Friday, October 30, 2020

A tradition of gambling / ଜୁଆ ପରମ୍ପରା




#ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାରେ କୁମାର ପୂର୍ଣ୍ଣିମା ଅବସରରେ ଗୋଷ୍ଠୀବଦ୍ଧ ତାସ ଖେଳର ଜୁଆ ଆଡ୍ଡା ଦୌରାତ୍ମ୍ୟକୁ ରୋକିବା ନିମନ୍ତେ ସ୍ଥାନୀୟ ପୋଲିସର ପାରମ୍ପରିକ ଚଢାଉ ଚଳିତ ବର୍ଷ ୨୦୨୦ରେ ଇଣ୍ଡିଆନ ପ୍ରିମିୟର ଲିଗ ସଟ୍ଟାବାଜି ଆଡ଼କୁ ଢଳିଥିବା ସହରରେ ଜୁଆଖେଳର ପରିବର୍ତ୍ତିତ ପରିବେଶର ସୂଚନା ଦେଇଥାଏ । 'ଆଇପିଏଲ ବେଟିଂକୁ ନେଇ ସୂଚନା ଥିବା ସତ୍ତ୍ୱେ ମୁଖ୍ୟତଃ ମୋବାଇଲ ଫୋନ ଓ ଡାର୍କ ଆପ ବ୍ୟବହାର କରି ବୁକି କିମ୍ୱା ଜୁଆଡି ପୋଲିସର ଜାଲରେ ପଡୁ ନଥିବା ହେତୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା ।

ଧାର୍ମିକ ତଥା ଲୌକିକ ରୀତି ଅନୁଯାୟୀ କୁମାର ପୂର୍ଣ୍ଣିମା ରାତିରେ କଉଡ଼ି ଖେଳ ପ୍ରଥା କ୍ରମେ କୁମାର ପୂର୍ଣ୍ଣିମା ଆଗପଛ ଦୁଇ ମାସ ଧରି ଜୁଆ ଖେଳର ସୁଯୋଗ ସୃଷ୍ଟି କରିଥାଏ । ମୁଖ୍ୟତଃ ଗଣେଶ ପୂଜା ପରଠାରୁ ଦୀପାବଳୀ ପର ଯାଏଁ ଜୁଆ ଖେଳ ଲାଗି ରହେ । କୃଷିପଞ୍ଜିକା ଅନୁଯାୟୀ ଗଣେଶ ପୂଜା ବେଳକୁ ଜମିରେ ଚାଷ, ରୁଆ କାମ ସରି ଆସିଥାଏ । ଫଳରେ କୃଷିଜୀବୀମାନଙ୍କ ପାଇଁ ଅବସର ସମୟ ସୃଷ୍ଟି ହୋଇଥାଏ । ମାର୍ଗଶୀରରେ ଫସଲ କଟା ଯାଏଁ ପର୍ବପର୍ବାଣୀ ଆୟୋଜନ ଓ ମଉଜ ମଜଲିସରେ ସମୟ କଟେକଥା ହେଲା, ଅତୀତରେ ମନୋରଞ୍ଜନ ପାଇଁ ସାଧନ ଅଭାବରୁ ଗ୍ରାମାଞ୍ଚଳରେ ତାସଖେଳରେ ଅବସର ବିନୋଦନ ସମକାଳରେ ମନୋରଞ୍ଜନର ଭରପୁର ସୁଯୋଗ ସତ୍ତ୍ୱେ ଜୁଆଖେଳରୁ ମୁକ୍ତି ମିଳିପାରି ନାହିଁ ।

ବିଶେଷଜ୍ଞଙ୍କ ମତରେ ଜୁଆଖେଳର ମାଦକତା ଜୁଆଡ଼ିମାନଙ୍କୁ ଆକୃଷ୍ଟ କରିଥାଏ । ସଭ୍ୟତାର ବିକାଶ ସଙ୍ଗେ କ୍ରୀଡ଼ାଠାରୁ ଆରମ୍ଭକରି ରାଜନୀତିକ ନିର୍ବାଚ଼ନ ଓ ବିଗବଜେଟ ଚଳଚ଼ିତ୍ରର ବକ୍ସ ଅଫିସ ସମସ୍ତ ଧରଣର ହରାଜିତାକୁ ଧରି ଜୁଆରେ ବାଜି ଲାଗୁଛି । ଜୁଆ ଖେଳ ପରିଧିରେ ଥରେ ସାମିଲ ହୋଇଗଲେ ଏଡିକସନ ମାନସିକତା କାରଣରୁ ସହଜରେ ମୁକୁଳିବା ସଂଭବ ହୋଇପାରିନଥାଏ । ଜୁଆଖେଳ ଆମ ଦେଶରେ ଆଇନତଃ ଅପରାଧ । କେତେକ ରାଷ୍ଟ୍ରରେ ସ୍ଥାନୀୟ ସରକାର ଚ଼ଢ଼ା ଦରରେ ଟିକସ ଆଦାୟକରି ବିଭିନ୍ନ ଧରଣର ଜୁଆଖେଳକୁ ପ୍ରଶ୍ରୟ ଦେଇଥାନ୍ତି । ତେବେ ଭର୍ଚୁଆଲ ପରିବେଶର ବ୍ୟାପ୍ତିପରେ ଜୁଆଖେଳ ପାଇଁ କଟକଣା ଏଡ଼ଇଦେବା ନିମନ୍ତେ ଡାର୍କ ୱେବ ଓ ଡାର୍କ ଆପଗୁଡ଼ିକ ସୁଯୋଗ ସୃଷ୍ଟି କରିଛି । ଖେଳର ପରିସୀମା ସହର, ରାଜ୍ୟ, ରାଷ୍ଟ୍ର ଡ଼େଇଁ ଆନ୍ତର୍ଜାତିକସ୍ତରକୁ ଲମ୍ୱି ପାରୁଛି ।

ବ୍ରହ୍ମପୁରରେ ଜୁଆଖେଳ ଦୀର୍ଘ ଅତୀତର ପରମ୍ପରା । ପ୍ରଥମତଃ, ବ୍ରହ୍ମପୁର ମୂଳରୁ ଏକ ବାଣିଜ୍ୟ ପେଣ୍ଠ ରୂପେ ବିକଶିତ ହୋଇଥିବା ଏବଂ ଅବିଭକ୍ତ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶା ଓ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ବ୍ୟବସାୟୀମାନେ ସହରରେ ପହଞ୍ଚୁଥିବା ହେତୁ ସେହିଭଳି ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳବର୍ଗଙ୍କ ମନୋରଞ୍ଜନ ସକାଶେ ଜୁଆଖେଳର ପ୍ରଭାବ ବଢ଼ିଥିବା ବିଶ୍ୱାସ କରାଯାଇପାରେ । କୁହାଯାଏ ଯେ ଭାରତ ସ୍ୱାଧୀନ ହାସଲ କରିବା ବେଳକୁ ବଜାର ଅଞ୍ଚଳରେ କ୍ରମବିକଶିତ ଜୁଆଖେଳ ବର୍ଷତମାମ ଲାଗିରହୁଥିଲା । ସହରକୁ କିଣାବିକା ଉଦ୍ଦେଶ୍ୟରେ ପହଞ୍ଚୁଥିବା ଗ୍ରାମାଞ୍ଚଳ ବ୍ୟବସାୟୀମାନେ ଜୁଆଖେଳରେ ବହୁ ଅର୍ଥ ହରାଉଥିଲେ । ଫଳରେ ସ୍ଥାନୀୟ ବ୍ୟବସାୟ ପ୍ରଭାବିତ ହେବାକୁ ଲାଗିଲା । ସାନବଜାର ଓ ହନୁମାନ ବଜାରର ପ୍ରତିଷ୍ଠିତ ବ୍ୟବସାୟୀମାନେ ଏହି ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ ଲାଗି ଏକ ପାଣ୍ଠି ସୃଷ୍ଟି କରିଥିଲେ ଏବଂ ପ୍ରତ୍ୟେକ ଦୋକାନୀ ପ୍ରତିଦିନ କିଛି ଅର୍ଥ ଚାନ୍ଦା ଆକାରରେ ଦେଉଥିଲେ । ବ୍ୟବସାୟୀ ମହଲରେ ଦାବୀ ପରେ କଡ଼ା ପ୍ରଶାସନିକ ପଦକ୍ଷେପ ହେତୁ ଜୁଆର ପ୍ରକୋପ ବନ୍ଦ ହୋଇଥିଲା ।

ଦ୍ୱିତୀୟତଃ, ଊନବିଂଶ ଶତାଦ୍ଦୀର ଶେଷାର୍ଦ୍ଧରେ ଗୋପାଳପୁର ବନ୍ଦର ଯୋଗେ ନିୟମିତ ରେଙ୍ଗୁନକୁ ଜାହାଜ ଯାତ୍ରା ଓ ବିଂଶ ଶତାଦ୍ଦୀ ପ୍ରାରମ୍ଭରେ ରେଳପଥ ସଂଯୋଗ ସୁଯୋଗ ଗ୍ରହଣ କରି ଗଞ୍ଜାମ ଜିଲ୍ଲାରୁ ବହୁ ସଂଖ୍ୟକ ଶ୍ରମିକ ଦେଶାନ୍ତର ଗମନ କରୁଥିଲେ । ଯିବାଆସିବା ଅବସରରେ ବ୍ରହ୍ମପୁରରେ କିଛି ସମୟ ଅତିବାହିତ କଲାବେଳେ ଜୁଆ ଖେଳ ଭଳି ମନୋରଞ୍ଜନରେ ସାମିଲ ହେବା ଅଭ୍ୟାସ କ୍ରମଶଃ ବୃଦ୍ଧି ପାଇଥିଲା । ବଜାର ସାଙ୍ଗକୁ ରେଳଷ୍ଟେସନ ଓ ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳରେ ଅତୀତରେ ଜୁଆ ଆଡ୍ଡା ଦୀର୍ଘଦିନ ଧରି ସକ୍ରିୟ ରହିଥିବା ଶୁଣାଯାଏ ।

ତୃତୀୟତଃ, ଜୁଆ ଖେଳ ଆୟୋଜନକୁ କେତେକ ଏକ ବ୍ୟବସାୟ ରୂପେ ଗ୍ରହଣ କରିନେଉଥିବା ହେତୁ ଜୁଆଡ଼ି ସଂଗ୍ରହ, ଖେଳ ପରିଚାଳନା ଓ ପ୍ରତିରକ୍ଷା ବୃତ୍ତିଗତ ଧାରାରେ ସମାହିତ ହୋଇଥାଏ । ବାସଗୃହମାନଙ୍କରେ କୁମାରପୂର୍ଣ୍ଣିମା ଅବସରରେ ଗୋଷ୍ଠୀଗତ ଜୁଆ ଆଡ୍ଡା ବେଶ କିଛି ଦିନ ଧରି ଚାଲୁଥିଲା । ପ୍ରତ୍ୟେକ ଖେଳରେ ବାଜି ଲଗାଇବା ବେଳେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ କମିନା (କମିଶନ) ଆକାରରେ ଗୃହସ୍ୱାମୀ ଆଦାୟ କରୁଥିଲେ । ଖେଳ ସମୟରେ ପାନୀୟ ଜଳ, ଚା ଓ ଜଳଯୋଗର ବ୍ୟବସ୍ଥା ମଧ୍ୟ କରାଯାଉଥିଲା । ଜୁଆ ଆଡ୍ଡାରେ ପୋଶ (ଅଭିଜ୍ଞ) ଖେଳାଳୀମାନେ ଦିନରାତି କଟାଇବା ଅର୍ଥାତ କିଛି ଦିନ ସେଠାରେହିଁ ରହିଯାଉଥିବା କାହାଣୀ ଶୁଣିବାକୁ ମିଳୁଥିଲା । ଏପରିକି ଖାସ ମହିଳାମାନଙ୍କ ନିମନ୍ତେ ମଧ୍ୟ ଜୁଆ ଆଡ୍ଡା ଚାଲୁଥିବା ଇତିହାସ କହେ ।

ବ୍ରହ୍ମପୁରରେ ଜୁଆ ଆଡ୍ଡାର ପରମ୍ପରାରେ ସ୍ମର୍ଟଫୋନ ଓ ମୋବାଇଲ ଆପ ସନ୍ନିବଶିତ ହେବାପରେ ଜୁଆଖେଳ ଭର୍ଚୁଆଲ ପରିବେଶକୁ ଉନ୍ନୀତ ହୋଇଛି । ବୈଷୟିକ କାରିଗରୀ କୌଶଳ ଉପଯୋଗରେ ଗୋପନୀୟତାର ସୁବିଧାସୁଯୋଗ ଏକ ରକମ ୱାର୍କ-ଫ୍ରମ-ହୋମ ଆଙ୍ଗୀକରେ ସାମାଜିକ ଦୂରତା ବଜାୟ ରଖି ଜୁଆଡ଼ି ପ୍ରତ୍ୟକ୍ଷରେ ଉପସ୍ଥିତ ରହି ପରୋକ୍ଷରେ ଅଦୃଶ୍ୟ ହୋଇଯାଉଛି । ସମକାଳରେ ସହରର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ସ୍ମାର୍ଟଫୋନ ଉପଭୋକ୍ତା ଏବଂ ସେମାନେ ଦୈନିକ ଦୁଇରୁ ଛଅଘଣ୍ଟା ଯାଏଁ ଫୋନ ପରଦାରେ ସମୟ ଅତିବାହିତ କରୁଥିବା ହେତୁ କିଏ କଣ କରୁଛି କାହାକୁ ଜଣା ?

(ଅନୁପମ ଭାରତ / ୩୧ ଅକ୍ଟୋବର ୨୦୨୦/ ପୃଷ୍ଠା : ୮)

Photo by : MarkyBon is licensed under CC BY-NC-SA 2.0

No comments:

Post a Comment