କୁହାଯାଏ
ବ୍ରହ୍ମପୁରରେ ଆଠମାସ ଗରମ ଆଉ ଚାରିମାସ ଗରମରୁ ନିସ୍ତାର | ସାଧାରଣତଃ ପ୍ରତିବର୍ଷ କୁମାର ପୂର୍ଣ୍ଣିମାଠାରୁ ସହରର ପାଣିପାଗ ସାମାନ୍ୟ ଥଣ୍ଡା ହୋଇ
ଶିବରାତ୍ରୀ ଯାଏଁ ବଳବତ୍ତର ରହିଥାଏ | ତେବେ ଶିବରାତ୍ରୀଠାରୁ ଗରମ ଆରମ୍ଭ ହୋଇ ବସନ୍ତ, ଗ୍ରୀଷ୍ମ, ବର୍ଷା ଓ
ଶରତ ଚାରିଗୋଟି ଋତୁରେ କ୍ରମଶଃ ବଢ଼ି ପୁଣି ଛିଣ୍ଡି ଥାଏ |
ଭୁବନେଶ୍ବର
ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାଯାଇଛି ଯେ ‘ଏଲ ନିନୋ’ ଅନୁଭୂତ ହୋଇଥିବା
ବର୍ଷର ପରବର୍ତ୍ତୀ କ୍ୟାଲେଣ୍ଡର ବର୍ଷରେ ଓଡ଼ିଶାରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥାଏ | ‘ଏଲ ନିନୋ’ ଆନ୍ତର୍ଜାତିକସ୍ତରରେ ଏକ ଜଳବାୟୁ ବିଭ୍ରାଟ | ପ୍ରଶାନ୍ତମହାସାଗରର ଜଳ ଉତ୍ତପ୍ତ ହୋଇ ସୃଷ୍ଟି ହେଉଥିବା ପାଣିପାଗର ଅସନ୍ତୁଳିତ ଅବସ୍ଥା
ସାଧାରଣତଃ ଭାରତରେ ମୌସୁମୀ ବର୍ଷା ହ୍ରାସର କାରଣ ପାଲଟିଯାଏ | ୨୦୧୫ ମସିହାରେ ଆମ
ଦେଶରେ ଦୀର୍ଘତମ ‘ଏଲ ନିନୋ’ର ପ୍ରଭାବ ଅନୁଭୂତ ହୋଇଥିବା ହେତୁ ତତ୍ ପରବର୍ତ୍ତୀ ବର୍ଷ ଅର୍ଥାତ
ଚଳିତ ୨୦୧୬ ଗ୍ରୀଷ୍ମଋତୁରେ ପ୍ରବଳ ଗରମ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି |
ପାଣିପାଗ
ପୂର୍ବାନୁମାନ ପାଇଁ ମୁଖ୍ୟତଃ ସମକାଳୀନ ତାପମାତ୍ରା, ବର୍ଷା ଓ ପବନର ବେଗକୁ ବିଚାରକୁ ନେଇ ଅତୀତ
ବର୍ଷଗୁଡ଼ିକର ପାଣିପାଗର ଗତି ପ୍ରକୃତିର ଇତିହାସ ସହ ତର୍ଜମା କରାଯାଇଥାଏ | ଅର୍ଥାତ ବର୍ତ୍ତମାନର ପାରିପାଶ୍ୱିକ
ଜଳବାୟୁର ସ୍ଥିତି ଅତୀତରେ ଯେଉଁଭଳି ପରିସ୍ଥିତି ସୃଷ୍ଟି କରିଥିବା ରେକର୍ଡ଼ ରହିଛି ତାହା ଭବିଷ୍ୟତ
ପାଣିପାଗର କଳନାଲାଗି ସହାୟକ ହୋଇଥାଏ | ଅତଏବ ‘ଏଲ ନିନୋ’ ଅନୁଭୂତ ହୋଇଥିବା ପରବର୍ତ୍ତୀ କ୍ୟାଲେଣ୍ଡର ବର୍ଷଗୁଡ଼ିକରେ ଅତୀତରେ
ଅଧିକ ଗରମ ଅନୁଭୂତ ହୋଇଥିବା ହେତୁ ଚଳିତ ବର୍ଷ ଗ୍ରୀଷ୍ମର ପ୍ରାବଲ୍ୟ ପାଣିପାଗ ତତ୍ତ୍ବବିତମାନେ
ଆଶା କରୁଛନ୍ତି |
୧୯୯୭
ମସିହାରେ ଓଡ଼ିଶାରେ ପ୍ରବଳ ‘ଏଲ ନିନୋ’ ପ୍ରଭାବ ଅନୁଭୂତ ହୋଇଥିଲା | ତତ୍ ପରବର୍ତ୍ତୀ ୧୯୯୮ ମସିହାରେ ଅଂଶୁଘାତରେ ରାଜ୍ୟରେ ଦୁଇ ହଜାର ଲୋକଙ୍କ
ମୃତ୍ୟୁ ଘଟିଥିଲା | ସେହିବର୍ଷ ୨୩ ଗୋଟି ଗ୍ରୀଷ୍ମପ୍ରବାହ ବା ‘ହିଟ ଓ୍ବେବ’ ଦିବସ ଅନୁଭୂତ ହୋଇଥିଲା | ସେହିପରି ୨୦୦୨, ୨୦୦୪, ୨୦୦୬ ଓ ୨୦୦୯
ରେ ରାଜ୍ୟରେ ‘ଏଲ ନିନୋ’ର ପ୍ରଭାବ ଦେଖାଯାଇଥିବା ବେଳେ ଯଥାକ୍ରମେ ୨୦୦୩ ଓ ୨୦୦୫ରେ ୨୦ଦିନ, ୨୦୦୭ ରେ ୧୩ ଦିନ ଓ ୨୦୧୦ ରେ ୪୧ ଦିନ ଭୀଷଣ
ଗ୍ରୀଷ୍ମପ୍ରବାହ ରେକର୍ଡ଼ କରାଯାଇଥିଲା |
ଏହି
ଅଭିଜ୍ଞତାରୁ ଚଳିତ ବର୍ଷ ଅନ୍ୟ ସାଧାରଣବର୍ଷ ତୁଳନାରେ ଅଧିକା ଗ୍ରୀଷ୍ମ ପ୍ରବାହ ଦିବସ ଆଶଙ୍କା
ଅମୂଳକ ନୁହେଁ | ବ୍ରହ୍ମପୁରରେ ଗତବର୍ଷ ଶୀତ ଅନୁଭୂତ ହୋଇନାହିଁ କହିଲେ ଚଳେ | ଅନେକେ ଆଲମିରାରୁ ସ୍ପେଟର, ମଫଲର ବାହାର ହିଁ କରିନଥିଲେ | ପାଣିପାଗ ରେକର୍ଡ଼ରୁ
ଜଣାଯାଏ ଯେ ସାଧାରଣତଃ ନଭେମ୍ବର ମାସରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ହାରାହାରି ୨୪ ରୁ ୨୫
ରହୁଥିବାବେଳେ ଗତ ଥର ୨୬.୬ ଥିଲା ଏବଂ ଡ଼ିସେମ୍ବର ମାସରେ ହାରାହାରି ୨୧ ରୁ ୨୨ ରହୁଥିବାବେଳେ ଗତଥର ୨୪ ଡ଼ିଗ୍ରୀ ସେଲସିଅସ ଥିଲା |
ଗ୍ରୀଷ୍ମଋତୁରେ
ପାରମ୍ପରିକଭାବେ ଅପରାହ୍ନରେ ସ୍ଥାନୀୟ ମେଘଦ୍ୱାରା #ବ୍ରହ୍ମପୁର ସହରରେ ବର୍ଷା ଦେଖାଯାଇଥାଏ | ଦିନବେଳାର ଉତ୍ତାପରେ ସମୁଦ୍ର ଜଳ ବାଷ୍ପୀଭୂତ ହୋଇ ମେଘ ସୃଷ୍ଟି କରିଥାଏ ଏବଂ ଅପରାହ୍ନରେ
ସହରର ପଶ୍ଚିମ ଦିଗରୁ କେରାଣ୍ଡିମାଳ ପର୍ବତ ପଟୁ କଳାହାଣ୍ଡିଆ ମେଘ ସ୍ବଳ୍ପ ସମୟପାଇଁ ବର୍ଷା
କରାଇଥାଏ | କିନ୍ତୁ ଜଳବାୟୁ ପରିବର୍ତ୍ତନର ସ୍ରୋତରେ ଏହିଭଳି ବର୍ଷା ଦିନର
ସଂଖ୍ୟା ବର୍ଷକୁ ବର୍ଷ କମି କମି ଆସୁଛି | ତେବେ ଏହା ସହରବାସୀଙ୍କୁ ଗରମର ପ୍ରକୋପରୁ ରିହାତି ଦେବାସହ ଜଳ
ସମସ୍ୟା ସମାଧାନ କରିଥାଏ | ଚଳିତବର୍ଷ ଦୀର୍ଘଦିନରୁ ବର୍ଷା ଅଭାବ ହେତୁ ସହରକୁ ଜଳଯୋଗାଣର ସୂତ୍ର
ଋଷିକୂଲ୍ୟା ଶୁଖିଲା ପଡ଼ିଥିବା କୁହାଯାଉଛି | ଜଳଯୋଗାଣ କର୍ମକର୍ତ୍ତାମାନେ ହରଭଙ୍ଗୀ ନଦୀରୁ ଋଷିକୂଲ୍ୟା ନଦୀ ଦେଇ ଜଳଯୋଗାଣ ବ୍ୟବସ୍ଥା
ଚ଼ିନ୍ତା କରୁଛନ୍ତି | ସେ ଯାହା ହେଉ
ପାଣିପାଗର ସାମ୍ଭାବ୍ୟ ଉଗ୍ରରୂପକୁ ସାମ୍ନା କରିବା ପାଇଁ ବ୍ରହ୍ମପୁରବାସୀ ମାନସିକସ୍ତରରେ
ପ୍ରସ୍ତୁତ ହେବା ନିମନ୍ତେ ସମୟଆସି ପହଞ୍ଚିଛି ବୋଲି କହିବାକୁ ହେବ |
ସଂବାଦ (ବ୍ରହ୍ମପୁର ସଂସ୍କରଣ) ୭
ମାର୍ଚ୍ଚ ୨୦୧୬ ରେ ପ୍ରକାଶିତ
No comments:
Post a Comment