Sunday, October 21, 2018

Community Durga Puja in Berhampur / ବ୍ରହ୍ମପୁରରେ ସାର୍ବଜନୀନ ଦଶହରା ପୂଜା

ବ୍ରହ୍ମପୁରରେ ସାର୍ବଜନୀନ ଦଶହରା ପୂଜା ଅବସରରେ ଦୁର୍ଗା ମେଢ଼ ନିର୍ମାଣ ନିକଟ ଅତୀତର ପରମ୍ପରା I କୋଲକତାରୁ କଟକ ଦେଇ ଏଭଳି ଏକ ସାମୂହିକ ପୂଜାର୍ଚ୍ଚନା ପ୍ରଥା ଏଠାରେ ଗତ ଶତାଦ୍ଦୀର ଷଷ୍ଠ ଦଶକରୁ ଲୋକପ୍ରିୟ ହେବାରେ ଲାଗିଲା I ଅବଶ୍ୟ ଏହା ପୂର୍ବରୁ ବଙ୍ଗଭାଷୀମାନଙ୍କ ଦ୍ୱାରା ୧୯୩୪ ମସିହାରୁ ରେଳଷ୍ଟେସନ ନିକଟରେ ବିଧିବଦ୍ଧଭାବେ ଦୁର୍ଗା ପୂଜା ସମିତି ଜରିଆରେ ଦୁର୍ଗା ମେଢ଼ ନିର୍ମିତ ହୋଇଆସୁଥିଲା I ଦୀର୍ଘ ଦିନ ଧରି ସେମାନେ ଖଲ୍ଲିକୋଟ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଦୁର୍ଗା ମେଢ଼ ଆୟୋଜନ କରୁଥିଲେ I ପରେ ତାହା ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଚ଼ାଟର୍ଜୀ ଲେନରେ ନିର୍ମିତ ଏକ ସ୍ଥାୟୀ ମଣ୍ଡପକୁ ସ୍ଥାନାନ୍ତରିତ ହୋଇଛି I

ସହରର ପ୍ରାଚ଼ୀନତମ ଦୁର୍ଗା ମେଢ଼ ମଧ୍ୟରୁ ସାନ ବଜାର ଅନ୍ୟତମ I ସ୍ୱାଧୀନୋତ୍ତର ଅବସ୍ଥାରେ ସେଠାରେ କୁଆଡ଼େ ପ୍ରବଳ ମାତ୍ରାରେ ଜୁଆଖେଳ ହେଉଥିଲା I ଗ୍ରାମାଞ୍ଚଳରୁ କିଣାବିକା ଉଦ୍ଦେଶ୍ୟରେ ବ୍ରହ୍ମପୁରରେ ପହଞ୍ଚୁଥିବା ଗ୍ରାହକମାନେ ଜୁଆ ଖେଳ ପ୍ରତି ଆକର୍ଷିତ ହୋଇ ସର୍ବସ୍ୱାନ୍ତ ହେଉଥିଲେ I ବଜାରର ମୁରବୀ ସ୍ଥାନୀୟ ବ୍ୟକ୍ତିମାନେ ଜୁଆ ଖେଳର ମୂଳୋତ୍ପାଟନ କରିବା ନିମନ୍ତେ ସଂଗଠିତ ହୋଇଥିଲେ I ଏହି ଅଞ୍ଚଳରେ ପ୍ରତ୍ୟେକ ବ୍ୟବସାୟୀ ଦୈନିକ ଦଶ ପଇସା ଚ଼ାନ୍ଦା ଦେଇ ଏକ ପାଣ୍ଠି ସୃଷ୍ଟି କରି ଜୁଆ ଖେଳ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ I ଏହି ଅବସରରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଜୁଆ ଖେଳ ବନ୍ଦ ହୋଇଥିଲା I ତେବେ ସଂଗୃହୀତ ଚ଼ାନ୍ଦାର ସୁବିନିଯୋଗ କରି ହନୁମାନ ବଜାର ଛକରେ ୧୯୫୬ ମସିହାରୁ ଦୁର୍ଗା ମେଢ଼ ପରିକଳ୍ପନା କରାଯାଇଥିଲା I ପ୍ରଥମ କିଛି ବର୍ଷ ଲଛମନଜୀ ବାଲାଜୀ ମନ୍ଦିରର ଉତ୍ତର ଦ୍ୱାର ନିକଟରେ ଅନୁଷ୍ଠିତ ହେବା ପରେ ପୂର୍ବ ପଟକୁ ସ୍ଥାନାନ୍ତରିତ ହୋଇଥିଲା I ପରେ ମନ୍ଦିର ପକ୍ଷରୁ କିଛି ସ୍ଥାନ ଦାନ ସୂତ୍ରରେ ପାଇବା ପରେ ଦୁର୍ଗାପୂଜା ସମିତି ଏକ ସ୍ଥାୟୀ ମଣ୍ଡପ ନିର୍ମାଣ କରିଥିଲେ I

ପ୍ରାରମ୍ଭିକ ଅବସ୍ଥାରେ ବିଭିନ୍ନ ବଜାର ଅଞ୍ଚଳ ଛକସ୍ଥାନଗୁଡ଼ିକରେ ଦୁର୍ଗା ମେଢ଼ ନିର୍ମିତ ହେଉଥିବା ସ୍ଥଳେ ଅଷ୍ଟମ ଓ ନବମ ଦଶକରେ ବିଭିନ୍ନ ସାହୀକୁ ସଂପ୍ରସାରିତ ହୋଇଥିଲା I ବ୍ରହ୍ମପୁରରେ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ପରକୁ ସାର୍ବଜନୀନ ଦଶହରା ପୂଜା ଅନ୍ୟତମ ବୃହତ ମହୋତ୍ସବର ମାନ୍ୟତା ପାଇଥାଏ I #ବ୍ରହ୍ମପୁର ଦୁର୍ଗା ମେଢ଼ ନିର୍ମାଣ ଆଞ୍ଚଳିକସ୍ତରରେ ଭାଇଚ଼ାରା ବୃଦ୍ଧିରେ ସହାୟକ ହେବା ସାଙ୍ଗକୁ କିଣାବିକା ଓ ପର୍ଯ୍ୟଟନ ପାଇଁ ଆଖାପାଖ ଗ୍ରାମାଞ୍ଚଳରୁ ଦର୍ଶନାର୍ଥୀଙ୍କୁ ଆକର୍ଷିତ କରିଥାଏ I ଏଭଳି ଉତ୍ସବାନୁଷ୍ଠାନ ସ୍ଥାନୀୟ ବ୍ୟାବସାୟ ବୃଦ୍ଧିରେ ସହାୟକ ହୋଇଥାଏ I ବ୍ରହ୍ମପୁର ଏକ ବ୍ୟାବସାୟିକ ପେଣ୍ଠ ହୋଇଥିବା ହେତୁ ବ୍ୟବସାୟୀ ମହଲରୁ ଆଡ଼ମ୍ୱରପୂର୍ଣ୍ଣ ଦୁର୍ଗା ମେଢ଼ ଆୟୋଜନ ପାଇଁ ସହାୟତା ଯୋଗାଇ ଦିଆଯାଇଥାଏ I

ଦଶହରା ଅବସରରେ ନବରାତ୍ରୀ ଦାଣ୍ଡିଆ ନୃତ୍ୟ ଆୟୋଜନ ଗତ କିଛି ବର୍ଷରୁ ସହରର ଉତ୍ସବାନୁଷ୍ଠାନ ସୂଚ଼ୀରେ ଯୋଡ଼ିଛି I ପୂର୍ବେ ଏହା ଗୁଜରାଟୀ ସଂପ୍ରଦାୟର କତିପୟ ମହିଳାଙ୍କ ମଧ୍ୟରେ ସୀମିତ ଥିବାସ୍ଥଳେ ଚଳିତ ବର୍ଷ ଏହା ନୃତ୍ୟ ଓ ବ୍ୟାୟାମ ଗୋଷ୍ଠୀ ଜିମଗୁଡ଼ିକୁ ସଂପ୍ରସାରିତ ହୋଇଥିବା ଦେଖିବାକୁ ମିଳିଛି I ଟେଲିଭିଜନ ସାଙ୍ଗକୁ ସୋସିଆଲ ମିଡ଼ିଆ ଯୋଗେ ପଡ଼ୋଶୀ ରାଜ୍ୟର ସଂସ୍କୃତି ଆମ ସହରରେ ସାମାଜିକ ଜୀବନକୁ ପ୍ରଭାବିତ କରୁଥିବା ଏଥିରୁ ସ୍ୱଷ୍ଟ ଅନୁମିତ ହୁଏ I

ପରିବର୍ତ୍ତିତ ପରିବେଶରେ ଏଭଳି ସାଂସ୍କୃତିକ ପରମ୍ପରା ନୂତନ ପୋଷାକପତ୍ର ପରିଧାନ, ପ୍ରସାଧନ ଓ ସେଲଫି ଉତ୍ତୋଳନରେ ପର୍ଯ୍ୟବସିତ ହେଉଥିବା ହେତୁ ଉପଭୋକ୍ତା ସାଂସ୍କୃତିର ପ୍ରସାରରେ ସହାୟକ ହୋଇଥାଏ I ଏଣିକି ଦୁର୍ଗା ମେଢ଼ ଦର୍ଶନାର୍ଥୀମାନେ ମୋବାଇଲ ଫୋନ କ୍ୟାମରାରେ ଚ଼ିତ୍ର ଓ ଭିଡ଼ିଓ ଉତ୍ତୋଳନ କରି ହ୍ୱାର୍ଟସଆପ ଭଳି ମେସେଞ୍ଜର ଆପଯୋଗେ ନିଜ ପରିଚ଼ିତ ମହଲରେ ବ୍ୟାପକ ମାତ୍ରାରେ ପ୍ରସାରଣ କରୁଥିବା ସହରର ଦୁର୍ଗାମେଢ଼ଗୁଡ଼ିକୁ ଭାଇରାଲ କରିବାରେ ଲାଗିଛି I ଫଳରେ ମେଢ଼ ପ୍ରାଙ୍ଗଣମାନଙ୍କରେ ସାଜସଜ୍ଜାର ଗୁରୁତ୍ୱ ଏହି କାରଣରୁ ବୃଦ୍ଧି ପାଇବାରେ ଲାଗିଛି I

(ପ୍ରମେୟ / ୧୭ ଅକ୍ଟୋବର ୨୦୧୮)
---

Monday, October 1, 2018

Mahatma Gandhi in Berhampur / ବ୍ରହ୍ମପୁରରେ ମହାତ୍ମା ଗାନ୍ଧି

ବ୍ରହ୍ମପୁରକୁ ମହାତ୍ମା ଗାନ୍ଧି ଦୁଇ ଥର ଆଗମନ କରିଥିଲେ I ପ୍ରଥମବାର ୧୯୨୧ରେ ଓ ଦ୍ୱିତୀୟବାର ୧୯୨୭ରେ ଗସ୍ତ କାଳରେ ସହରରେ ଆୟୋଜିତ ଦୁଇଗୋଟି ସାଧାରଣ ସଭାରେ ଉଦ୍ ବୋଧନ ଦେଇଥିଲେ I ୧୯୨୦ ରୁ ୧୯୨୨ ମଧ୍ୟରେ ଦେଶବ୍ୟାପୀ ଆୟୋଜିତ ବ୍ରିଟିଶ ସରକାର ବିରୋଧରେ ଅସହଯୋଗ ଆନ୍ଦୋଳନରେ ବ୍ରହ୍ମପୁର ସାମିଲ ହୋଇଥିଲେ ହେଁ ଗାନ୍ଧିଜୀଙ୍କ ଆଗମନରେ ପ୍ରଭାବିତ ହୋଇ ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟକ ସ୍ଥାନୀୟ ସଂଗ୍ରାମୀ ଯୋଗ ଦେଇଥିଲେ I

ଟାଉଲହଲ ରୋଡ଼ସ୍ଥିତ ସେଣ୍ଟ ଷ୍ଟିଫନସ ଚର୍ଚ୍ଚ ସମ୍ମୁଖର ମଧୁ ମନ୍ଦିରରେ ମହାତ୍ମା ଗାନ୍ଧି ପ୍ରଥମ ଥର ଗସ୍ତସମୟରେ ଅବସ୍ଥାନ କରିଥିଲେ I ଜନୈକ ଓଡ଼ିଆ ଆଇନଜୀବୀ ତଥା ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ନିର୍ମିତ ସେହି ଦୁଇ ମହଲା କୋଠାଟି ସେ ସମୟରେ ସହରର ସର୍ବାପେକ୍ଷା ସୁନ୍ଦର ବାସଗୃହରୂପେ ପରିଗଣିତ ହେଉଥିଲା I ବର୍ତ୍ତମାନ ଯାଏଁ ପ୍ରାସାଦଟି ପ୍ରାୟତଃ ଅକ୍ଷତ ଅବସ୍ଥାରେ ରହିଛି I ଅବଶ୍ୟ ସମ୍ମୁଖ ଭାଗରେ ଧାଡ଼ିଏ ଉଠା ଦୋକାନ ଗଢ଼ି ଉଠିଥିବା ହେତୁ ରାସ୍ତାରୁ ଏହା ଦେଖି ହୁଏନି I ପୁରୁଣା ବସଷ୍ଟାଣ୍ଡରେ ଅବସ୍ଥିତ ହୋଟେଲ ରାଧା ପରିସରରେ ଅତୀତରେ ଝିକର ଛାତ ସମ୍ପନ୍ନ ଏକ ଧାଡ଼ିଆ ନ୍ୟାସନାଲ ହୋଟେଲ ଚ଼ାଲୁଥିଲା I ସେଠାରେ ଜିଲ୍ଲା ଓ ଜିଲ୍ଲା ବାହାରୁ ସହରରେ ପହଞ୍ଚୁଥିବା ସ୍ୱାଧୀନତା ସଂଗ୍ରାମୀମାନେ ପ୍ରାୟତଃ ଅବସ୍ଥାନ କରୁଥାନ୍ତି I

ମହାତ୍ମା ଗାନ୍ଧିଙ୍କ #ବ୍ରହ୍ମପୁର ଆଗମନ ସମୟରେ ସହରରୁ ଆଶା ନାମରେ ଏକ ଲୋକପ୍ରିୟ ସାପ୍ତାହିକ ସମ୍ୱାଦପତ୍ର ପ୍ରକାଶ ପାଉଥିଲା I ଆଶା ସ୍ୱାଧୀନତା ସଂଗ୍ରାମକୁ ସମର୍ଥନ କରୁଥିବା ହେତୁ ଏହାର ପୃଷ୍ଠାରେ ଗାନ୍ଧିଙ୍କ ଗସ୍ତକ୍ରମର ସଂପୂର୍ଣ୍ଣ ବିବରଣୀ ସ୍ଥାନିତ ହେଉଥିଲା I ଆଶାର ସମ୍ପାଦକ ଶଶିଭୂଷଣ ରଥଙ୍କ ପ୍ରତିମୂର୍ତ୍ତି ପୁରୁଣା ବସଷ୍ଟାଣ୍ଡସ୍ଥିତ ଟ୍ରାଫିକ ପୋଲିସ କାର୍ଯ୍ୟାଳୟ ପରିସରରେ ଅବସ୍ଥାପିତ I ଗାନ୍ଧିକ ଦ୍ୱିତୀୟବାର ଗସ୍ତକାଳରେ ନିରଞ୍ଜନ ପଟ୍ଟନାୟକ ବ୍ରହ୍ମପୁରରୁ ଗାନ୍ଧି ସମାଚ଼ାର ନାମରେ ଏକ ଦୈନିକ ବୁଲେଟିନ ପ୍ରକାଶ କରିଥିଲେ I ସମ୍ୱାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସେ ହେଉଛନ୍ତି ଅଜା ଶ୍ୱଶୁର I

ମହାତ୍ମା ଗାନ୍ଧିଙ୍କ ବ୍ରହ୍ମପୁର ଗସ୍ତ ଦକ୍ଷିଣ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମକୁ ତେଜୀୟାନ କରିଥିଲା I ପରବର୍ତ୍ତୀ ଅବସ୍ଥାରେ ୧୯୩୬ରେ ଜବହରଲାଲ ନେହୁରୁ ଓ ୧୯୩୭ରେ ନେତାଜୀ ସୁଭାଷ ଚ଼ନ୍ଦ୍ର ବୋଷ ବ୍ରହ୍ମପୁର ଆଗମନ କରି ଆନ୍ଦୋଳନର ସମୀକ୍ଷା କରିଥିଲେ I

୧୯୬୮ରେ ମହାତ୍ମା ଗାନ୍ଧିଙ୍କ ଜନ୍ମଶତବାର୍ଷକୀ ପାଳନ ଅବସରରେ ବ୍ରହ୍ମପୁରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ସେ ସମୟରେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଏକ ଶାଖା ସହରରେ କାର୍ଯ୍ୟରତ ଥିଲା I ତାହାରି ତତ୍ତ୍ୱାବଧାନରେ ଗାନ୍ଧିଙ୍କ ଚ଼ିନ୍ତାଧାରା ଓ ରଚ଼ନା ପ୍ରଚ଼ାର ଓ ପ୍ରସାର ଲାଗି ଉଦ୍ୟମ ହୋଇଥିଲା I ଗାନ୍ଧିଜୀଙ୍କ ୧୫୦ ଜନ୍ମବାର୍ଷକୀ ପାଳନ ଅବସରରେ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ସହରର ନାଗରିକ ସମାଜରୁ କୌଣସି ଉଦ୍ୟମ ନହେବା କ୍ଷୋଭର ବିଷୟ I ଏ ଦିଗରେ ଦୃଷ୍ଟି ଦିଆଯିବା ଆବଶ୍ୟକ I
(ସମ୍ୱାଦ / ୨ ଅକ୍ଟୋବର ୨୦୧୮)
---

Sunday, April 30, 2017

Last Day of Thakurani Yatra / ଠାକୁରାଣୀ ଯାତ୍ରା ଶେଷଦିବସ

ଲୋକମହୋତ୍ସବ ପାଳନ ଅବସରରେ ଦେବଦେବୀ ଓ ଆୟୋଜକଙ୍କ ମଧ୍ୟରେ ପାରିବାରିକ ସଂପର୍କ କଳ୍ପନା କରାଯାଇଥାଏ l ସମ୍ୱଲପୁର ଶୀତଳ ଷଷ୍ଠୀ ଭଳି ରାଜ୍ୟର ବିଭିନ୍ନ ଲୋକଉତ୍ସବରେ ଏହି ରୀତି ଦେଖିବାକୁ ମିଳିଥାଏ l #ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବଡ଼ ଠାକୁରାଣୀ ନିଜ ମନ୍ଦିର ଶ୍ୱଶୁରାଳୟରୁ ପିତ୍ରାଳୟ ଦେଶୀବେହେରାଙ୍କ ବାସଭବନକୁ ସାମୟିକଭାବେ ଆସିଥାନ୍ତି ବୋଲି କୁହାଯାଏ l ଏଠାକାର ସାମାଜିକ ବ୍ୟବସ୍ଥାରେ ଝିଅଙ୍କ ପାଇଁ ଶାଶୁଘର ଓ ବାପଘରର କିଛି ଚାଲିଚଳେଣୀ ଯାତ୍ରା ପାଳନରେ ପ୍ରତିବିମ୍ୱିତ ହୋଇଥାଏ l ବାପଘରଭାବେ ଦେଶୀବେହେରାଙ୍କ ପକ୍ଷରୁ ଝିଅକୁ ନିମନ୍ତ୍ରଣ କରିବା ରୀତିନୀତି ଯାତ୍ରା ଆରମ୍ଭରେ ପାଳିତ ହେଉଥିବା ବେଳେ ଯାତ୍ରା ଶେଷରେ ଶାଶୁଘର ବଡ଼ ଠାକୁରାଣୀ ମନ୍ଦିରରୁ ଏହି ଅଞ୍ଚଳରେ ପ୍ରଚଳିତ ବୋହୁ ଡ଼ାକରା ପଦ୍ଧତି ଅନୁସରଣ କରାଯାଇଥାଏ l ସପ୍ତଦଶ ଶତାଦ୍ଦୀ ଶେଷ ଭାଗରେ ପ୍ରତିଷ୍ଠିତ ମହୁରି ରାଜବାଟୀ ଚର୍ତୁଦିଗରେ ଗଢ଼ି ଉଠୁଥିବା ଜନବସତିକୁ ନେଇ ବ୍ରହ୍ମପୁରର କ୍ରମବିକାଶ ପର ଶହେ ବର୍ଷ ଉତ୍ତାରେ ଅଷ୍ଟଦଶ ଶତାଦ୍ଦୀ ଶେଷଭାଗରେ ଆଭ୍ୟନ୍ତରୀଣ ଆନ୍ଧ୍ର ପ୍ରଦେଶରୁ ବୁଣାକାର ଦେବାଙ୍ଗ ସମ୍ପ୍ରଦାୟ ବ୍ରହ୍ମପୁରରେ ପହଞ୍ଚିବାର ପରବର୍ତ୍ତୀ ଶହେ ବର୍ଷ ପରେ ସୀମାନ୍ତ ଆନ୍ଧ୍ର ପ୍ରଦେଶରୁ ବୈଶ୍ୟ କୁମୁଟି ସଂପ୍ରଦାୟ ବ୍ରହ୍ମପୁରରେ ପହଞ୍ଚି ବ୍ୟବସାୟରେ ସଂପୃକ୍ତ ହୋଇଥିବା ଅନୁମାନ କରାଯାଏ l ଏହି ସମୟସୀମାରେ ବିକଶିତ ଠାକୁରାଣୀ ଯାତ୍ରାରେ ଦେବାଙ୍ଗ ସମ୍ପ୍ରଦାୟ ବାପଘର ଭାବେ ଚିହ୍ନିତ ହୋଇଥିବା ବେଳେ କୁମୁଟି ସଂପ୍ରଦାୟ ଶାଶୁଘରର ପ୍ରତିନିଧିତ୍ୱ କରିବା ପ୍ରଥା ଲାଗୁ ହୋଇଥିଲା l

ଯାତ୍ରା ଶେଷଦିବସ ସ୍ଥିର ହେବାପରେ ବଡ଼ ଠାକୁରାଣୀ ମନ୍ଦିରରୁ ମଧ୍ୟାହ୍ନରେ ସହସ୍ରାକ୍ଷି ଘଟ ଦେଶୀବେହେରାଙ୍କ ବାସଭବନରେ ପହଞ୍ଚିଥାଏ l ବ୍ରହ୍ମପୁରର ପୂର୍ବ ଉପକଣ୍ଠ ଆଙ୍କୁଲିଗ୍ରାମର କୁମ୍ଭାରପଲ୍ଲୀର କୁମ୍ଭକାରମାନେ ବହୁ-ଛିଦ୍ର-ଯୁକ୍ତ ଏକ ସ୍ୱତନ୍ତ୍ର ମାଟି ହାଣ୍ଡି ନିର୍ମାଣ କରି ଯୋଗାଇଥାନ୍ତି l ଏହାକୁ ବହୁ ରଙ୍ଗରେ ଚିତ୍ରିତ କରାଯାଇଥାଏ l ଦେଶୀବେହେରାଙ୍କ ଘରେ ଏହାକୁ ପୂଜାପାଠ କରାଯାଇଥାଏ l ରାତିରେ ପ୍ରତ୍ୟାବର୍ତ୍ତନ ଘଟ ଶୋଭାଯାତ୍ରାରେ କୁମୁଟି ସଂପ୍ରଦାୟ ପାରମ୍ପରିକ ମୁଖ୍ୟଙ୍କ ପତ୍ନୀ ସହସ୍ରାକ୍ଷି ଘଟ ମଣ୍ଡନ କରି ପୁରୋଭାଗରେ ଯିବା ବେଳେ ତାପଛରେ ଦେଶୀବେହେରାଙ୍କ ପତ୍ନୀ ମୁଖ୍ୟ ଘଟ ମଣ୍ଡନ କରି ଯିବା ପ୍ରଥା ଚଳି ଆସିଛି l ସହସ୍ରାକ୍ଷି ଘଟ ଯାତ୍ରା ପଥକୁ ଆଲୋକିତ କରିଥାଏ ବୋଲି ବିଶ୍ୱାସ କରାଯାଏ l

ଠାକୁରାଣୀଙ୍କୁ ନିମନ୍ତ୍ରଣ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳର ପୁରୁଷମାନେ ସାମିଲ ହେଉଥିବାବେଳେ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରାରେ ବିବାହିତ ମହିଳାମାନେ ଅଂଶ ଗ୍ରହଣ କରିଥାନ୍ତି l ଆଖପାଖ ଅଞ୍ଚଳରେ ଦୀର୍ଘବର୍ଷ ଧରି ବସବାସ କରୁଥିବା ବହୁ ପରିବାରରୁ ପ୍ରତିନିଧିତ୍ୱ କରି ମହିଳାମାନେ ଏହି ଶୋଭାଯାତ୍ରାରେ ଯୋଗ ଦେଇଥାନ୍ତି l କେତେକ ମହିଳା ଏଥିଲାଗି ମାନସିକ କରିଥିବା ବେଳେ ଅନ୍ୟ କେତେକ ପାରମ୍ପରିକ ପାରିବାରିକ ରୀତିନୀତି ଭାବେ ପାଳନ କରିଥାନ୍ତି l

ଯାତ୍ରା ଶେଷଦିନ ଘଟ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ମହିଳାମାନେ ନିଜ ନିଜ ଘରେ ମଧ୍ୟାହ୍ନରୁ ଇଷ୍ଟଦେବୀଙ୍କ ନିକଟରେ ଘଟ ସ୍ଥାପନ କରି ପୂଜାଅର୍ଚ୍ଚନା କରିଥାନ୍ତି l ଅଧିକାଂଶ ମୂର୍ତ୍ତିକା ଘଟ ସ୍ଥାପନ କରୁଥିବାବେଳେ କେହି କେହି ପିତ୍ତଳ ବା କଂସା ଘଟ ମଧ୍ୟ ସ୍ଥାପନ କରିଥାନ୍ତି l ମହିଳାମାନେ ଦିନ ସାରା ଉପବାସ ରହି କେବଳ ପୂଜାପ୍ରସାଦ ହିଁ ଗ୍ରହଣ କରିଥାନ୍ତି l ସମସ୍ତେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି l ସଂଧ୍ୟାରେ ଘଟ ମଣ୍ଡନ କରି ଦେଶୀବେହେରା ସାହୀସ୍ଥ ଅସ୍ଥାୟୀ ମଣ୍ଡପଠାରେ ଏକତ୍ରୀତ ହୋଇଥାନ୍ତି l ମଧ୍ୟରାତ୍ରୀରେ ମୁଖ୍ୟଘଟ ବଡ଼ ଠାକୁରାଣୀ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବାପରେ ସଭିଏଁ ନିଜ ନିଜ ଘଟ ମଣ୍ଡନ କରି ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି l

ପ୍ରତ୍ୟାବର୍ତ୍ତନ ଘଟ ଶୋଭାଯାତ୍ରା ରାତି ୧୨ ଘଣ୍ଟା ପରେ ଦେଶୀବେହେରା ସାହୀରୁ ଆରମ୍ଭ ହୋଇଥାଏ l ଏହା ମହୁରି ରାଜାବାଟୀ ରାସ୍ତା, ବଡ଼ ବଜାର ମୁଖ୍ୟ ରାସ୍ତା, ସାନ୍ତାରାଣୀ ସାହୀ, ମାର୍ଥାପେଟା ସାହୀ, କେଉଟ ସାହୀ, ଶଙ୍କରପୁର ସାହୀ, ବାଚୁବାରୀ ସାହୀ, କେଦାରେଶ୍ୱର ମନ୍ଦିର ରାସ୍ତା, ଚନ୍ଦ୍ରମା ସାହୀ, ଖାସ୍ପା ସାହୀ, ଜଉରା ସାହୀରେ ମାଉସୀମା ଘର ଦେଇ ପୁଣି ଖାସ୍ପା ସାହୀ, ପୁଡିପେଦୀ ସାହୀ, ଖରୁଡ଼ା ସାହୀ ହୋଇ ବଡ଼ ଠାକୁରାଣୀ ମନ୍ଦିରରେ ଭୋର ସାଢ଼େ ତିନିରୁ ଚାରିଟା ବେଳେ ପହଞ୍ଚିଥାଏ l ସେଠାରେ ମୁଖ୍ୟ ଘଟ ସହ ପାର୍ଶ୍ୱ ଘଟଗୁଡ଼ିକୁ ମନ୍ଦିରର ରତ୍ନସିଂହାସନରେ ସ୍ଥାପନ କରିବାପରେ ଶୋଭାଯାତ୍ରାରେ ଆସିଥିବା ହଜାର ହଜାର ଘଟଧାରୀ ସାଧାରଣ ମହିଳା ମନ୍ଦିର ପ୍ରାଙ୍ଗଣରେ ଘଟ ବିସର୍ଜନ କରିଥାନ୍ତି l ଏହି କାର୍ଯ୍ୟକ୍ରମ ସକାଳ ଯାଏଁ ଚାଲିଥାଏ l


ଘଟ ଶୋଭାଯାତ୍ରା କାଳରେ ସମଗ୍ର ଯାତ୍ରାପଥକୁ ଭକ୍ତମାନେ ଝାଡୁ ମାରି ସାଙ୍କେତିକ ଭାବେ ସଫା କରନ୍ତି ଏବଂ ଘଟ ଶୋଭାଯାତ୍ରାକୁ ସ୍ୱାଗତ କରି ରାସ୍ତାରେ ନୂତନ ବସ୍ତ୍ର, ପୁଷ୍ପ ପାରିଥାନ୍ତି l ଘଟ ଶୋଭାଯାତ୍ରା ଓ ଦର୍ଶକମାନଙ୍କ ଭିଡ ସ୍ଥାନୀୟ ସାହୀଗୁଡ଼ିକର ଯୁବକମାନେ ନିୟନ୍ତ୍ରିତ କରାଇଥାନ୍ତି l ପ୍ରଶାସନ ପକ୍ଷରୁ ପ୍ରାୟ ୧୫ ପ୍ଳାଟୁନ ପୋଲିସ ନିୟୋଜିତ ହୋଇଥାଏ l ଆକଳନ ଅନୁଯାୟୀ ପ୍ରାୟ ଦୁଇଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରତ୍ୟାବର୍ତ୍ତନ ଯାତ୍ରାରେ ଯୋଗ ଦେଇଥାନ୍ତି l

Saturday, April 29, 2017

E-Book on Thakurai Yatra / ଠାକୁରାଣୀ ଯାତ୍ରା ଇ-ବୁକ



#ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପରମ୍ପରା ଅଧ୍ୟୟନ କରି ବିଗତ ଚ଼ାରି ଦଶନ୍ଧୀଧରି ସ୍ଥାନୀୟ ପତ୍ରପତ୍ରିକା, ସଂବାଦପତ୍ର, ରେଡ଼ିଓ ଓ ଟେଲିଭିଜନ ନିମନ୍ତେ ସମୟେ ସମୟେ ମୁଁ ଲେଖାଲେଖି କରିଥାଏ l ୨୦୧୩ ଯାତ୍ରାରେ ସୋସିଆଲ ମିଡ଼ିଆ ଉପଯୋଗରେ ଏକ ବ୍ଳଗ ଆରମ୍ଭ କରିଥିବାବେଳେ ଚଳିତ ୨୦୧୭ ଯାତ୍ରା ଅବସରରେ ଏକ ଇ-ବୁକ ପ୍ରଯୋଜନା କରିଛି l ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପରମ୍ପରା ଶୀର୍ଷକ ଇ-ବୁକଟି ସଂଗ୍ରହ କରିବା ନିମନ୍ତେ ଆପଣ ନିଜ ଇ-ମେଲ ଆଇଡ଼ିରୁ ଏହାର ପ୍ରକାଶକଙ୍କୁ ଅନୁରୋଧ ଜଣାଇଲେ ଫେରନ୍ତା ଇ-ମେଲରେ ଇ-ବୁକଟି ବିନାମୂଲ୍ୟରେ ଯୋଗାଇଦିଆଯିବ:

pmdigidocu@gmail.com

How the Yatra starts / ଯାତ୍ରା କେମିତି ଆରମ୍ଭ ହୁଏ ?

#ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସ୍ଥାନୀୟ ପାଟ ବୁଣାକାର ଦେବାଙ୍ଗ ବା ଡ଼େରା ସଂପ୍ରଦାୟ କର୍ତ୍ତୃତ୍ୱରେ ପରିଚ଼ାଳିତ ହେଉଥିବା ହେତୁ ଆପାତତଃ ସେମାନଙ୍କଦ୍ୱାରା ହିଁ ଯାତ୍ରା ପରମ୍ପରା ଆରମ୍ଭ ହୋଇଥିବା ଧରିନିଆଯାଇଥାଏ l ତେବେ ଅଷ୍ଟଦଶ ଶତାଦ୍ଦୀର ଅଷ୍ଟମ ଦଶକ ବେଳକୁ ଦେବାଙ୍ଗ ପରିବାରବର୍ଗ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ ଅଞ୍ଚଳରୁ ଆସି ମହୁରି ରାଜ ନିବାସ ସମ୍ମୁଖରେ ପ୍ରଥମେ ତମ୍ୱୁଟାଣି (ବା ଡ଼େରା ପକାଇ) ତଥା ପରେ ସ୍ଥାୟୀ ବାସଗୃହ ନିର୍ମାଣକରି ବସବାସ ଆରମ୍ଭ କରିବା ପ୍ରାୟ ଏକ ଶହବର୍ଷ ପୂର୍ବରୁ ବ୍ରହ୍ମପୁର ଜନପଦ ସୃଷ୍ଟି ହୋଇଥିବା ପ୍ରମାଣ ମିଳେ l ମନ୍ଦିରମାଳିନୀ ବ୍ରହ୍ମପୁରରେ ଠାକୁରାଣୀ ରାଜନଅର ସମୀପ ଅଳ୍ପ ଦୂରରେ ଦେବାଳୟରେ ପୂଜିତ ହେଉଥିବାବେଳେ ଦେବୀଙ୍କ ନଗର ପରିକ୍ରମା ପରମ୍ପରା ଡ଼େରାମାନଙ୍କ ପୃଷ୍ଠପୋଷକତାରେ ପ୍ରବର୍ତ୍ତିତ ହୋଇଥିବା ଅନୁମାନ କରାଯାଇପାରେ l କାଳକ୍ରମେ ବ୍ରହ୍ମପୁର ବ୍ୟାବସାୟିକ ପେଣ୍ଠରୂପେ ଗଢ଼ିଉଠିବା ଅବସରରେ ଠାକୁରାଣୀ ଯାତ୍ରା ଏକ ଲୋକମହୋତ୍ସବରୂପେ ପ୍ରସିଦ୍ଧି ଲାଭକରିଥିବା ଜଣାଯାଏ l

ଯାତ୍ରାରେ ଧାର୍ମିକ ରୀତିନୀତିକୁ ବାଦଦେଲେ ମାନସିକଧାରୀଙ୍କ ବେଶଧାରଣ, ଘଟ ଶୋଭାଯାତ୍ରା, ରଥ ଓ କଳାକୁଞ୍ଜ ନିର୍ମାଣ ସ୍ଥାନୀୟ ଅଧିବାସୀଙ୍କ ସର୍ଜନଶୀଳତାର ପରିଚ଼ୟ ଦେଇଥାଏ l ବେଳେବେଳେ ପ୍ରଶ୍ନ ଉଠେ ବେଶଧାରଣ ପରମ୍ପରା କିପରି ଆରମ୍ଭ ହେଲା ଅଥବା ରଥ ନିର୍ମାଣ କାହିଁକି କରାଗଲା ଇତ୍ୟାଦି l ତାତ୍ତ୍ୱିକ ଅନୁଶୀଳନ କଲେ ଯାତ୍ରାର ଏଭଳି ବିଭବମାନ ଦେଶବିଦେଶର ଅନ୍ୟାନ୍ୟ ଉତ୍ସବାନୁଷ୍ଠାନ ଅନୁକରଣରେ ପ୍ରଥମେ ପ୍ରଯୋଜିତ ହୋଇ ପରବର୍ତ୍ତୀ ଅବସ୍ଥାରେ ଲୋକପ୍ରିୟ ପରମ୍ପରାରେ ପରିଣତ ହୋଇଥିବା ନିର୍ଯ୍ୟାସ ମିଳିଥାଏ l

ଉଦାହରଣ ସ୍ୱରୂପ ରଥ ନିର୍ମାଣ ବିଚ଼ାରକୁ ନିଆଯାଉ l ସାଧାରଣ ଦର୍ଶକମାନଙ୍କୁ ଯାତ୍ରାପ୍ରତି ଆକର୍ଷିତ କରିବା ନିମନ୍ତେ ବିଭିନ୍ନ ରଥ ନିର୍ମାଣ ଆରମ୍ଭ ହୋଇଥିଲା l ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ବେଶ ପ୍ରଦର୍ଶନ ଏ ଦିଗରେ ପ୍ରଯୋଜକଙ୍କୁ ଅନୁପ୍ରାଣିତ କରିଥାଇପାରେ l ଡ଼େରା ବସତି ଆଖପାଖ ଅଞ୍ଚଳର ଜନସାଧାରଣ ଯାତ୍ରାରେ ପ୍ରତ୍ୟକ୍ଷ ଅଂଶଗ୍ରହଣକରି ନିଜ ନିଜ ବସ୍ତିରେ ରଥାରୁଢ଼ ପ୍ରତିମା ସାଜସଜ୍ଜାକରି ରଥ ଟାଣି ଯାତ୍ରାସ୍ଥଳକୁ ଆଣୁଥିଲେ l ତେବେ କାଳକ୍ରମେ ଯାତ୍ରୀଭିଡ଼ ବଢ଼ିବା ତଥା ଅଧିକ ସଂଖ୍ୟକ ରଥ ଯାତ୍ରାସ୍ଥଳରେ ପ୍ରଦର୍ଶନ ଯାତାୟତଜନିତ ସମସ୍ୟା ସୃଷ୍ଟି କରିବାପରେ ବଡ଼ବଜାର ରଥ ପ୍ରଦର୍ଶନ ବଦଳରେ ଆଖପାଖ ବସ୍ତିଗୁଡ଼ିକରେ ରଥନିର୍ମାଣ କରାଯାଇଥିଲା l ତେବେ ବିଂଶ ଶତାଦ୍ଦୀର ସପ୍ତମ ଦଶକ ବେଳକୁ ବିଭିନ୍ନ ବସ୍ତିରେ କଳାକୁଞ୍ଜ ନିର୍ମାଣ ଆରମ୍ଭ ହୋଇ କ୍ରମଶଃ ଲୋକାଦୃତ ହୋଇଥିଲା l ତାହାର ପୂର୍ବରୁ ଯାତ୍ରାରେ କଳାକୁଞ୍ଜ ପ୍ରଦର୍ଶନର ପରମ୍ପରା ନଥିଲା l

ଦକ୍ଷିଣ ଆମେରିକା, ଆଫ୍ରିକା ସମେତ ସ୍ପେନ, ପର୍ତ୍ତୁଗାଲ ତଥା ଭାରତର ବିଭିନ୍ନ ଅଞ୍ଚଳରେ ପଶୁପକ୍ଷୀ, ପୌରାଣିକ ଚ଼ରିତ୍ର ସମ୍ୱଳିତ ବେଶଧାରଣର ଉଦାହରଣ ଦେଖିବାକୁ ମିଳିଥାଏ l ବ୍ରହ୍ମପୁର ଏକ ବ୍ୟାବସାୟିକ ପେଣ୍ଠରୂପେ ଗଢ଼ି ଉଠିଥିବା ତଥା ଦେଶବିଦେଶର ବ୍ୟବସାୟୀମାନେ ଏଠାକୁ ନିୟମିତ ଆତଯାତ ହେଉଥିବା ହେତୁ ସେମାନଙ୍କ ଅନୁଭୂତିରୁ ମାନସିକଧାରୀଙ୍କ କ୍ଷେତ୍ରରେ ଏଭଳି ବେଶ ଧାରଣ ପ୍ରଥା ଆରମ୍ଭ ହୋଇଥିବା ଯୁକ୍ତି ପ୍ରଣିଧାନଯୋଗ୍ୟ l ଅପରପକ୍ଷରେ ସ୍ଥାନୀୟ ସର୍ଜନଶୀଳତା କାଚବାଲା, ଶୁଖୁଆବାଲୀ ବା ପୋଲିସ ଭଳି ସାମାଜିକ ଚ଼ରିତ୍ର ଆଧାରିତ ବେଶ ପ୍ରଚଳନରେ ପର୍ଯ୍ୟବେସିତ l ଭାପୁର ବଜାରର ମେଦିନା ବେଶ ବା ବିଜିପୁର ଦରିଦ୍ର ପଞ୍ଚାକ୍ଷର, ବୁଦ୍ଧଂ ଶରଣଂ ଗଚ୍ଛାମି ବେଶ କିପରି କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷଙ୍କ ପ୍ରଚ଼େଷ୍ଟାରେ ଯେ ପ୍ରଯୋଜିତ ହୋଇଥିଲା ତାହା ନିକଟ ଅତୀତର ଇତିହାସରୁ ପ୍ରମାଣିତ l ଅର୍ଥାତ ଠାକୁରାଣୀଯାତ୍ରା ପରି ଏକ ଲୋକମହୋତ୍ସବର ବିଭିନ୍ନ ବିଭବ ସର୍ଜନାତ୍ମକଭାବେ କିଛି ବ୍ୟକ୍ତି ବିଶେଷଙ୍କ କଳ୍ପନା ପ୍ରସୂତ ହୋଇଥାଏ l


ଆମଦେଶରେ କାର୍ଣ୍ଣିଭଲ ବା ଆନନ୍ଦତ୍ସୋବ ପର୍ଯ୍ୟାୟରେ ଗୋଆ କାର୍ଣ୍ଣିଭଲ ପ୍ରମୁଖ ସ୍ଥାନ ଅଧିକାର କରିଥାଏ l ପ୍ରତିବର୍ଷ ଫେବୃୟାରୀ ମାସ ଶେଷ ସପ୍ତାହରେ ଗୋଆ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଲୋକଉତ୍ସବର ଉତ୍ପତ୍ତି ବୃତ୍ତାନ୍ତ ଦେଶର ଅନ୍ୟାନ୍ୟ ଲୋକମହୋତ୍ସବର ବିସ୍ମୃତ ଇତିହାସ ଅଧ୍ୟୟନରେ ସହାୟକ ହୋଇପାରିବ l ବ୍ରାଜିଲର ବିଶ୍ୱବିଖ୍ୟାତ ରିଓ କାର୍ଣ୍ଣିଭଲ ସଂପର୍କରେ ପତ୍ରପତ୍ରିକାରୁ ଅବଗତ ହୋଇ ଗୋଆର ଟିମୋଟୋ ଫର୍ଣ୍ଣାଡ଼ିଜ ନାମକ ଜନୈକ ବ୍ୟକ୍ତି ୧୯୬୫ ଫେବୃୟାରୀ ମାସରେ ବ୍ୟକ୍ତିଗତ ଉଦ୍ୟମରେ ଏକ ଶୋଭାଯାତ୍ରା ଆୟୋଜନ କରିଥିଲେ l ମାତ୍ର ପାଞ୍ଚ ଟଙ୍କାରେ ଶଗଡ଼ଗାଡ଼ିଖଣ୍ଡେ ଭଡ଼ା କରି ଟଙ୍କାଏ ଖର୍ଚ୍ଚରେ ସାଜସଜ୍ଜା କରି ୧୫ ଜଣ ସାଙ୍ଗସାଥିଙ୍କ ଗହଣରେ ଗୋଆର ରାଜଧାନୀ ପାନାଜୀରେ ଏକ କିଲୋମିଟର ପଥ ଏହି ବର୍ଣ୍ଣାଢ୍ୟ ଶୋଭାଯାତ୍ରା ପରିକ୍ରମା ଆୟୋଜନ କରିଥିଲେ l ଫର୍ଣ୍ଣାଡ଼ିଜ ରାଜକୀୟ ବେଶଭୂଷା ପରିହିତ ହୋଇ ରଥାରୁଢ଼ ହୋଇଥିବାବେଳେ ସାଥିରେ ଥିବା ସାଥିମାନେ ଗିଟାର ଓ ବଙ୍ଗୋ ବାଦ୍ୟଯନ୍ତ୍ର ବ୍ୟବହାରରେ ପର୍ତ୍ତୁଗୀଜ ସଂଙ୍ଗୀତ ଗାନ କରୁଥିଲେ l ଏହା ଗୋଆବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା l ପରବର୍ଷ ମଧ୍ୟ ଫର୍ଣ୍ଣାଡ଼ିଜ ଅନୁରୂପ କାର୍ଣ୍ଣିଭଲ ଆୟୋଜନ କଲେ l ତତ୍ ପରବର୍ଷ ୧୯୬୭ରେ ଗୋଆ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଦୟାନନ୍ଦ ବନ୍ଦୋକର ସରକାରଙ୍କ ପକ୍ଷରୁ ଏହି କାର୍ଣ୍ଣିଭଲ ଆୟୋଜନର ନିଷ୍ପତ୍ତି ନେଇଥିଲେ ଏବଂ କାଳକ୍ରମେ ବିଗତ ୫୦ ବର୍ଷ ମଧ୍ୟରେ ଏହା ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ଆକର୍ଷଣରେ ପରିଣତ ହୋଇଛି l ଅଶୀବର୍ଷ ବୟସ୍କ ଟିମୋଟୋ ଫର୍ଣ୍ଣାଡ଼ିଜ ଗୋଆ କାର୍ଣ୍ଣିଭଲ ସଂପର୍କରେ ନିକଟରେ ପତ୍ରପତ୍ରିକାକୁ ସାକ୍ଷାତକାର ଦେଇ ନିଜ ଅନୁଭୂତି ବଖାଣିଛନ୍ତି l ଅତଏବ ବ୍ରହ୍ମପୁର ଠାକୁରାଣୀଯାତ୍ରା ଆୟୋଜନର ଉତ୍ପତ୍ତି ହେଉ ବା ବେଶ ଧାରଣ, ରଥ ଓ କଳାକୁଞ୍ଜ ପ୍ରଦର୍ଶନରେ ଅନୁରୂପ ଧାରା ପ୍ରତିଫଳିତ ହୋଇଥିବା ବିଚ଼ାର ଯୁକ୍ତିଯୁକ୍ତ ମନେହୁଏ

Friday, April 28, 2017

Origin of the Yatra / ଯାତ୍ରା ଆରମ୍ଭର କାଳ ଗଣନା

ମହୁରି ରାଜ୍ୟର ରାଜଧାନୀ ରୂପେ ବ୍ରହ୍ମପୁର ଗଢି ଉଠିଥିଲା l ଐତିହାସିକ ତଥ୍ୟ ଅନୁଯାୟୀ ଓଡ଼ିଶାର ଗଜପତି ରାଜା ପୁରୁଷୋତ୍ତମ ଦେବ ପଞ୍ଚଦଶ ଶତାଦ୍ଦୀର ଶେଷଭାଗରେ ମହୁରି ରାଜ୍ୟ ପ୍ରତିଷ୍ଠା କରିଥିଲେ l କେରାଣ୍ଡିମାଳ ପର୍ବତ ପାଦ ଦେଶରେ ବର୍ତ୍ତମାନର ବ୍ରହ୍ମପୁର-ଚିକିଟି ରାସ୍ତା କଡ଼ର ମହୁଡ଼ା ଗ୍ରାମ ନିକଟରେ ପ୍ରସ୍ତର ନିର୍ମିତ ଦୁର୍ଗରେ ମହୁରି ରାଜ ପରିବାର ବାସ କରୁଥିଲେ l ତେବେ ସେଠାରୁ ୧୨ କିଲୋମିଟର ଦୂରବର୍ତ୍ତୀ ଏକ ସମତଳ ସ୍ଥାନରେ ୧୬୬୨ ରୁ ୧୬୭୨ ଖ୍ରୀଷ୍ଟାଦ୍ଦ ମଧ୍ୟରେ ନୂତନ ରାଜବାଟୀ ନିର୍ମାଣ କରି ମହୁରି ରାଜ ପରିବାର ଚାଲି ଆସିଥିଲେ l ତାହା ବର୍ତ୍ତମାନ ବ୍ରହ୍ମପୁରର ବଡ଼ବଜାର ଅଞ୍ଚଳ ଭାବେ ପରିଚିତ l ୧୬୭୨ ଖ୍ରୀଷ୍ଟାଦ୍ଦରେ ହରିଡ଼ାଖଣ୍ଡିଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ୱାମୀ ମନ୍ଦିର ପ୍ରତିଷ୍ଠିତ ହୋଇଥିଲା l ମନ୍ଦିର ଓ ରାଜବାଟୀ ମଧ୍ୟରେ ସମୟକ୍ରମେ ବହୁ ମଠ ମନ୍ଦିର ସ୍ଥାପିତ ହେବା ପରେ ଗଢ଼ିଉଠୁଥିବା ଜନବସତିକୁ ଦେବତାମାନଙ୍କ ନିବାସ ସ୍ଥଳ ବା ବ୍ରହ୍ମପୁର ନାମିତ କରାଯାଇଥିଲା l ୧୯୩୨ ଖ୍ରୀଷ୍ଟାଦ୍ଦରେ ମାନ୍ଦ୍ରାଜରୁ ପ୍ରକାଶିତ ଟି.ଜେ.ମାଲଟବୀଙ୍କ ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମାନୁଆଲର ୪୭ ପୃଷ୍ଠାରେ ଏହା ଲିପିବଦ୍ଧ ହୋଇଛି l ବ୍ରହ୍ମପୁର ସହରର ଉତ୍ପତ୍ତି ସଂପର୍କରେ ଏହା ହିଁ ପ୍ରାଚୀନତମ ପ୍ରାମାଣିକ ଗ୍ରନ୍ଥ l

ହରିହର ନରେନ୍ଦ୍ର ଦେବଙ୍କ ପିତା ନାରାୟଣ ଦେବଙ୍କ ରାଜତ୍ୱ ସମୟରେ ମହୁରି ରାଜ୍ୟ ଇଂରେଜମାନଙ୍କ ଶାସନାଧୀନ ହୋଇଥିଲା l ୧୭୭୦ ମସିହା ଫେବୃୟାରୀ ୧୦ ତାରିଖ ଦିନ ନାରାୟଣ ଦେବଙ୍କ ମୃତ୍ୟୁ ଘଟିଲା ଏବଂ ତାଙ୍କରି ପୁତ୍ର ହରିହର ନରେନ୍ଦ୍ର ଦେବ ୧୨ ବର୍ଷ ବୟସରେ ରାଜସିଂହାସନ ଆରୋହଣ କଲେ l ୧୭୮୨ ଡ଼ିସେମ୍ୱର ୧୦ ତାରିଖ ଦିନ ହରିହର ନରେନ୍ଦ୍ର ଦେବଙ୍କୁ ହତ୍ୟା କରାଗଲା l ଏହି ସମୟସୀମାରେ ହରିହର ନରେନ୍ଦ୍ରଦେବ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ ଏବଂ ଦେବାଙ୍ଗ ବୁଣାକାର ପରିବାରବର୍ଗ #ବ୍ରହ୍ମପୁର ଆଗମନ କରି ମହୁରି ରାଜବାଟୀ ନିକଟରେ ବସତି ସ୍ଥାପନ କରିଥିଲେ l ଅନୁମାନ କରାଯାଇପାରେ ଯେ, ଦେବାଙ୍ଗ ସଂପ୍ରଦାୟଙ୍କ ବସତି ସ୍ଥାପନ ଓ ବ୍ୟବସାୟ ଆରମ୍ଭ ପରେ ଅଷ୍ଟାଦଶ ଶତାଦ୍ଦୀର ଅଷ୍ଟମ ଦଶକରେ ହିଁ ଠାକୁରାଣୀଯାତ୍ରା ଆରମ୍ଭ ହୋଇଥିଲା l ଏହି ହିସାବରେ ବ୍ରହ୍ମପୁର ଠାକୁରାଣୀଯାତ୍ରା ପ୍ରାୟ ୨୪୦ ବର୍ଷର ପୁରାତନ ପରମ୍ପରା l

ବ୍ରହ୍ମପୁର ଠାକୁରାଣୀ ଯାତ୍ରା କ୍ରମଶଃ ପ୍ରାଧାନ୍ୟ ଲାଭ କରି ଯାକଜମକରେ ପାଳିତ ହେବାରେ ଲାଗିଲା l ଇଂରେଜମାନଙ୍କ ମହୁରି ରାଜ୍ୟ ଆଗମନ ପରଠୁ ବରାବର ଅଶାନ୍ତି ଲାଗି ରହିଥିଲା l ୧୮୩୫ ମସିହାରେ ମହୁରି ରାଜା ବ୍ରିଟିଶ ସରକାରଙ୍କୁ ସଲାମି କର ଦେଇ ନପାରିବା ହେତୁ ବ୍ରହ୍ମପୁର ସହରକୁ ଉକ୍ତ ସଲାମି ବକେୟା ଅର୍ଥ ବଦଳରେ ରାଜାଙ୍କଠାରୁ ଇଂରେଜ ସରକାର କିଣିନେଇଥିଲେ l ୧୮୫୦ ମସିହାରେ ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟକୁ ଇଂରେଜ ସରକାର ବାଜ୍ୟାପ୍ତ କରିଦେଲେ l ଫଳରେ ଏଠାରେ କେତୋଟି ଜିଲ୍ଲାସ୍ତରୀୟ ସରକାରୀ କାର୍ଯ୍ୟାଳୟ ସ୍ଥାପିତ ହେଲା ଏବଂ କ୍ରମଶଃ ଏକ ବାଣିଜ୍ୟ ପେଣ୍ଠରୂପେ ଗଢ଼ି ଉଠିଲା l

୧୮୬୫-୬୬ରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା l ତାହାର ପ୍ରଭାବ ଊନବିଂଶ ଶଦାଦ୍ଦୀ ଶେଷ ଯାଏଁ ବଳବତ୍ତର ରହିଥାଇପାରେ l ଅତଏବ ବିଂଶ ଶତାଦ୍ଦୀର ଆରମ୍ଭରୁ ହିଁ ବ୍ରହ୍ମପୁରରେ ଯାକଜମକରେ ଯାତ୍ରା ପାଳନ ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଥିବ ବୋଲି ବିଶ୍ୱାସ କରାଯାଏ l ସେହି ସମୟବେଳକୁ ଗୋପାଳପୁର ବନ୍ଦରର ବିକାଶ, ବ୍ରହ୍ମପୁରକୁ ରେଳପଥ ସଂଯୋଗ ତଥା ସ୍ୱାଧୀନତାପରବର୍ତ୍ତୀ ଅବସ୍ଥାରେ ୪୯ ନମ୍ୱର ଜାତୀୟ ରାଜପଥରେ ମୋଟର ଯାନ ଯୋଗେ ମାଲ ପରିବହନ କ୍ରମଶଃ ବ୍ରହ୍ମପୁରକୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟାବସାୟିକ କେନ୍ଦ୍ର ରୂପେ ଗଢ଼ି ତୋଳିଲା l ଏଠାକାର ବ୍ୟାବସାୟିକ ଅଭିବୃଦ୍ଧି ଠାକୁରାଣୀଯାତ୍ରା ଆୟୋଜନରେ ସହାୟକ ହୋଇଥିଲା ବୋଲି କୁହାଯାଇପାରେ l


ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ପ୍ରାୟ ୨୧ ଗୋଟି ରଥ ଓ ୩୦ ଗୋଟି କଳାକୁଞ୍ଜ ନିର୍ମିତ ହୋଇଥାଏ l ଅତୀତରେ ରଥଗୁଡ଼ିକ କେବଳ ବଡ଼ ବଜାରରେ ହିଁ ପ୍ରଦର୍ଶିତ ହେଉଥିଲା l ଆଖପାଖ ସାହୀର ଲୋକେ ଚାନ୍ଦାଭେଦାରେ ରଥ ନିର୍ମାଣ ପରେ ସେଗୁଡ଼ିକ ବଡ଼ବଜାର ଅଞ୍ଚଳକୁ ଟାଣି ଆଣୁଥିଲେ l ବର୍ତ୍ତମାନ ସୁଦ୍ଧା ୧୯୦୫ରୁ ଆରମ୍ଭ ହୋଇଥିବା ଜେନାସାହୀର ବୀର ଲକ୍ଷ୍ମଣ ରଥ ବଡ଼ବଜାର ଛକରେ ପ୍ରଦର୍ଶିତ ହୋଇଥାଏ l ସହରରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା ହେବାପରେ ରଙ୍ଗବେରଙ୍ଗ ଆଲୋକ ସଂଯୋଗରେ ରଥ ଓ ରାଜରାସ୍ତାଗୁଡ଼ିକର ସୌନ୍ଦର୍ଯ୍ୟ ବଢ଼ିଥିଲା l କ୍ରମଶଃ କେବଳ ବଡ଼ବଜାର ପରିବର୍ତ୍ତେ ଆଖପାଖ ଅଞ୍ଚଳରେ ମଧ୍ୟ ରଥ ନିର୍ମିତ ହେଲା l ମାର୍ଥାପେଟାର ନାରାୟଣ, ଷଣ୍ଢମହାନ୍ତି ସାହୀରେ ୧୯୨୭ରୁ ଶିବରୂଢ଼ାକାଳୀ ଓ କାଳୁପାତ୍ର ସାହୀରେ ୧୯୩୯ରୁ ଜ୍ଜାଳାମୁଖୀ ରଥ ଅତି ପୂରାତନ ରଥ ତାଲିକାରେ ପର୍ଯ୍ୟାୟଭୁକ୍ତ ହୋଇଥାଏ l ୧୯୬୧ ଯାତ୍ରାରେ କେତେକ ସାହୀରେ କଳାକୁଞ୍ଜ ନିର୍ମାଣ ଆରମ୍ଭ ହୋଇଥିଲା l ଯାତ୍ରା ଅବସରରେ ଶେଷ ସପ୍ତାହରେ ଅଧିକ ସଂଖ୍ୟାରେ ରଥ ଓ କଳାକୁଞ୍ଜ ପ୍ରଦର୍ଶନର ପରମ୍ପରା ଆରମ୍ଭ ହେବା ପରେ ହିଁ ବ୍ରହ୍ମପୁର ଠାକୁରାଣୀଯାତ୍ରା ଆଡ଼ମ୍ୱର ସହକାରେ ପାଳିତ ହେବାରେ ଲାଗିଲା ବୋଲି କୁହାଯାଇପାରେ

Thursday, April 27, 2017

Role Plays in Thakurani Yatra / ବେଶଧାରଣ ପରମ୍ପରା

ଠାକୁରାଣୀ ଯାତ୍ରା ଅବସରରେ ପୂର୍ବ ମାନସିକ ଜନିତ କାରଣ ବା ସ୍ୱତଃପ୍ରବୃତଭାବେ ଅନେକ ବ୍ୟକ୍ତି ବିଭିନ୍ନ ବେଶ ଧାରଣ କରିବା ପରମ୍ପରା ଚଳିଆସିଛି l ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ମାନସିକ ଅନୁଯାୟୀ ଲୋକେ ବାଳ କାଟି ଲଣ୍ଡା ହୋଇଥାନ୍ତି କିମ୍ୱା ବଳି ଦେଇଥାନ୍ତି l ତେବେ ଠାକୁରାଣୀ ଯାତ୍ରା ଅବସରରେ ରୋଗବ୍ୟାଧିରୁ ଉଦ୍ଧାର ବା ସଙ୍କଟମୋଚନ ଆଶାରେ ମାନସିକ କରିଥିବା ବ୍ୟକ୍ତିବିଶେଷ ବିଭିନ୍ନ ବେଶଧାରଣ କରି ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଥାନ୍ତି l କେବଳ ପୁରୁଷମାନେ, ସାଧାରଣତଃ ବାଳକ ଓ ଯୁବକମାନେ ଏହି ବେଶ ଧାରଣରେ ଅଂଶଗ୍ରହଣ କରିଥାନ୍ତି l

ବିଭିନ୍ନ ଲୋକଉତ୍ସବ ଅବସରରେ, ମୁଖ୍ୟତଃ କାର୍ନିଭାଲ ଧରଣର ଯାତ୍ରାମାନଙ୍କରେ ପ୍ରାକ୍-ଐତିହାସିକ କାଳରୁ ମନୁଷ୍ୟ ବିଭିନ୍ନ ପଶୁପକ୍ଷୀ ବା ବିଚିତ୍ର ଚରିତ୍ରର ବେଶ ଧାରଣ କରି ନୃତ୍ୟଗୀତରେ ଅଂଶଗ୍ରହଣ କରିବା ପରମ୍ପରା ରହିଛି l ଯାତ୍ରାମହୋତ୍ସବ ଅବସରରେ ବିଶ୍ୱର ବିଭିନ୍ନ ପ୍ରାନ୍ତର ଆଦିବାସୀମାନେ ବିଭିନ୍ନ ଧରଣର ପଶୁପକ୍ଷୀଙ୍କ ବେଶ ପରିଧାନ କରି ନୃତ୍ୟଗୀତରେ ଅଂଶଗ୍ରହଣ କରିଥାନ୍ତି l ଆଫ୍ରିକୀୟ ଓ ଲାଟିନ ଆମେରକୀୟ ଦେଶପୁଞ୍ଜରେ ଏହି ଧରଣର ଯାତ୍ରାଗୁଡ଼ିକ ପର୍ଯ୍ୟଟନ ଆକର୍ଷଣ ରୂପେ ଆନ୍ତର୍ଜାତିକସ୍ତରରେ ପରିଗଣିତ ହୋଇଥାଏ l

ଠାକୁରାଣୀ ଯାତ୍ରାରେ ପାରମ୍ପରିକଭାବେ ବାଘ, ହନୁମାନ ଇତ୍ୟାଦି ଜୀବଜନ୍ତୁ ସାଙ୍ଗକୁ ଶିବ, କୃଷ୍ଣ, ବଳରାମ, ରାମଚନ୍ଦ୍ର, ଲକ୍ଷ୍ମଣ, ସୀତା, ନାରଦ ଇତ୍ୟାଦି ପୌରାଣିକ ଚରିତ୍ର, ବାବାଜି, ଜ୍ୟୋତିଷ, ଡାହାଣୀ, ଦହିବାଲୀ, ଶୁଖୁଆବାଲୀ, ଅତର ବିକ୍ରେତା, ଆଦିବାସୀ, ଫେରିବାଲା, ପୋଲିସ ଇତ୍ୟାଦି ସାମାଜିକ ଚରିତ୍ରଙ୍କ ଅନୁକରଣରେ ବେଶ ପରିଧାନ କରାଯାଇଥାଏ l ପୁରୁଷମାନଙ୍କ ନାରୀବେଶ ଧାରଣ ଓ ସହର ପରିଭ୍ରମଣ ମଧ୍ୟ ଏକ କୌତୁହଳୋଦ୍ଦୀପକ ଦୃଶ୍ୟ l

ଠାକୁରାଣୀ ଯାତ୍ରା ଅବସରରେ ପୂର୍ବମାନସିକ କାରଣରୁ ସାଧାରଣତଃ କମ୍ ବୟସର ବାଳକଙ୍କ ଠାରୁ ଆରମ୍ଭ କରି ମଧ୍ୟ-ବୟସ୍କଙ୍କ ପର୍ଯ୍ୟନ୍ତ ପୁରୁଷମାନେ ବେଶ ଧାରଣ କରିଥାନ୍ତି l ପୁରୁଣା ସହରରେ ଯେତେବେଳେ ଶିଶୁଟିଏ ସାଂଘାତିକଭାବେ ବ୍ୟାଧିଗ୍ରସ୍ତ ହୋଇପଡ଼େ ଚିକିତ୍ସା ଅବସରରେ ତାର ମାଆ ଗୋସାଇଁ ମା ବା ଆଈ ଏପରି କେହି ଜଣେ ବଡ଼ ଠାକୁରାଣୀଙ୍କଠାରେ ସହଣିକ କରିବସନ୍ତି ଯେ ନିଜ ପୁଅ ବା ନାତି ରୋଗମୁକ୍ତ ହୋଇଗଲେ ଆସନ୍ତା ଠାକୁରାଣୀ ଯାତ୍ରାରେ ବାବାଜୀ, କୃଷ୍ଣ ଅମକ ସମକ ବେଶ ଧାରଣ କରିବ l ପୁତ୍ର ସନ୍ତାନଟି ଭଲ ହୋଇଥାଏ ଏବଂ ପରବର୍ଷ ଠାକୁରାଣୀ ଯାତ୍ରା ଅବସରରେ ବେଶ ଧାରଣ କରେ l

ଏକ ନିର୍ଦ୍ଦିଷ୍ଟ ଦିବସରେ ବେଶ ଧାରଣ କରିବା ନିର୍ଦ୍ଧାରିତ ହେବା ପରେ ସେହିଦିନ ପୂର୍ବାହ୍ନରେ ବେଶ ଧାରଣ କରିବା ଶିଶୁ, ଯୁବକ ବା ବ୍ୟକ୍ତିଜଣକ ପ୍ରଥମେ ବେଶଭୁଷାରେ ସଜ୍ଜିତ ହୋଇ ଦେଶୀବେହେରା ସାହୀର ଅସ୍ଥାୟୀ ମନ୍ଦିରକୁ ଯାଇଥାଏ l କେତେକ କ୍ଷେତ୍ରରେ ବେଶଧାରୀଙ୍କ ସହ ବାଦ୍ୟବାଦକ ସହଯୋଗିତା କରୁଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ବାଦ୍ୟ ବାଦକମାନଙ୍କ ଆବଶ୍ୟକତା ନଥାଏ l ବେଶ ଧାରଣ କରିଥିବା ବ୍ୟକ୍ତି ଓ ବାଦକମାନେ ଠାକୁରାଣୀଙ୍କଠାରେ ପୂଜା ଅର୍ଚ୍ଚନା ସାରି ସାହୀ ସାହୀ ବୁଲି ନିଜ ପରିଚିତ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିଥାନ୍ତି l ପ୍ରତ୍ୟେକେ ବେଶ ଧାରଣ କରିଥିବା ବ୍ୟକ୍ତିଙ୍କୁ କିଛି ଅର୍ଥ ଉପହାର ସ୍ୱରୂପ ଦେଇଥାନ୍ତି l ଏହି ଅର୍ଥର ପରିମାଣ ସାଧାରଣତଃ ବେଶଧାରଣ କରିଥିବା ବ୍ୟକ୍ତିର ଅର୍ଥନୀତିକ ଓ ସାମାଜିକ ପ୍ରତିପତ୍ତି ଉପରେ ନିର୍ଭର କରିଥାଏ l ବସ୍ତି ଭ୍ରମଣ ପରେ ବେଶଧାରଣ କରିଥିବା ବ୍ୟକ୍ତି ପୁନର୍ବାର ଠାକୁରାଣୀଙ୍କ ଦର୍ଶନ କରି ବେଶ ଉତୁରାଇଥାଏ l

ଠାକୁରାଣୀ ଯାତ୍ରା ପାଳନର ଶେଷ ସପ୍ତାହଟି ବ୍ରହ୍ମପୁର ସହର ଉତ୍ସବମୁଖର ହୋଇଉଠେ l ଚୈତ୍ର ମାସର ଉଦୁଉଦିଆ ଖରାବେଳ l ରାସ୍ତାରେ ଦେଖିବେ ତ ହନୁମାନଟିଏ ମୋଟର ସାଇକେଲ ଚଢ଼ି ଚାଲିଛି l ହଠାତ୍ ବାଦ୍ୟ ବାଜି ଉଠେ l ବାଘଟିଏ ଦୌଡ଼ିଆସେ ବା ଡ଼ାହାଣୀଟିଏ ନାଚି ଉଠେ l ଏକ ଅଦ୍ ଭୂତ ସରାରିଆଲିଜିମ୍ ଦୃଶ୍ୟାବଳୀରେ ସହର ଭରି ଉଠେ l


#ବ୍ରହ୍ମପୁରର ଏହି ମୌଳିକ ମହୋତ୍ସବରେ ଧନୀଗରିବ ଜାତିଭେଦର ବାଛବିଚାର ନାହିଁ l ଭିକାରୀଟିଏ ଦେହସାରା ଅଙ୍ଗାର କଳା ବୋଳି ସେଥିରେ ଧଳାଛିଟ ଦେଇ ମୁଣ୍ଡରେ କାଉ ପରଖଣ୍ଡେ ଗୁଞ୍ଜି ହାତରେ ପଥର ଖଣ୍ଡେ ଧରି ଚିତ୍କାର କରି ଉଠୁଛି, ଛୋଡ଼ ଗାଜିଆ ଛାଡ଼ି ଦେ ବାଟ, ଦୁଇ ବରଷରେ ଥରେ ଗାଜିଆ ନାଟ ତ ସହରର କୌଣସି ଏକ ବିଶିଷ୍ଟ ଧନୀକ ବ୍ୟକ୍ତିଙ୍କ ଅଲିଅଳ ପୁତ୍ର ପୁଙ୍ଗୁଳା ଦେହରେ କୌପୁନୀଖଣ୍ଡେ ମାରି କଅଁଳ ସ୍ୱରରେ କହୁଛି ଜୟ ବାବାଜୀ କୀ ଜୟ’ l