Friday, March 18, 2022

Elderly Voters in Municipal Election / ପୌର ନିର୍ବାଚ଼ନରେ ବରିଷ୍ଠ ନାଗରିକ

 


#ବ୍ରହ୍ମପୁର ପୌର ନିଗମ ନିର୍ବାଚ଼ନ ମାର୍ଚ୍ଚ ୨୦୨୨ରେ ମୋଟ ଦୁଇ ଲକ୍ଷ ୫୫ ହଜାର ଭୋଟର ଅଂଶ ଗ୍ରହଣ କରୁଥିବା ସ୍ଥଳେ ଏମାନଙ୍କ ମଧ୍ୟରେ ପ୍ରାୟ ପନ୍ଦର ପ୍ରତିଶତ ବରିଷ୍ଠ ନାଗରିକ ଅନ୍ତର୍ଭୁକ୍ତ ଥିବା ହିସାବ କରାଯାଏ । ଜନଗଣନା ଅନୁଯାୟୀ ୨୦୧୧ରେ ଓଡ଼ିଶା ରାଜ୍ୟରେ ଜନସଂଖ୍ୟାର ପ୍ରାୟ ଦଶ ପ୍ରତିଶତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ବସବାସ କରୁଥିଲେ । କିନ୍ତୁ ସହରାଞ୍ଚଳରେ ଅବସର ଜୀବନ ଯାପନ କରୁଥିବା ବୟସ୍କମାନଙ୍କ ସଂଖ୍ୟା ଗତ ଦଶ ବର୍ଷ ମଧ୍ୟରେ କ୍ରମଶଃ ବଢୁଥିବା ଲକ୍ଷ୍ୟ କରାଯାଉଥିବା ହେତୁ ୨୦୨୨ ବେଳକୁ ଅନ୍ତତଃପକ୍ଷେ ପନ୍ଦର ପ୍ରତିଶତରେ ପହଞ୍ଚିବା ଅନୁମାନ କରାଯାଇପାରେ । ଅର୍ଥାତ, ବ୍ରହ୍ମପୁର ପୌରାଞ୍ଚଳରେ ପ୍ରାୟ ୩୫ ରୁ ୪୦ ହଜାର ଭୋଟର ବରିଷ୍ଠ ନାଗରିକ । ନଗରପାଳ ପଦବୀ ନିମନ୍ତେ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବା ଅବସରରେ ବରିଷ୍ଠ ନାଗରିକ ଭୋଟର ପ୍ରଭାବଶାଳୀ ଭୂମିକା ନିର୍ବାହ କରିବା ସୁନିଶ୍ଚିତ ।
 
ସହରର ଭୋଟରମାନେ ସାଧାରଣରେ ସ୍ଥାୟୀ ବାସିନ୍ଦା । ବରିଷ୍ଠ ନାଗରିକମାନେ ଦୀର୍ଘ ଦିନରୁ ବସବାସ କରି ଆସିଥାନ୍ତି ଏବଂ ପ୍ରାୟତଃ ମୃତ୍ୟୁଯାଏଁ ବାସସ୍ଥାନ ପରିବର୍ତ୍ତନ କରିବା ସଂଭାବନା କମ । ଅପରପକ୍ଷେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବକମାନେ ଅଧ୍ୟୟନ ଶେଷରେ ଶ୍ରମନିଯୁକ୍ତି ଉଦ୍ଦେଶ୍ୟରେ ଏବଂ ୩୫ ବର୍ଷରୁ ୬୦ ବର୍ଷ ବୟସ ସୀମାର ମଧ୍ୟ-ବୟସ୍କମାନେ ବୃତ୍ତିଜନିତ ବାଧ୍ୟବାଧକତା କିମ୍ୱା ଅବସର ଜୀବନ କଟାଇବା ନିମନ୍ତେ ଅନ୍ୟ ସହରକୁ ସ୍ଥାନାନ୍ତରିତ ହେବା ସଂଭାବନା ରହିଥାଏ । ୧୮ ବର୍ଷରୁ କମ ଶିଶୁ ଓ କିଶୋର ବର୍ଗ ଭୋଟର ପର୍ଯ୍ୟାୟଭୁକ୍ତ ନୁହନ୍ତି । ଏହି ପରିପ୍ରେକ୍ଷୀରେ ଏକ ପକ୍ଷରେ ବ୍ରହ୍ମପୁର ପୌରସେବାର ସାଂପ୍ରତିକ ସ୍ଥିତି ଓ ସମ୍ଭାବ୍ୟ ଭବିଷ୍ୟତ ଦ୍ୱାରା ବରିଷ୍ଠ ନାଗରିକ ବର୍ଗ ପ୍ରଭାବିତ । ଅପରପକ୍ଷରେ ସହରର ବରିଷ୍ଠ ନାଗରିକମାନଙ୍କ ମାଲିକାନାରେ ଘରବାଡ଼ି ଥିବା ହେତୁ ପୌରପାଳିକାର ପ୍ରମୁଖ କରଦାତା । ଏହି ସବୁ କାରଣରୁ ପୌର ନିର୍ବାଚ଼ନ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ।
 
ସହରବାସୀଙ୍କ ଦୈନନ୍ଦିନ ଜୀବନରେ ପୌରସେବାର ଗୁଣବତ୍ତା ସର୍ବାପେକ୍ଷା ପ୍ରଭାବଶାଳୀ । ପରିମଳ, ରାସ୍ତାଘାଟ, ଜନସ୍ୱାସ୍ଥ୍ୟ, ବଜାରଘାଟ ସାଙ୍ଗକୁ ସାମାଜିକ ଜୀବନ ବିକାଶ ପୌର ପ୍ରଶାସନ ନିୟନ୍ତ୍ରଣାଧୀନ । ପୌର ପରିଷଦରେ ପରବର୍ତ୍ତୀ ପାଞ୍ଚ ବର୍ଷ ଯେଉଁମାନେ ପ୍ରତିନିଧିତ୍ୱ କରିବେ ସେମାନଙ୍କ କର୍ତ୍ତୃତ୍ୱରେ ପୌର ସେବା ପରିଚାଳନା ଓ ନୀତି ନିର୍ଦ୍ଧାରଣ ଦାୟିତ୍ୱ ନ୍ୟସ୍ତ ରହିବ । ନିର୍ବାଚ଼ନ ନିମନ୍ତେ କର୍ପୋରେଟର ଓ ମେୟର ପ୍ରାର୍ଥୀଗଣ ବ୍ୟକ୍ତିଗତଭାବେ ବରିଷ୍ଠ ନାଗରିକମାନଙ୍କୁ ସାକ୍ଷାତକରି ଭୋଟ ଭିକ୍ଷା କରିଥାନ୍ତି । ଏହି ଅବସରରେ ସେମାନେ ସାଧାରଣ ପୌରସେବା ବ୍ୟତୀତ ବରିଷ୍ଠ ନାଗରିକ ଅନୁକୂଳ କେତେକ ସେବା ପ୍ରଚଳନ ନିମନ୍ତେ ପରାମର୍ଶ ଦେବା ନିମନ୍ତେ ଏକ ସୁଯୋଗ ।
 
ପ୍ରଥମତଃ, ବ୍ରହ୍ମପୁରରେ ପ୍ରତ୍ୟେକ ୱାର୍ଡ଼ରେ ହାରାହାରି ଛଅ ହଜାର ଭୋଟର ଗଣିତ କରାଗଲେ ଏକ ହଜାର ଯାଏଁ ବରିଷ୍ଠ ନାଗରିକ ବସବାସ କରିଥାନ୍ତି । ବିଦେଶ ତଥା ବଡ଼ ସହରମାନଙ୍କରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ପୌରପାଳିକା ପକ୍ଷରୁ ଡ଼େ-କେୟାର ସେଣ୍ଟର ପରିଚାଳିତ ହୋଇଥାଏ । ଏହି କେନ୍ଦ୍ରଗୁଡ଼ିକରେ ଦିନବେଳା ସ୍ଥାନୀୟ ବରିଷ୍ଠ ନାଗରିକମାନେ ଏକତ୍ରୀତ ହୋଇ ଆଳାପ ଆଲୋଚ଼ନା ସହ ବିଭିନ୍ନ ସାମାଜିକ ଓ ସାସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ସମୟ ବିତାଇଥାନ୍ତି । ଅତୀତରେ ବ୍ରହ୍ମପୁର ପୌରପାଳିକା ପକ୍ଷରୁ ବିଭିନ୍ନ ୱାର୍ଡ଼ରେ ପାଠାଗାରମାନ କାର୍ଯ୍ୟକ୍ଷମ ଥିଲା । କର୍ମଚାରୀ ଓ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ବନ୍ଦ ହୋଇଯାଇଛି । ଅନ୍ତତଃପକ୍ଷେ ସେହି ଧାରାରେ ଯଦି ପ୍ରତ୍ୟେକ ୱାର୍ଡରେ ଡ଼େ-କେୟାର ସେଣ୍ଟର ଆରମ୍ଭ କରାଯାଇ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ମାର୍ଫତରେ ପରିଚାଳନା ନିମନ୍ତେ ଉଦ୍ୟମ କରାଯାଆନ୍ତା, ତେବେ ବରିଷ୍ଠ ନାଗରିକମାନେ ଉପକୃତ ହୁଅନ୍ତେ ।
 
ଦ୍ୱିତୀୟତଃ, ସହରାଞ୍ଚଳରେ ଅଧିକାଂଶ ବରିଷ୍ଠ ନାଗରିକ ଏକାକୀ ବସବାସ କରୁଥିବା ହେତୁ ସୁରକ୍ଷା ଏକ ସମସ୍ୟାଭାବେ ମୁଣ୍ଡଟେକିବାକୁ ଯାଉଛି । ୱାର୍ଡସ୍ତରରେ ଯଦି ବରିଷ୍ଠ ନାଗରିକମାନଙ୍କ ତଥ୍ୟ ସଂଗୃହୀତ ହୋଇ ତଥା ସଂକଳିତ କରାଯାଇ ପୋଲିସ ପ୍ରଶାସନକୁ ସହଯୋଗ କରାଯାଆନ୍ତା, ତେବେ ସମସ୍ୟାର ମୁକାବିଲା ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ରହନ୍ତା । ଏହି ସାଂଗଠନିକ ସ୍ଥିତି ସଜାଡ଼ିବା ନିମନ୍ତେ ଡ଼େ-କେୟାର ସେଣ୍ଟରଗୁଡ଼ିକ ଭିତ୍ତିଭୂମି ସୃଷ୍ଟି କରିବତୃଣମୂଳସ୍ତରରେ ସହଭାଗୀ ପରିଚାଳନାରୁ ସୁଦୂରପ୍ରସାରୀ ଉପକାର ଆଶା କରାଯାଇପାରେ ।
 
ତୃତୀୟତଃ, ବ୍ରହ୍ମପୁରରେ ମେଡ଼ିକାଲ କଲେଜ ଓ ଜିଲ୍ଲାସ୍ତରୀୟ ଚ଼ିକିତ୍ସାଳୟ କାର୍ଯ୍ୟକ୍ଷମ ଥିବା ସ୍ଥଳେ ପୌରପାଳିକା ପକ୍ଷରୁ ଦୀର୍ଘ ଅତୀତରୁ ପ୍ରତିଷ୍ଠିତ ଚ଼ିକିତ୍ସାଳୟକୁ ବରିଷ୍ଠନାଗରିକଙ୍କ ନିମନ୍ତେ ଉତ୍ସର୍ଗ କରାଯାଇପାରନ୍ତା । ଜନସଂଖ୍ୟାରେ ବରିଷ୍ଠ ନାଗରିକମାନେ କ୍ରମାଗତ ସ୍ୱାସ୍ଥ୍ୟ ସମସ୍ୟା ସମ୍ମୁଖୀନ ହେଉଥିବା ହେତୁ ସେମାନଙ୍କ ସ୍ୱାସ୍ଥ୍ୟରକ୍ଷା ସାମାଜିକ ନିରାପତ୍ତାର ଅଂଶବିଶେଷ । ଯେକୌଣସି ସମୟରେ ସହରର ଚ଼ିକିତ୍ସାଧୀନଙ୍କ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଅଧିକ ରହିଥାଏ । ସ୍ଥାନୀୟ ପରିସ୍ଥିତି ଓ ପରିବେଶକୁ ନେଇ ଜନସ୍ୱାସ୍ଥ୍ୟ ନୀତି ନିର୍ଦ୍ଧାରଣରେ ପୌରପାଳିକାର ଭୂମିକା ସର୍ବାପେକ୍ଷା ପ୍ରଭାବଶାଳୀ ।
 
ପୌର ନିର୍ବାଚ଼ନ ଅବସରରେ ବରିଷ୍ଠ ନାଗରିକ ଭୋଟର ବର୍ଗ ବରିଷ୍ଠ ନାଗରିକ ଅନୁକୂଳ ପୌରସେବା ନିମନ୍ତେ ପ୍ରାର୍ଥୀମାନଙ୍କୁ ଅବଗତ କରାଇବା ସୁଯୋଗ ହାତଛଡ଼ା କରିବା ଅନୁଚ଼ିତ ପରବର୍ତ୍ତୀ ପାଞ୍ଚ ବର୍ଷର ପୌର ପ୍ରଶାସନରେ କ୍ଷମତାସୀନ ପ୍ରତିନିଧିଙ୍କ ଭୂମିକା ସହ ବିରୋଧି ରାଜନୀତିକ ଦଳର ତତ୍ପରତା ମଧ୍ୟ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ । ତେଣୁ ନେତୃତ୍ୱ ନେବାପାଇଁ ଆଗ୍ରହୀ ସମସ୍ତ ପ୍ରାର୍ଥୀଙ୍କୁ ସଚ଼େତନ କରାଇବା ଆବଶ୍ୟକ । ଭୁବନେଶ୍ୱରରେ ବରିଷ୍ଠ ନାଗରିକ ସଂଗଠନଗୁଡ଼ିକ ପକ୍ଷରୁ ଏହି ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି । ବ୍ରହ୍ମପୁରବାସୀ ମଧ୍ୟ ସାମିଲ ହେବା ଉଚ଼ିତ ।

Photo by Harli Marten on Unsplash 


No comments:

Post a Comment