଼ରେ ହାରାହାରି ପ୍ରାୟ ପାଞ୍ଚ ହଜାର ଭୋଟର । ସେଥି ମଧ୍ୟରୁ ଅର୍ଦ୍ଧେକ ପୁରୁଷ ଏବଂ ଅନ୍ୟ ଅର୍ଦ୍ଧେକ ମହିଳା ।
 
ସହରାଞ୍ଚଳ ଭୋଟରମାନେ ନାଗରିକ ଅଧିକାର, ପୌରସେବା ଓ ଗଣତାନ୍ତ୍ରିକ ପ୍ରକ୍ରିୟା ସଂପର୍କରେ ସଚ଼େତନ ବୋଲି ବିଚାର କରାଯାଏ । ନିଗମ ନିର୍ବାଚନରେ ବିଭିନ୍ନ ରାଜନୀତିକ ଦଳର ପ୍ରତିନିଧିମାନେ ପ୍ରତିଦ୍ୱନ୍ଦିତା କରୁଥିବା ସ୍ଥଳେ ଭୋଟରମାନେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ, ସାଂଗଠନିକ ଦକ୍ଷତା ଓ ସହଭାଗିତାକୁ ବିଚାରକୁ ନେଇ ପ୍ରାର୍ଥୀ ଚୟନ କରିବେ, ନା ଦଳୀୟ ଅନୁଗତ୍ୟକୁ ପ୍ରାଧାନ୍ୟ ଦେବେ ତାହା ନିର୍ବାଚନର ଫଳାଫଳ କହିବ । ତେବେ ପରିବର୍ତ୍ତିତ ପରିବେଶରେ ଉଭୟ ବୈଷୟିକ ପ୍ରଗତି ଓ ସରକାରୀ ନିବେଶ ଉପଯୋଗରେ ପୌରସେବାରେ ଆଗାମୀ କିଛି ବର୍ଷ ମଧ୍ୟରେ ବ୍ୟାପକ ଉନ୍ନତିର ସୁଯୋଗ ଆଶା କରାଯାଉଥିବା ସ୍ଥଳେ ନବଗଠିତ ପୌରପରିଷଦର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ଏଥିରେ ସନ୍ଦେହ ନାହିଁ । ଅବଶ୍ୟ ପୌରପରିଷଦ ଗଠନର ଦାୟିତ୍ୱ ନିର୍ବାଚନ ଅବସରରେ ଭୋଟରଙ୍କ ହାତରେ ରହିଛି । ସେମାନେ ଯେଉଁ ମାନର ପରିଷଦ ଗଠନ କରିବେ ସେହି ମାନର ସୁବିଧା ସୁଯୋଗ ପାଇବେ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୫ ମାର୍ଚ୍ଚ ୨୦୨୨/ ପୃଷ୍ଠା :୮)

Photo by Glen Carrie on Unsplash 



No comments:

Post a Comment