Friday, June 28, 2024

Pilgrimage to Puri / ପୁରୀ ଯାତ୍ରୀ

 

#ବ୍ରହ୍ମପୁର ସହରବାସୀଙ୍କ ପୁରୀ ଯାତ୍ରା ଏକ ପାରମ୍ପରିକ ଅଭ୍ୟାସ । ଅଧୂନା ବଡ଼ ବଜାରରେ ପୂର୍ବ ପ୍ରତିଷ୍ଠିତ ମହୁରି ରାଜ ଉଆସକୁ ଘେରି ଜନବସତି ସହ ବହୁ ସଂଖ୍ୟକ ମଠ-ମନ୍ଦିର-ପୁଷ୍କରଣୀ ଗଢ଼ି ଉଠିଥିଲା । ସେଥି ମଧ୍ୟରେ ଏକାଧିକ ଜଗନ୍ନାଥ ମନ୍ଦିର ଅନ୍ତର୍ଭୁକ୍ତ ଥିଲା । ସ୍ଥାନୀୟ ଅଧିବାସୀ ବର୍ଷର ବିଭିନ୍ନ ସମୟରେ, ମୁଖ୍ୟତଃ ଯାନିଯାତ୍ରାରେ ଯୋଗଦେବା ନିମନ୍ତେ ପୁରୀ ଯାଉଥିଲେ । ବିଂଶ ଶତାଦ୍ଦୀ ଆରମ୍ଭରୁ ବ୍ରହ୍ମପୁରରୁ ପୁରୀ ଯାଏଁ ରେଳ ସଂଯୋଗ ଅତ୍ୟନ୍ତ ଲୋକପ୍ରିୟ ହୋଇଥିବା ଜଣାଯାଏ । ପ୍ରଥମ ବିଶ୍ୱଯୁଦ୍ଧ ବେଳକୁ ବ୍ରହ୍ମପୁର ଦେଇ ପୁରୀକୁ ସିଧାସଳଖ ଯାତ୍ରୀବାହୀ ରେଳ ଚଳାଚଳ କରୁଥିବା ଇତିହାସ ପୃଷ୍ଠାରୁ ପ୍ରମାଣ ମିଳେ । ରେଳ ସଂଯୋଗ ପୂର୍ବରୁ ବ୍ରହ୍ମପୁର ସମେତ ଗଞ୍ଜାମର ଗ୍ରାମାଞ୍ଚଳରୁ ତୀର୍ଥଯାତ୍ରୀ ଚାଲି ଚାଲି ଓ ଶଗଡ଼ରେ ପୁରୀ ଯାତ୍ରା କରୁଥିଲେ । ଏହି ଯାତ୍ରା କଷ୍ଟସାଧ୍ୟ ଓ ବିପଦପୂର୍ଣ୍ଣ ଥିଲେ ହେଁ ଯାତ୍ରୀଗଣ ସପରିବାରେ ଦଳ ଦଳ ହୋଇ ଯାଉଥିଲେ । ରଥଯାତ୍ରା ଅବସରରେ ବିପୁଳ ସଂଖ୍ୟକ ଯାତ୍ରୀ ଯୋଗ ଦେଉଥିବା ତଥା ପୁରୀରେ ପରିମଳ ଅବ୍ୟବସ୍ଥା ହେତୁ ହଇଜା ବ୍ୟାପିବା ସାଧାରଣ କଥା ଥିଲା । ପୁରୀ ଫେରନ୍ତା ଯାତ୍ରୀଙ୍କ ଦ୍ୱାରା ବ୍ରହ୍ମପୁର ତଥା ଗଞ୍ଜାମର ଗ୍ରାମାଞ୍ଚଳରେ ହଇଜା ରୋଗର ପ୍ରାଦୁର୍ଭାବ ଦେଖା ଦେଉଥିବା ଇଂଲିଶ ପ୍ରଶାସକମାନେ ବିଭିନ୍ନ ବିବରଣୀରେ ଉଲ୍ଲେଖ କରିଛନ୍ତି । ରଥଯାତ୍ରା ଅବସରରେ ପୁରୀ ସହରରେ ପ୍ରବେଶ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ହଇଜା ପ୍ରତିଷେଧକ ଇଞ୍ଜେକସନ ଦେବା ପ୍ରଥା ୧୯୬୫-୭୦ ଯାଏଁ ବଳବତ୍ତର ଥିଲା ।
 
ବ୍ରହ୍ମପୁରବାସୀଙ୍କ ତୀର୍ଥଯାତ୍ରାରେ ପୁରୀର ପ୍ରାଧାନ୍ୟର ତିନିଗୋଟି ମୁଖ୍ୟ କାରଣ ଭାବେ ଅପେକ୍ଷାକୃତ ନିକଟତର ତୀର୍ଥକ୍ଷେତ୍ର, ରେଳ ଓ ସଡ଼କ ପଥରେ ଯୋଗଯୋଗ ତଥା ଅଭ୍ୟାଗତ-ଅନୁକୂଳ ଶ୍ରୀମନ୍ଦିର ସୁବିଧା ସୁଯୋଗକୁ ଚିହ୍ନଟ କରାଯାଇପାରେ । ଜଗନ୍ନାଥ ମନ୍ଦିର ଚତୁର୍ଦ୍ଦିଗରେ ପରିକ୍ରମା ପ୍ରକଳ୍ପ ଉଦଘାଟିତ ହେବାପରେ କୋଭିଡ଼ ମହାମାରୀ-ପର ଅବସ୍ଥାରେ ବହୁ ସଂଖ୍ୟକ ବ୍ରହ୍ମପୁରବାସୀ ପୁରୀ ଯାତ୍ରା କରିଥିଲେ । ଶ୍ରୀମନ୍ଦିର ସ୍ୱତନ୍ତ୍ର ପୂଜାର୍ଚ୍ଚନାରେ ଯୋଗ ଦେବା ନିମନ୍ତେ ଘରୋଇ ଟୁର ଅପରେଟର ଦିନିକିଆ ବସ ସେବା ଆରମ୍ଭ କରିଛନ୍ତି । ଯାତ୍ରୀ ପିଛା ଏକ ହଜାର ଟଙ୍କାରୁ କମ ବ୍ୟୟରେ ଦିନକ ପାଇଁ ବ୍ରହ୍ମପୁରରୁ ପୁରୀ ବସଯାତ୍ରା ସହ ଖାଦ୍ୟପେୟ ଖର୍ଚ୍ଚ ମୁଖ୍ୟତଃ ବରିଷ୍ଠ ନାଗରିକଙ୍କୁ ଆକର୍ଷିତ କରିବା ଆଶା କରାଯାଏ ।
 
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ହୋଇପାରି ନାହିଁ । ଏହି ଦିଗରେ ପାରମ୍ପରିକ ପଦ୍ଧତିକୁ ବଦଳାଇବା ନିମନ୍ତେ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଅମଙ୍ଗ ମୁଖ୍ୟ ମନ୍ଦିରରେ ଏକକାଳୀନ ବହୁ ସଂଖ୍ୟକ ଯାତ୍ରୀଙ୍କ ସମାଗମ ଠେଲା ପେଲା ପରିସ୍ଥିତି ସୃଷ୍ଟି କରିଥାଏ । ଶିଶୁ ଓ ବୟସ୍କମାନେ ଭିଡ଼ରେ ବିଗ୍ରହ ଦର୍ଶନ କରିପାରନ୍ତି ନାହିଁ ।
 
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ସଂସ୍କାର ପଦକ୍ଷେପରେ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ସମୟନିର୍ଘଣ୍ଟ ନିର୍ଦ୍ଧାରଣ ସ୍ଳଟ ବୁକିଂ ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇଥିବା କଥା ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତିରୁପତି ବାଲାଜୀ ମନ୍ଦିରରେ ଏହି ବ୍ୟବସ୍ଥା ଦୀର୍ଘ ଅତୀତରୁ ସଫଳତାର ସହ କାର୍ଯ୍ୟକାରୀ ହେଉଛି । ଭକ୍ତମାନେ ମୋବାଇଲ ଫୋନ ଯୋଗେ ଦର୍ଶନ ଆବେଦନ କରି ନିର୍ଦ୍ଧାରିତ ସମୟ ଜାଣିପାରିବେ । ଫଳରେ ଘଣ୍ଟାଏ ବା ଅଧଘଣ୍ଟା ପୂର୍ବରୁ ଅଭ୍ୟର୍ଥନା ପ୍ରକୋଷ୍ଠରେ ଉପସ୍ଥିତ ହୋଇ ଠିକ ସମୟରେ ଦ୍ୱାରଦେଇ ପ୍ରବେଶର ସୁଯୋଗ ମିଳିବ । ଏତଦ୍ୱାରା ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କୁ ଦୀର୍ଘ ସମୟ ଧାଡିରେ ଛିଡ଼ା ହେବା ସମସ୍ୟାରୁ ନିସ୍ତାର ମିଳିବ । ବ୍ରହ୍ମପୁର ଭଳି ଦୂରାନ୍ତ ଅଞ୍ଚଳବାସୀ ଅଳ୍ପ ସମୟ ବ୍ୟୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କିନ୍ତୁ ମୁଖ୍ୟ ମନ୍ଦିରରେ ପହଞ୍ଚିଲା ପରେ କିଭଳି ଭିଡ଼ ନିୟନ୍ତିତ ହୋଇପାରିବ ସେଦିଗରେ କିପରି ବିହିତ ପଦକ୍ଷେପ ଗ୍ରହଣ କରାଯାଇପାରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ !


 Image by Franz Bachinger from Pixabay


No comments:

Post a Comment