Friday, February 19, 2021

100 years ago / ଶହେ ବର୍ଷ ପୂର୍ବେ




ଶହେ ବର୍ଷ ପୂର୍ବେ ଇତିହାସ ପୃଷ୍ଠାରେ #ବ୍ରହ୍ମପୁର ସହରର ୧୯୨୧ରେ ଚ଼ିତ୍ର ୨୦୨୧ରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିସ୍ମୟକର । ବିଶେଷକରି ୨୦ ବର୍ଷରୁ ୫୦ ବର୍ଷ ବୟସ୍କ, ଅର୍ଥାତ ୧୯୭୦ରୁ ୨୦୦୦ ମଧ୍ୟରେ ଜନ୍ମିତ ଯୁବ ଓ ପ୍ରାପ୍ତ-ବୟସ୍କଙ୍କ ଅନୁଭୂତି ବର୍ହିଭୂତ ।

 

ଭାରତରେ ସର୍ବପ୍ରଥମେ ୧୮୭୧ରେ ଜନଗଣନା ଆରମ୍ଭ ହୋଇଥିଲା । ତତପର ପ୍ରତି ଦଶ ବର୍ଷରେ ଜନଗଣନା ଆୟୋଜନ କରାଯାଇ ତଥ୍ୟ ଲିପିବଦ୍ଧ ହୁଏ । ୧୯୨୧ରେ ଜନଗଣନା ଅନୁଯାୟୀ ଗଞ୍ଜାମରେ ପ୍ରତି ଦଶ ହଜାର ଲୋକସଂଖ୍ୟାରେ ଓଡ଼ିଆଙ୍କ ସଂଖ୍ୟା ୫,୦୭୬ ଏବଂ ତେଲୁଗୁଙ୍କ ସଂଖ୍ୟା ୪,୫୪୮ । ଅର୍ଥାତ ବ୍ରହ୍ମପୁରରେ ପ୍ରାୟ ଅର୍ଦ୍ଧେକ ତେଲୁଗୁ ଭାଷାଭାଷୀ ବସବାସ କରୁଥିଲେ । ବିଗତ ଶହେ ବର୍ଷ ମଧ୍ୟରେ ଓଡ଼ିଆ ଭାଷାଭାଷୀ ଜନସଂଖ୍ୟା ବିପୁଳ ବଢ଼ିଛି । ଭାଷାର କୋଳାହଳରେ ସହରର ଜନଜୀବନ ପ୍ରଭାବିତ ହୋଇଥାଏ । ଅତଏବ ଶହେ ବର୍ଷ ପୂର୍ବେ ବ୍ରହ୍ମପୁର ସହରର ପରିବେଶ ବହୁଦୃଷ୍ଟିରୁ ଭିନ୍ନ ଥିବା ସ୍ୱତଃସିଦ୍ଧ ।

 

ଅବଶ୍ୟ ୧୯୧୧, ୧୯୨୧ ଓ ୧୯୩୧ ଜନଗଣନାରେ ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲା ମାଡ୍ରାସ ପ୍ରଦେଶ ଶାସନାଧୀନ ଥିବା ହେତୁ ଓଡ଼ିଆ ଭାଷାଭାଷାଙ୍କ ସଂଖ୍ୟା ଜନଗଣନାରେ ତୃଟିପୂର୍ଣ୍ଣ ଥିବା ଦର୍ଶାଇ ଓଡ଼ିଆ ନେତୃବର୍ଗ ଅଭିଯୋଗ ଆଣିଥିଲେ । ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫିଲିପ-ଡଫ-କମିଟି ଗଠିତ ହୋଇ ୧୯୨୪ରେ ଦୁଇଟି ଜିଲ୍ଲାରେ ସରଜମିନ ତଦନ୍ତ କରାଯାଇଥିଲା ।

 

ଶହେ ବର୍ଷ ପୂର୍ବେ ୧୯୨୧ ବେଳକୁ ଗଞ୍ଜାମର ବ୍ରାହ୍ମଣ ଜାତିର ପୁରୁଷମାନେ ମୁଣ୍ଡରେ କେଶ ନକାଟି ଲମ୍ୱା ରଖି ଖୋସା ପକାଉଥିଲେ । ଶହେ ବର୍ଷ ପରେ ୨୦୨୧ ସୁଦ୍ଧା ବ୍ରହ୍ମପୁରରେ ଆଙ୍ଗୁଠି ଗଣତି ତେଲୁଗୁ ସଂପ୍ରଦାୟର ବୟସ୍କ ପୁରୋହିତଙ୍କଠାରେ ସେହି ପରିପାଟୀ ଦେଖିବାକୁ ମିଳେ ।

 

ସେହିପରି ବ୍ରାହ୍ମଣ, କ୍ଷତ୍ରିୟ, କରଣ ଓ ବୈଶ୍ୟ ବ୍ୟତୀତ ଅନ୍ୟାନ୍ୟ ଜାତିର ସଧବା ମହିଳାମାନଙ୍କ ମଧ୍ୟରୁ ଅନେକ ପିତଳ ଧାତୁ ନିର୍ମିତ ଖଡୁ, ପାହୁଡ଼, ଦଣ୍ଡି, ନୋଥ, ଗୁଣା, ନାକଚ଼ଣା ଇତ୍ୟାଦି ଅଳଙ୍କାର ପରିଧାନ କରୁଥିଲେ । ବ୍ରହ୍ମପୁରରେ ବିଗତ ଶତାଦ୍ଦୀର ଷଷ୍ଠ, ସପ୍ତମ ଦଶକ ଯାଏଁ ଗ୍ରାମାଞ୍ଚଳରୁ ସହର ଆଗତ ବୟସ୍କ ମହିଳାଙ୍କ ଆଭୂଷଣରେ ଏହି ପରମ୍ପରା ଦେଖିବାକୁ ମିଳୁଥିଲା ।

 

ଉଭୟ, ମୁଣ୍ଡରେ ଲମ୍ୱା କେଶ ରଖିବା ଓ ପିତଳ ଧାତୁ ପରିଧାନ ବିରୋଧରେ ଶ୍ରୀବତ୍ସ ପଣ୍ଡା ସ୍ୱର ଉତ୍ତୋଳନ କରିଥିଲେ । ସେ ୧୯୨୦ରୁ ୧୯୪୩ ଯାଏଁ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାରେ ବହୁ ସଂସ୍କାର ମୂଳକ କାର୍ଯ୍ୟକ୍ରମ ତଥା ଦେଶ ମିଶ୍ରଣ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ । ସେ ମଧ୍ୟ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ପ୍ରଥମ ସଭାପତିରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ଅକ୍ଟୋବର ପହିଲା ୨୦୨୦ରୁ ଅକ୍ଟୋବର ପହିଲା ୨୦୨୧ ଯାଏଁ ଶ୍ରୀବତ୍ସ ପଣ୍ଡାଙ୍କ ୧୫୦ତମ ଜନ୍ମବର୍ଷକୀ ପାଳିତ ହେଉଛି ।

 

୧୯୨୧ ବେଳକୁ ପ୍ରଥମ ବିଶ୍ୱଯୁଦ୍ଧ ସରିଆସିଥାଏ । ଚଳଚଞ୍ଚଳ ଗୋପାଳପୁର ବନ୍ଦର ଯୋଗେ ରପ୍ତାନୀ ଆମଦାନୀ ବ୍ୟବସାୟରେ ବ୍ରହ୍ମପୁର ବଡ଼ବଜାର ବ୍ୟବସାୟୀମାନେ ସଂପୃକ୍ତ ରହିଥାନ୍ତି । ରେଙ୍ଗୁନକୁ ନିୟମିତ ଜାହାଜ ଚଳାଚଳ କରୁଥିବା ହେତୁ ବହୁ ସଂଖ୍ୟକ ଗଞ୍ଜାମର ଶ୍ରମିକ ଯାତ୍ରା କରୁଥିଲେ । ବର୍ମା ୧୯୪୮ ଯାଏଁ ବ୍ରିଟିଶ ଶାସନାଧିନ ଥିଲା । ଆଧୁନିକ ମିଆଁମାର ଔପନିବେଶ ଶାସନରୁ ମୁକ୍ତି ପାଇବା ପରେ ସ୍ଥାନୀୟ ସରକାରଙ୍କ ଜାତୀୟବାଦୀ ନୀତି ହେତୁ ସେଠାରେ ଅବସ୍ଥାପିତ ଭାରତୀୟମାନେ ସ୍ୱଦେଶ ବାହୁଡ଼ିଥିଲେ । ସେଥିମଧ୍ୟରେ ବର୍ମା ଫେରନ୍ତା ଗଞ୍ଜାମ ଶ୍ରମିକମାନେ ମଧ୍ୟ ସାମିଲ ହୋଇଥିଲେ । ଶହେ ବର୍ଷ ପରେ ଗଞ୍ଜାମରେ ଦେଶାନ୍ତରୀ ଶ୍ରମିକ ଧାରା ଅକ୍ଷୁର୍ଣ୍ଣ ରହିଛି । ତେବେ ନିଯୁକ୍ତି ସ୍ଥଳ ସୁରତ, ମୁମ୍ୱାଇ, ଚ଼େନ୍ନାଇ, କେରଳ ଇତ୍ୟାଦି ଅଞ୍ଚଳକୁ ବଦଳି ଯାଇଛି ।


(ଅନୁପମ ଭାରତ ବ୍ରହ୍ମପୁର ସଂସ୍କରଣ / ୨୦ ଫେବୃୟାରୀ ୨୦୨୧/ ପୃଷ୍ଠା : ୮)


Illustration : "Old lamppost" by allyhook is licensed under CC BY-NC-ND 2.0

No comments:

Post a Comment