#ବ୍ରହ୍ମପୁର ରାଜନୀତିରେ ୨୦୨୪ ବିଧାନସଭା
ନିର୍ବାଚନରେ ଅବତୀର୍ଣ୍ଣ ସ୍ୱାଧୀନ ପ୍ରାର୍ଥୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଅନୁଶୀଳନ ସ୍ଥାନୀୟ
ସାମାଜିକ ବିକାଶ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ
ଆଠ ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିବା ସ୍ଥଳେ ପ୍ରତ୍ୟେକଙ୍କ ଅର୍ଜିତ ଭୋଟ
ସଂଖ୍ୟା ସର୍ବାଧିକରୁ ସର୍ବନିମ୍ନ ଯଥାକ୍ରମେ (୧) ୨୪,୬୬୧, (୨) ୩୭୮, (୩) ୩୬୪, (୪) ୩୪୧, (୫)
୩୨୨, (୬) ୩୧୧, (୭) ୧୩୯ ଓ (୮) ୯୩ ଗଣତି କରାଯାଇଥିଲା । ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ‘ସ୍ୱାଧୀନ ପ୍ରାର୍ଥୀ’ ଅର୍ଥ (୧) ସେମାନେ କୌଣସି ରାଜନୀତିକ ଦଳ ଅନୁଗତ
ନଥିବା, (୨) ସ୍ଥାନୀୟ ସମସ୍ୟା ସମାଧାନରେ ଆଗ୍ରହୀ, (୩) ବୃତ୍ତିଗତ ‘ପ୍ରଫେସନାଲ’ କିମ୍ୱା ପ୍ରବୃତ୍ତିଗତ ‘ଭୋକେସନାଲ’ ଭାବେ ସମାଜ ସେବାରେ ଉତ୍ସର୍ଗୀକୃତ ବ୍ୟକ୍ତି
ଚ଼ରିତ୍ରଙ୍କୁ ବୁଝାଏ । ନିର୍ବାଚନ ଫଳାଫଳ ତର୍ଜମା କରିବା ଅବସରରେ ଏଭଳି ମହତକାଂକ୍ଷୀ ରାଜନେତାଙ୍କ
ମଧ୍ୟରୁ ସାତ ଜଣଙ୍କ ଭୋଟ ସଂଖ୍ୟା ହାରାହାରି ଅଢ଼େଇ ଶହରେ କାହିଁକି ସୀମିତ ରହିଲା ? ଏହାର ବହୁବିଧ କାରଣ ଖୋଜି ବାହାର କରାଯିବା ଅବକାଶ
ଥିବା ସତ୍ତ୍ୱେ ସ୍ୱାଧୀନ ପ୍ରାର୍ଥୀମାନେ ବ୍ରହ୍ମପୁର ଜନସାଧାରଣଙ୍କ ଯେ ବିଶ୍ୱାସଭାଜନ
ହୋଇପାରିନଥିଲେ, ଏହି ନିଷ୍କର୍ଷକୁ କେହି ଅସ୍ୱୀକାର କରିପାରିବେ ନାହିଁ ।
ଜଣେ ସ୍ୱାଧୀନ
ପ୍ରାର୍ଥୀ ଯଦି ଅଢ଼େଇ ଶହ ଭୋଟ ପାଉଛନ୍ତି ତେବେ ନିଜ ପରିବାରରୁ ପାଞ୍ଚ ଖଣ୍ଡ, ସଂପ୍ରସାରିତ
ପରିବାରବର୍ଗଙ୍କଠାରୁ ୨୫ରୁ ୫୦ ଖଣ୍ଡ, ପାଖପଡ଼ିଶା ୧୦ରୁ ୨୦ ପରିବାରରୁ ୫୦ରୁ ୧୦୦ ଖଣ୍ଡ ନିକଟତର
ବନ୍ଧୁ ଗହଣରୁ ୫୦ରୁ ୧୦୦ ଖଣ୍ଡ ଭୋଟ ହିସାବ କରାଯାଇପାରେ । ମନସ୍ତତ୍ତ୍ୱବିତମାନେ ବନ୍ଧୁ ସଂଖ୍ୟା
ପରିମାପ କଲାବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅଢ଼େଇ ଶହ ଯାଏଁ ବ୍ୟକ୍ତିଙ୍କ ସହ ଘନିଷ୍ଠତା ଥିବା
ତତ୍ତ୍ୱ ପ୍ରତିପାଦିତ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠେ ସ୍ୱାଧୀନ ପ୍ରାର୍ଥୀମାନେ
ଯଦି ‘ସମାଜସେବା’ରେ ଉତ୍ସର୍ଗୀକୃତ ଜୀବନ ଅତିବାହିତ କରୁଛନ୍ତି, ତେବେ
ତାହା ‘ଭୋଟ’ରେ କାହିଁକି ପରିଣତ ହୋଇ ପାରିନାହିଁ ?
ସରଳ ଉତ୍ତରରେ ସେମାନଙ୍କ
ସମାଜସେବା ଜନସାଧାରଣଙ୍କ ଆସ୍ଥା ଜିଣି ପାରୁନାହିଁ । ଚାରିରୁ ପାଞ୍ଚ ଲକ୍ଷ ଜନସଂଖ୍ୟା ବିଶିଷ୍ଟ
ବ୍ରହ୍ମପୁର ସହର ପାରମ୍ପରିକ ଭାବେ ପ୍ରଶାସନିକସ୍ତରରେ ଅବହେଳିତ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ
ଗଠନ ପୂର୍ବରୁ ଓ ପରେ ଉପାନ୍ତ ସହରଭାବେ ମାଡ୍ରାସ ବା ଭୁବନେଶ୍ୱର ପ୍ରଶାସନିକ କେନ୍ଦ୍ରଠାରୁ
ଦୂରରେ ରହିଆସିଛି । ଫଳତଃ ପ୍ରଶାସନିକ ଅଧିକାରୀମାନଙ୍କ ଦୌରାତ୍ମ୍ୟ ପ୍ରତିରୋଧ କରି ସାଧାରଣ
ନାଗରିକ ତିଷ୍ଠିପାରେ ନାହିଁ । ବ୍ୟକ୍ତିଗତ ବା ସାମୂହିକ ସମସ୍ୟା ବିରୋଧରେ ସ୍ୱର ଉତ୍ତୋଳନ
କରିବା ନିମନ୍ତେ କେହି ସହଭାଗୀ ମିଳନ୍ତି ନାହିଁ । ବିଧାନସଭାମଣ୍ଡଳୀରେ ଯଦି ଆଠ ଜଣ ସ୍ୱାଧୀନ
ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି, ତେବେ ଦଶ ଗୁଣ
ଅନ୍ତତଃ ପକ୍ଷେ ଅଶୀରୁ ଶହେ ଜଣ ପ୍ରତ୍ୟକ୍ଷ ଭାବେ ରାଜନୀତିକ ଦଳ ସହବନ୍ଧିତ ନହୋଇ ସମାଜସେବା
ନିମନ୍ତେ ଉତ୍ସର୍ଗୀକୃତ ନିଶ୍ଚୟ । କିନ୍ତୁ ଏହି ବୃହତ୍ତ ଶୃଙ୍ଖଳରୁ ସାଧାରଣ ନାଗରିକ କ’ଣ ସୁବିଧା ପାଇପାରୁଛନ୍ତି ? ଯଦି କିଛି ସୁବିଧା ପାଇପାରୁଥାନ୍ତେ, ତେବେ ତାହା
ନିଶ୍ଚିତ ଭୋଟରେ ପରିଣତ ହୋଇଥାନ୍ତା ।
ସ୍ୱାଧୀନ
ରାଜନୀତିକଜ୍ଞମାନଙ୍କୁ ନିଜ ସାମାଜିକ କାର୍ଯ୍ୟଧାରା ବଦଳାଇବା ସମୟ ଉପନୀତ । ଫେସବୁକ, ହ୍ୱାଟସଆପ
ଓ ସ୍ମାର୍ଟଫୋନର ବହୁଳ ପ୍ରଚଳନ ପରେ ସାଧାରଣ ଜନତାଙ୍କ ସହ ଯୋଡ଼ି ହେବା ସମସ୍ୟାର ଅନ୍ତ ଘଟିଛି ।
ଯଦି ଜଣେ କର୍ମୀ ଦୈନିକ ଜଣେ ବ୍ୟକ୍ତି ବା ପରିବାରର ସମସ୍ୟା ସମାଧାନରେ ସହାୟତାର ହାତ ବଢ଼ାଏ,
ତେବେ ପରବର୍ତ୍ତୀ ନିର୍ବାଚନ ନିମନ୍ତେ ପାଞ୍ଚରୁ ପଚାଶ ଭୋଟ ଅର୍ଜନର ପ୍ରତିଶୃତି ଆଶା
କରାଯାଇପାରେ । ଦୈନିକ ୫୦ x ବାର୍ଷିକ ୩୬୫
ଦିନ x ପାଞ୍ଚ ବର୍ଷ = ନବେ ହଜାରରୁ ଲକ୍ଷେ ପ୍ରତ୍ୟକ୍ଷ ଭୋଟ ଏବଂ ଆନୁସଙ୍ଗିକ
ପରୋକ୍ଷ ଭୋଟ ଅର୍ଜନର ହିସାବ ପରବର୍ତ୍ତୀ ନିର୍ବାଚନ ଲାଗି ସମର୍ଥକ ସୃଷ୍ଟି କରିବ ।
ପରିବର୍ତ୍ତିତ
ପରିବେଶରେ ରାଜନୀତିରେ ଯେଉଁମାନେ ଆଗ୍ରହୀ ସେମାନେ ନିଜକୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଗଢ଼ି
ତୋଳିବା ନିମନ୍ତେ ଯତ୍ନବାନ ହେବା ହିଁ ପ୍ରକୃଷ୍ଟ ପନ୍ଥା । ଦଳୀୟ ରାଜନୀତିରେ ଆଗ୍ରହ, ଦକ୍ଷତା ଓ
ଉତ୍ସର୍ଗୀକୃତ ଜୀବନ ଭିନ୍ନ ଅନ୍ୟ କାରଣଗୁଡ଼ିକ ନିର୍ବାଚନ ପ୍ରାର୍ଥୀ ଚୟନରେ ଗୁରୁତ୍ୱ ଲାଭ
କରୁଥିବା ହେତୁ ନିଜସ୍ୱ ରାଜନୀତିକ ବ୍ୟକ୍ତିତ୍ୱ ପ୍ରତିଷ୍ଠା ହିଁ ଉଭୟ ବ୍ୟକ୍ତିଗତ ଓ
ଗୋଷ୍ଠୀଗତସ୍ତରରେ ଲାଭ ଦାୟକ । ତେଣିକି ଦଳର ଦାବୀ ପୂରଣ କରିପାରି ଟିକେଟ ମିଳିଲେ ଭଲ କଥା । ବ୍ରହ୍ମପୁର
ସହରରେ ସାମାଜିକ ସମସ୍ୟା ସମାଧାନ ଦିଗରେ ଉଦ୍ୟମ ସ୍ଥାନୀୟ ଜନଜୀବନ ଉନ୍ନତିରେ ସହାୟକ ହୋଇପାରିବ
। ସହରର ସ୍ୱାଧୀନ ରାଜନୀତିଜ୍ଞମାନଙ୍କୁ ଏଦିଗରେ ଅନ୍ୟମାନଙ୍କ ପରାମର୍ଶରେ ସୁଚିନ୍ତିତ ଯୋଜନା
ପ୍ରସ୍ତୁତ କରିବାକୁ ପଡ଼ିବ । ପାରମ୍ପରିକ ମଡ଼େଲରେ କାମ କଲେ ଭୋଟ ହାର ଅଢ଼େଇ ଶହରେ ହିଁ ଲଟକି
ରହିବ !
No comments:
Post a Comment