ବ୍ରହ୍ମପୁରରେ
ହୋଲି ପାଳନ ପରମ୍ପରା ବିଗତ ଅର୍ଦ୍ଧଶତାଦ୍ଦୀ ମଧ୍ୟରେ ସୀମାବଦ୍ଧ ବୋଲି କୁହାଯାଇପାରେ | #ବ୍ରହ୍ମପୁର ସହରର ଉତ୍ପତ୍ତି ଓ କ୍ରମବିକାଶକାଳରେ ଦକ୍ଷିଣାତ୍ୟ ସଂସ୍କୃତି ବଳବତ୍ତର
ରହିଥିବା ଏବଂ ଦକ୍ଷିଣ ଭାରତରେ ହୋଲି ଲୋକପ୍ରିୟ ଉତ୍ସବ ନଥିବା କାରଣରୁ ହୋଲିଦ୍ୱାରା ଏଠାକାର
ସଂସ୍କୃତିକ ଜୀବନ ପ୍ରଭାବିତ ହୋଇପାରି ନଥିଲା | ଅବଶ୍ୟ ମଠମନ୍ଦିରମୟ ଜନପଦରୂପେ
ଗଢ଼ିଉଠିଥିବା ବ୍ରହ୍ମପୁରରେ ଦୋଳ ପୂର୍ଣ୍ଣିମା ଯାକଜମକରେ ପାଳିତ ହୋଇ ଆସୁଥିଲା | ସ୍ୱାଧୀନତା ପରବର୍ତ୍ତୀ କାଳରେ
ଖଲ୍ଲିକୋଟ ମହାବିଦ୍ୟାଳୟର ସଂପ୍ରସାରଣ ତଥା ଇଂଜିନିଅରିଂ ସ୍କୁଲ, ସରକାରୀ ମହିଳା ମହାବିଦ୍ୟାଳୟ
ଓ ଭେଷଜ ମହାବିଦ୍ୟାଳୟ ଇତ୍ୟାଦି ଶିକ୍ଷାନୁଷ୍ଠାନ ସ୍ଥାପନ ଫଳରେ ଉଚ୍ଚ ଶିକ୍ଷିତ ଛାତ୍ରଛତ୍ରୀଙ୍କ
କୋଳାହଳ ଉତ୍ତରଭାରତ ତଥା ଉତ୍ତର ଓଡ଼ିଶାର ବଡ଼ ସହରଗୁଡ଼ିକରେ ଲୋକପ୍ରିୟ ହୋଲି ଖେଳ ଏଠାକାର ଯୁବ
ସମାଜ ମଧ୍ୟରେ ଆଦୃତ ହୋଇ ପାରିଥିଲା | ଗତ ଶତାଦ୍ଦୀର ଷଷ୍ଠ ଦଶକରୁ ହିନ୍ଦୀ ଚଳଚ଼ିତ୍ର ଏବଂ ନବମ ଦଶକରୁ
ଟେଲିଭିଜନ ସଂସ୍କୃତିର ପ୍ରସାର ଉତ୍ତର ଓ ପଶ୍ଚିମ ଭାରତରେ ଲୋକପ୍ରିୟ ପର୍ବ ହୋଲିକୁ ଏକ
ସର୍ବଭାରତୀୟ ପର୍ବରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା | ବ୍ରହ୍ମପୁରର ସାଂସ୍କୃତିକ ଜୀବନ ମଧ୍ୟ ଏଥିରୁ ବାଦ ପଡ଼ିନଥିଲା |
ସପ୍ତଦଶ
ଶତାଦ୍ଦୀ ମଧ୍ୟଭାଗରେ ୧୬୬୨ ରୁ ୧୬୭୨ ଖ୍ରୀଷ୍ଟାଦ୍ଦ ମଧ୍ୟରେ ବର୍ତ୍ତମାନର ବଡ଼ବଜାର ଛକ ନିକଟସ୍ଥ
ଦେଶୀବେହରା ସାହୀ ସମ୍ମୁଖରେ ମହୁରି ରାଜନଅର ପ୍ରତିଷ୍ଠା ପରେ ପରେ ରାଜବାଟୀକୁ ଘେରି ଜନବସତି
ସ୍ଥାପନ ଫଳରେ ବ୍ରହ୍ମପୁର ସହର ଗଢ଼ି ଉଠିଥିଲା | ବ୍ରହ୍ମପୁରରେ ମହୁରି
ରାଜଉଆସ ସ୍ଥାପନ ପରବର୍ତ୍ତୀ ଅବସ୍ଥାରେ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ ଅଞ୍ଚଳରୁ ଦେବାଙ୍ଗ
ସଂପ୍ରଦାୟର ବୁଣାକରମାନେ ବ୍ରହ୍ମପୁର ଆଗମନ କରିଥିଲେ | ସେ ସମୟରେ
ପାଟବସ୍ତ୍ର ବୟନ ଏକ ଲାଭଜନକ ବୃତ୍ତିରୂପେ ପ୍ରତିଷ୍ଠା ଲାଭ କରିଥିଲା ଏବଂ ଦକ୍ଷିଣାଞ୍ଚଳରୁ
ଆସିଥିବା ପରିବାରବର୍ଗ ପାଟବସ୍ତ୍ର ବୟନ ସମେତ ଅନ୍ୟାନ୍ୟ ବ୍ୟବସାୟରେ ମଧ୍ୟ ପାରଦର୍ଶିତା ଲାଭ
କରିଥିଲେ | ୧୮୩୫ ଖ୍ରୀଷ୍ଟାଦ୍ଦରେ
ମହୁରି ରାଜା ବ୍ରିଟିଶ ସରକାରଙ୍କୁ ସଲାମୀ କର ଦେଇ ନପାରିବା ହେତୁ ବ୍ରହ୍ମପୁର ସହରକୁ ଉକ୍ତ
ସଲାମୀ ବକେୟା ଅର୍ଥ ବଦଳରେ ରାଜାଙ୍କଠାରୁ ଇଂରେଜ ସରକାର କିଣି ନେଇଥିଲେ | ୧୮୫୦ ଖ୍ରୀଷ୍ଟାଦ୍ଦରେ ବ୍ରହ୍ମପୁର ସମେତ
ସମଗ୍ର ମହୁରି ରାଜ୍ୟକୁ ଇଂରେଜ ସରକାର ବାଜ୍ୟାପ୍ତ କରିଦେଇଥିଲେ | ଫଳରେ ଏଠାରେ କେତୋଟି
ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା | ପୂର୍ବରୁ
ବାଣିଜ୍ୟପେଣ୍ଠ ରୂପେ ଗଢ଼ିଉଠିଥିବା ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳରୁ ଆଗତ ପରିବାରବର୍ଗ ଆସ୍ଥାନ
ଜମାଇଥିବାବେଳେ ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରେ ଏଠାରେ ସରକାରୀ କାର୍ଯ୍ୟାଳୟମାନ ସ୍ଥାପନ
ଅବସରରେ ଦକ୍ଷିଣ ଭାରତୀୟ ରାଜକର୍ମଚ଼ାରୀମାନଙ୍କ ଆଗମନ ସହରରେ ଦାକ୍ଷିଣାତ୍ୟ ସାଂସ୍କୃତିକ
ପାଣିପାଗ ପ୍ରସାରର କାରଣ ପାଲଟିଥିଲା | ଉତ୍ତର ଓଡ଼ିଶା ଓ ଉତ୍ତର ଭାରତୀୟ ସାଂସ୍କୃତିକ ବିଭବ ବ୍ରହ୍ମପୁର
ସହରରେ ପ୍ରବେଶ ଲାଗି ୧୯୩୬ ଖ୍ରୀଷ୍ଟାଦ୍ଦରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଯାଏଁ ଏହି
ପରିସ୍ଥିତି ବାଧକ ସାଜିଥିଲା ବୋଲି ବିବେଚ଼ନା କରାଯାଏ |
ତେବେ
ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ହିନ୍ଦୀ ଚଳଚ଼ିତ୍ର ଓ ୧୯୮୨ ଖ୍ରୀଷ୍ଟାଦ୍ଦରୁ ଟେଲିଭିଜନ
ପ୍ରସାରଣ ଆରମ୍ଭ ଦେଶର ଅନ୍ୟାନ୍ୟ ତୃତୀୟସ୍ତରୀୟ ସହରାଞ୍ଚଳ ଭଳି ବ୍ରହ୍ମପୁରରେ ନୂତନ
ସର୍ବଭାରତୀୟ ସାଂସ୍କୃତିକଧାରା ପ୍ରସାରରେ ସହାୟକ ହୋଇପାରିଥିଲା | ହୋଲି ସାଙ୍ଗକୁ
ରାକ୍ଷୀ, ଇଂରାଜୀ ନବବର୍ଷ, ସାର୍ବଜନୀନ ଦୁର୍ଗା ଓ ଗଣେଷ ପୂଜା ପାଳନ ଇତ୍ୟାଦି ସହରର ସାମାଜିକ
ଜୀବନର ଅଙ୍ଗବିଶେଷରେ ପରିଣତ ହୋଇପଡ଼ିଥିଲା | ଦେଶର ଅନ୍ୟାନ୍ୟ ପ୍ରାନ୍ତ ଭଳି
ବ୍ରହ୍ମପୁର ସହରରେ ମଧ୍ୟ ହୋଲି ଉତ୍ସବ ପାଳନ ଲୋକପ୍ରିୟ ହେବାରେ ଲାଗିଲା |
ସ୍ୱାଧୀନତା
ପ୍ରାପ୍ତି ପରବର୍ତ୍ତୀ ଅବସ୍ଥାରେ ଦେଶବିଭକ୍ତ କାଳରେ ବ୍ରହ୍ମପୁର ସହରକୁ ବଙ୍ଗାଳୀ, ଗୁଜରାତୀ ଓ
ମାରୱାଡ଼ି ସଂପ୍ରଦାୟର କିଛି ପରିବାର ଆଗମନ କରିଥିଲେ | ଏମାନେ
ମୁଖ୍ୟତଃ ବ୍ୟବସାୟକୁ ବୃତ୍ତିରୂପେ ଗ୍ରହଣ କରିଥିଲେ ଏବଂ ଖୁବ୍ କମ ସମୟମଧ୍ୟରେ ପ୍ରତିଷ୍ଠିତ
ହୋଇପାରିଥିଲେ | ସହରରେ ଏମାନଙ୍କ ମଧ୍ୟରେ ପ୍ରଥମେ ହୋଲି ପାଳିତ ହୋଇଥିବା ଲକ୍ଷ୍ୟ
କରାଯାଇପାରେ | ଦୀର୍ଘଦିନ ଧରି ଭାପୁର ବଜାର ନିକଟସ୍ଥ ମିଲଟାରୀ ଲାଇନ୍ସ ଅଞ୍ଚଳରେ
ବସବାସ କରୁଥିବା ଗୁଜରାତୀ ପରିବାରବର୍ଗ ହୋଲି ଉତ୍ସବ ପୂର୍ବ ରାତିରେ ଧୂନୀ ଜାଳନ୍ତି | ସେ ଯାହାହେଉ, ହୋଲି ଆଜି ବ୍ରହ୍ମପୁରରେ
ଏକ ସାର୍ବଜନୀନ ପର୍ବରେ ପରିଣତ ହୋଇଛି | ବିଶେଷକରି ସହରର ଶିଶୁ, ଯୁବ ଓ ମହିଳାମାନଙ୍କ ମଧ୍ୟରେ ହୋଲି
ଲୋକପ୍ରିୟ ହୋଇପାରିଥିବା ଲକ୍ଷ୍ୟ କରାଯାଇପାରେ |
ସଂବାଦ (ବ୍ରହ୍ମପୁର ସଂସ୍କରଣ) ୨୩ ମାର୍ଚ୍ଚ ୨୦୧୬ ରେ ପ୍ରକାଶିତ
No comments:
Post a Comment