#ବ୍ରହ୍ମପୁର ସହର କେନ୍ଦ୍ରସ୍ଥଳରେ ଅବସ୍ଥିତ ବାରାକ୍ସ
ଗ୍ରାଉଣ୍ଡରେ ବ୍ରହ୍ମପୁର ଷ୍ଟାଡ଼ିୟମ ନିର୍ମିତ ହୋଇଥିଲା । ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ
ଷ୍ଟାଡ଼ିୟମର ନବୀକରଣ ୨୦୧୯ରୁ ଆରମ୍ଭ ହୋଇ ୨୦୨୪ରେ ଶେଷ ହୋଇଛି । ୨୭ ଫେବୃୟାରୀ ୨୦୨୪ରେ ଆଭାସୀ
ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରି ବ୍ରହ୍ମପୁର ଷ୍ଟାଡ଼ିୟମକୁ ‘ମହାତ୍ମା ଗାନ୍ଧୀ ଷ୍ଟାଡ଼ିୟମ’ ନାମିତ କରାଗଲା ବୋଲି ଘୋଷଣା
କରିଥିଲେ ।
ଇଂଲିଶ ଶାସନ ଅବସରରେ କିଛି କାଳ ସେନା ଛାଉଣୀ ‘ବାରାକ୍ସ’ ତଥା ପରେ ସ୍ଥାନୀୟ
ସେନାବାହିନୀର ଅଭ୍ୟାସ କାର୍ଯ୍ୟରେ ବ୍ୟବହୃତ ପ୍ରାୟ ୫୦ ଏକର ପରିମିତ ଅଞ୍ଚଳ ‘ବାରାକ୍ସ ଗ୍ରାଉଣ୍ଡ’ ରୂପେ ଖ୍ୟାତ ଥିଲା । ସହର
ମଧ୍ୟରେ ଏକ ବଡ଼ ଖୋଲା ପଡ଼ିଆ ଥିବା ହେତୁ ବଡ଼ ନେତାମାନେ ଆସିଲେ ସଭାସମିତି ତଥା ପ୍ରଦର୍ଶନୀ,
ସର୍କସ ଭଳି କାର୍ଯ୍ୟରେ ବ୍ୟବହୃତ ହେଉଥିଲା ।
ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀ ୧୯୨୧ ଓ ୧୯୭୭ରେ ଦୁଇଥର ବ୍ରହ୍ମପୁର ଆସିଥିଲେ
। ପ୍ରଥମ ଥର ୧୯୨୧ରେ ବାରାକ୍ସ ଗ୍ରାଉଣ୍ଡରେ ଏକ ବିଶାଳ ଜନସଭାରେ ଉଦବୋଧନ ଦେଇଥିଲେ । ମହାତ୍ମା
ଗାନ୍ଧୀଙ୍କ ପରିଦର୍ଶନ ସ୍ମୃତିରେ ବାରାକ୍ସ ଗ୍ରାଉଣ୍ଡରେ ନିର୍ମିତ ବ୍ରହ୍ମପୁର ଷ୍ଟାଡ଼ିୟମକୁ
ସରକାର ‘ମହାତ୍ମା ଗାନ୍ଧୀ ଷ୍ଟାଡ଼ିୟମ’ ନାମକରଣ କରିଛନ୍ତି ।
ବ୍ରହ୍ମପୁର ବାରାକ୍ସ ଗ୍ରାଉଣ୍ଡ ଓ ସଂଲଗ୍ନ ଅଞ୍ଚଳରେ କଂଗ୍ରେସ ଦଳର ଜାତୀୟ ଅଧିବେଶନ
ଆୟୋଜନ କରାଯାଇଥିଲା । ଜବହାରଲାଲ ନେହୁରୁ ୧୯୩୬ରେ ବ୍ରହ୍ମପୁର ଗସ୍ତ କାଳରେ ବାରାକ୍ସ
ଗ୍ରାଉଣ୍ଡରେ ଜନସଭାରେ ଉଦବୋଧନ ଦେଇଥିଲେ । ବିଜୁ ପଟ୍ଟନାୟକଙ୍କ ସମେତ ବହୁ ନେତୃବର୍ଗ ବାରାକ୍ସ
ଗ୍ରାଉଣ୍ଡରେ ଆୟୋଜିତ ଜନସଭାଗୁଡ଼ିକରେ ବିଭିନ୍ନ ସମୟରେ ଯୋଗ ଦେଇଛନ୍ତି ।
ବାରାକ୍ସ ଗ୍ରାଉଣ୍ଡ ସରକାରୀ ଜମି ହୋଇଥିବା ହେତୁ ୨୦୧୭ରେ କ୍ରୀଡ଼ା ବିଭାଗ ଅଧୀନକୁ
ଆସିଥିଲା । ଏଥି ପୂର୍ବରୁ ସ୍ଥାନୀୟ ପ୍ରଶାସନ ତଦାରଖ କରୁଥିବା ସ୍ଥଳେ ଏନସିସି ବା ‘ସମର ଶିକ୍ଷାର୍ଥୀ ବାହିନୀ’ ଅଭ୍ୟାସ ନିମନ୍ତେ
ବ୍ୟବହୃତ ହେଉଥିଲା । ଏନସିସି କର୍ତ୍ତୃପକ୍ଷ ବାରାକ୍ସ ଗ୍ରାଉଣ୍ଡ ଚର୍ତୁଦିଗରେ ସୁଉଚ୍ଚ ତାରବାଡ଼
ଦେଇ ବୋମା ପ୍ରତିରୋଧକ ଏକ ଗୋଲାକାର ଘରରେ ତାଲିମ ବନ୍ଧୁକ ରଖୁଥିଲେ । ଏନସିସି
କ୍ୟାଡ଼େଟମାନଙ୍କୁ ଏଠାରେ ବନ୍ଧୁକ ଚାଳନା ଅଭ୍ୟାସ କରାଯାଉଥିଲା । ସ୍ୱାଧୀନତା ଓ ଗଣତନ୍ତ୍ର
ଦିବସ ପ୍ୟାରେଡ଼ ନିୟମିତ ଅନୁଷ୍ଠିତ ହେଉଥିଲା । ଦୈନନ୍ଦିନ ସଂଧ୍ୟାରେ ଦଳ ଦଳ କିଶୋର ଓ ଯୁବକ
ଖେଳକୁଦ କରୁଥିଲେ । ବୟସ୍କମାନେ ପ୍ରାତଃ ଓ ସନ୍ଧ୍ୟା ଭ୍ରମଣରେ ଏକତ୍ରୀତ ହେଉଥିଲେ । ଏନସିସି
ପକ୍ଷରୁ ବାରାକ୍ସ ଗ୍ରାଉଣ୍ଡରେ ତାହାର କର୍ମଚାରୀଙ୍କ ପାଇଁ କିଛି କ୍ୱାର୍ଟର୍ସ ମଧ୍ୟ ନିର୍ମାଣ
କରିଥିଲା । ଏହାର ଉଛେଦ ନିମନ୍ତେ ରାଜ୍ୟ ସରକାର ଓ ଏନସିସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦୀର୍ଘ
ଦିନ ବିବାଦ ଲାଗି ରହିଥିଲା । ଶେଷରେ ୨୦୧୪ରେ ଏନସିସିକୁ ଅନ୍ୟତ୍ର ଜମି ଦେଇ ବାରାକ୍ସ
ଗ୍ରାଉଣ୍ଡରୁ ବିଦା କରାଯାଇଥିଲା ।
ବ୍ରହ୍ମପୁର ଷ୍ଟାଡ଼ିୟମ ନବୀକରଣ ଯୋଜନାରେ ଏକ ନୂଆ ଭାରୋତ୍ତୋଳନ ଏକାଡ଼େମୀ ଓ
ସନ୍ତରଣାଗାର ନିର୍ମାଣ ସହ ଗ୍ୟାଲେରି ଓ ବାସ୍କେଟବଲ କୋର୍ଟ ମରାମତ କରାଯାଇଛି । ମୂଳ ଷ୍ଟାଡ଼ିୟମ
ଗ୍ରାଉଣ୍ଡରେ କ୍ରିକେଟ ଉପଯୋଗୀ ଟର୍ଫ ପିଚ଼ ନିର୍ମିତ ହୋଇଛି । ଖେଳାଳୀମାନେ ରହିବା ପାଇଁ ୨୦୦
ଶଯ୍ୟା ବିଶିଷ୍ଟ ଏକ ସ୍ପୋର୍ଟ୍ସ ହଷ୍ଟେଲ ମଧ୍ୟ ସନ୍ନିବଶିତ ହୋଇଛି ।
ବ୍ରହ୍ମପୁର ବିଂଶ ଶତାଦ୍ଦୀର ଷଷ୍ଠ ଦଶକରୁ ରାଜ୍ୟରେ ଭାରୋତ୍ତୋଳନ କ୍ଷେତ୍ରରେ ଆକର୍ଷଣର
କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଏଠାରୁ ବିଜୟ ଶତପଥୀ ଓ ରବି କୁମାରଙ୍କ ଭଳି ଭାରୋତ୍ତୋଳନକାରୀ
ଜାତୀୟସ୍ତରରେ ଅର୍ଜ୍ଜୁନ ପୁରସ୍କାର ବିଜେତା ଭାବେ ପ୍ରସିଦ୍ଧ । କୁହାଯାଉଛି ଯେ ମହାତ୍ମା
ଗାନ୍ଧୀ ଷ୍ଟାଡ଼ିୟମ ସଂଲଗ୍ନ ସ୍ପୋର୍ଟସ କମ୍ପ୍ଳେକ୍ସ ପରିସରରେ ନିର୍ମିତ ଭାରୋତ୍ତୋଳନ
ପ୍ରଶିକ୍ଷଣ କେନ୍ଦ୍ର ଦେଶର ସର୍ବବୃହତ । ଏଠାରେ ୩୦ ଗୋଟି ଭାରୋତ୍ତୋଳନ ପ୍ଳାଟଫର୍ମ ରହିଛି ।
ଏଥି ମଧ୍ୟରୁ ୨୯ ଗୋଟି ପ୍ଲାଟଫର୍ମରେ ଖେଳାଳିମାନେ ଅଭ୍ୟାସ କରିବେ ଏବଂ ଗୋଟିଏ ପ୍ଳାଟଫର୍ମ
ପ୍ରତିଯୋଗିତା ପାଇଁ ବ୍ୟବହୃତ ହେବ । ଶିକ୍ଷାର୍ଥୀମାନଙ୍କୁ ତାଲିମ ଦେବା ନିମନ୍ତେ ଦଶ ଜଣ କୋଚ଼
ନିଯୁକ୍ତ ହେବେ ।
ଏଣିକି ନବୀକରଣ ପରେ ‘ମହାତ୍ମା ଗାନ୍ଧୀ ଷ୍ଟଡ଼ିୟମ, ବ୍ରହ୍ମପୁର ୭୬୦୦୦୧’ ଏକ ନୂଆ ଠିକଣା ।
No comments:
Post a Comment