Friday, June 28, 2024

Pilgrimage to Puri / ପୁରୀ ଯାତ୍ରୀ

 

#ବ୍ରହ୍ମପୁର ସହରବାସୀଙ୍କ ପୁରୀ ଯାତ୍ରା ଏକ ପାରମ୍ପରିକ ଅଭ୍ୟାସ । ଅଧୂନା ବଡ଼ ବଜାରରେ ପୂର୍ବ ପ୍ରତିଷ୍ଠିତ ମହୁରି ରାଜ ଉଆସକୁ ଘେରି ଜନବସତି ସହ ବହୁ ସଂଖ୍ୟକ ମଠ-ମନ୍ଦିର-ପୁଷ୍କରଣୀ ଗଢ଼ି ଉଠିଥିଲା । ସେଥି ମଧ୍ୟରେ ଏକାଧିକ ଜଗନ୍ନାଥ ମନ୍ଦିର ଅନ୍ତର୍ଭୁକ୍ତ ଥିଲା । ସ୍ଥାନୀୟ ଅଧିବାସୀ ବର୍ଷର ବିଭିନ୍ନ ସମୟରେ, ମୁଖ୍ୟତଃ ଯାନିଯାତ୍ରାରେ ଯୋଗଦେବା ନିମନ୍ତେ ପୁରୀ ଯାଉଥିଲେ । ବିଂଶ ଶତାଦ୍ଦୀ ଆରମ୍ଭରୁ ବ୍ରହ୍ମପୁରରୁ ପୁରୀ ଯାଏଁ ରେଳ ସଂଯୋଗ ଅତ୍ୟନ୍ତ ଲୋକପ୍ରିୟ ହୋଇଥିବା ଜଣାଯାଏ । ପ୍ରଥମ ବିଶ୍ୱଯୁଦ୍ଧ ବେଳକୁ ବ୍ରହ୍ମପୁର ଦେଇ ପୁରୀକୁ ସିଧାସଳଖ ଯାତ୍ରୀବାହୀ ରେଳ ଚଳାଚଳ କରୁଥିବା ଇତିହାସ ପୃଷ୍ଠାରୁ ପ୍ରମାଣ ମିଳେ । ରେଳ ସଂଯୋଗ ପୂର୍ବରୁ ବ୍ରହ୍ମପୁର ସମେତ ଗଞ୍ଜାମର ଗ୍ରାମାଞ୍ଚଳରୁ ତୀର୍ଥଯାତ୍ରୀ ଚାଲି ଚାଲି ଓ ଶଗଡ଼ରେ ପୁରୀ ଯାତ୍ରା କରୁଥିଲେ । ଏହି ଯାତ୍ରା କଷ୍ଟସାଧ୍ୟ ଓ ବିପଦପୂର୍ଣ୍ଣ ଥିଲେ ହେଁ ଯାତ୍ରୀଗଣ ସପରିବାରେ ଦଳ ଦଳ ହୋଇ ଯାଉଥିଲେ । ରଥଯାତ୍ରା ଅବସରରେ ବିପୁଳ ସଂଖ୍ୟକ ଯାତ୍ରୀ ଯୋଗ ଦେଉଥିବା ତଥା ପୁରୀରେ ପରିମଳ ଅବ୍ୟବସ୍ଥା ହେତୁ ହଇଜା ବ୍ୟାପିବା ସାଧାରଣ କଥା ଥିଲା । ପୁରୀ ଫେରନ୍ତା ଯାତ୍ରୀଙ୍କ ଦ୍ୱାରା ବ୍ରହ୍ମପୁର ତଥା ଗଞ୍ଜାମର ଗ୍ରାମାଞ୍ଚଳରେ ହଇଜା ରୋଗର ପ୍ରାଦୁର୍ଭାବ ଦେଖା ଦେଉଥିବା ଇଂଲିଶ ପ୍ରଶାସକମାନେ ବିଭିନ୍ନ ବିବରଣୀରେ ଉଲ୍ଲେଖ କରିଛନ୍ତି । ରଥଯାତ୍ରା ଅବସରରେ ପୁରୀ ସହରରେ ପ୍ରବେଶ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ହଇଜା ପ୍ରତିଷେଧକ ଇଞ୍ଜେକସନ ଦେବା ପ୍ରଥା ୧୯୬୫-୭୦ ଯାଏଁ ବଳବତ୍ତର ଥିଲା ।
 
ବ୍ରହ୍ମପୁରବାସୀଙ୍କ ତୀର୍ଥଯାତ୍ରାରେ ପୁରୀର ପ୍ରାଧାନ୍ୟର ତିନିଗୋଟି ମୁଖ୍ୟ କାରଣ ଭାବେ ଅପେକ୍ଷାକୃତ ନିକଟତର ତୀର୍ଥକ୍ଷେତ୍ର, ରେଳ ଓ ସଡ଼କ ପଥରେ ଯୋଗଯୋଗ ତଥା ଅଭ୍ୟାଗତ-ଅନୁକୂଳ ଶ୍ରୀମନ୍ଦିର ସୁବିଧା ସୁଯୋଗକୁ ଚିହ୍ନଟ କରାଯାଇପାରେ । ଜଗନ୍ନାଥ ମନ୍ଦିର ଚତୁର୍ଦ୍ଦିଗରେ ପରିକ୍ରମା ପ୍ରକଳ୍ପ ଉଦଘାଟିତ ହେବାପରେ କୋଭିଡ଼ ମହାମାରୀ-ପର ଅବସ୍ଥାରେ ବହୁ ସଂଖ୍ୟକ ବ୍ରହ୍ମପୁରବାସୀ ପୁରୀ ଯାତ୍ରା କରିଥିଲେ । ଶ୍ରୀମନ୍ଦିର ସ୍ୱତନ୍ତ୍ର ପୂଜାର୍ଚ୍ଚନାରେ ଯୋଗ ଦେବା ନିମନ୍ତେ ଘରୋଇ ଟୁର ଅପରେଟର ଦିନିକିଆ ବସ ସେବା ଆରମ୍ଭ କରିଛନ୍ତି । ଯାତ୍ରୀ ପିଛା ଏକ ହଜାର ଟଙ୍କାରୁ କମ ବ୍ୟୟରେ ଦିନକ ପାଇଁ ବ୍ରହ୍ମପୁରରୁ ପୁରୀ ବସଯାତ୍ରା ସହ ଖାଦ୍ୟପେୟ ଖର୍ଚ୍ଚ ମୁଖ୍ୟତଃ ବରିଷ୍ଠ ନାଗରିକଙ୍କୁ ଆକର୍ଷିତ କରିବା ଆଶା କରାଯାଏ ।
 
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ହୋଇପାରି ନାହିଁ । ଏହି ଦିଗରେ ପାରମ୍ପରିକ ପଦ୍ଧତିକୁ ବଦଳାଇବା ନିମନ୍ତେ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଅମଙ୍ଗ ମୁଖ୍ୟ ମନ୍ଦିରରେ ଏକକାଳୀନ ବହୁ ସଂଖ୍ୟକ ଯାତ୍ରୀଙ୍କ ସମାଗମ ଠେଲା ପେଲା ପରିସ୍ଥିତି ସୃଷ୍ଟି କରିଥାଏ । ଶିଶୁ ଓ ବୟସ୍କମାନେ ଭିଡ଼ରେ ବିଗ୍ରହ ଦର୍ଶନ କରିପାରନ୍ତି ନାହିଁ ।
 
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ସଂସ୍କାର ପଦକ୍ଷେପରେ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ସମୟନିର୍ଘଣ୍ଟ ନିର୍ଦ୍ଧାରଣ ସ୍ଳଟ ବୁକିଂ ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇଥିବା କଥା ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତିରୁପତି ବାଲାଜୀ ମନ୍ଦିରରେ ଏହି ବ୍ୟବସ୍ଥା ଦୀର୍ଘ ଅତୀତରୁ ସଫଳତାର ସହ କାର୍ଯ୍ୟକାରୀ ହେଉଛି । ଭକ୍ତମାନେ ମୋବାଇଲ ଫୋନ ଯୋଗେ ଦର୍ଶନ ଆବେଦନ କରି ନିର୍ଦ୍ଧାରିତ ସମୟ ଜାଣିପାରିବେ । ଫଳରେ ଘଣ୍ଟାଏ ବା ଅଧଘଣ୍ଟା ପୂର୍ବରୁ ଅଭ୍ୟର୍ଥନା ପ୍ରକୋଷ୍ଠରେ ଉପସ୍ଥିତ ହୋଇ ଠିକ ସମୟରେ ଦ୍ୱାରଦେଇ ପ୍ରବେଶର ସୁଯୋଗ ମିଳିବ । ଏତଦ୍ୱାରା ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କୁ ଦୀର୍ଘ ସମୟ ଧାଡିରେ ଛିଡ଼ା ହେବା ସମସ୍ୟାରୁ ନିସ୍ତାର ମିଳିବ । ବ୍ରହ୍ମପୁର ଭଳି ଦୂରାନ୍ତ ଅଞ୍ଚଳବାସୀ ଅଳ୍ପ ସମୟ ବ୍ୟୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କିନ୍ତୁ ମୁଖ୍ୟ ମନ୍ଦିରରେ ପହଞ୍ଚିଲା ପରେ କିଭଳି ଭିଡ଼ ନିୟନ୍ତିତ ହୋଇପାରିବ ସେଦିଗରେ କିପରି ବିହିତ ପଦକ୍ଷେପ ଗ୍ରହଣ କରାଯାଇପାରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ !


 Image by Franz Bachinger from Pixabay


Friday, June 21, 2024

Gopalpur-Satapada & Phulabani / ଗୋପାଳପୁର-ସାତପଡ଼ା ଓ ଫୁଲବାଣୀ

 

#ବ୍ରହ୍ମପୁର ସନ୍ନିକଟ ଗୋପାଳପୁର ବେଳାଭୂମି ଓ ବନ୍ଦର ସହ ପଶ୍ଚିମବଙ୍ଗର ଦୀଘା ସଡ଼କ ପଥ ସଂଯୋଗ ଓ ଫୁଲବାଣୀ-ରେଢ଼ାଖୋଲ ରେଳପଥ ସଂଯୋଗ ପରିକଳ୍ପନାର ବାସ୍ତବ ରୂପାୟନ ସାଧାରଣ ନିର୍ବାଚ଼ନ ୨୦୨୪ ପରବର୍ତ୍ତୀ ଅବସ୍ଥାରେ ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ ।
 
ଗୋପାଳପୁରଠାରୁ ଦୀଘା ଯାଏଁ ଭାରତମାଳା ପରିଯୋଜନାରେ ଉପକୂଳ ରାଜରାସ୍ତା ନିର୍ମାଣ ନିମନ୍ତେ ୨୦୧୫ରେ ନିଷ୍ପତି ଗ୍ରହଣ କରାଯାଇଥିଲା । ତେବେ ସର୍ଭେ ଅବସରରେ ଚିଲିକା ହ୍ରଦର ଜୈବ-ବିବିଧତା ଓ ପରିବେଶ ସୁରକ୍ଷା ସମସ୍ୟାକୁ କେନ୍ଦ୍ର କରି ଗୋପାଳପୁର ବଦଳରେ ଟାଙ୍ଗୀରୁ ଦୀଘା ଯାଏଁ ଉପକୂଳ ରାଜରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବ୍ରହ୍ମପୁରବାସୀ ଏହାର ବିରୋଧ କରିଥିଲେ ଏବଂ ପର୍ଯ୍ୟାବରଣ ସୁରକ୍ଷା ଲାଗି ବିକଳ୍ପ ବ୍ୟବସ୍ଥାରେ ରାଜରାସ୍ତା ସଂଯୋଗ ନିମନ୍ତେ ପ୍ରସ୍ତାବ ଦେଇଥିଲେ । ସାଧାରଣ ନିର୍ବାଚ଼ନ ୨୦୨୪ ପ୍ରଚାର ଅଭିଯାନରେ ସଡ଼କ ପରିବହନ ଓ ରାଜରାସ୍ତା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଥିଲେ ଯେ ଭାରତମାଳା ପରିଯୋଜନାରେ ବାଦ ପଡ଼ିଥିବା ଗୋପାଳପୁର-ସାତପଡ଼ାକୁ ସଂଯୋଗକାରୀ ରାସ୍ତା ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରାଯାଇଛି । ଦୁଇ ଲେନ ବିଶିଷ୍ଟ ଅଢ଼େଇ କିଲୋମିଟର ଦୈଘ୍ୟ ବିଶିଷ୍ଟ ଏହି ରାସ୍ତାରେ ଏକ କିଲୋମିଟର ଚିଲିକା ଜଳରାଶି ଉପରେ ସେତୁ ବା ବ୍ରିଜ ରହିବ । ଏତଦ୍ୱାରା ଜାତୀୟ ରାଜପଥ-୫, ୧୬(କ) ଏବଂ ୩୧୬(କ) ସଂଯୋଗ ସ୍ଥାପିତ ହୋଇ ପରିବହନ ନିମନ୍ତେ ଆଉ ଡ଼ଙ୍ଗା ଆବଶ୍ୟକ ପଡ଼ିବ ନାହିଁ ।
 
ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚ଼ନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଳକ ଚାରିଛକ ଖେଳପଡ଼ିଆରେ ମେ୯ ତାରିଖ ଅପରାହ୍ନରେ ଆୟୋଜିତ ନିର୍ବାଚ଼ନ ସଭାରେ ନୀତିନ ଗଡ଼କରି ଉଦବୋଧନ ଦେଇଥିଲେ । ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ ସେ କୁଆଡ଼େ କହିଥିଲେ ଯେ ସେ ଜନତାଙ୍କୁ ସ୍ୱପ୍ନ ଦେଖାନ୍ତି ନାହିଁ । ସେ ଯାହା କହନ୍ତି, ତାହା କାମରେ ପରିଣତ କରନ୍ତି । ବିଗତ ଦଶ ବର୍ଷରେ ୫୦ ଲକ୍ଷ କୋଟି ଟଙ୍କାର କାମ କରିଛନ୍ତି । କେହି କହିପାରିବେ ନାହିଁ ଯେ ସେ ଯାହା କହିଛନ୍ତି ସେଥିରୁ କୌଣସିଟି କରିନାହାନ୍ତି ।
 
ସେହିପରି ୨୦୧୦-୧୧ରୁ ଗୋପାଳପୁର-ଫୁଲବାଣୀ-ସମ୍ୱଲପୁର ରେଳ ସଂଯୋଗ ପ୍ରସ୍ତାବ ଅଟକି ରହିଛି । ଏହି ପ୍ରକଳ୍ପ ନିମନ୍ତେ ୨୦୨୩ରେ ପ୍ରସ୍ତୁତ ୨୪୧ କିଲୋମିଟର ରେଳପଥର ଡ଼ିଟେଲଡ଼ ପ୍ରୋଜେକ୍ଟ ରିପୋର୍ଟରେ ଫୁଲବାଣୀ ସହରକୁ ବାଦ ଦିଆଯାଇଥିବା ଜଣାଯିବା ପରେ ଜନ ଅସନ୍ତୋଷ ଦେଖା ଦେଇଥିଲା । ଫୁଲବାଣୀ ଦେଇ ରେଳପଥ ନିର୍ମାଣ ନିମନ୍ତେ ପାର୍ବତ୍ୟାଞ୍ଚଳରେ ରେଳଧାରଣା ବିଛାଇବା କାର୍ଯ୍ୟରେ ଅଧିକ ଖର୍ଚ୍ଚାନ୍ତ ହେବା କାରଣ ଦର୍ଶାଯାଇ ମାନଚ଼ିତ୍ରରେ କାଟଛାଟ କରାଯାଇଥିବା କୁହାଯାଇଥିଲା । ଗଣମାଧ୍ୟମରେ ପ୍ରକାଶିତ ବିବରଣୀ ଅନୁଯାୟୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଖଲ ହୋଇଥିବା ଡ଼ିପିଆର ଫେରାଇ ଦେଇ ପୂର୍ବ ଯୋଜନା ମୁତାବକ ଫୁଲବାଣୀ ସହର ଦେଇ ରେଳପଥ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଗୋପାଳପୁର-ଫୁଲବାଣୀ-ରେଢ଼ାଖୋଲ କେନ୍ଦ୍ର ସରକାରଙ୍କ ଗତିଶକ୍ତିଯୋଜନାରେ ସାମିଲ କରାଯାଇଛି । ଆଗାମୀ ୨୦୨୮ ମାର୍ଚ୍ଚ ମାସ ସୁଦ୍ଧା ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରୂପାୟନ ନିମନ୍ତେ ନୀତିଗତ ନିଷ୍ପତି ଗୃହୀତ ହୋଇଛି ।
 
ଗୋପାଳପୁର-ଦୀଘା ସହ ଦୁଇ ପର୍ଯ୍ୟାୟରେ ସଡ଼କପଥ ଏବଂ ଗୋପାଳପୁର-ଫୁଲବାଣୀ-ରେଢ଼ାଖୋଲ ରେଳପଥ ସଂଯୋଗ ବ୍ରହ୍ମପୁର ସହର ନିମନ୍ତେ ବହୁମୁଖୀ ବିକାଶର ସୁଯୋଗ ସୃଷ୍ଟି କରିବା ଆଶା କରାଯାଇପାରେ । ଗୋପାଳପୁରଠାରେ ୩୦ ବର୍ଷ ପୂର୍ବେ ଇସ୍ପାତ କାରଖାନା ନିମନ୍ତେ ଅଧିଗୃହୀତ ଜମିରେ ଟାଟା ଗୃପ ପକ୍ଷରୁ ଶିଳ୍ପପାର୍କ କାର୍ଯ୍ୟକ୍ଷମ କରିବା ଓ ଗୋପାଳପୁର ବନ୍ଦର ଆଦାନୀ ଗୃପ ହାତକୁ ଯିବା ପରେ ୧୦ ଓ ୧୫ ବର୍ଷ ଧରି ପଡ଼ିରହିଥିବା ଗୋପାଳପୁରକୁ ଅଧିକ ସଡ଼କପଥ ଓ ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ ହେବା ଆଶା କରାଯିବା କଥା । ଅପରପକ୍ଷେ ଗୋପାଳପୁର-ରେଢ଼ାଖୋଲ ରେଳପଥ ଗତି କରୁଥିବା ଚାରିଗୋଟି ସାଂସଦୀୟ କ୍ଷେତ୍ର ବ୍ରହ୍ମପୁର, ଆସିକା, କନ୍ଧମାଳ ଓ ସମ୍ୱଲପୁରର ବିଜେପି ସାଂସଦ ନିର୍ବାଚ଼ିତ ହୋଇଛନ୍ତି । ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଶ୍ୱିନୀ ବୈଷ୍ଣବ ଓ ନୀତିନ ଗଡ଼କରି ରେଳ ଓ ସଡ଼କ ପରିବହନ ମନ୍ତ୍ରୀ ଭାବେ ପୁନର୍ବାର ଅବସ୍ଥାପିତ ହୋଇଛନ୍ତି । ଅତଏବ ଧାର୍ଯ୍ୟ ସମୟ ମଧ୍ୟରେ ଦୁଇ ପ୍ରକଳ୍ପ ରୂପାୟନର ଆଶା ଉଜ୍ଜଳ କୁହାଯାଇପାରେ ।


Image by Susanne Stöckli from Pixabay


Friday, June 14, 2024

Two Ministers from Ganjam / ଗଞ୍ଜାମ ଜିଲ୍ଲାରୁ ଦୁଇ ମନ୍ତ୍ରୀ

 

କେନ୍ଦ୍ର କିମ୍ୱା ରାଜ୍ୟରେ ୨୦୨୪ ନିର୍ବାଚ଼ନ ପରବର୍ତ୍ତୀ ଅବସ୍ଥାରେ ଭାରତୀୟ ଜନତା ପାର୍ଟି ଦ୍ୱାରା ଗଠିତ ମନ୍ତ୍ରିମଣ୍ଡଳରେ #ବ୍ରହ୍ମପୁର ସହରର ସାଂସଦ କିମ୍ୱା ବିଧାୟକ ସାମିଲ ହୋଇନାହାନ୍ତି । ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଓ ବିଧାୟକ କେ. ଅନୀଲ କୁମାର ୨୦୨୪ ନିର୍ବାଚ଼ନର ମାତ୍ର କିଛି ଦିନ ପୂର୍ବରୁ ବିଜୁ ଜନତା ଦଳରୁ ଯାଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ତେଣୁ ଦଳୀୟ ମାନଦଣ୍ଡରେ ମନ୍ତ୍ରିମଣ୍ଡଳରେ ସେମାନଙ୍କ ପ୍ରତିନିଧିତ୍ୱ ସମ୍ଭବ ହୋଇପାରିନାହିଁ । ଗୋପାଳପୁର ବିଧାନସଭା ନିର୍ବାଚ଼ନମଣ୍ଡଳୀରୁ ନିର୍ବାଚ଼ିତ ବିଧାୟକ ବିଭୂତି ଜେନା ଓ ପୋଲସରା ନିର୍ବାଚ଼ନମଣ୍ଡଳୀରୁ ନିର୍ବାଚ଼ିତ ବିଧାୟକ ଗୋକୁଳାନନ୍ଦ ମଳିକ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ରାଜଧାନୀ ଭୁବନେଶ୍ୱରଠାରେ ୧୨ ଜୁନରେ ଆୟୋଜିତ ସମାବେଶରେ ବିଭୂତି ଜେନା କ୍ୟାବିନେଟ ଓ ଗୋକୁଳାନନ୍ଦ ମଳିକ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀଭାବେ ଶପଥ ନେଇଥିଲେ ।
 
ବିଭୂତି ଜେନା ବ୍ରହ୍ମପୁରରେ ଚର୍ଚ୍ଚିତ ଭାଜପା ଚ଼େହରା । ସେ ୨୦୨୧ରେ ଗଞ୍ଜାମ ଜିଲ୍ଲା ଭାଜପା ସଭାପତି ଭାବେ ମନୋନୀତ ହେବା ପରଠୁ ସହରରେ ସରକାର ବିରୋଧୀ ସଭାସମିତି ବିକ୍ଷୋଭ ନେତୃତ୍ୱ ନେଇ ଆସିଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟଭାବେ ସେ ସାଂଗଠନିକ ଜୀବନ ଆରମ୍ଭ କରିଥିଲେ । ନିଜ ଗ୍ରାମ ଗୋଳନ୍ଥରାଠାରେ ଯୁବାବସ୍ଥାରେ ମଦ ବିରୋଧୀ ଆନ୍ଦୋଳନ ତାଙ୍କ ରାଜନୀତିକ ସଂଗ୍ରାମର ପ୍ରଥମ ସ୍ୱାକ୍ଷର । ସେ ୧୯୯୭ରେ ସରପଞ୍ଚ, ୨୦୦୨ରେ ଜିଲ୍ଲା ପରିଷଦ ସଭ୍ୟ, ୨୦୦୭ରୁ ୨୦୧୩ ମଧ୍ୟରେ ଦୁଇ ଥର ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଅଭିଜ୍ଞତାକୁ ବିଚାରକୁ ନେଲେ ରାଜ୍ୟସ୍ତରୀୟ ଭାଜପା ସଂଗଠନ କାର୍ଯ୍ୟକ୍ରମରେ ବିଭୂତି ଜେନା ସକ୍ରିୟ ରହିଆସିଥିବା ସୁସ୍ପଷ୍ଟ । ସେ ୨୦୦୯, ୨୦୧୪ ଓ ୨୦୧୯ ତିନି ଥର ବିଧାନସଭା ନିର୍ବାଚନରେ ଗୋପାଳପୁରରୁ ଭାଜପା ପ୍ରାର୍ଥୀଭାବେ ଲଢ଼ି ପରାସ୍ତ ହୋଇଥିଲେ । ୨୦୧୯ ନିର୍ବାଚନରେ ଗୋପାଳପୁର ନିର୍ବାଚ଼ନମଣ୍ଡଳୀରୁ ବିଜୟୀ ତତ୍କାଳୀନ ବିଜୁ ଜନତା ଦଳର ପ୍ରଦୀପ କୁମାର ପାଣିଗ୍ରୀହୀଙ୍କଠାରୁ ଭୋଟ ବ୍ୟବଧାନ ଅତି କମ ରହିଥିଲା । ପରିବର୍ତ୍ତିତ ପରିସ୍ଥିତିରେ ୨୦୨୪ ନିର୍ବାଚନରେ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଭାଜପା ଟିକଟରେ ପ୍ରଦୀପ କୁମାର ପାଣିଗ୍ରାହୀ ସାଂସଦ ଓ ବିଭୂତି ଜେନା ବିଧାୟକ ପ୍ରାର୍ଥୀ ହୋଇଥିଲେ ।
 
ଗୋକୁଳାନନ୍ଦ ମଳିକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ସଙ୍କୁରୁ ପଞ୍ଚାୟତ ଘୋଳପୁର ଗ୍ରାମ ବାସିନ୍ଦା । ତେବେ ସ୍କୁଲ ଶିକ୍ଷା ଶେଷରେ ସେ ଭୁବନେଶ୍ୱରରେ କଲେଜ ଶିକ୍ଷାର୍ଜନ କରି ସେଠାରେ ହିଁ ବ୍ୟବସାୟ ଆରମ୍ଭ କରିଥିଲେ । ରାଜନୀତିରେ ଋଚି ରଖି ୨୦୧୧ରେ ଗ୍ରାମକୁ ଫେରି କଂଗ୍ରେସ ଦଳରେ ଯୋଗ ଦେଇ ୨୦୧୨ରେ ବୁଗୁଡ଼ା ବ୍ଳକ ଅଧ୍ୟକ୍ଷ ଭାବେ ନିର୍ବାଚ଼ିତ ହୋଇଥିଲେ । ଦୁଇ ବର୍ଷ ପରେ ୨୦୧୪ ନିର୍ବାଚନରେ କଂଗ୍ରେସ ଟିକଟରେ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ରୂପେ ପରାଜିତ ହୋଇଥିଲେ । ତତ୍ ପରବର୍ତ୍ତୀ ଅବସ୍ଥାରେ ସେ ଭାଜପାରେ ଯୋଗ ଦେଇ ୨୦୧୯ ନିର୍ବାଚ଼ନରେ ଅବତୀର୍ଣ୍ଣ ହୋଇ ପୁଣି ହାରିଥିଲେ । ତୃତୀୟବାର ୨୦୨୪ରେ ନିର୍ବାଚ଼ିତ ହୋଇ ଭାଜପା ସରକାରରେ ସାମିଲ ହୋଇଛନ୍ତି । ପୋଲସରାର ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ରହିଥିଲେ ।
 
ରାଜ୍ୟର ପ୍ରଥମ ଭାଜପା ମନ୍ତ୍ରୀମଣ୍ଡଳର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ଦୀର୍ଘ ସାଂଗଠନିକ ଅଭିଜ୍ଞତାକୁ ଗୁରୁତ୍ୱ ଦିଆଯାଇଛି । ୨୦୨୪ ନିର୍ବାଚନ ଅବସରରେ ଦଳ ପକ୍ଷରୁ ଶାଣିତ ସଂଘର୍ଷ ଆୟୋଜନ କରାଯାଇଥିବା ଅବସରରେ ଅନ୍ୟାନ୍ୟ ରାଜନୀତିକ ଦଳରୁ ଆଗତ ବହୁ ନେତାଙ୍କୁ ଟିକଟ ଦିଆଯାଇଥିଲା ସତ, କିନ୍ତୁ ଦଳୀୟ ଅନୁଭୂତିକୁ ବିଚାରକୁ ନେଇ ମନ୍ତ୍ରୀପଦରେ ଅବସ୍ଥାପିତ କରାଯାଇନାହିଁ । ଗୋପାଳପୁର ଓ ପୋଲସରା ବିଧାୟକ ଗଞ୍ଜାମ ଜିଲ୍ଲା ପ୍ରତିନିଧିତ୍ୱ କରୁଥିବା ସ୍ଥଳେ ସେମାନଙ୍କ ନିର୍ବାଚନମଣ୍ଡଳୀ ମୁଖ୍ୟତଃ ଗ୍ରାମାଞ୍ଚଳ ଅନ୍ତର୍ଗତ ହୋଇଥିବା ହେତୁ ବ୍ରହ୍ମପୁର ଭଳି ସହରାଞ୍ଚଳ ସମସ୍ୟା ସମାଧାନ ଦିଗରେ କିଭଳି ଆଭିମୁଖ୍ୟ ଗ୍ରହଣ କରିବେ ତାହା ସମୟ କହିବ ।


 Image by Minh Hung Le from Pixabay


Friday, June 7, 2024

Independent Politicians / ସ୍ୱାଧୀନ ପ୍ରାର୍ଥୀ ଓ ସ୍ଥାନୀୟ ସମସ୍ୟା

 


#ବ୍ରହ୍ମପୁର ରାଜନୀତିରେ ୨୦୨୪ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ସ୍ୱାଧୀନ ପ୍ରାର୍ଥୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଅନୁଶୀଳନ ସ୍ଥାନୀୟ ସାମାଜିକ ବିକାଶ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ଆଠ ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିବା ସ୍ଥଳେ ପ୍ରତ୍ୟେକଙ୍କ ଅର୍ଜିତ ଭୋଟ ସଂଖ୍ୟା ସର୍ବାଧିକରୁ ସର୍ବନିମ୍ନ ଯଥାକ୍ରମେ (୧) ୨୪,୬୬୧, (୨) ୩୭୮, (୩) ୩୬୪, (୪) ୩୪୧, (୫) ୩୨୨, (୬) ୩୧୧, (୭) ୧୩୯ ଓ (୮) ୯୩ ଗଣତି କରାଯାଇଥିଲା । ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ସ୍ୱାଧୀନ ପ୍ରାର୍ଥୀ ଅର୍ଥ (୧) ସେମାନେ କୌଣସି ରାଜନୀତିକ ଦଳ ଅନୁଗତ ନଥିବା, (୨) ସ୍ଥାନୀୟ ସମସ୍ୟା ସମାଧାନରେ ଆଗ୍ରହୀ, (୩) ବୃତ୍ତିଗତ ପ୍ରଫେସନାଲ କିମ୍ୱା ପ୍ରବୃତ୍ତିଗତ ଭୋକେସନାଲ ଭାବେ ସମାଜ ସେବାରେ ଉତ୍ସର୍ଗୀକୃତ ବ୍ୟକ୍ତି ଚ଼ରିତ୍ରଙ୍କୁ ବୁଝାଏ । ନିର୍ବାଚନ ଫଳାଫଳ ତର୍ଜମା କରିବା ଅବସରରେ ଏଭଳି ମହତକାଂକ୍ଷୀ ରାଜନେତାଙ୍କ ମଧ୍ୟରୁ ସାତ ଜଣଙ୍କ ଭୋଟ ସଂଖ୍ୟା ହାରାହାରି ଅଢ଼େଇ ଶହରେ କାହିଁକି ସୀମିତ ରହିଲା ? ଏହାର ବହୁବିଧ କାରଣ ଖୋଜି ବାହାର କରାଯିବା ଅବକାଶ ଥିବା ସତ୍ତ୍ୱେ ସ୍ୱାଧୀନ ପ୍ରାର୍ଥୀମାନେ ବ୍ରହ୍ମପୁର ଜନସାଧାରଣଙ୍କ ଯେ ବିଶ୍ୱାସଭାଜନ ହୋଇପାରିନଥିଲେ, ଏହି ନିଷ୍କର୍ଷକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

 

ଜଣେ ସ୍ୱାଧୀନ ପ୍ରାର୍ଥୀ ଯଦି ଅଢ଼େଇ ଶହ ଭୋଟ ପାଉଛନ୍ତି ତେବେ ନିଜ ପରିବାରରୁ ପାଞ୍ଚ ଖଣ୍ଡ, ସଂପ୍ରସାରିତ ପରିବାରବର୍ଗଙ୍କଠାରୁ ୨୫ରୁ ୫୦ ଖଣ୍ଡ, ପାଖପଡ଼ିଶା ୧୦ରୁ ୨୦ ପରିବାରରୁ ୫୦ରୁ ୧୦୦ ଖଣ୍ଡ ନିକଟତର ବନ୍ଧୁ ଗହଣରୁ ୫୦ରୁ ୧୦୦ ଖଣ୍ଡ ଭୋଟ ହିସାବ କରାଯାଇପାରେ । ମନସ୍ତତ୍ତ୍ୱବିତମାନେ ବନ୍ଧୁ ସଂଖ୍ୟା ପରିମାପ କଲାବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅଢ଼େଇ ଶହ ଯାଏଁ ବ୍ୟକ୍ତିଙ୍କ ସହ ଘନିଷ୍ଠତା ଥିବା ତତ୍ତ୍ୱ ପ୍ରତିପାଦିତ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠେ ସ୍ୱାଧୀନ ପ୍ରାର୍ଥୀମାନେ ଯଦି ସମାଜସେବାରେ ଉତ୍ସର୍ଗୀକୃତ ଜୀବନ ଅତିବାହିତ କରୁଛନ୍ତି, ତେବେ ତାହା ଭୋଟରେ କାହିଁକି ପରିଣତ ହୋଇ ପାରିନାହିଁ ?

 

ସରଳ ଉତ୍ତରରେ ସେମାନଙ୍କ ସମାଜସେବା ଜନସାଧାରଣଙ୍କ ଆସ୍ଥା ଜିଣି ପାରୁନାହିଁ । ଚାରିରୁ ପାଞ୍ଚ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବ୍ରହ୍ମପୁର ସହର ପାରମ୍ପରିକ ଭାବେ ପ୍ରଶାସନିକସ୍ତରରେ ଅବହେଳିତ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ଓ ପରେ ଉପାନ୍ତ ସହରଭାବେ ମାଡ୍ରାସ ବା ଭୁବନେଶ୍ୱର ପ୍ରଶାସନିକ କେନ୍ଦ୍ରଠାରୁ ଦୂରରେ ରହିଆସିଛି । ଫଳତଃ ପ୍ରଶାସନିକ ଅଧିକାରୀମାନଙ୍କ ଦୌରାତ୍ମ୍ୟ ପ୍ରତିରୋଧ କରି ସାଧାରଣ ନାଗରିକ ତିଷ୍ଠିପାରେ ନାହିଁ । ବ୍ୟକ୍ତିଗତ ବା ସାମୂହିକ ସମସ୍ୟା ବିରୋଧରେ ସ୍ୱର ଉତ୍ତୋଳନ କରିବା ନିମନ୍ତେ କେହି ସହଭାଗୀ ମିଳନ୍ତି ନାହିଁ । ବିଧାନସଭାମଣ୍ଡଳୀରେ ଯଦି ଆଠ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି, ତେବେ ଦଶ ଗୁଣ ଅନ୍ତତଃ ପକ୍ଷେ ଅଶୀରୁ ଶହେ ଜଣ ପ୍ରତ୍ୟକ୍ଷ ଭାବେ ରାଜନୀତିକ ଦଳ ସହବନ୍ଧିତ ନହୋଇ ସମାଜସେବା ନିମନ୍ତେ ଉତ୍ସର୍ଗୀକୃତ ନିଶ୍ଚୟ । କିନ୍ତୁ ଏହି ବୃହତ୍ତ ଶୃଙ୍ଖଳରୁ ସାଧାରଣ ନାଗରିକ କଣ ସୁବିଧା ପାଇପାରୁଛନ୍ତି ? ଯଦି କିଛି ସୁବିଧା ପାଇପାରୁଥାନ୍ତେ, ତେବେ ତାହା ନିଶ୍ଚିତ ଭୋଟରେ ପରିଣତ ହୋଇଥାନ୍ତା ।

 

ସ୍ୱାଧୀନ ରାଜନୀତିକଜ୍ଞମାନଙ୍କୁ ନିଜ ସାମାଜିକ କାର୍ଯ୍ୟଧାରା ବଦଳାଇବା ସମୟ ଉପନୀତ । ଫେସବୁକ, ହ୍ୱାଟସଆପ ଓ ସ୍ମାର୍ଟଫୋନର ବହୁଳ ପ୍ରଚଳନ ପରେ ସାଧାରଣ ଜନତାଙ୍କ ସହ ଯୋଡ଼ି ହେବା ସମସ୍ୟାର ଅନ୍ତ ଘଟିଛି । ଯଦି ଜଣେ କର୍ମୀ ଦୈନିକ ଜଣେ ବ୍ୟକ୍ତି ବା ପରିବାରର ସମସ୍ୟା ସମାଧାନରେ ସହାୟତାର ହାତ ବଢ଼ାଏ, ତେବେ ପରବର୍ତ୍ତୀ ନିର୍ବାଚନ ନିମନ୍ତେ ପାଞ୍ଚରୁ ପଚାଶ ଭୋଟ ଅର୍ଜନର ପ୍ରତିଶୃତି ଆଶା କରାଯାଇପାରେ । ଦୈନିକ ୫୦ x ବାର୍ଷିକ ୩୬୫ ଦିନ x ପାଞ୍ଚ ବର୍ଷ = ନବେ ହଜାରରୁ ଲକ୍ଷେ ପ୍ରତ୍ୟକ୍ଷ ଭୋଟ ଏବଂ ଆନୁସଙ୍ଗିକ ପରୋକ୍ଷ ଭୋଟ ଅର୍ଜନର ହିସାବ ପରବର୍ତ୍ତୀ ନିର୍ବାଚନ ଲାଗି ସମର୍ଥକ ସୃଷ୍ଟି କରିବ ।

 

ପରିବର୍ତ୍ତିତ ପରିବେଶରେ ରାଜନୀତିରେ ଯେଉଁମାନେ ଆଗ୍ରହୀ ସେମାନେ ନିଜକୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଗଢ଼ି ତୋଳିବା ନିମନ୍ତେ ଯତ୍ନବାନ ହେବା ହିଁ ପ୍ରକୃଷ୍ଟ ପନ୍ଥା । ଦଳୀୟ ରାଜନୀତିରେ ଆଗ୍ରହ, ଦକ୍ଷତା ଓ ଉତ୍ସର୍ଗୀକୃତ ଜୀବନ ଭିନ୍ନ ଅନ୍ୟ କାରଣଗୁଡ଼ିକ ନିର୍ବାଚନ ପ୍ରାର୍ଥୀ ଚୟନରେ ଗୁରୁତ୍ୱ ଲାଭ କରୁଥିବା ହେତୁ ନିଜସ୍ୱ ରାଜନୀତିକ ବ୍ୟକ୍ତିତ୍ୱ ପ୍ରତିଷ୍ଠା ହିଁ ଉଭୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତସ୍ତରରେ ଲାଭ ଦାୟକ । ତେଣିକି ଦଳର ଦାବୀ ପୂରଣ କରିପାରି ଟିକେଟ ମିଳିଲେ ଭଲ କଥା । ବ୍ରହ୍ମପୁର ସହରରେ ସାମାଜିକ ସମସ୍ୟା ସମାଧାନ ଦିଗରେ ଉଦ୍ୟମ ସ୍ଥାନୀୟ ଜନଜୀବନ ଉନ୍ନତିରେ ସହାୟକ ହୋଇପାରିବ । ସହରର ସ୍ୱାଧୀନ ରାଜନୀତିଜ୍ଞମାନଙ୍କୁ ଏଦିଗରେ ଅନ୍ୟମାନଙ୍କ ପରାମର୍ଶରେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ । ପାରମ୍ପରିକ ମଡ଼େଲରେ କାମ କଲେ ଭୋଟ ହାର ଅଢ଼େଇ ଶହରେ ହିଁ ଲଟକି ରହିବ !

 

ସ୍ୱାଧୀନ ଭାରତରେ ପ୍ରଥମ ବିଧାନସଭା ନିର୍ବାଚନରେ ବ୍ରହ୍ମପୁର ନିର୍ବାଚନମଣ୍ଡଳୀରୁ ୧୯୫୨ରେ ରାମ ଚନ୍ଦ୍ର ମିଶ୍ର  ଓ ଦଣ୍ଡପାଣି ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ତତ୍କାଳୀନ ପ୍ରବଳ ପ୍ରତାପୀ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇଥିଲେ । ସେହିପରି ୧୯୭୭ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ମହୁରି ରାଣୀ ରତ୍ନ ମଞ୍ଜରୀ ଦେବୀ ଜୟଯୁକ୍ତ ହୋଇଥିଲେ । ଏହି ସମୃଦ୍ଧ ପରମ୍ପରାରୁ ସହରର ସ୍ୱାଧୀନ ରାଜନୀତିଜ୍ଞମାନେ ସମାଜସେବାରେ ନୂତନ ଅଧ୍ୟାୟ ସୃଷ୍ଟି କରିବା ନିମନ୍ତେ ପ୍ରେରଣା ପାଇବେ ନିଶ୍ଚୟ ।

Image by Mohamed Hassan from Pixabay