Friday, October 21, 2022

Fruit Market / ଫଳ ବଜାର

 

ପାରମ୍ପରିକ ଭାବେ #ବ୍ରହ୍ମପୁର ସହର ଫଳବଜାର ନିମନ୍ତେ ପ୍ରସିଦ୍ଧ  । ସହରର କ୍ରମବିକାଶରେ ମହୁରି ରାଜପ୍ରାସାଦକୁ କେନ୍ଦ୍ରକରି ଜନପଦ ସହ ଗଢ଼ି ଉଠିଥିବା ଦୋକାନ ବଜାର ମଧ୍ୟରେ ନଡ଼ିଆ ଗୋର୍ଜୀର ଅବସ୍ଥିତି ଫଳ ବ୍ୟବସାୟରେ ସ୍ଥାନୀୟ ସଂପୃକ୍ତି ପ୍ରମାଣିତ କରିଥାଏ । ଆଜି ସୁଦ୍ଧା ବଡ଼ ବଜାର ଦେଶୀ ବେହରା ସାହୀ ସଂଲଗ୍ନ ନଡ଼ିଆ ଗୋର୍ଜୀରେ ନଡ଼ିଆ ଓ କଦଳୀର ହୋଲସେଲ ମାର୍କେଟ ବିଦ୍ୟମାନ । ଏଠାରେ ବର୍ଷସାରା ନଡ଼ିଆ ଓ ପାଚ଼ିଲା କଦଳୀ କିଣାବିକା ହୁଏ । ଖୁଚୁରା ବ୍ୟବସାୟୀମାନେ ନଡ଼ିଆ ଗୋର୍ଜୀରୁ ପାଇକାରୀ ଦରରେ କିଣି ନେଇ ସହରରେ ବିସ୍ତାରିତ ବିଭିନ୍ନ ବଜାରରେ ବିକ୍ରୀ କରିଥାନ୍ତି । ସ୍ଥାନୀୟ ଫସଲ ବ୍ୟତୀତ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶରୁ ବ୍ରହ୍ମପୁରର ବ୍ୟବସାୟୀମାନେ ନଡ଼ିଆ ଓ କଦଳୀ ଆମଦାନୀ କରି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ରପ୍ତାନୀ କାରବାରରେ ଲିପ୍ତରହନ୍ତି ।

 

ବ୍ରହ୍ମପୁରରେ ନଡ଼ିଆ ଓ ପାଚ଼ିଲା କଦଳୀ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ । ନଡ଼ିଆ ତରକାରୀ, ଚ଼ଟଣୀ ଓ ପିଠାପଣାରେ ବହୁଳଭାବେ ବ୍ୟବହାର ହୁଏ । ସାପ୍ତାହିକ ମନ୍ଦିର ଦର୍ଶନରେ ଦେବାଦେବୀଙ୍କ ପୂଜା ଅର୍ଚ୍ଚନା ଲାଗି ନଡ଼ିଆ ଓ ପାଚ଼ିଲା କଦଳୀ ଭୋଗ କରିଥାନ୍ତି । କଞ୍ଚା କଦଳୀ ଅନେକ ପରିବାର ତରକାରୀରେ ବ୍ୟବହାର କରନ୍ତି । ବର୍ଷସାରା କଞ୍ଚା କଦଳୀ ଉପଲବ୍ଧ ହେଉଥିବା ଏବଂ ବଜାର ଦରରେ ଅପେକ୍ଷାକୃତ କମ ରହୁଥିବା ହେତୁ ଗୁଣ୍ଡ ଗରମ ମସଲା ଦେଇ ଆଳୁ-କଞ୍ଚା କଦଳୀ ତରକାରୀ ଘରଣୀଙ୍କ ପ୍ରିୟ । କଞ୍ଚା କଦଳୀ ଖାଦ୍ୟସାରରେ ଭରପୁର । ପୃଥିବୀର କେତେକ ରାଷ୍ଟ୍ରରେ ଆଳୁ ବଦଳରେ କଞ୍ଚା କଦଳୀ ମୁଖ୍ୟ ପରିବାଭାବେ ବ୍ୟବହୃତ ।

 

ଆମ୍ୱ, ପଣସ ଗ୍ରୀଷ୍ମ ଋତୁକାଳୀନ ବଜାର ବ୍ରହ୍ମପୁରର ଅନ୍ୟତମ ଆକର୍ଷଣ । ଅତୀତରେ ଭିକ୍ଟୋରିଆ ମାର୍କେଟ ସମ୍ମୁଖରେ ଅସ୍ଥାୟୀ ଦୋକାନ ଘରେ ଆମ୍ୱ ବଜାର ଚାଲୁଥିଲା । ତାହା ଭିକ୍ଟୋରିଆ ମାର୍କେଟ ପୁନଃନିର୍ମାଣ କାଳରେ କରପୋରେସନ ରୋଡ଼, ସେଣ୍ଟ ଷ୍ଟିଫନ୍ସ ଚର୍ଚ୍ଚ ଗ୍ରାଉଣ୍ଡ ଦେଇ ପ୍ରେମନଗର ସଂଲଗ୍ନ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣକୁ ସ୍ଥାନାନ୍ତରିତ ହୋଇଛି । ବ୍ରହ୍ମପୁର ବ୍ୟବସାୟୀମାନେ ମୁଖ୍ୟତଃ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ଆମ୍ୱ ଆମଦାନୀ କରି ରାଜ୍ୟର ବିଭିନ୍ନ ସହରକୁ ରପ୍ତାନୀ କରିଥାନ୍ତି ।

 

ବ୍ରହ୍ମପୁର ଫଳ ବଜାରରେ ୧୯୮୦ ଓ ୨୦୦୦ ମସିହାରେ ବଡ଼ ଧରଣର ପରିବର୍ତ୍ତନ ସୂତ୍ରପାତ ହୋଇଥିଲା । ଅତୀତରେ ନଡ଼ିଆ, କଦଳୀ, ଆମ୍ୱ, ପଣସ ବ୍ୟତୀତ ସୀମିତ ପରିମାଣରେ ଆଖାପାଖ ଅଞ୍ଚଳରେ ଉତ୍ପାଦିତ ତାଳ, ବିଭିନ୍ନ ଧରଣର କୋଳି, ପିଜୁଳି, ସପେଟା, ସୀତାଫଳ, ସାକରକନ୍ଦା ଭଳି ଫଳ ମିଳୁଥିଲା । ତେବେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରରେ ଉଦ୍ୟାନ କୃଷିର ବ୍ୟାପକ ପ୍ରସାର ପରେ ସେଠାରେ ଉତ୍ପାଦିତ ଅଙ୍ଗୁର, ଡ଼ାଳିମ୍ୱ, କମଳା, ପିଜୁଳି, ସପେଟା ଇତ୍ୟାଦି ୧୯୮୦ ବେଳକୁ ବ୍ରହ୍ମପୁର ବଜାରରେ ପ୍ରବେଶ କରିଥିଲା । ମହାରାଷ୍ଟ୍ରର ନାଗପୁର ଓ ସୋଲାପୁରରୁ ବିପୁଳ ପରିମାଣରେ କମଳା ଓ ଅଙ୍ଗୁର ବ୍ରହ୍ମପୁର ବଜାରରେ ପହଞ୍ଚିଥାଏ । ଏଠାରୁ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସମ୍ୱଲପୁର ଓ ରାଉରକେଲାକୁ ରପ୍ତାନୀ ହୋଇଥାଏ ।

 

ଗଞ୍ଜାମ ଓ ଗଜପତିର ପାର୍ବତ୍ୟାଞ୍ଚଳରେ ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ବ୍ୟାପକ ଉଦ୍ୟାନ କୃଷି ପ୍ରବର୍ତ୍ତିତ ହୋଇଥିଲା । ପ୍ରାଥମିକ ଅବସ୍ଥାରେ ବୈଦେଶିକ ଅନୁଦାନ ବିନିଯୋଗରେ ଦକ୍ଷିଣ ଓଡ଼ିଶାର ଦୁଇ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶପ୍ରେମ ପକ୍ଷରୁ ଉଦ୍ୟାନ କୃଷି ସଂପର୍କରେ ସ୍ଥାନୀୟ ଅଧିବାସୀଙ୍କୁ ତାଲିମ ଓ ପ୍ରୋତ୍ସାହନ ଦେବାପରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜମିଜମା ସଂସ୍କାର କରାଯାଇ ଉଦ୍ୟାନ କୃଷି ପ୍ରସାର ଲାଗି ପଦକ୍ଷେପମାନ ଗ୍ରହଣ କରାଗଲା । ଫଳରେ ୨୦୦୦ ବେଳକୁ ଗଞ୍ଜାମ ଓ ଗଜପତି ମାଳାଞ୍ଚଳରେ ଉତ୍ପାଦିତ ବିଭିନ୍ନ ଫଳ ବ୍ରହ୍ମପୁର ବଜାରରେ ବର୍ଷସାରା ମିଳିଲା । ଉଦାହରଣରେ ସପୁରି ପଣସକୁ ବିଚାରକୁ ନିଆଯାଉ । ଅତୀତରେ କାଁଭାଁ ମିଳୁଥିବା ସପୁରି ପଣସ ଗ୍ରୀଷ୍ମଋତୁ ଶେଷ ଓ ବର୍ଷା ଋତୁ ଆରମ୍ଭରେ ବ୍ରହ୍ମପୁର ରାସ୍ତାକଡ଼ ବଜାରରେ ବିପୁଳ ପରିମାଣରେ ଉପଲବ୍ଧ ହୁଏ ।

 

ଅତୀତରେ ବ୍ରହ୍ମପୁର ଫଳ ବଜାର କହିଲେ ନଡ଼ିଆ, କଦଳୀ, ଆମ୍ୱ, ପଣସକୁ ହିଁ ବୁଝାଉଥିଲା । ପୁରୁଣା ବସଷ୍ଟାଣ୍ଡ, ଭିକ୍ଟୋରିଆ ମାର୍କେଟ ଓ ବଡ଼ ବଜାରରେ ଆଙ୍ଗୁଠି ଗଣତି ଫଳ ଦୋକାନ ଥିଲା । ଅନେକ ପରିବାରରେ ଜ୍ୱରାକ୍ରାନ୍ତଙ୍କୁ ସ୍ୱାଦ ପରିବର୍ତ୍ତନ ପାଇଁ ସମାନ୍ୟ ଅଙ୍ଗୁର କୋଳି ଦିଆଯାଉଥିଲା । ଅଙ୍ଗୁର, କମଳା, ପିଜୁଳି, ସପେଟା, ସୀତାଫଳ, ଅମୃତଭଣ୍ଡା ଫଳାହାର ଅଭ୍ୟାସ ଧନୀକ ପରିବାରବର୍ଗଙ୍କ ମଧ୍ୟରେ ଆକସ୍ମିକ ବିବେଚ଼ିତ ହେଉଥିଲା । ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକ ଓ ଏକ ବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ସହରବାସୀଙ୍କ ଖାଦ୍ୟାଭ୍ୟାସରେ ଫଳାହାର ଅନ୍ୟତମ ମୁଖ୍ୟସ୍ଥାନ ଅଧିକାର କରୁଛି । ଅବଶ୍ୟ ଏହି ପରିବର୍ତ୍ତନ ସର୍ବଭାରତୀୟସ୍ତରରେ ପ୍ରବର୍ତ୍ତିତ ଏବଂ ବ୍ରହ୍ମପୁର ସେଥିରେ ସାମିଲ ହୋଇଛି ।


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୨ ଅକ୍ଟୋବର ୨୦୨୨/ ପୃଷ୍ଠା : ୨)


Photo by Akshay Nanavati on Unsplash 



No comments:

Post a Comment