Friday, October 7, 2022

Online Gaming / ଅନଲାଇନ ଗେମିଂ

 

ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଶାରଦୀୟ ଉତ୍ସବ କୁମାର ପୂର୍ଣ୍ଣିମା ପାଳନ ଅବସରରେ ଜୁଆ ଖେଳ #ବ୍ରହ୍ମପୁର ସହରରେ ଲୋକପ୍ରିୟତା ହାସଲର ବିଭିନ୍ନ କାରଣ ମଧ୍ୟରେ ଦେଶାନ୍ତର ଗମନ ଓ ଆଗମନ ଅନ୍ୟତମ । ଇତିହାସ ପୃଷ୍ଠାରୁ ଜାଣିବାକୁ ମିଳେ ଯେ ମହୁରି ରାଜବାଟୀକୁ ଘେରି ବ୍ରହ୍ମପୁର ଜନପଦ କ୍ରମବିକଶିତ ଅବସ୍ଥାରେ ପଡ଼ୋଶୀ ରାଜ୍ୟରୁ ବୁଣାକାର ସଂପ୍ରଦାୟଙ୍କୁ ଏଠାରେ ସ୍ଥାୟୀଭାବେ ବସବାସ ତଥା ବ୍ୟବସାୟ କରିବା ନିମନ୍ତେ ରାଜ ପରିବାର ପ୍ରୋତ୍ସାହିତ କରିଥିଲେ । ମହୁରି ରାଜ୍ୟ ହାଇଦରାବାଦ ନିଜାମଙ୍କ ଅଧୀନ ଥିବା ଅବସରରେ ଦାକ୍ଷିଣତ୍ୟ ସଂଯୋଗ ରହିଆସିଥିଲା । ଫରାସୀ ଶାସନ ଶେଷ ଓ ଇଂଲିଶ ଶାସନ ଆରମ୍ଭ ସନ୍ଧିକାଳରେ ବିଜୟନଗର ଜମିଦାରଙ୍କ କରଭାର ଓ ଅନାବୃଷ୍ଟିରେ ପ୍ରପୀଡ଼ିତ ଗଞ୍ଜାମ ଜିଲ୍ଲାର ବହୁ ପରିବାର କୋରାପୁଟ, କଳାହାଣ୍ଡି, ଫୁଲବାଣୀ ମାଳଅଞ୍ଚଳ ଚାଲିଯିବାପରେ ସ୍ଥାନୀୟ ଜମିବାଡ଼ି ଅଣଚାଷିତ ଅବସ୍ଥାରେ ପଡ଼ି ରହିଥିଲା । ବ୍ରିଟିଶ ପ୍ରଶାସକଗଣ ଶ୍ରୀକାକୁଲମ ଓ ପଡ଼ୋଶୀ ଅଞ୍ଚଳରୁ ଚାଷୀଙ୍କୁ ଆଣି ସହର ତଥା ସହରତଳି ଅଞ୍ଚଳରେ ଅବସ୍ଥାପିତ କରାଇଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଯାଏଁ ବ୍ରହ୍ମପୁର ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନସ୍ଥ ଥିବା ହେତୁ ପ୍ରଶାସନ, ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାଂସ୍କୃତିକ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ମାଡ୍ରାସ ସହ ସଂପୃକ୍ତ ରହିଆସିଥିଲା । ଫଳରେ ଲୋକଙ୍କ ଯିବାଆସିବା ଲାଗି ରହିଥିଲା ।
 
ଊନବିଂଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ଗୋପାଳପୁର ବନ୍ଦର, ବିଂଶ ଶତାଦ୍ଦୀ ଆରମ୍ଭରୁ ରେଳପଥ ଓ ମଧ୍ୟଭାଗରୁ ଜାତୀୟ ରାଜପଥ ସଂଯୋଗ କାଳରେ କେବଳ ଗଞ୍ଜାମ ଜିଲ୍ଲା କାହିଁକି ସମଗ୍ର ଦକ୍ଷିଣ ଓଡ଼ିଶାବାସୀ ବ୍ରହ୍ମପୁର ସହର ଦେଇ ଅନ୍ୟ ରାଜ୍ୟକୁ ଚଳପ୍ରଚଳ ହେଲେ । ଫଳରେ ସହରରେ କ୍ରମାଗତ ବୈଦେଶିକ ସାଂସ୍କୃତିକ ପ୍ରଭାବ ଜାରୀ ରହିଲାବ୍ରହ୍ମପୁର ମୂଳରୁ ଏକ ନଗରସଭ୍ୟତା କେନ୍ଦ୍ରୀକ ମାନସିକତା କସମୋପଲିଟିଆନ ଆଉଟଲୁକ ନେଇ ବିକଶିତ ହୋଇଆସିଛି । ବ୍ୟାପକ ଦେଶାନ୍ତର ଗମନ ଓ ଆଗମନ ଦ୍ୱାରା ସ୍ଥାନୀୟ ଅର୍ଥନୀତି ସୁଦୃଢ ହୋଇପାରିଥିବା ବେଳେ ଜୁଆ ଭଳି କେତେକ ମନୋରଞ୍ଜକ ଅବସର ବିନୋଦନକୁ ମଧ୍ୟ ଏଡ଼ାଇଦେଇ ପାରିନାହିଁ ।
 
ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକ, ବିଶେଷକରି ଦ୍ୱିତୀୟ ଦଶକର ମଧ୍ୟଭାଗରୁ ୪ଜି ଟେଲିଯୋଗାଯୋଗ ପରିବ୍ୟାପ୍ତି ପରେ ଜନସାଧାରଣଙ୍କ ଭର୍ଚୁଆଲ ଉପସ୍ଥିତି ବଢ଼ିବା ପରେ ସମଗ୍ର ଭାରତରେ ଅନଲାଇନ ଗେମିଂ ଶିଳ୍ପର ବ୍ୟାପକ ଅଭିବୃଦ୍ଧି ଘଟିଛି । ବିଶେଷଜ୍ଞଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ ଭାରତରେ ପଚାଶ କୋଟି ଯାଏଁ ନାଗରିକ ଅନଲାଇନ ଗେମ ଖେଳନ୍ତି । ଅବଶ୍ୟ ଏଥି ମଧ୍ୟରେ କେତେକାଂଶ ହିଁ ଖେଳରେ ବେଟିଂ କରିଥାନ୍ତି । ଦେଶର କେବଳ ତିନିଗୋଟି ରାଜ୍ୟ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ଅନଲାଇନ ଗେମରେ ବେଟିଂ ଆଇନତଃ ଅପରାଧ ଘୋଷିତ ହୋଇଛି । ଅନଲାଇନ ଗେମ ଆୟୋଜକ କମ୍ପାନୀମାନେ ସରକାରଙ୍କୁ ସର୍ଭିସ ଟିକସ ଓ ପ୍ରଚଳିତ ଜିଏସଟି ପ୍ରଦାନ କରିଥାନ୍ତି । ତାମିଲନାଡୁ ସମେତ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଦିଲ୍ଲୀ ଏନସିଆର ରାଜ୍ୟରୁ ସର୍ବାଧିକ ଟିକସ ସଂଗୃହୀତ ହୋଇଥାଏ ।
 
କୁହାଯାଉଛି ଯେ ବ୍ରହ୍ମପୁରରେ ଅନଲାଇନ ବେଟିଂର ଲୋକପ୍ରିୟତା ବଢୁଛି । ସହରାଞ୍ଚଳରେ ଏହି ଧାରା ପ୍ରସାର ଲାଭ କରିବା ସ୍ୱାଭାବିକ । କିନ୍ତୁ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଦିଲ୍ଲୀ ଏନସିଆର ଭଳି ରାଜ୍ୟରେ ଗଞ୍ଜାମର ଦେଶାନ୍ତରୀ ଶ୍ରମିକମାନେ ପହଞ୍ଚୁଥିବା ହେତୁ ସେଠାକାର ଲୋକପ୍ରିୟ ଅନଲାଇନ ବେଟିଂରେ ପ୍ରଭାବିତ ହେଉଥିବା ଆଶଙ୍କାକୁ ଏଡ଼ାଇ ଦେଇହୁଏ ନାହିଁ । ଓଡ଼ିଶାରେ ଅନଲାଇନ ବେଟିଂ ନିଷିଦ୍ଧ ହୋଇଥିବା ହେତୁ ଖବରୀଙ୍କ ସୂଚ଼ନାପ୍ରକାରେ ପୋଲିସ ପକ୍ଷରୁ ଆଡ୍ଡାଗୁଡ଼ିକରେ ଚ଼ଢାଉ ହୁଏ । କୁମାର ପୂର୍ଣ୍ଣିମା ଆଗପଛ ଦୁଇ ମାସରେ ଏହାର ପରିମାଣ ବଢ଼େ । ତେବେ ଖେଳାଳୀମାନେ ଅନଲାଇନ ଗେମ ପାଇଁ ଟଙ୍କାପଇସା ବ୍ୟବହାର ନକରିବା ଧାରା ଆରମ୍ଭ ହୋଇଥିବା ଚର୍ଚ୍ଚା କରାଯାଏ । ଧରପଗଡ଼ରେ ନଗଦ ଟଙ୍କା ଜବତ ନହୋଇପାରିଲେ ଗିରଫ ଜୁଆଡ଼ିମାନେ ତୁରନ୍ତ ଜାମିନ ପାଇଯିବା ସଂଭବଥିବା ହେତୁ ସେଥିପ୍ରତି ଆକର୍ଷିତ ହେଉଥିବା ଜଣାଯାଏ । ତେବେ ଜୁଆରେ ତତ୍ କ୍ଷଣାତ ଅର୍ଥ ହାତବଦଳ ନହେଲେ ଠକାମୀ ଓ ପ୍ରତାରଣାର ମଧ୍ୟ ଭୟ ରହିଥାଏ ।
 
ଜୁଆ ମନୋରଞ୍ଜକ ଅବସର ବିନୋଦନ ବିବେଚ଼ିତ ହେଲେହେଁ  ଜୁଆର ମାଦକତା ସ୍ଥଳବିଶେଷରେ ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ଦୁରାବସ୍ଥା ମଧ୍ୟକୁ ଠେଲି ଦେଇଥାଏ । ଏକ ବିବରଣୀ ଅନୁଯାୟୀ ଅନଲାଇନ ବେଟିଂରେ ଅର୍ଥ ହରାଇ ତାମିଲନାଡୁରେ ୨୦୨୦ରୁ ୨୦୨୨ ମଧ୍ୟରେ ପ୍ରାୟ କୋଡ଼ିଏ ଜଣ ଆତ୍ମହତ୍ୟା କରିଥିଲେତାମିଲନାଡୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବର୍ତ୍ତିତ ଅନଲାଇନ ବେଟିଂ ନିଷିଦ୍ଧ ଆଇନକୁ ମାଡ୍ରାସ ହାଇକୋର୍ଟ ୨୦୨୧ରେ ଖାରଜ କରିଦେବାପରେ ୨୦୨୨ ସେପ୍ଟେମ୍ୱର ଶେଷ ସପ୍ତାହରେ ଅନୁରୂପ ଏକ ଅର୍ଡିନାନ୍ସ ଜାରୀ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଅପରପକ୍ଷେ ଅନଲାଇନ ଗେମିଂରେ ଦ୍ରବ୍ୟ-ସେବା-କର ଜିଏସଟି ନିର୍ଦ୍ଧାରଣ ନିମନ୍ତେ କେନ୍ଦ୍ର ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠିତ ହୋଇଛି । ଅକ୍ଟୋବର ୨୦୨୨ରେ ସେମାନେ ରିପୋର୍ଟ ଉପସ୍ଥାପନ କରିବା ଆଶା କରାଯାଉଛି । ଅନଲାଇନ ବେଟିଂ ଆଇନାନୁମୋଦିତ ହେଲେ ସରକାର ୨୮ ପ୍ରତିଶତ ଜିଏସଟି ସାଙ୍ଗକୁ ଜୁଆ ଆୟ ଉପରେ ୨୦ ରୁ ୩୦ ପ୍ରତିଶତ ଯାଏଁ ଆୟକର ପାଇପାରିବା ହିସାବ କରାଯାଏ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନଲାଇନ ଗେମିଂ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ନିମନ୍ତେ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଥିବା ଜଣାଯାଏ । ଏହି ପରିବେଶରେ ଭାରତରେ ଅନଲାଇନ ଗେମିଂ ଶିଳ୍ପର ବାର୍ଷିକ କାରବାର ପ୍ରାୟ ଷୋହଳ ହଜାର କୋଟି ଟଙ୍କା ଦର୍ଶାଯାଉଥିବା ସ୍ଥଳେ ବାର୍ଷିକ ୩୫ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟୁଥିବା ହିସାବ କରାଯାଇଥାଏ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୮ ଅକ୍ଟୋବର ୨୦୨୨/ ପୃଷ୍ଠା : ୨)

No comments:

Post a Comment