Wednesday, April 26, 2017

Expression of endurance in the Yatra / ଯାତ୍ରାରେ ସର୍ଜନଶୀଳତାର ପରିପ୍ରକାଶ

#ବ୍ରହ୍ମପୁର ଠାକୁରାଣୀ ଯାତ୍ରା କାର୍ଣ୍ଣିଭଲସ୍ତରୀୟ ଲୋକମହୋତ୍ସବ ପର୍ଯ୍ୟାୟଭୁକ୍ତ ହେଉଥିବା ବେଳେ ପାରମ୍ପରିକ ପୂଜାବିଧିକୁ ବାଦ ଦେଲେ ଅନ୍ୟ ସମସ୍ତ ଆୟୋଜନରେ ସର୍ଜନଶୀଳତା ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ଥିବା ଦେଖିବାକୁ ମିଳିଥାଏ l ଏହି ଉତ୍ସବରେ ଶୋଭାଯାତ୍ରା, ବେଶ ଧାରଣ, ରଥ ଓ କଳାକୁଞ୍ଜ ପ୍ରଯୋଜନା ଏବଂ ଯାତ୍ରୀ ଅଭ୍ୟର୍ଥନାକୁ ଚାରିଗୋଟି ମୁଖ୍ୟ ଉପାଦାନ ରୂପେ ଗ୍ରହଣ କରାଯାଇପାରେ l

ପ୍ରଥମତଃ ଶୋଭାଯାତ୍ରା ଆୟୋଜନ ଯାତ୍ରାର ମୁଖ୍ୟ ଆକର୍ଷଣ l ଯାତ୍ରା ତିଥି ନିର୍ଦ୍ଧାରଣ ପରେ ଶୁଭଖୁଣ୍ଟ ନେଇ ଦେଶୀବେହେରାସାହୀରୁ ବଡ଼ ଠାକୁରାଣୀ ମନ୍ଦିର ଯାତ୍ରା ଓ ଫେରନ୍ତା ଯାତ୍ରା, ଠାକୁରାଣୀଙ୍କୁ ନିମନ୍ତ୍ରଣ ଓ ଠାକୁରାଣୀଙ୍କ ଆଗମନ, ପ୍ରତ୍ୟେହ ସନ୍ଧ୍ୟାରେ ଘଟ ପରିକ୍ରମା ଏବଂ ଶେଷ ଦିବସରେ ଘଟ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ମୁଖ୍ୟତଃ ଶୋଭାଯାତ୍ରାରେ ପର୍ଯ୍ୟବେସିତ l ଏହାକୁ ସୁଦୃଶ୍ୟ କରିବା ନିମନ୍ତେ ସର୍ଜନଶୀଳତାର ଆଶ୍ରୟ ନିଆ ଯାଇଥାଏ l ଶୋଭାଯାତ୍ରାରେ ବହୁ ଲୋକଙ୍କ ଅଂଶ ଗ୍ରହଣ, ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି, ସମସ୍ତଙ୍କ ଉତ୍ତମ ପୋଷାକ ପରିଧାନ, ବାଜାବାଜଣା, ଲୋକନୃତ୍ୟ ଏବଂ ଶେଷଦିନ ବେଶଧାରୀଙ୍କ କୋଳାହଳମୟ ପରିବେଶ ବ୍ୟକ୍ତିଗତ, ପାରିବାରିକ ତଥା ସାମୂହିକସ୍ତରରେ ସର୍ଜନଶୀଳତାଲାଗି କ୍ଷେତ୍ର ଉନ୍ମୁକ୍ତ ରଖିଥାଏ l

ଦକ୍ଷିଣ ଆମେରିକା ଓ ଆଫ୍ରିକୀୟ ଦେଶଗୁଡ଼ିକରେ କାର୍ଣ୍ଣିଭଲ ପାଳନ ଅବସରରେ ପଶୁପକ୍ଷୀ ତଥା ବିଭିନ୍ନ ଚରିତ୍ର ବେଶ ଧାରଣ କରିବା ଆନ୍ତର୍ଜାତିକ କ୍ଷେତ୍ରରେ ବେଶ୍ ଆଲୋଚିତ l ଆମ ଦେଶର ବିଭିନ୍ନ ପ୍ରାନ୍ତର ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ଅନୁରୂପ ଉଦାହରଣ ଦେଖିବାକୁ ମିଳିଥାଏ l ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବେଶ ଧାରଣରେ ସର୍ଜନଶୀଳତାର ପଟ୍ଟାନ୍ତର ନାହିଁ l ପଶୁପକ୍ଷୀ, ପୌରାଣିକ ଓ ଲୋକ ଚରିତ୍ର ଅନୁକରଣରେ ବେଶଧାରଣ ବିବିଧତା ପରିସ୍ପୁଟନରେ ସହାୟକ ହୋଇଥାଏ l ଅତୀତରେ ଏକ ବ୍ୟାୟମଶାଳାର ସଦସ୍ୟମାନେ ଏକ ଛୋଟ ସର୍କସ ଦଳ ବେଶ ବାହାର କରୁଥିଲେ, ଲୋକପ୍ରିୟ ହିନ୍ଦୀ ଚଳଚ଼ିତ୍ର ଚ଼ନ୍ଦ୍ରଲେଖାର ନୃତ୍ୟଗୀତି ଅନୁକରଣରେ ଅନ୍ୟଏକ ବେଶ ସଂଯୋଜନା କରାଯାଉଥିଲା l ଯାତ୍ରା ଶେଷଦିନ ଘଟ ଶୋଭାଯାତ୍ରାରେ ଶବ ବାହକ ବେଶ ପ୍ରତିବର୍ଷ ଦେଖିବାକୁ ମିଳେ l ବେଶ ଧାରଣରେ କୌଣସି ବାରଣ ନାହିଁ l ଏହି କ୍ଷେତ୍ରରେ ସର୍ଜନଶୀଳତା ବା ବେଶ ଧାରଣ ବ୍ୟକ୍ତି ବିଶେଷଙ୍କ କଳ୍ପନା ପ୍ରବଣତାକୁ ଦର୍ଶକଙ୍କ ପକ୍ଷରୁ ପ୍ରଶଂସା ମିଳିଥାଏ l

ରଥ ଓ କଳାକୁଞ୍ଜ ନିର୍ମାଣରେ ସର୍ଜନଶୀଳତା ଭିତ୍ତିଭୂମି ରୂପେ କାର୍ଯ୍ୟ କରିଥାଏ l ରଥ କ୍ଷେତ୍ରରେ ପ୍ରାରମ୍ଭିକଭାବେ ରଥ ନିର୍ମିତ ହେବା ପରେ ରଥରେ ବ୍ୟବହୃତ ସାମଗ୍ରୀକୁ ଯତ୍ନ ସହକାରେ ରଖାଯାଇ ପ୍ରତିଥର ପୁଣି ବ୍ୟବହାର କରାଯାଉଥିବାବେଳେ କଳାକୁଞ୍ଜ କ୍ଷେତ୍ରରେ ପ୍ରତିଥର ନୂଆ ନୂଆ ଦୃଶ୍ୟ ସଂଯୋଜନା କରାଯାଇଥାଏ l ରଥ ସାଜସଜ୍ଜାରେ ସର୍ଜନଶୀଳତାର ପରିପ୍ରକାଶ ଘଟୁଥିବାବେଳେ କଳାକୁଞ୍ଜ ନିର୍ମାଣରେ ଅପେକ୍ଷାକୃତଭାବେ ଅଧିକ କଳ୍ପନା ପ୍ରକାଶର ସୁଯୋଗ ମିଳିଥାଏ l ଏତଦ୍ ବ୍ୟତୀତ ରଥ ଓ କଳାକୁଞ୍ଜର ପରିବେଶ ଓ ଆଖପାଖ ଅଞ୍ଚଳ ସାଜସଜ୍ଜାରେ ମଧ୍ୟ କଳାତ୍ମକ ରୁଚି ପରିସ୍ପୁଟିତ ହୋଇଥାଏ l

ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ସ୍ୱେଚ୍ଛାସେବୀମାନେ ଯାତ୍ରୀ ଅଭ୍ୟର୍ଥନାର ଦାୟିତ୍ୱ ସ୍ୱତଃପ୍ରବୃତଭାବେ ନିର୍ବାହ କରିଥାନ୍ତି l ଘଟ ପରିକ୍ରମା କାଳରେ ଶାନ୍ତିଶୃଙ୍ଖଳା ରକ୍ଷାଠାରୁ ଆରମ୍ଭ କରି ଯାତ୍ରୀଙ୍କୁ ଜଳଯୋଗ ଯୋଗାଇ ଦେବା ଯାଏଁ ବିଭିନ୍ନ କାର୍ଯ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ସମାହିତ ହୋଇଥାଏ l ବିଗତ କିଛି ବର୍ଷ ଧରି ଯାତ୍ରାର ଶେଷ ତିନିଦିନ ବିଭିନ୍ନ ବ୍ୟକ୍ତିବିଶେଷ, ପରିବାର କିମ୍ୱା ଅନୁଷ୍ଠାନ ପକ୍ଷରୁ ଯାତ୍ରୀମାନଙ୍କ ନିମନ୍ତେ ଜଳଯୋଗର ବ୍ୟବସ୍ଥା ସର୍ଜନଶୀଳତାର ଅନ୍ୟତମ ପରିପ୍ରକାଶ l ଅତୀତରେ ସହର ବାହାରୁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ କନ୍ୟାକାପରମେଶ୍ୱରୀ ମନ୍ଦିରଠାରେ ରିହାତି ଦରରେ ମଧ୍ୟାହ୍ନ ଭୋଜନର ସୁବିଧା କରାଯାଉଥିଲା l କିନ୍ତୁ ବର୍ତ୍ତମାନ ସନ୍ଧ୍ୟା  ୫ରୁ ରାତି ୧୧ ଯାଏଁ ବିଭିନ୍ନ ସାହୀରେ ବିଭିନ୍ନ ରକମର ମାଗଣା ଜଳଯୋଗ ବିତରଣ କରାଯାଉଛି l

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଉତ୍ପତ୍ତି ଓ କ୍ରମବିକାଶକୁ ଅନୁଶୀଳନ କଲେ ପ୍ରାଥମିକ ପର୍ଯ୍ୟାୟରେ ଯାତ୍ରା ଆୟୋଜନ ଦେବାଙ୍ଗ ବା ଡ଼େରା ବୁଣାକାର ସମ୍ପ୍ରଦାୟଙ୍କ ମଧ୍ୟରେ ସୀମିତ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ଜନସାଧାରଣ ଓ ତୃତୀୟ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶା ତଥା ଉତ୍ତର ଆନ୍ଧ୍ରପ୍ରଦେଶ ସୀମାନ୍ତବାସୀ ସାମିଲ ହୋଇଥିବା ଜଣାଯାଏ l ସଂବାଦପତ୍ରଗୁଡ଼ିକର ଆଞ୍ଚଳିକ ସଂସ୍କରଣ ପ୍ରକାଶନ ଓ ଟେଲିଭିଜନ ସେବାର ପ୍ରସାର ଠାକୁରାଣୀ ଯାତ୍ରାଭଳି ଲୋକଉତ୍ସବଗୁଡ଼ିକର ଟିକିନିଖି ବିବରଣୀ ପ୍ରସାରଣ ଫଳରେ ଯାତ୍ରାର ଲୋକପ୍ରିୟତା ବୃଦ୍ଧିରେ ସହାୟକ ହେଉଛି l ଗଣମାଧ୍ୟମର ଦୃଷ୍ଟିପାତ ଯାତ୍ରା ପାଳନରେ ସର୍ଜନଶୀଳତାକୁ ଶାଣିତ କରାଉଥିବା ମଧ୍ୟ ଲକ୍ଷ୍ୟ କରାଯାଇପାରେ l ଲୋକ ଉତ୍ସବଗୁଡ଼ିକରେ ସ୍ଥାନୀୟ ଅଧିବାସୀଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ରହୁଥିବା ହେତୁ ବିଭିନ୍ନ କଳ୍ପନା ପ୍ରସୂତ ଧାରା ସନ୍ନିବେଶିତ ହେବା ସ୍ୱାଭାବିକ l ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସେହି କାରଣରୁ ଏକ ଚିତ୍ତାକର୍ଷକ ମହୋତ୍ସବ ରୂପେ ଗଢ଼ି ଉଠିଛି l

ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୬ ଏପ୍ରିଲ ୨୦୧୭

Tuesday, April 25, 2017

Chariots in Thakurani Yatra / ଠାକୁରାଣୀ ଯାତ୍ରାରେ ରଥ

#ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଅବସରରେ ବିଭିନ୍ନ ରଥ ଓ କଳାକୁଞ୍ଜ ନିର୍ମାଣ କରାଯାଇଥାଏ l ରଥ ଓ କଳାକୁଞ୍ଜଗୁଡ଼ିକ ମଧ୍ୟରେ ତଫାତ୍ ଏହି ଯେ, ରଥଗୁଡ଼ିକର ସାଜସରଞ୍ଜାମ ଥରେ ନିର୍ମିତ ତଥା ପ୍ରଦର୍ଶିତ ହେବା ପରେ ତାହାକୁ ସାଇତି ରଖାଯାଏ ଏବଂ ପର ଥର ଠାକୁରାଣୀ ଯାତ୍ରାବେଳେ ପୁଣି ବ୍ୟବହାର କରାଯାଏ l ଅପରପକ୍ଷେ କଳାକୁଞ୍ଜର ମୂର୍ତ୍ତି ତଥା ସରଞ୍ଜାମଗୁଡ଼ିକ ପ୍ରତିଥର ପରିବର୍ତ୍ତିତ ହେଉଥାଏ l

ଅତୀତରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଅବସରରେ ବହୁ ରଥ ନିର୍ମିତ ହେଉଥିଲା ଏବଂ ସବୁ ରଥଗୁଡ଼ିକ ବଡ଼ବଜାରରେ ସ୍ଥାପିତହେବା ପରମ୍ପରା ପ୍ରଚଳିତ ଥିଲା l ସେ ସମୟରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଚରିତ୍ରଭିତ୍ତିକ ରଥ ଦୁଇ ଦଳଙ୍କ ଦ୍ୱାରା ପ୍ରତିଯୋଗିତା ମନୋଭାବ ନେଇ ନିର୍ମିତ ହେଉଥିଲା ଏବଂ ସାଜସଜ୍ଜାରେ ଏକ ଦଳ କିପରି ଅନ୍ୟ ଦଳକୁ ନ୍ୟୂନ କରିଦେବ ସେ ଦିଗରେ ଉଦ୍ୟମ ଜାରୀ ରହୁଥିଲା l ଉଦାହରଣ ସ୍ୱରୂପ ବଡ଼ବଜାର ଛକରେ ଗୋଟିଏ ପର୍ଶୁରାମ ରଥ ଏକ ଖରୁଡ଼ା ପରିବାରଙ୍କ ଦ୍ୱାରା ନିର୍ମିତ ହେଉଥିବାବେଳେ ଅନ୍ୟ ଗୋଟିଏ ପର୍ଶୁରାମ ରଥ ବୈଶ୍ୟ ସଂପ୍ରଦାୟଙ୍କ ଦ୍ୱାରା ସାମୂହିକ ଉଦ୍ୟମରେ ନିର୍ମିତ ହେଉଥିଲା l ଦୁଇ ଦଳଙ୍କ ମଧ୍ୟରୁ ସାଜସଜ୍ଜାରେ ଜାହାର ଜିତାପଟ ହେବ ସେ ଦିଗରେ ପ୍ରତିଯୋଗିତା ଚାଲୁଥିଲା l ସେହିପରି ରାମଚ଼ନ୍ଦ୍ର, ଲକ୍ଷ୍ମଣ ଇତ୍ୟାଦି ରଥ ନିର୍ମାଣ କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତା ଦେଖିବାକୁ ମିଳୁଥିଲା l କାଳକ୍ରମେ ଆୟୋଜକଙ୍କ ମଧ୍ୟରୁ ପ୍ରତିଯୋଗିତା ମନୋଭାବ ଉଭେଇ ଯାଇଛି ଏବଂ କେତେକ କ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ସ୍ଥଳେ ଅନ୍ୟ କେତେକ କ୍ଷେତ୍ରରେ ଯାତ୍ରାର ଶେଷ ଦୁଇ ତିନିଦିନ ପାଇଁ ରଥ ପ୍ରଦର୍ଶନର ବ୍ୟବସ୍ଥା କରାଯାଉଛି l

ରଥ ନିର୍ମାଣରେ ଶିଥିଳତା ଦେଖାଦେବା ପରେ ବଜାର ଓ ପୁରୁଣା ବ୍ରହ୍ମପୁରର ବିଭିନ୍ନ ବସ୍ତିରେ କଳାକୁଞ୍ଜ ନିର୍ମାଣ ପ୍ରଥା ଆରମ୍ଭ ହୋଇଥିଲା l ଅତୀତରେ ଏସବୁ ଅଞ୍ଚଳର ଲୋକେ ନିଜ ଉଦ୍ୟମରେ ରଥ ନିର୍ମାଣ କରି ବଡ଼ବଜାର ମୁଖ୍ୟ ରାସ୍ତାରେ ସ୍ଥାପନ କରୁଥିବାବେଳେ ବର୍ତ୍ତମାନ ନିଜ ସାହୀରେ କଳାକୁଞ୍ଜ ନିର୍ମାଣ ପ୍ରତି ଧ୍ୟାନ ଦେଉଛନ୍ତି l ପୂର୍ବେ ରଥଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଚରିତ୍ର, ଭଙ୍ଗୀ ଓ ସାଜସଜ୍ଜାକୁ ନେଇ ଗଢ଼ି ଉଠୁଥିବାବେଳେ ବର୍ତ୍ତମାନ କଳାକୁଞ୍ଜ ନିର୍ମାଣ ଦିଗରେ ସୃଜନଶୀଳତା ଦେଖାଦେଇଛି l

ଠାକୁରାଣୀ ଯାତ୍ରା ଅବସରରେ ରଥ ଓ କଳାକୁଞ୍ଜମାନ ନିର୍ମିତ ହେବାପରେ ଜନସମାଗମ ବଢ଼ିଥାଏ l ରାମଚ଼ନ୍ଦ୍ର, ଲକ୍ଷ୍ମଣ, ନାଗାର୍ଜ୍ଜୁନ, ନାରାୟଣ, ଜ୍ୱଳାମୁଖୀ, କାଳୀ, ବନଦୁର୍ଗା ଇତ୍ୟାଦି ବହୁରଥ ନିର୍ମାଣ ସରଞ୍ଜାମ ସାଇତି ରଖାଯାଇଥାଏ l ସେଗୁଡ଼ିକ ପ୍ରତିବର୍ଷ ମରାମତକରି ରଙ୍ଗଦେଇ ଆଲୋକସଜ୍ଜା ସହ ରଥ ନିର୍ମିତ ହୋଇଥାଏ l ପ୍ରତ୍ୟେକଟି ରଥକୁ ଆକର୍ଷଣୀୟ କରିବା ଦିଗରେ ତାହାର ଆୟୋଜକମାନଙ୍କ ନିଷ୍ଠାର ପରିଚୟ ମିଳିଥାଏ l

ଠାକୁରାଣୀ ଯାତ୍ରାରେ ପ୍ରଥମେ ବାଚୁବାରି ସାହୀର ବିଂଚଣା ରଥ ବାହାରିଥାଏ l ଏହି ରଥଟିର ଆକୃତି ଏକ ହାତପଙ୍ଖା ବା ବିଞ୍ଚଣା ଭଳି l ସାଧାରଣତଃ ପିଲାଏ ଏଥିରେ ଚଢ଼ାଉଠାକରି ଖେଳିଥାନ୍ତି l ଏଥିରେ କୌଣସି ଦେବଦେବୀଙ୍କ ମୂର୍ତ୍ତି ନଥାଏ l ବିଞ୍ଚଣା ରଥରେ ପିଲାଙ୍କୁ ବସାହେବା ନିମନ୍ତେ କେତେକ କ୍ଷେତ୍ରରେ ମାଆବାପାମାନେ ଆଗରୁ ମାନସିକ କରିଥାନ୍ତି l ଏହି ପିଲାଏ ବିଞ୍ଚଣାରଥ ବାହାରିବା ଦିନ ଉପବାସ ରହିଥାନ୍ତି l

ଦେବଦେବୀଙ୍କ ମୂର୍ତ୍ତି ନଥିବା ଅନ୍ୟ ଏକ ରଥ ହେଲା ବୋଇତ l ଚନ୍ଦ୍ରମା ସାହୀରେ ବୋଇତ ବା ଜାହାଜ ଆକୃତିର ଏହି ରଥ ନିର୍ମାଣ ଊନବିଂଶ ଶତାଦ୍ଦୀର ଶେଷାର୍ଦ୍ଧରୁ ବିଂଶ ଶତାଦ୍ଦୀର ପ୍ରଥମାର୍ଦ୍ଧ ଯାଏଁ ପ୍ରାୟ ଏକ ଶହବର୍ଷ ଧରି ଗୋପାଳପୁର ବନ୍ଦରର ବାଣିଜ୍ୟ କାରବାରର ସ୍ମୃତି ବହନ କରିଥାଏ l ଗୋପାଳପୁର ବନ୍ଦରରେ ବ୍ରହ୍ମପୁର ସହରର ବହୁ ବ୍ୟବସାୟୀ ସଂପୃକ୍ତ ଥିଲେ l ହୁଏତ ସେହିମାନଙ୍କ ପ୍ରୋତ୍ସାହନରେ ବୋଇତ ରଥ ବାହାରୁଥିଲା l

ଶଙ୍କରପୁର ସାହୀର ରାମଚ଼ନ୍ଦ୍ର ରଥ ଏକ ପୁରାତନ ରଥ l ପୂର୍ବେ ଏହି ରଥରେ ଚକ ଲାଗୁଥିଲା l ଶଙ୍କରପୁର ସାହୀଠାରେ ରଥ ନିର୍ମାଣ କାମ ସରିବାପରେ ବଡ଼ବଜାର ଛକକୁ ଟାଣି ଟାଣି ଅଣାଯାଉଥିଲା l କିନ୍ତୁ ବର୍ତ୍ତମାନ ଏହି ରଥ ଶଙ୍କରପୁର ସାହୀରେ ହିଁ ପ୍ରଦର୍ଶିତ ହେଉଅଛି l ରାମଚ଼ନ୍ଦ୍ର ସହ ଜେନା ସାହୀର ଲକ୍ଷ୍ମଣ ରଥ ଓ ସୀତାରାମ ସାହୀର ନାଗାର୍ଜ୍ଜୁନ ରଥର ମୂର୍ତ୍ତି ଏକା କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କୁହାଯାଏ l

ପୁରାତନ ରଥଗୁଡ଼ିକ ମଧ୍ୟରେ ସାନ ଖାସ୍ପା ସାହୀର ହରି-ଅର୍ଜ୍ଜୁନ ରଥ ଅନ୍ୟତମ l ଏହି ରଥଟିର ନିର୍ମାଣ କିଛି ବର୍ଷ ପାଇଁ ବନ୍ଦ ରହିଥିଲା l ହରି-ଅର୍ଜ୍ଜୁନ ରଥରେ ରଥ ମଧ୍ୟରେ ଅନ୍ୟଏକ ରଥ ନିର୍ମିତ ହୋଇଥାଏ l ମହାଭାରତ ଯୁଦ୍ଧ ଅବସରରେ ହରି ସାରଥି ରୂପେ ଅର୍ଜ୍ଜୁନଙ୍କୁ ଉପଦେଶ ଦେଉଥିବା ଦୃଶ୍ୟ ଏଥିରେ ସଂଯୋଜିତ l ପୂର୍ବରୁ ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ନିର୍ମିତ ଏହି ରଥକୁ ଆକର୍ଷଣୀୟ କରିବା ନିମନ୍ତେ ବର୍ତ୍ତମାନ କୋଲକତାର କାରିଗରଙ୍କୁ ନିୟୋଜିତ କରାଯାଉଛି l

ରଥ ପ୍ରସ୍ତୁତି ଏକ ବ୍ୟୟବହୁଳ ଉଦ୍ୟମ l ଉଦାହରଣ ସ୍ୱରୂପ କାଳୁପାତ୍ର ସାହୀର ଜ୍ୱାଳାମୁଖୀ ରଥ ବିଚାରକୁ ନିଆଯାଉ l ରଥ ପ୍ରସ୍ତୁତି କରିବା ନିମନ୍ତେ ବର୍ତ୍ତମାନ ଛଅ-ସାତ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଉଛି l ଏଥି ନିମନ୍ତେ ସ୍ଥାନୀୟ ଜ୍ୱଳାମୁଖୀ ଯୁବକ ସଂଘର ସଦସ୍ୟମାନେ ମିଳିମିଶି ଚାନ୍ଦା ସଂଗ୍ରହ କରିଥାନ୍ତି l କୁହାଯାଏ ଯେ ୧୯୩୯ ମସିହାରେ ଏହି ରଥ ପ୍ରଥମଥର ପାଇଁ ନିର୍ମାଣ କରାଯିବାବେଳେ ୨୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା l ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ମଞ୍ଜୁଷା ଅଞ୍ଚଳର ଜନୈକ ଭକ୍ତ ସେଠାରୁ ଏକ ବିରାଟ କାଠଗଣ୍ଡି ସଂଗ୍ରହ କରି ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଜ୍ୱାଳାମୁଖୀ ମୂର୍ତ୍ତି ନିର୍ମାଣ କରାଇଥିଲେ l ଜ୍ୱାଳାମୁଖୀଙ୍କ ଗଳାରେ ୧୫ ଗୋଟି କଟାମୁଣ୍ଡ ଓ ଅଣ୍ଟାରେ ୨୧ ଗୋଟି ଖଣ୍ଡିଆ ହାତର ମାଳ ଶୋଭା ପାଉଥାଏ l ବାମ ପଟରେ ତାରା ଓ ଡ଼ାହାଣପଟେ କାଳୀ ମୂର୍ତ୍ତି ସ୍ଥାନ ପାଇଥାଏ l ଏଗୁଡ଼ିକର ଉଚ୍ଚତା ଛଅ ଫୁଟ l ଏହି ସବୁ ରଥ ନିର୍ମାଣରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତ୍ୟକ୍ଷ ଯୋଗଦାନ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅନ୍ୟତମ ଉଲ୍ଲେଖଯୋଗ୍ୟ ବିଭବ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୪ ଏପ୍ରିଲ ୨୦୧୭

Monday, April 24, 2017

Tiger Dance in Thakurani Yatra / ଠାକୁରାଣୀ ଯାତ୍ରାରେ ବାଘ ନାଚ

#ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବାଘ ନାଚ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ l ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ବାଘ ନାଚ ପ୍ରଚଳିତ ଥିଲେ ହେଁ ଏଠାକାର ବାଘ ନାଚର ସାଜସଜ୍ଜା, ନୃତ୍ୟ ଓ ବାଦ୍ୟ ବିଭିନ୍ନ ଦିଗରୁ ଅପେକ୍ଷାକୃତ ମନମୁଗ୍ଧକର ହୋଇଥାଏ l ସାଧାରଣତଃ ଯାତ୍ରା ଅବସରରେ ପୂର୍ବ-ମାନସିକ କିମ୍ୱା ବ୍ୟକ୍ତିବିଶେଷ ନିଜ ଆଗ୍ରହ ଜନିତ କାରଣରୁ ବେଶ ଧାରଣ କରିଥାନ୍ତି l ବାଘ ନାଚ କରିବା ନିମନ୍ତେ ବ୍ୟକ୍ତିବିଶେଷଙ୍କୁ ନୃତ୍ୟରେ ପରଙ୍ଗମତା ହାସଲ କରିବାକୁ ପଡ଼ିଥାଏ ଏବଂ ଏହି ଦୃଷ୍ଟିରୁ ଅନଭିଜ୍ଞ ବ୍ୟକ୍ତି ବାଘ ବେଶ ଧାରଣ କରିବା ସମ୍ଭବପରେ ହୁଏ ନାହିଁ l

ବ୍ୟାଘ୍ର ଠାକୁରାଣୀଙ୍କ ବାହାନ ହୋଇଥିବା ହେତୁ ଠାକୁରାଣୀ ଯାତ୍ରାରେ ବାଘ ବେଶ ଗୁରୁତ୍ୱ ବହନ କରିଥାଏ l ବାଘ ବେଶ ଧାରଣ କରିବା ପୂର୍ବରୁ ନୃତ୍ୟ ପ୍ରଶିକ୍ଷଣ ଓ ଅଭ୍ୟାସ ଆବଶ୍ୟକତା ପଡ଼ିଥାଏ l ବାଘନାଚ ଶିଖାଇବା ନିମନ୍ତେ ସହରରେ ଗୁରୁ ମଧ୍ୟ ମିଳିଥାନ୍ତି l ଅତୀତରେ ଅଭ୍ୟାସ କରିବା ଲାଗି ବାଦ୍ୟବାଜଣା ଆବଶ୍ୟକ ପଡୁଥିବା ବେଳେ ଆଜିକାଲି ଅଡିଓ ସିଡ଼ିରେ  କାମ ଚଳିଯାଉଛି l ସ୍ଥଳ ବିଶେଷରେ ଦୁଇରୁ ଚାରିମାସ ଏଭଳି ଅଭ୍ୟାସ ଜାରୀ ରହିଥାଏ l

ଆଜକୁ ୪୦ / ୫୦ ବର୍ଷ ପୂର୍ବେ କେବଳ ଠାକୁରାଣୀ ଯାତ୍ରା କାହିଁକି ବର୍ଷତମାମ ବାଘ ନାଚିଲାବାଲାଙ୍କ ସାମାଜିକ ପ୍ରତିଷ୍ଠା ବଳବତ୍ତର ରହୁଥିଲା l ଜଣେ ଭଲ କ୍ରିକେଟର, ଫୁଟବଲର ବା ଚିତ୍ରତାରକାଙ୍କୁ ଯେପରି ପ୍ରାଧାନ୍ୟ ଦିଆଯାଏ, ଜଣେ ଭଲ ବାଘ ନାଚ ନାଚିଲାବାଲା ମଧ୍ୟ ଅନୁରୂପ ଲୋକପ୍ରିୟତା ହାସଲ କରିପାରୁଥିଲେl ସେ ସମୟରେ ହୁଏତ ଆଜିକା ତୁଳନାରେ ଖୁବ୍ କମ୍ ସଂଖ୍ୟକ ବ୍ୟକ୍ତି ବାଘ ବେଶ ଧାରଣ କରୁଥିଲେ ଏବଂ ଏଥିପାଇଁ ସେମାନଙ୍କୁ ରୀତିମତ ପୂର୍ବ-ପ୍ରସ୍ତୁତି ବା ରିହରସାଲ କରିବାକୁ ପଡୁଥିଲା l କେଉଁ ସାହୀର ନାଚିଲାବାଲା କେଉଁ ତାରିଖରେ ବାଘ ବେଶରେ ନାଚିବ ସେଥିପାଇଁ ଲୋକେ ତାରିଖ ଗଣି ଅପେକ୍ଷା କରୁଥିଲେ l ପ୍ରତ୍ୟେକ ବାଘ ସହ ଅନ୍ୟୂନ ୬୦ ରୁ ୧୦୦ ବସ୍ତିବାଲା ତଥା ସାଖା-ସହୋଦର ସହର ପରିଭ୍ରମଣ କରୁଥିଲେ l ବସ୍ତିବାଲାଙ୍କ ମଧ୍ୟରେ ସହଯୋଗ ମନୋଭାବ ଏତାଦୃଶ୍ୟ ନୃତ୍ୟ ଆୟୋଜନରେ ପରିସ୍ଫୁଟିତ ହେଉଥିଲା l ଆଜିକାଲି ତ ଯିଏ ପଇସା ଯୋଗାଡ଼ କରିପାରୁଛି ସେ ବାଘ ନାଚ ପାଇଁ ଆଗେଇ ଆସୁଛି l ନା ପୂର୍ବପ୍ରସ୍ତୁତି ନା ନାଚିବା ଶୈଳୀରେ ପରିପକ୍ୱତା, ନା କୌଣସି ସାମୂହିକ ପ୍ରଚେଷ୍ଟା ବାଘ ନାଚ କ୍ଷେତ୍ରରେ ଦେଖିବାକୁ ମିଳୁଛି l

ବାଘ ନାଚ ଏକ ବ୍ୟୟ ବହୁଳ ବ୍ୟାପାର l ୨୦୧୭ ଯାତ୍ରାବେଳକୁ ବାଘବେଶ ଧାରଣ ନିମନ୍ତେ ଅନ୍ୟୂନ ୧୫ ରୁ ୨୦ ହଜାର ଟଙ୍କା ବ୍ୟୟ ହେଉଥିବା ଜଣାଯାଏ l ବାଘ ନାଚ ପାଇଁ ଅନ୍ତତଃ ପକ୍ଷେ ଦୁଇରୁ ଚାରିଗୋଟି ଚାଙ୍ଗୁ ବାଦ୍ୟର ଆବଶ୍ୟକତା ପଡ଼ିଥାଏ l ଡ଼ଜନେ ବାଜଣା ଶୈଳୀରୁ ପ୍ରାୟ ଆଠ ଗୋଟି ବହୁଳ ଭାବେ ବ୍ୟବହୃତ ହୋଇଥାଏ l ବାଦ୍ୟଗୁଡ଼ିକୁ ପ୍ରତି ଘଣ୍ଟାକରେ ଥରେ ନିଆଁ ସେକ ଦେବା ନିମନ୍ତେ ଗୋଟିଏ ସାଇକଲ ରିକ୍ସାରେ ପାଳ ବୋଝେଇ ନାଚ ଦଳ ସହ ସହର ଘୁରି ବୁଲୁ ଥାଏ l ପୂର୍ବେ ପେଟ୍ରୋମାକ୍ସ ଲଣ୍ଠନ ବ୍ୟବହୃତ ହେଉଥିବାବେଳେ ବର୍ତ୍ତମାନ ଜେନେରେଟର ଯୋଗେ ଉଜ୍ଜଳ ଆଲୋକର ବ୍ୟବସ୍ଥା କରାଯାଉଛିl ବାଘର ଶରୀରରେ ବାର୍ଣ୍ଣିସ ଚିତ୍ରଣ, ମୁଣ୍ଡ, ପୋଷାକ, ଫୁଲ ତଥା ଚିତ୍ରକରର ମଜୁରି ବାବଦରେ ଖର୍ଚ୍ଚ ହୁଏ l ଶେଷରେ ବାଘ ନାଚ ସହ ରାତି ତମାମ ଘୁରି ବୁଲିବା ନିମନ୍ତେ ଅନ୍ତତଃ ପକ୍ଷେ କୋଡ଼ିଏ ଏକାଠି ହୁଅନ୍ତି l ବାଘକୁ ଚିତ୍ରିତ କରିବା, ମନ୍ଦିରକୁ ମୁଖା ନେଇ ପୂଜା କରିଆସିବା କାମରେ ମଧ୍ୟ ସେମାନେ ସାମିଲ ହୋଇଥାନ୍ତି l ଏହି ସମସ୍ତଙ୍କ ଦିନକର ଖାଦ୍ୟପେୟ ବାବଦରେ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଥାଏ l

ବାଘବେଶ ପାଇଁ ଚିତ୍ରଣ କାର୍ଯ୍ୟ ପୂର୍ବାହ୍ନରୁ ଆରମ୍ଭ ହୋଇଯାଏ l ଶରୀରର ଲୋମ ଖିଅର ହୋଇ ସ୍ନାନାଦି କାର୍ଯ୍ୟ ପରେ ବାର୍ଣ୍ଣିସର ପ୍ରଲେପ ଦିଆଯାଇଥାଏ l ଠାକୁରାଣୀଙ୍କଠାରେ ମୁଖା ପୂଜା ହୋଇଆସିବା ପରେ ବାଦ୍ୟ ବାଦକଙ୍କସହ ବାଘ ପ୍ରଥମେ ଅସ୍ଥାୟୀ ମନ୍ଦିର ଆସି ଦେବୀଙ୍କ ଦର୍ଶନ କରିଥାଏ l ତତ୍ପରେ ନିଜ ପରିଚିତ ପରିବାରଗୁଡ଼ିକୁ ବୁଲି ନାଚିଥାଏ l ଅତୀତରେ ବାଘ ନାଚ ସାରା ରାତି ଚାଲୁଥିଲା l ତେବେ ପୋଲିସ କଟକଣା ଅନୁଯାୟୀ ଆଜିକାଲି ରାତି ୧୧ ରୁ ସକାଳ ୫ ଯାଏଁ ବାଘ ନାଚ ପ୍ରଦର୍ଶନ ବାରଣ କରାଯାଇଛି l

ବାଘ ବେଶ ମୁଖ୍ୟତଃ ଏକକ ନୃତ୍ୟ ରୂପେ ବିକଶିତ ହୋଇ ଆସିଥିଲା l ଖୁବ୍ କମ୍ ସଂଖ୍ୟାରେ ଏକାଧିକ ବ୍ୟକ୍ତି ଏକାଠି ବାଘ ନାଚ କରୁଥିଲେ l ତେବେ ବିଗତ କିଛି ବର୍ଷ ଧରି ବହୁ ସଂଖ୍ୟକ ବ୍ୟକ୍ତି ବାଘବେଶ ଧାରଣ କରି ଏକାଠି ନୃତ୍ୟରେ ଭାଗନେବା ପରମ୍ପରା ଦେଖିବାକୁ ମିଳୁଛି l ଗତ ୨୦୧୫ ଯାତ୍ରା ଅବସରରେ ଅନ୍ୟାନ୍ୟ ବାଘ ଦଳଙ୍କ ସହ କାମ୍ପ ସାହୀର ୯ ଜଣ ଓ ତୁଳସୀନଗରର ୩୧ ଜଣିଆ ବାଘ ନାଚଦଳ ଦୃଷ୍ଟି ଆକର୍ଷଣ କରିଥିଲା l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୩ ଏପ୍ରିଲ ୨୦୧୭

Sunday, April 23, 2017

Group role-play in Yatra / ଯାତ୍ରାରେ ସାମୂହିକ ବେଶ

#ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଏକକ ବେଶ ବ୍ୟତୀତ କେତେକ ବସ୍ତି ଆନୁକୂଲ୍ୟରେ ସାମୂହିକ ବେଶମାନ ଆୟୋଜନ କରାଯାଏ l ବାଲାଜୀପେଣ୍ଠ ସାହୀ କପିଳେଶ୍ୱର ବ୍ୟାୟାମଶାଳା ପକ୍ଷରୁ ସର୍କସ, ବାଲୁଙ୍କେଶ୍ୱର ସାହୀରୁ ଚନ୍ଦ୍ରଲେଖା ନୃତ୍ୟ, ଶଙ୍କରପୁର ସାହୀର କୁସ୍ତିକସରତ, ଦଳୁଆ ସାହୀର ପାଇକ ନାଚ, କୁମ୍ଭାର ସାହୀର ଘଣ୍ଟ ଆଖଡ଼ା ତଥା ଶଗଡ଼ିଆ ସାହୀ, ମାର୍ଥା ସାହୀ ଓ ବାଉରି ସାହୀ ଇତ୍ୟାଦି ଆନୁକୂଲ୍ୟରେ ବାଡ଼ି ଆଖଡ଼ା ଆୟୋଜନର ନଜିର ରହିଛି l ଏହି ଧରଣର ସାମୂହିକ ବେଶମାନଙ୍କରେ ୨୦ ରୁ ୨୦୦ ଜଣ ଯାଏଁ ବ୍ୟକ୍ତି ଅଂଶଗ୍ରହଣ କରିଥାନ୍ତି l ପୂର୍ବରୁ ଆୟୋଜିତ ସର୍କସ, ଚନ୍ଦ୍ରଲେଖା ନୃତ୍ୟଭଳି କେତେକ ସାମୂହିକ ବେଶ ବର୍ତ୍ତମାନ ଆଉ ବାହାରୁ ନାହିଁ l ତେବେ ଯାତ୍ରା ଅବସରରେ ବିଜିପୁର ବାସିନ୍ଦାମାନଙ୍କ ଦ୍ୱାରା ଆୟୋଜିତ ଦରିଦ୍ର ପଞ୍ଚାକ୍ଷର ପାର୍ଟିବୁଦ୍ଧଂ ଶରଣଂ ଗଚ୍ଛାମି ବେଶ ସହରବାସୀଙ୍କ ମଧ୍ୟରେ ବେଶ୍ କୌତୁହଳ ସୃଷ୍ଟି କରିଥାଏ l
୧୯୩୬ ମସିହାରୁ ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶ ପ୍ରତିଟି ଠାକୁରାଣୀ ଯାତ୍ରା ଅବସରରେ ନିୟମିତ ବାହାରୁଛି l ବିଜିପୁର ଅଞ୍ଚଳର ଜଣେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସାଂଗଠନିକ ପ୍ରଚେଷ୍ଟାରେ ଏହିଭିଳି ଏକ ସାମୂହିକ ବେଶର ପରିକଳ୍ପନା କରାଯାଇଥିଲା l ଆଧୁନିକ ଯୁଗରେ ମଠ ମନ୍ଦିରରେ ଅବସ୍ଥାପିତ କେତେକ ମହନ୍ତଙ୍କ ବିଧର୍ମୀ କାର୍ଯ୍ୟକଳାପର ସମାଲୋଚନା ଏହି ବେଶ ମାଧ୍ୟମରେ ପ୍ରଦର୍ଶନ କରାଯାଇଥାଏ l ‘ଦରିଦ୍ର ପଞ୍ଚାକ୍ଷର ପାର୍ଟି ଶୋଭାଯାତ୍ରାରେ ଜଣେ ମହନ୍ତ ବେଶଧାରୀ ବ୍ୟକ୍ତି ଦଳେ ଆଧୁନିକ ବେଶଭୂଷା ପରିହିତା ନାରୀ ବେଶଧାରୀ ପୁରୁଷଙ୍କ ମଧ୍ୟରେ ରଥାରୁଢ ହୋଇ ମଉଜ ମଜଲିସରେ ବ୍ୟସ୍ତ ରହନ୍ତି l ତାଙ୍କରି ଚେଲାମାନେ ମହନ୍ତଙ୍କ ରଥ ସହ ସହରର କେତେକ ନିର୍ଦ୍ଦିଷ୍ଟ ମୁଖ୍ୟରାସ୍ତା ପରିଭ୍ରମଣ କରି ଠାକୁରାଣୀ ଯାତ୍ରାସ୍ଥଳ ଦେଶୀବେହେରା ସାହୀରେ ପହଞ୍ଚି ଦେବୀଙ୍କ ଦର୍ଶନ ସାରି ପୁଣି ବିଜିପୁର ଫେରିଥାଆନ୍ତି l ଏହି ଶୋଭାଯାତ୍ରାରେ ହାସ୍ୟରସାତ୍ମକ ତଥା ସମାଲୋଚନାମୂଳକ କେତୋଟି ଗୀତ ଅନବରତ ବୋଲାଯାଇଥାଏ l
ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶରେ ଯୋଗ ଦେବା ନିମନ୍ତେ ବିଜିପୁର ଅଞ୍ଚଳର ବାସିନ୍ଦାମାନେ ପୂର୍ବରୁ ମାନସିକ କରିଥାଆନ୍ତି l ତେବେ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କୁ ଏଥିରେ ଅଂଶଗ୍ରହଣ କରିବା ନିମନ୍ତେ ବାରଣ ନାହିଁ l ବିଜିପୁର ଅଞ୍ଚଳର ସ୍ଥାୟୀ ବାସିନ୍ଦାମାନେ କାର୍ଯ୍ୟକ୍ଷେତ୍ରରେ ସହର ବାହାରେ ଅବସ୍ଥାପିତ ହୋଇଥିଲେ ହେଁ ଯାତ୍ରାରେ ବେଶଧାରଣ କରିବା ନିମନ୍ତେ ଆସୁଥିବା ଦେଖାଯାଏ l ସାଧାରଣତଃ ଠାକୁରାଣୀ ଯାତ୍ରା ଶେଷ ହେବା ୩ / ୪ ଦିନ ପୂର୍ବରୁ ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶ ବାହାରିଥାଏ l ଏହି ବେଶରେ ଅଂଶଗ୍ରହଣ କରିବା ନିମନ୍ତେ ଇଚ୍ଛୁକ ବ୍ୟକ୍ତିମାନେ ପାର୍ଟିର ସଭାପତିଙ୍କ ନେତୃତ୍ୱରେ ଏକତ୍ରର ହୋଇ ଲଣ୍ଡା ହୋଇଥାନ୍ତି ଏବଂ ସାମାନ୍ୟ ଜଳଯୋଗ ପରେ ସନ୍ଧ୍ୟାରେ ନଗର ପରିକ୍ରମାରେ ବାହାରି ପ୍ରଥମେ ବିଜିପୁରର ସମସ୍ତ ସାହୀ ବୁଲି ସହରର ରାଜରାସ୍ତାଦେଇ ଠାକୁରାଣୀଙ୍କ ଦର୍ଶନ ପାଇଁ ଯାଇଥାନ୍ତି l ଏମାନେ କାହାଠାରୁ କୌଣସି ଉପହାର ଗ୍ରହଣ କରନ୍ତି ନାହିଁ l
ବୁଦ୍ଧଂ-ଶରଣଂ-ଗଚ୍ଛାମି ବେଶରେ ୨୦ ବା ୨୧ ଜଣ ମଧ୍ୟବୟସ୍କ ବ୍ୟକ୍ତି ବୌଦ୍ଧଭିକ୍ଷୁ ବେଶ ଧାରଣ କରି ଶୋଭାଯାତ୍ରାରେ ସହରର ରାଜରାସ୍ତା ପରିକ୍ରମା କରି ଠାକୁରାଣୀଙ୍କ ଦର୍ଶନ ଲାଗି ଯାଇଥାନ୍ତି l ସେମାନେ ଭିକ୍ଷା ପାତ୍ର ଧରିଥାନ୍ତି ଏବଂ ସମ୍ପୂର୍ଣ୍ଣ ନୀରବତା ପାଳନ କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରନ୍ତି l ଯେଉଁମାନେ ଦରିଦ୍ର ପଞ୍ଚାକ୍ଷର ପାର୍ଟି  ବେଶରେ ଅଂଶଗ୍ରହଣ କରି ଲଣ୍ଡା ହୋଇଥାନ୍ତି ସେମାନଙ୍କ ମଧ୍ୟରୁ ସୁସ୍ଥ ସବଳ ଚେହେରା ଥିବା କୋଡିଏ ଜଣଙ୍କୁ ନିର୍ବାଚନ କରି ହିଁ ଏହି ବେଶ ବାହାର କରାଯାଇଥାଏ l କୌଣସି ନୂଆ ବ୍ୟକ୍ତିକୁ ଗ୍ରହଣ କରାଯାଏ ନାହିଁ l ଏହି ବେଶ ସହ ୧୯୪୫ ମସିହା ବେଳକୁ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚିତ୍ର ଅଙ୍ଗୁଳିମାଳାର ଏକ ଗୀତ ଗାନ କରାଯାଉଛି l ଏହି ବେଶ ସାଧାରଣତଃ ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶ ବାହାରିବା ପରଦିନ ଆୟୋଜିତ ହୋଇଥାଏ l ‘ବୁଦ୍ଧଂ-ଶରଣଂ-ଗଚ୍ଛାମି ବେଶ ଦର୍ଶକଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି କରିଥାଏ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୧ ଏପ୍ରିଲ ୨୦୧୭

Saturday, April 22, 2017

Duration of Thakurani Yatra / ଠାକୁରାଣୀ ଯାତ୍ରା ଅବଧି

କିମ୍ବଦନ୍ତୀ ଅନୁଯାୟୀ ପ୍ରଥମ ଦେଶୀବେହେରା ଠାକୁରାଣୀ ଯାତ୍ରା ଆରମ୍ଭ କରିଥିଲେ l ଏହି ଦ୍ୱି-ବାର୍ଷିକ ଲୋକମହୋତ୍ସବ ଆୟୋଜନ ପରବର୍ତ୍ତୀ ଦେଶୀବେହେରାମାନଙ୍କ ତତ୍ୱାବଧାନରେ ହୋଇଆସୁଛି l ଏଥିଲାଗି ତେଲୁଗୁ ପୁରୋହିତ (ସିଦ୍ଧାନ୍ତି)ଙ୍କ ପରାମର୍ଶକ୍ରମେ ଶୁଭତିଥି ନିର୍ଣ୍ଣୟପରେ ଦେଶୀବେହେରା ପ୍ରଥମେ ନିଜ କୁଳର ସେନାପତି ଓ ପରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ସମର୍ଥନରେ ଯାତ୍ରା ଆୟୋଜନ ଘୋଷଣା କରିଥାନ୍ତି l
ତେବେ ଏହି ଭଳି ମହୋତ୍ସବ ଆୟୋଜନଲାଗି ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ ପଡିଥାଏ l ଦେଶୀବେହେରା ପ୍ରଶାସନ ନିକଟରେ ଦରଖାସ୍ତ ପେଶ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଠାକୁରାଣୀ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥାନ୍ତି l
ଗତ ୨୦୧୫ ମସିହାରେ ୨୮ ମାର୍ଚ୍ଚରୁ ୨୭ ଏପ୍ରିଲ ୩୧ ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥିଲା l ପ୍ରଶାସନ ପକ୍ଷରୁ ପ୍ରଥମେ ୨୦ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ଦେଇଥିବା ବେଳେ ପରେ ପୁଣି ୧୧ ଦିନ ଯାତ୍ରାର ଅବଧି ବଢାଇଥିଲେ l ୨୦୧୩ ମସିହାରେ ଠାକୁରାଣୀ ଯାତ୍ରା ୫ ଏପ୍ରିଲରୁ ୨୯ ଏପ୍ରିଲ ୨୫ ଦିନ ଧରି ଅନୁଷ୍ଠିତ ହୋଇଥିଲା l ୨୦୧୧ ମସିହାରେ ଠାକୁରାଣୀ ଯାତ୍ରା ମଧ୍ୟ ୨୯ ଦିନ ଅନୁଷ୍ଠିତ ହୋଇଥିଲା l
ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାଥରକେ ୩୦ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥିବା ଜଣାଯାଇଛି l ଗତ ୧୭ ମାର୍ଚ୍ଚ ରାତିରେ ଦେଶୀବେହେରା ନିଜ ବାସଗୃହ ସାମନାରେ ଆୟୋଜିତ ବୈଠକରେ ୨ ଏପ୍ରିଲରୁ ୧ ମେ ଯାଏଁ ୩୦ ଦିନ ଯାତ୍ରା ପାଇଁ ନିଷ୍ପତ୍ତି ଘୋଷଣା କରିଥିଲେ l ଏହିମତେ ସେ ପ୍ରଶାସନର ଅନୁମତି ଲୋଡିଥିଲେ l ପୂର୍ବରୁ ଯାତ୍ରା ପାଳନ ଲାଗି ପ୍ରଶାସନ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଅନୁମତି ଦିଆଯାଉଥିବାବେଳେ ଚଳିତ ବର୍ଷ ସେଥିରେ ବ୍ୟତିକ୍ରମ ଘଟିଛି l ଏକାଥରକେ ଯାତ୍ରାର ଅବଧି ନିର୍ଦ୍ଧାରଣ ଆୟୋଜନ ତଥା ଜନସାଧାରଣଙ୍କ ଯୋଗଦାନଲାଗି ସ୍ୱଚ୍ଛନ୍ଦ ପରିବେଶ ସୃଷ୍ଟି କରିବ l
ବ୍ରହ୍ମପୁର ଠାକୁରାଣୀ ଯାତ୍ରା କେତେ ଦିନ ପାଇଁ ପାଳିତ ହୁଏ ତାହା ପାରିପାରର୍ଶ୍ୱିକ ପରିସ୍ଥିତି ଉପରେ ନିର୍ଭର କରିଥାଏ l ତେବେ ତିନି ସପ୍ତାହ ବା ୨୧ ଦିନରୁ କେବେ କମ୍ ସମୟ ଯାତ୍ରା ଆୟୋଜିତ ହୁଏନା l ନିକଟ ଅତୀତରେ ହିସାବ ଖୋଜିବସିଲେ ଅନେକ ବର୍ଷ ଯାତ୍ରା ତିନି ସପ୍ତାହ ପାଳିତ ହୋଇଥିବା ଜଣାଯାଏ l ତେବେ ଅତୀତରେ ଠାକୁରାଣୀ ଯାତ୍ରା ଦେଢ ମାସରୁ ଦୁଇମାସ ଯାଏଁ ପାଳିତ ହେଉଥିବାର ସୂଚ଼ନା ମିଳେ l
#ବ୍ରହ୍ମପୁର ସହର ଏକ ବାଣିଜ୍ୟ ପେଣ୍ଠରୂପେ ଗଢି ଉଠିବା ପରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ, ଫୁଲବାଣୀ, କଳାହାଣ୍ଡି, ପୁରୀ ଓ ଶ୍ରୀକାକୁଲମ ଜିଲ୍ଲାର ଜନସାଧାରଣ କିଣାବିକା ପାଇଁ ଏଠାକୁ ଆସିବାକୁ ଲାଗିଲେ l ବିଶେଷ କରି ଲୁଗାପଟା, ପିତ୍ତଳ ବାସନକୁସନ ଓ ସୁନା ଗହଣା କିଣିବା ନିମିତ୍ତ ଗ୍ରାହକ ଏଠି ଏକତ୍ରୀତ ହେଉଥିଲେ l ଅତୀତରେ ଏହି ଅଞ୍ଚଳର ମୁଖ୍ୟ ଫସଲ ଧାନ କଟା, ମଳା ଓ ଖଣିପକା ପରେ ଚୈତ୍ର ମାସରେ ଚାଷୀ ହାତରେ କିଛି ପଇସା ଆସିଯାଇଥାଏ ଏବଂ ବିଲବାଡିରେ ବିଶେଷ କାମ ନଥାଏ l ଏହି ଅବସରରେ ସପରିବାର ସେ ଯାତ୍ରାରେ ଯୋଗ ଦେବା ନିମନ୍ତେ ଦୁଇବର୍ଷରେ ଥରେ ବ୍ରହ୍ମପୁରରେ ଆସିବା, ଠାକୁରାଣୀ ଯାତ୍ରା ଉପଭୋଗ ଏବଂ ବ୍ରହ୍ମପୁର ବଜାରରେ କିଣାବିକା ସେସମୟରେ ପ୍ରଚଳିତ ଧାରା ଥିଲା l ଏହି କାରଣରୁ ଦୀର୍ଘ ଦିନ ଧରି ଯାତ୍ରା ପାଳନ ନିମନ୍ତେ ଏଠାକାର ବ୍ୟବସାୟୀମାନଙ୍କ ପକ୍ଷରୁ ଆୟୋଜକଙ୍କୁ ପ୍ରୋତ୍ସାହିତ କରାଯାଉଥିଲା l
କ୍ରମଶଃ ଗମନାଗମନ ବ୍ୟବସ୍ଥାର ଉନ୍ନତି ତଥା ବ୍ରହ୍ମପୁର ସହରକୁ ଯିବା ଆସିବା ଏକ ଦୈନନ୍ଦିନ ବ୍ୟାପାର ହୋଇପଡିବା ପରେ ବ୍ୟବସାୟୀ ବା ଗ୍ରାହକ ଆଉ ଠାକୁରାଣୀ ଯାତ୍ରାକୁ ପ୍ରାଧାନ୍ୟ ଦେଲେ ନାହିଁ l ତେବେ ସମ୍ୱାଦପତ୍ରଗୁଡ଼ିକର ଆଞ୍ଚଳିକ ସଂସ୍କରଣ ପ୍ରକାଶନ ଓ ଟେଲିଭିଜନ ପ୍ରସାରଣ ପରିବ୍ୟାପ୍ତ ହେବାପରେ ବିଗତ ଦୁଇ ଦଶନ୍ଧୀ ଧରି ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପୁନଃ ଲୋକପ୍ରିୟତା ଫେରି ପାଉଥିବା ଲକ୍ଷ୍ୟ କରାଯାଇପାରେ l ଜଗତୀକରଣ ପରବର୍ତୀ ଅବସ୍ଥାରେ ବ୍ରହ୍ମପୁରର ତଥା ଆଖପାଖ ଅଞ୍ଚଳର ଜନସାଧାରଣ, ମୁଖ୍ୟତଃ ନିମ୍ନ ଆୟକାରୀବର୍ଗଙ୍କ ଆର୍ଥିକ ସ୍ୱଚ୍ଛଳତା ସେମାନଙ୍କୁ ବିଭିନ୍ନ ପର୍ବପର୍ବାଣୀରେ ଯୋଗଦାନକୁ ପ୍ରୋତ୍ସାହନ ଯୋଗାଇଛି l
ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ରୀତିନୀତି ଟେଲିଭିଜନ କାର୍ଯ୍ୟକ୍ରମରୁ ଅବଗତ ହୋଇ ବ୍ରହ୍ମପୁରବାସୀ ଏଠାକାର ଠାକୁରାଣୀ ଯାତ୍ରାରେ ତାହା ସନ୍ନିବେଶିତ କରାଉଥିବା ଦେଖିବାକୁ ମିଳୁଛି l ଉଦାହରଣ ସ୍ୱରୂପ ୨୦୦୯ ଯାତ୍ରାରେ ଯାତ୍ରା ଦର୍ଶକମାନଙ୍କୁ ଖାଦ୍ୟ ଓ ପାନୀୟ ପରିବେଷଣ ଧାରା ଆରମ୍ଭ ହୋଇଥିଲା l ୨୦୧୧, ୨୦୧୩ ଓ ୨୦୧୫ ଯାତ୍ରା ଅବସରରେ ଏହି ଧାରା ବ୍ୟାପକ ଆକାର ଧାରଣ କରିଛି l ଏହା ୨୦୦୫ ମୁମ୍ୱାଇର ରାଜରାସ୍ତାରେ ବନ୍ୟା ତଥା ବିଭିନ୍ନ ଧାର୍ମିକସ୍ଥଳରେ ପ୍ରସାଦ ବଣ୍ଟନର ନକଲ ବୋଲି କୁହାଯାଇପାରେ l ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକଉତ୍ସବ ରୂପେ ଗଢି ଉଠିଥିବା ହେତୁ ସର୍ଜନଶୀଳତା ଏଥିରେ ଭରି ରହିଥାଏ l ସ୍ଥାନୀୟ ଜନସାଧାରଣ ଉତ୍ସବ ପାଳନରେ ନୂଆ ନୂଆ ଫର୍ଦ୍ଦ ଯୋଗ କରିଥାନ୍ତି l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୦ ଏପ୍ରିଲ ୨୦୧୭

Friday, April 21, 2017

Thanks Giving carnival / କୃତଜ୍ଞତାଜ୍ଞାପନର ପର୍ବ

ହିନ୍ଦୁ ଧର୍ମାବଲମ୍ବୀମାନେ ଦେବଦେବୀଙ୍କଠାରେ କୃତଜ୍ଞତାଜ୍ଞାପନ ପାଇଁ ବିଭିନ୍ନ ତୀର୍ଥ ଭ୍ରମଣ ତଥା ଧାର୍ମିକ ଉତ୍ସବରେ ଅଂଶ ଗ୍ରହଣ କରିଥାନ୍ତି l ସାଧାରଣ ଜୀବନଯାତ୍ରାରେ ଝଡ଼ଝଞ୍ଜାର ସମ୍ମୁଖୀନ ହେବାବେଳେ ଅନେକେ ଦେବଦେବୀଙ୍କ କୃପା ଲାଭଲାଗି ପ୍ରାର୍ଥନା କରି ଶରଣାପନ୍ନ ହୋଇଥାନ୍ତି l ସମୟାନ୍ତେ ସ୍ଥିତାବସ୍ଥାକୁ ଫେରିବା ପରେ ବିଭିନ୍ନ ଧାର୍ମିକ ପର୍ବପର୍ବାଣୀରେ ଅଂଶ ଗ୍ରହଣ କରି କୃତଜ୍ଞତା ଜ୍ଞାପନ ମଧ୍ୟ କରିଥାନ୍ତି l ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକମହୋତ୍ସବ ଭାବେ ଗଢ଼ି ଉଠିଥିବାସ୍ଥଳେ ମୁଖ୍ୟତଃ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ ତଥା ମାନସିକ ବେଶ ଧାରଣକୁ ବିଚାରକୁ ନେଲେ ଏହାକୁ ଏକ କୃତଜ୍ଞତା ଜ୍ଞାପନର ପର୍ବ ରୂପେ ବିବେଚନା କରାଯାଇପାରେ l
ଠାକୁରାଣୀ ଯାତ୍ରାରେ ବେଶ ଧାରଣ ପାଇଁ ଜଣେ ନିଜେ ମାନସିକ କରିପାରେ କିମ୍ବା ଅନ୍ୟ ଜଣକ ପାଇଁ ମଧ୍ୟ ମାନସିକ କରାଯାଇ ପାରେ l ବୟସ୍କ ପୁରୁଷମାନେ ନିଜେ ମାନସିକ କରୁଥିବା ବେଳେ କମ ବୟସର ବାଳକମାନଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା ବା ପରିବାରର ଗୁରୁଜନମାନେ ମାନସିକ କରିଥାନ୍ତି l ପାରମ୍ପରିକଭାବେ ଗଞ୍ଜାମ ଜିଲ୍ଲାରେ ଶକ୍ତିପୂଜା ବହୁଳଭାବେ ପ୍ରଚଳିତ ଏବଂ ବ୍ରହ୍ମପୁରରେ ବଡ ଠାକୁରାଣୀ ଅଧିଷ୍ଠାତ୍ରୀ ଦେବୀରୂପେ ପୂଜିତ l ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ୨୪୦ରୁ ଅଧିକ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ହେତୁ ଏହି ଭଳି ଏକ ଧାର୍ମିକ ମହୋତ୍ସବରେ ବେଶ ଧାରଣଲାଗି ମାନସିକ କରିବା ଧାରା ଲୋକଆଦୃତ ହୋଇପାରିଛି l ବେଶଧାରଣ କେବଳ ପୁରୁଷମାନଙ୍କ କ୍ଷେତ୍ରରେ, ମୁଖ୍ୟତଃ ବାଳକଙ୍କଠାରୁ ଯୁବକଙ୍କ ମଧ୍ୟରେ ସୀମିତ ଥିବାବେଳେ ମହିଳାମାନେ ଘଟଧାରଣ ଲାଗି ମାନସିକ କରିଥାନ୍ତି l ପୁରୁଣା ବ୍ରହ୍ମପୁରର ଅନେକ ପରିବାରରେ ଏହା ଏକ ପରମ୍ପରା ରୂପେ ପ୍ରବର୍ତ୍ତି ହୋଇଆସିଛି l
ଠାକୁରାଣୀ ଯାତ୍ରା ଆୟୋଜନରେ ବିଭିନ୍ନ ନୀତି ରୂପାୟନ ଲାଗି କେତେକ ନିର୍ଦ୍ଦିଷ୍ଟ ପରିବାର ପୁରୁଷାନୁକ୍ରମିକ ଭାବେ ସେବା ଯୋଗାଇ ଆସୁଥିବା ଲକ୍ଷ୍ୟ କରାଯାଇପାରେ l ଯାତ୍ରା ଆୟୋଜନ ନିମନ୍ତେ ନିଷ୍ପତି ଗ୍ରହଣ ପରେ ଶୁଭଖୁଣ୍ଟି ସ୍ଥାପନଠାରୁ ଆରମ୍ଭ କରି, ଅସ୍ଥାୟୀ ମଣ୍ଡପ ନିର୍ମାଣ, ଗୋବର ଲେପନ ଓ ଝୋଟି ଦିଆ, ଘଟ ନିର୍ମାଣ, ଘଟ ଚିତ୍ରଣ, ଫୁଲ ସଂଗ୍ରହ, ବାଉଁଶ ଚାଙ୍ଗୁଡ଼ି ପ୍ରଦାନ, ଛାମୁଣ୍ଡିଆ ନିର୍ମାଣ, ଘଟ ପରିକ୍ରମାରେ ସୁରକ୍ଷା ଏବଂ ପୂଜା ପଦ୍ଧତି ପରିଚାଳନା ଲାଗି ବଂଶାନୁକ୍ରମିକଭାବେ କାର୍ଯ୍ୟ କରି ଆସୁଛନ୍ତି l
ଦ୍ୱି-ବାର୍ଷିକ #ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ଦେଶୀବେହେରା ନିଜ କୁଳର ସେନାପତି ଓ ସର୍ବସାଧାରଣଙ୍କ ସମ୍ମତି ହାସଲ କରିବାପରେ ବଡ ଠାକୁରାଣୀଙ୍କଠାରୁ ଆଜ୍ଞା ପାଇ ଶୁଭଖୁଣ୍ଟ ସ୍ଥାପନ ମାଧ୍ୟମରେ ଯାତ୍ରା ତିଥି ଘୋଷଣା କରିଥାନ୍ତି l ଶୁଭଖୁଣ୍ଟ ପ୍ରସ୍ତୁତି ନିମନ୍ତେ ବାଉଁଶ ଆଗାସାହୀସ୍ଥିତ ପୃଷ୍ଟି ବଂଶ ପୁରୁଣା ବାଉରି ସାହୀରୁ କାଟି ଆଣିଥାନ୍ତି l ପୃଷ୍ଟି ପରିବାରଙ୍କ କୌଳିକ ବୃତ୍ତି ତୁଳାଭିଣା l ସେ ବାଉଁଶ ନିଜ ଘରେ ଇଷ୍ଟଦେବୀଙ୍କଠାରେ ପୂଜା କରି ଗେରୁ ଲିପି ଚନ୍ଦନ, ସିନ୍ଦୁର ଲଗାଇ ଦେଶୀବେହେରାଙ୍କ ଘର ସାମନାରେ ଆୟୋଜିତ ସଭାସ୍ଥଳକୁ ଆଣିଥାନ୍ତି l ଏହି ଶୁଭଖୁଣ୍ଟ ଶୋଭାଯାତ୍ରାରେ ବଡ ଠାକୁରାଣୀ ମନ୍ଦିରକୁ ନିଆଯାଇ ଆଜ୍ଞାମାଳ ସହ ଫେରିବା ପରେ ଅସ୍ଥାୟୀ ମଣ୍ଡପ ନିର୍ମାଣସ୍ଥଳରେ ସ୍ଥାପନ କରାଯାଇଥାଏ l
ଅସ୍ଥାୟୀ ପୂଜା ମଣ୍ଡପ ନିର୍ମାଣ ପାଇଁ ଜଣେ କୌଳିକ ମହାରଣା ସ୍ୱତଃପ୍ରବୃତଭାବେ ସେବା ଯୋଗାଉଥିବା ବେଳେ ପାରମ୍ପରିକଭାବେ ଶଙ୍କରପୁର ସାହୀର ବାଉରି ସଂପ୍ରଦାୟର ଅବିବାହିତ କନ୍ୟା ଓ ମହିଳାମାନେ ଅସ୍ଥାୟୀ ମଣ୍ଡପରେ ଗୋବର ଲିପା ଓ ଝୋଟି ଦିଆ କାର୍ଯ୍ୟ ସମାପନ କରିଥାନ୍ତି l ଅସ୍ଥାୟୀ ମଣ୍ଡପ କଞ୍ଚା ବାଉଁଶ ଓ ନଡ଼ାରେ ନିର୍ମିତ ହେବା ବେଳେ ଝୋଟି ପାଇଁ ଧଳା ଖଡି ପାଣିରେ ଘୋରି ପିଠଉ ତିଆରି କରାଯିବା ନୀତି ରହିଛି l ଠାକୁରାଣୀଙ୍କୁ ନିମନ୍ତ୍ରଣ କରିବାପାଇଁ ଫୁଲସୁନ୍ଦରୀ ସାହୀରୁ ଫୁଲ ଚାଙ୍ଗୁଡି ଅଣାଯାଉଥିବା ବେଳେ ଷଣ୍ଢ ମହାନ୍ତି ସାହୀରେ ବସବାସ କରୁଥିବା ଅନ୍ୟଏକ ରାଉଳ ପରିବାର ଇଟାମଲ୍ଲୀ ଫୁଲ ହାର ଯୋଗାଇଥାନ୍ତି l
ବଡ ବଜାରରେ ଆୟୋଜିତ ଠାକୁରାଣୀ ଯାତ୍ରା ପାଇଁ ଅନ୍ୟୂନ ସାତ କିଲୋମିଟର ଦୂରବର୍ତ୍ତୀ ଲାଞ୍ଜିପଲ୍ଲୀର କୁମ୍ଭାରମାନେ ଘଟ ନିର୍ମାଣ କରି ଆସୁଛନ୍ତି l ଶୁଭ ତିଥି ଚୟନ କରି କୁମ୍ଭାରମାନେ ଘଟ ତିଆରି କାମ ଆରମ୍ଭ କରିଥାନ୍ତି l ମଧ୍ୟରାତ୍ରୀରେ କୁମ୍ଭାର ପରିବାରର ଜଣେ ପୁରୁଷ ସଦସ୍ୟ ମୃତିକା ପୂଜା କରି ଏକ ନିର୍ଦ୍ଦିଷ୍ଟସ୍ଥାନରୁ କାଠରେ ତାଡି ମାଟି ସଂଗ୍ରହ କରିଥାନ୍ତି l ମାଟି ହାଣ୍ଡି ନିର୍ମାଣ ପରେ ତାହାକୁ ଯେଉଁ ସ୍ଥାନରେ ପୋଡ଼ା ଯାଇଥାଏ ତାହାକୁ ପୋତି ଦିଆଯାଏ l ଅପର ପକ୍ଷେ ଯାତ୍ରାର ଶେଷ ଦିବସରେ ସାଧାରଣ ମହିଳାମାନେ ମଣ୍ଡନ କରୁଥିବା ଘଟ ଲାଠୀ ଓ ଚିକରଡା ଗ୍ରାମର କୁମ୍ଭକାରମାନଙ୍କ ଦ୍ୱାରା ନିର୍ମିତ ହୋଇଥାଏ l ଲାଞ୍ଜିପଲ୍ଲୀର କୁମ୍ଭକାରମାନେ ଦେଶୀବେହେରାଙ୍କ ଘରେ ଘଟ ଯୋଗାଇ ଦେବା ପରେ ମୁଖ୍ୟ ଘଟ ସହ ଆଠଗୋଟି ପାର୍ଶ୍ୱଘଟକୁ ଆଇନାବନ୍ଧ ସାହୀର ଏକ ପରିବାରର ମହିଳାମାନେ ଚିତ୍ରିତ କରିଥାନ୍ତି l ଘଟରେ ବ୍ୟବହୃତ ଟାହିଆ ଶଙ୍କରପୁର ସାହୀର ମେଦିରିମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ l ସେହିପରି ଠାକୁରାଣୀଙ୍କୁ ନିମନ୍ତ୍ରଣ ଶୋଭାଯାତ୍ରାରେ ପାଣ୍ଡବ ନଗରର ବାଦ୍ୟକାର ଓ ଷଣ୍ଢ ମହାନ୍ତି ସାହୀର ବୀରକାହାଳି ବାଦକ ସାମିଲ ହୋଇ ଆସୁଛନ୍ତି l ଘଟ ପରିକ୍ରମା କାଳରେ ମୁଖ୍ୟଘଟ ପାର୍ଶ୍ୱରେ ଦଳେଇ ବଂଶଜ ସାହାୟତା ପ୍ରଦାନର ପରମ୍ପରା ରହିଛି l ସେମାନେ ପ୍ରସାଦ ବିତରଣ ଓ ଅସ୍ଥାୟୀ ମଣ୍ଡପରେ ପରିଚ୍ଛନ୍ନତା ଇତ୍ୟାଦି କାର୍ଯ୍ୟ ମଧ୍ୟ ତତ୍ୱାବଧାନ କରିଥାନ୍ତି l ଯାତ୍ରା ପାଇଁ ଛାମୁଣ୍ଡିଆ ନିର୍ମାଣ କାମର ଦାୟିତ୍ୱ ପ୍ରତିବର୍ଷ ଦେଶୀବେହେରା ସାହୀ ବ୍ୟବସାୟୀ ସଂଘ, ଦେଶୀବେହେରା ସାହୀ ପଟ୍ଟା ରିକ୍ସା ସଂଘ, ତ୍ରିନାଥ ଠାକୁର ପଟ୍ଟା ରିକ୍ସା ସଂଘ, ନଡିଆ ଗୋର୍ଜୀ ବ୍ୟବସାୟୀ ସଂଘ ପ୍ରମୁଖ ଗ୍ରହଣ କରିଥାନ୍ତି l ଠାକୁରାଣୀ ଯାତ୍ରାରେ ଭୋଗ ରୂପେ ପ୍ରସିଦ୍ଧ ଗଜା ମୁଆଁ ପୁରୁଣା ବ୍ରହ୍ମପୁରର ଗୁଡିଆ ସଂପ୍ରଦାୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ବିକ୍ରୀ କରାଯାଇଥାଏ l
ଠାକୁରାଣୀ ଯାତ୍ରା ଆୟୋଜନ କାଳରେ ଦେଶୀବେହେରାଙ୍କ ପକ୍ଷରୁ ବିଭିନ୍ନ ସେବା ପ୍ରଦାନକାରୀ ପରିବାର ଓ ସଂପ୍ରଦାୟଙ୍କୁ ଯାତ୍ରାରେ ଯୋଗଦାନ ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯିବା ପରମ୍ପରା ରହିଛି l ଏହିପରି ସାମୂହିକ ଉଦ୍ୟମ ହେତୁ ଯାତ୍ରା ପରିଚାଳନା ସମ୍ଭବପର ହୋଇଥାଏ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୧୯ ଏପ୍ରିଲ ୨୦୧୭

Thursday, April 20, 2017

Tradition of Thakurani Jatra in Berhampur / ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଐତିହ୍ୟ

#ବ୍ରହ୍ମପୁର ସହରର ପାରମ୍ପରିକ ଠାକୁରାଣୀ ଯାତ୍ରା ସମଗ୍ର ଦକ୍ଷିଣ ଓଡ଼ିଶା ଓ ଉତ୍ତରପୂର୍ବ ଆନ୍ଧ୍ରପ୍ରଦେଶରେ ପ୍ରସିଦ୍ଧ l ପ୍ରତି ବର୍ଷକ ଅନ୍ତରରେ ଥରେ ଚୈତ୍ର ଓ ବୈଶାଖ ମାସରେ ପାଳିତ ହେଉଥିବା ଏହି ଯାତ୍ରା ସହରର ସାମାଜିକ, ସାଂସ୍କୃତିକ ତଥା ଅର୍ଥନୀତିକ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଥାଏ l ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀଦେବୀ ବଡ଼ଠାକୁରାଣୀଙ୍କ ଏହି ଯାତ୍ରା ମହୋତ୍ସବ ପାଳନ ଅବସରରେ ଗ୍ରାମାଞ୍ଚଳରୁ ଅଗଣିତ ଦର୍ଶନାଭିଳାଷୀ ଆକର୍ଷିତ ହୋଇଥାନ୍ତି l
ଠାକୁରାଣୀ ଯାତ୍ରା କେଉଁ ସମୟରୁ ଆରମ୍ଭ ହୋଇଛି ସେ ସମ୍ପର୍କରେ ନିର୍ଦ୍ଧିଷ୍ଟ ପ୍ରାମାଣିକ ତଥ୍ୟ ଉପଲବ୍ଧ ନଥିଲେ ହେଁ କିମ୍ୱଦନ୍ତୀକୁ ପାଥେୟ କରି ଏ ସମ୍ପର୍କରେ ଆଲୋଚନା କରାଯାଇପାରେ l ଠାକୁରାଣୀ ଯାତ୍ରା ସହ ଆଜି ସୁଦ୍ଧା ଦେବାଙ୍ଗ ବା ଡ଼େରା ବୁଣାକାର ସଂପ୍ରଦାୟ ଓ ମହୁରି ରାଜପରିବାରଙ୍କ ସଂଶ୍ଲିଷ୍ଟତାକୁ ବିଚାରକୁ ନେଇ ମହୁରି ରାଜାଙ୍କ ରାଜମହେନ୍ଦ୍ରୀ ଭ୍ରମଣ କିମ୍ୱଦନ୍ତୀକୁ ପ୍ରାଧାନ୍ୟ ଦିଆଯାଇପାରେ l
କୁହାଯାଏ ଯେ, ମହୁରି ରାଜା ହରିହର ନରେନ୍ଦ୍ର ଦେବ ଏକଦା ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ ଏବଂ ସେଠାକାର ବୁଣାକାରମାନଙ୍କ ଶିଳ୍ପଚାତୁର୍ଯ୍ୟରେ ମୁଗ୍ଧ ହୋଇଥିଲେ l ରାଜାଙ୍କ ସହ ପରିଚିତ ହେବା ପରେ ରାଜକୃପା ଲାଭ କରି ରାଜମହେନ୍ଦ୍ରୀରୁ କେତେକ ବୁଣାକାର ମହୁରି ରାଜ୍ୟକୁ ଆସି ନୂଆ କରି ଗଢ଼ି ଉଠିଥିବା ମହୁରି ରାଜବାଟୀ ନିକଟରେ ବସତି ସ୍ଥାପନ କରିଥିଲେ l ବଂଶାନୁକ୍ରମିକଭାବେ ସେହିମାନେ ହିଁ ଆଜିକାର ଡ଼େରା ବୁଣାକାର ସଂପ୍ରଦାୟରୂପେ ପରିଚିତ l
ବୁଣାକାର ସଂପ୍ରଦାୟଙ୍କ ମହୁରି ରାଜ୍ୟକୁ ଆଗମନ ଓ ବ୍ୟବସାୟ ଆରମ୍ଭ ପରେ ପରେ ସେମାନେ ଘଟପୂଜା ପଦ୍ଧତି ଏଠାରେ ପ୍ରଚଳନ କରିଥିଲେ l ‘ଡ଼େରାମାନଙ୍କ ପାଟମଠା ବସ୍ତ୍ରର ଖ୍ୟାତି ବଢ଼ିଚାଲିଲା ଏବଂ ସେମାନେ ଆର୍ଥିକ ଦୃଷ୍ଟିକୋଣରୁ ଖୁବ୍ ସ୍ୱଚ୍ଛଳ ହେଲେ l ବ୍ୟାବସାୟିକ ତଥା ଆର୍ଥିକ ସଫଳତା ଆଡ଼ମ୍ବରପୂର୍ଣ୍ଣ ଓ ବ୍ୟୟବହୁଳ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ପ୍ରଶସ୍ତ କ୍ଷେତ୍ର ଯୋଗାଉଥିଲା ବୋଲି ବିଶ୍ୱାସ କରାଯାଇପାରେ l
ତତ୍ ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁର ବ୍ୟାବସାୟିକ କ୍ଷେତ୍ରରେ କୁମୁଟି ବୈଶ୍ୟ ସଂପ୍ରଦାୟଙ୍କ ପ୍ରାଧାନ୍ୟତା ଅନୁଭବ ହୋଇଥିଲା ଏବଂ ସେମାନଙ୍କପକ୍ଷରୁ ମଧ୍ୟ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ସହଯୋଗ ଜାରୀ ରହିଥିଲା l ତେବେ ମୂଳତଃ ଧାର୍ମିକ ତଥା ପାରମ୍ପରିକ ଧାରାକୁ ବାଦ ଦେଇ ବିଶ୍ଲେଷଣ କଲେ ଫସଲ ଆମଦାନୀପର ଗ୍ରୀଷ୍ମଋତୁରେ ଏଭଳି ଏକ ଯାତ୍ରା ଆୟୋଜନ ଫଳରେ ଗ୍ରାମାଞ୍ଚଳରୁ ଜନସାଧାରଣ ବ୍ରହ୍ମପୁର ବଜାର ପ୍ରତି ଆକୃଷ୍ଟ ହେବା ଏବଂ ବ୍ୟବସାୟୀଗଣ ଏଥିରୁ ବ୍ୟାବସାୟିକ ଫାଇଦା ପାଇଁ ଏକ ସୁଯୋଗ ସୃଷ୍ଟି କରିବା ଉଦ୍ୟମରେ ଯାକଜମକରେ ଯାତ୍ରା ପାଳନ ଲାଗି ପୃଷ୍ଠପୋଷକତା ଯୋଗାଇଥିବା ସ୍ପଷ୍ଟ ବାରି ହୁଏ l
ଭାରତବର୍ଷରେ ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ସ୍ୱାଧୀନତା ପ୍ରାପ୍ତିର ପ୍ରାକ୍ କାଳରେ ଦେଶରେ ସର୍ବତ୍ର ଏଭଳି ଧାର୍ମିକ ମେଳନଗୁଡ଼ିକୁ ବ୍ୟାବସାୟିକ ଉନ୍ନତି ପାଇଁ ପ୍ରକୃଷ୍ଟ କ୍ଷେତ୍ର ରୂପେ ବ୍ୟବହାର କରାଯାଉଥିଲା l ଅତୀତରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏହି ଅଞ୍ଚଳର ଜନସମାଗମ ପାଇଁ ଏକ ବିଶିଷ୍ଟ ଉତ୍ସବ ରୂପେ ବିବେଚିତ ହେଉଥିବା ଯୋଗୁ ସ୍ଥାନୀୟ ବ୍ୟାବସାୟିକ ଆଭିବୃଦ୍ଧି ନିମନ୍ତେ ଏକ ମୁଖ୍ୟ ଆକର୍ଷଣ ପାଲଟିଥିବା ଲକ୍ଷ୍ୟ କରାଯାଇପାରେ l
୧୯୩୬ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନପରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକ ନିମନ୍ତେ ପ୍ରଶାସନିକ ମହକୁମା ତଥା ୧୯୧୮ରେ ବ୍ରହ୍ମପୁର ରେଳଷ୍ଟେସନ କାର୍ଯ୍ୟକ୍ଷମପରେ ଏହା ଏକ ବ୍ୟାବସାୟିକ କେନ୍ଦ୍ରରୂପେ ଗଢ଼ି ଉଠିବା ଅବସରରେ ସହରର ଜନସଂଖ୍ୟା ବୃଦ୍ଧି ପାଇଥିଲା l ଅପରପକ୍ଷରେ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ସମାଜରେ ଆର୍ଥିକ ସ୍ୱଚ୍ଛଳତା ଆଡ଼ମ୍ୱର ସହକାରେ ଉତ୍ସବଅନୁଷ୍ଠାନ ପାଳନ ନିମନ୍ତେ କ୍ରମଶଃ ସୁଯୋଗ ସୃଷ୍ଟି କରିଥିଲା l ଏହିସବୁ କାରଣ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଯାକଜମକରେ ଆୟୋଜନ ନିମନ୍ତେ ପରିବେଶ ସୃଷ୍ଟି କରିଥିବା ଜଣାଯାଏ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୧୦ ଏପ୍ରିଲ ୨୦୧୭