Friday, February 23, 2024

Bianca Geetmala / ବିନାକା ଗୀତମାଳା

 

ବିଂଶ ଶତାଦ୍ଦୀର ପଞ୍ଚମ ଓ ଷଷ୍ଠ ଦଶକରେ #ବ୍ରହ୍ମପୁର ରାମଲିଙ୍ଗ ବନ୍ଧ ସମ୍ମୁଖ ଗାନ୍ଧୀ ପାର୍କରେ ବୁଧବାର ସଂଧ୍ୟା ୮ରୁ ୯ ବହୁ ଲୋକ ଏକତ୍ରୀତ ହୋଇ ବିନାକା ଗୀତମାଳା ଶୁଣିବା କେତେକଙ୍କ ଅଭ୍ୟାସରେ ପରିଣତ ହୋଇଥିବା ଦେଖିବାକୁ ମିଳୁଥିଲା । ହାଇସ୍କୁଲ ଉଚ୍ଚ ଶ୍ରେଣୀର ଛାତ୍ରଙ୍କଠାରୁ ଆରମ୍ଭ କରି ଅବସରପ୍ରାପ୍ତ ବରିଷ୍ଠ ପାର୍କ ରେଡ଼ିଓରୁ ଲାଉଡ଼ସ୍ପିକର ଯୋଗେ ରେଡ଼ିଓ ସିଲୋନରୁ ପ୍ରସାରିତ ସମସାମୟିକ ହିନ୍ଦି ଚଳଚ଼ିତ୍ର ଗୀତ ଉପଭୋଗ କରୁଥିଲେ । କାର୍ଯ୍ୟକ୍ରମର ଉଦଘୋଷକ ଅମୀନ ସୟାନୀଙ୍କ ଯାଦୁକାରୀ ଉପସ୍ଥାପନା କିଶୋରଙ୍କଠାରୁ ବୃଦ୍ଧ ଯାଏଁ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦୀର୍ଘକାଳ ବାନ୍ଧି ରଖିଥିଲା । ଅମୀନ ସୟାନୀଙ୍କ ୯୧ ବର୍ଷ ବୟସରେ ୧୬ ଫେବୃୟାରୀ ୨୦୨୪ରେ ମୁମ୍ୱାଇ ବାସଭବନରେ ପରଲୋକ ଘଟିଥିବା ଅବସରରେ ତାଙ୍କୁ ନେଇ ବିଗତ ଦିନର ସ୍ମୃତି ମନେପଡ଼େ ।
 
ଭାରତରେ ୧୯୨୭ରୁ ରେଡ଼ିଓ ପ୍ରସାରଣ ଆରମ୍ଭ ହୋଇଥିଲେ ହେଁ ସ୍ୱାଧୀନୋତ୍ତର ଅବସ୍ଥାରେ ଅଧିକ ସଂଖ୍ୟକ ରେଡ଼ିଓ ଷ୍ଟେସନ ସ୍ଥାପନ ଓ ଅଧିକ ସଂଖ୍ୟକ ପରିବାରଠାରେ ରେଡ଼ିଓ ସେଟ ଉପଲବ୍ଧ ହୋଇଥିଲା । ଟ୍ରାଞ୍ଜିଷ୍ଟର ରେଡ଼ିଓ ପ୍ରଚଳନ ହେବା ପୂର୍ବରୁ ଦୋକାନ ବଜାର, ହୋଟେଲ ଓ ପାର୍କରେ ଏମ୍ପ୍ଳିଫାୟର ଯୋଗେ ଉଚ୍ଚସ୍ୱରରେ ରେଡ଼ିଓ ବାଜୁଥିଲା । ଲୋକେ ମୁଖ୍ୟତଃ ସମ୍ୱାଦ ଓ ହିନ୍ଦି ସିନେମା ଗୀତ ଶୁଣିବା ନିମନ୍ତେ ସାମୂହିକ ପ୍ରସାରଣ ସ୍ଥଳ ଗୁଡ଼ିକରେ ନିର୍ଦ୍ଦିଷ୍ଟ ସମୟରେ ଭିଡ଼ ଜମାଉଥିଲେ । ସେହିକ୍ରମରେ ଗାନ୍ଧୀ ପାର୍କ ରେଡ଼ିଓ ଶ୍ରୋତାଙ୍କୁ ଆକୃଷ୍ଟ କରିବା ସ୍ୱାଭାବିକ ।
 
ଅମୀନ ସୟାନୀ ମାତ୍ର ୨୦ ବର୍ଷ ବୟସରେ ବିନାକା ଟପ ଟୁଥପେଷ୍ଟ ପ୍ରାୟୋଜିତ ବିନାକା ଗୀତମାଳା ୧୯୫୨ରେ ଆରମ୍ଭ କରି ଦୀର୍ଘ ୪୨ ବର୍ଷ କାଳ ୧୯୮୮ ଯାଏଁ ରେଡ଼ିଓ ସିଲୋନରୁ ପ୍ରସାରଣରେ ସଂପୃକ୍ତ ଥିଲେ । ବଲିଉଡ଼ ଚଳଚ଼ିତ୍ରର ଗୀତ ଆଧାରିତ ଏହି କାର୍ଯ୍ୟକ୍ରମ ପ୍ରଥମେ ବୁଧବାର ୮ରୁ ୮.୩୦ ଅଧ ଘଣ୍ଟା ଏବଂ ପରେ ୮ରୁ ୯ ଘଣ୍ଟାଏ ପ୍ରସାରିତ ହେଉଥିଲା । ଅମୀନ ସୟାନୀ ମୁମ୍ୱାଇର ନିଜ ଷ୍ଟୁଡ଼ିଓରେ କାର୍ଯ୍ୟକ୍ରମ ରେକର୍ଡ କରି ମାଗ୍ନେଟିକ ଟେପ ଆକାରରେ ସିଲୋନ ବା ଶ୍ରୀଲଙ୍କାର ରାଜଧାନୀ କଲମ୍ୱୋକୁ ବିମାନ ଯୋଗେ ପ୍ରତି ସପ୍ତାହରେ ପଠାଉଥିଲେ । ବିନାକା ଗୀତମାଳା ପଞ୍ଚମ ଓ ଷଷ୍ଠ ଦଶକରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲା । ଅଷ୍ଟମ ଦଶକରେ ଦେଶବ୍ୟାପୀ ଦୂରଦର୍ଶନ ଯୋଗେ ଟେଲିଭିଜନ ପ୍ରସାରଣ ଆରମ୍ଭ ହେବା ପରେ ରେଡ଼ିଓର କାଟତି କମି ଆସିଥିଲା ।
 
ସେହି ସମୟ ସୀମାରେ ଘରୋଇ ଏଫ.ଏମ୍ ରେଡ଼ିଓ ଷ୍ଟେସନ ନଥିଲା ଏବଂ ରେଡ଼ିଓ କ୍ଷେତ୍ରରେ ସରକାରୀ ପରିଚାଳନାଧୀନ ଅଲ-ଇଣ୍ଡିଆ-ରେଡ଼ିଓ ଆକାଶବାଣୀର ଏକଚାଟିଆ ରାଜୁତି ଚାଲିଥିଲା । ୧୯୫୨ ସାଧାରଣ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି କେନ୍ଦ୍ରରେ ସରକାର ଗଠନ ପରେ ବାଳକୃଷ୍ଣ ବିଶ୍ୱନାଥ କେଶକର ୧୯୫୨ରୁ ୧୯୬୨ ଯାଏଁ ଦଶ ବର୍ଷ ସୂଚ଼ନା ଓ ପ୍ରସାରଣ ବିଭାଗୀୟ ମନ୍ତ୍ରୀଭାବେ ଅବସ୍ଥାପିତ ହୋଇଥିଲେ । ସେ ହିନ୍ଦି ଚଳଚ଼ିତ୍ର ସଂଗୀତ ବିରୋଧୀ ଥିଲେ । ତାଙ୍କ ନିର୍ଦ୍ଦେଶରେ ଅଲ ଇଣ୍ଡିଆ ରେଡ଼ିଓ ନିଜ ପ୍ରସାରିତ କାର୍ଯ୍ୟକ୍ରମର ମାତ୍ର ୧୦ ପ୍ରତିଶତ ସମୟ ଚଳଚ଼ିତ୍ର ସଂଗୀତ ପ୍ରସାରଣ ନୀତି ନିର୍ଦ୍ଧାରଣ କରିଥିଲା । ଏହି ଅବସରରେ ରେଡ଼ିଓ ସିଲୋନ ହିନ୍ଦି କାର୍ଯ୍ୟକ୍ରମ ସହ ବିଜ୍ଞାପନ ପ୍ରସାରଣ କରି ପର୍ଯ୍ୟାପ୍ତ ପରିମାଣରେ ରାଜସ୍ୱ ଆୟ କରିପାରିଥିଲା । ରେଡ଼ିଓ ସିଲୋନ ଉଚ୍ଚଶକ୍ତି ସମ୍ପନ୍ନ ଟ୍ରାନ୍ସମିଟର ଯୋଗେ ସର୍ଟୱେବରେ ପ୍ରସାରିତ ହୋଇ ଭାରତର କୋଣ ଅନୁକୋଣରେ ର୍ନିବିଘ୍ନରେ ପହଞ୍ଚି ପାରୁଥିଲା । ସେହି ସମୟରେ ମିଡ଼ିୟମ ୱେବରେ ପ୍ରସାରିତ କଟକ ଆକାଶବାଣୀର କାର୍ଯ୍ୟକ୍ରମ ବ୍ରହ୍ମପୁରରେ ଭଲ ଶୁଣାଯାଉନଥିଲା !
 
ବିନାକା ଗୀତମାଳା ରିକେଟ ବେଙ୍କିସେର କମ୍ପାନୀର ବିନାକା ଟପ ଟୁଥପେଷ୍ଟର ବିଜ୍ଞାପନ କରୁଥିଲା । ଅମୀନ ସୟାନୀ ମୁମ୍ୱାଇ ବାସିନ୍ଦା । ତାଙ୍କ ପିତା ମୁସଲମାନ ଓ ମାତା ହିନ୍ଦୁ ଧର୍ମବଲାମ୍ୱୀ ଥିଲେ । ଅମୀନ ସୟାନୀ ହିନ୍ଦି ଓ ଉର୍ଦ୍ଦୁ ମିଶା ହିନ୍ଦୁସ୍ତାନୀ ଭାଷାରେ ଅତ୍ୟନ୍ତ ମନଗୁଗ୍ଧକର ଭାବଭଙ୍ଗୀରେ ବିନାକା ଗୀତମାଳା ଉପସ୍ଥାପନା କରୁଥିଲେ । ସାଧାରଣରେ ଯୁବବୟସର ପିଲାଏ ହିନ୍ଦି ଚ଼ଳଚ଼ିତ୍ର ପ୍ରେମୀ ହୋଇଥିବା ହେତୁ ବିନାକା ଗୀତମାଳା ଶୁଣିବା ସାପ୍ତାହିକ କାର୍ଯ୍ୟସୂଚ଼ୀ ପାଲଟିଯାଇଥିଲା । ରେଡ଼ିଓ ସେଟ ଉପଲବ୍ଧ ଥିବା ପରିବାରବର୍ଗରେ ବିନାକା ଗୀତମାଳା ପୁରା ପରିବାର ଏକତ୍ର ଶୁଣୁଥିଲେ । ଅମୀନ ସୟାନୀ ତିନି ପିଢ଼ୀ ଭାରତୀୟଙ୍କ ଲୋକପ୍ରିୟ ରେଡ଼ିଓ ଉପସ୍ଥାପକ ହିସାବରେ ପରିଚ଼ିତ । ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭରେ ଅନଲାଇନରେ ବ୍ୟକ୍ତିଗତ ଶ୍ରୋତାର ଋଚି ଅନୁଯାୟୀ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଆଲଗୋରିଥିମ ବଲିଉଡ଼ ଚଳଚ଼ିତ୍ର ଷ୍ଟ୍ରୀମିଂ ମଞ୍ଚରେ ପରିବେଷଣ କରୁଥିବା ବେଳେ ଅମୀନ ସାୟାନୀ ପୁରୁଣା ପୀଢ଼ିଙ୍କ ସ୍ମୃତିର ସମ୍ପଦ ।

Image by G.C. from Pixabay


1 comment:

  1. A good read Sir. Most of the radio presenters, stage anchors followed Ameen Sayani for a long time. He had an indelible impact on a large number of aspiring broadcasters. Thank you Sir for this additional information about the radio days and memories of Berhampur.

    ReplyDelete