Friday, February 26, 2021

Stray Animals / ବୁଲା ପଶୁ ସମସ୍ୟା




#ବ୍ରହ୍ମପୁର ରାସ୍ତାଘାଟରେ ବୁଲା ଗାଈଗୋରୁ, କୁକୁର ଓ ଘୁଷୁରିଙ୍କ ଅବାଧ ବିଚରଣ ସହରର ରାସ୍ତାଘାଟ ସୌନ୍ଦର୍ଯ୍ୟହାନୀର ଅନ୍ୟତମ କାରଣ । ପଶୁଙ୍କ ଖାଦ୍ୟ ସଂଗ୍ରହ ଅଭ୍ୟାସରେ ଜନଜୀବନ ପ୍ରଭାବିତ ହେଉଥିବା ସ୍ଥଳେ ମଳତ୍ୟାଗ ହେତୁ ପରିବେଶ ଦୂଷିତ ହୋଇଥାଏ । ସେମାନଙ୍କ ଆକ୍ରମଣରେ ମୁଖ୍ୟତଃ ଶିଶୁ ଓ ବୁଢ଼ାବୁଢୀ ଆହତ ହେବା ଉଦାହରଣର ମଧ୍ୟ ଅଭାବ ନଥାଏ । ଏହାର ନିରାକରଣ ପୌରପାଳିକାର ଦାୟିତ୍ୱ ।

 

ରାସ୍ତାଘାଟରେ ଚଳପ୍ରଚଳ ହେଉଥିବା ଗାଈଗୋରୁଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ପୂର୍ବରୁ ସହରବାସୀଙ୍କ ପରିବାରରେ ଗୃହପାଳିତ ପଶୁ ଥିଲେ । ବୟସାଧିକ ବା ଅନ୍ୟାନ୍ୟ କାରଣରୁ ସେମାନଙ୍କ ମାଲିକମାନେ ଆଉ ତତ୍ତ୍ୱାବଧାନ ନେଉନାହାନ୍ତି । ଅତଏବ ବାକୀତକ ଜୀବନ ରାସ୍ତାଘାଟରେ ହିଁ କଟିଥାଏ । ବଳକା ଏକ ତୃତୀୟାଂଶ ଗୃହପାଳିତ ପଶୁ ହୋଇଥିଲେ ହେଁ ମାଲିକମାନେ କିଛି ସମୟପାଇଁ ସେମାନଙ୍କୁ ରାସ୍ତାଘାଟରେ ଛାଡ଼ି ଦେବାରେ ଅଭ୍ୟସ୍ତ । ଉଭୟ ବର୍ଗର ଗାଈଗୋରୁ ସହରର ଦୈନନ୍ଦିନ ଜୀବନଯାତ୍ରାରେ ସମସ୍ୟା ସୃଷ୍ଟି କରିଥାନ୍ତି ।

 

ମଇଁଷି ଓ ଘୁଷୁରି ଗୃହପାଳିତ ପଶୁ । ସହରର କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ସେମାନଙ୍କୁ ଦେଖିବାକୁ ମିଳିଥାଏ । ସହର ମଧ୍ୟରେ ମଇଁଷି ପାଳନ ଓ ଦୁଗ୍ଧ ଉତ୍ପାଦନରେ ସଂପୃକ୍ତ ବ୍ୟବସାୟୀମାନେ ମଇଁଷି ପଲକୁ ସକାଳେ-ସନ୍ଧ୍ୟାରେ ଚରାଇବା ନିମନ୍ତେ ସହରତଳି ଅଞ୍ଚଳକୁ ନେବା ଆଣିବା ଫଳରେ କେତେକ ରାସ୍ତାଘାଟରେ ଟ୍ରାଫିକ ପ୍ରଭାବିତ ହୋଇଥାଏ । ଅପରପକ୍ଷେ ମାଳମାଳ ବୁଲା କୁକୁର, ମାଙ୍କଡ଼ ସେମାନଙ୍କ ଉଗ୍ର ଆକ୍ରମଣାତ୍ମକ ସ୍ୱଭାବ ଯୋଗୁଁ ସାହୀବସ୍ତିରେ ଅସୁରକ୍ଷିତ ଅବସ୍ଥା ସୃଷ୍ଟି କରିଥାନ୍ତି ।

 

ବ୍ରହ୍ମପୁର କେରାଣ୍ଡିମାଳ ପର୍ବତ ପାଦ ଦେଶରେ ଅବସ୍ଥିତ ଥିବା ତଥା ପାଞ୍ଚରୁ ଦଶ କିଲୋମିଟର ଦୂରରେ ବନାଞ୍ଚଳର ଉପସ୍ଥିତି ହେତୁ ଦୀର୍ଘ ଅତୀତରୁ ମାଙ୍କଡ଼ଙ୍କ ପ୍ରାଦୁର୍ଭାବ ଲାଗି ରହିଛି । ପୂର୍ବେ ଜଙ୍ଗଲରେ ଖାଦ୍ୟାଭାବ ଘଟିଲେ ସମୟେ ସମୟେ ଜନବସତିକୁ ପଶିଆସୁଥିଲେ; କିନ୍ତୁ ବହୁଦିନରୁ ସେମାନେ ସହର ବାସିନ୍ଦା ପାଲଟି ଗଲେଣି । ଆଉ ଜଙ୍ଗଲ ଆଡ଼େ ଯାଉନାହାନ୍ତି । ମାଙ୍କଡ଼ପଲ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପରିକ୍ରମା କରିଥାନ୍ତି । ଏଣିକି ସେମାନଙ୍କ ଖାଦ୍ୟାଭ୍ୟାସରେ ତୃଣ କମ ସହରବାସୀଙ୍କ ବଜ୍ୟବସ୍ତୁ ଅଧିକ । ଖାଦ୍ୟ ଝାମ୍ପିନେବାରେ ସେମାନଙ୍କ କୌଶଳକୁ ତାରିଫ ନକରି ରହିହୁଏ ନାହିଁ !

 

ବୁଲା କୁକୁରଙ୍କ ବାର୍ଷିକଭିତ୍ତିରେ ବ୍ୟାପକ ବଂଶବୃଦ୍ଧି ଲାଗି ରହିଥାଏ । ସେମାନଙ୍କ ମଧ୍ୟରୁ ପୂର୍ବରୁ କେତେକ ପୋଷ୍ୟ ଜୀବନର ସୌଭାଗ୍ୟ ଲାଭ କରିଥିବା ସ୍ଥଳେ ଅନେକ ରାସ୍ତାଘାଟରେ ଜନ୍ମ ନେଇ ରାସ୍ତାକଡ଼ରେ ହିଁ ଜୀବନ ହାରନ୍ତି । ସଦ୍ୟ ଜନ୍ମିତ କୁକୁର ଶାବକଙ୍କୁ ଆଦରରେ କେହି କେହି ଘରକୁ ନେଉଥିବା ସ୍ଥଳେ ଦିନ କେତେଟାରେ ସେମାନେ ପୁଣି ଥରେ ରାସ୍ତାକୁ ଫେରିବାକୁ ପସନ୍ଦ କରିଥାନ୍ତି । ହୁଏତ ଏହା ଏକ ଜିନଗତ ସମସ୍ୟା !

 

ବୁଲା ପଶୁଙ୍କୁ ଆୟତ୍ତ କରିବାରେ ପୌରପାଳିକା ଉଦାସୀନ । ପୌରସେବା ନିମନ୍ତେ ପରୀକ୍ଷଣ, ରାଙ୍କିଙ୍ଗ ଦୌଡ଼ କିମ୍ୱା କୌଣସି ଅଭିଯାନ ଅବସରରେ ସହରରେ ବୁଲା ପଶୁଙ୍କୁ ଆୟତ୍ତ କରିବା ନିମନ୍ତେ ଥରେ ଅଧେ ଉଦ୍ୟମ ହୁଏ । ତେବେ ସମସ୍ୟାଟି ଦୈନନ୍ଦିନ ଲାଗି ରହୁଥିବା ସ୍ଥଳେ ଏଦିଗରେ କୌଣସି ନିୟମିତ ପଦକ୍ଷେପ ଦେଖିବାକୁ ମିଳିନଥାଏ । ପଶୁପକ୍ଷୀଙ୍କୁ ଆୟତ୍ତ କରିବା ନିମନ୍ତେ ଉଦ୍ୟମ ବେଳେ ପଶୁ ସୁରକ୍ଷା ଆଇନାବଳୀ ମଧ୍ୟ ସ୍ଥଳ ବିଶେଷରେ ଅନ୍ତରାୟ ସୃଷ୍ଟି କରେ ।

 

ସହରାଞ୍ଚଳରେ ବ୍ୟାବସାୟିକଭିତ୍ତିରେ ପଶୁପାଳନ ଗ୍ରହଣୀୟ ନୁହ । ଏତଦ୍ୱାରା ଘଞ୍ଚ ଜନବସତିରେ ପରିବେଶ ପ୍ରଦୂଷିତ ହୋଇଥାଏ । କିନ୍ତୁ ଏ ଦିଗରେ ନିୟମ କଡ଼ାକଡ଼ି ପାଳିତ ହୋଇପାରୁ ନାହିଁ । ପଶୁପାଳନ ଗ୍ରାମାଞ୍ଚଳଭିତ୍ତିକ ଜୀବିକା । ସହରାଞ୍ଚଳରେ ପଶୁପାଳନ ଅନେକ ସମୟରେ ପଶୁ କୃରତାରେ ପରିଣତ ହୋଇଥାଏ ।

 

ବ୍ରହ୍ମପୁର ପୌରପାଳିକା ପକ୍ଷରୁ ସହରର ଗାଈଗୋରୁଙ୍କ କାନରେ ଟ୍ୟାଗ ଲଗାଯାଇ ସେମାନେ ଏଣେତେଣେ ବୁଲାଚଲା କଲେ ଟ୍ୟାଗରୁ ତଥ୍ୟ ସଂଗ୍ରହ କରାଯାଇ ମାଲିକଙ୍କୁ ତାଗିଦ କରିବା ତଥା କାଞ୍ଜିଆହୁଦାରେ ଅଟକ ରଖିବା ପ୍ରଥା ଆରମ୍ଭ ହୋଇଥିଲା । ତେବେ ସେଥିରେ ବିଶେଷ ସଫଳତା ନମିଳିବାରୁ ବୁଲା ଗାଈଗୋରୁଙ୍କୁ ଜବତ କରି ସହରତଳି ଅଞ୍ଚଳରେ ଗୋପାଳକମାନଙ୍କ ଜିମାରେ ଛାଡ଼ିବା ବ୍ୟବସ୍ଥା ଆୟୋଜନ କରାଯାଇଥିବା ଜଣାଯାଏ । ଏହି ବ୍ୟବସ୍ଥାରେ ୫୦ରୁ ଉର୍ଦ୍ଧ୍ୱ ଗାଈଗୋରୁ କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ ଓ ରଙ୍ଗେଇଲୁଣ୍ଡା ବ୍ଳକକୁ ସ୍ଥାନାନ୍ତରିତ କରାଯାଇଥିବା ପ୍ରକାଶ । ତେବେ ବୁଲାକୁକୁର, ମାଙ୍କଡ଼ଙ୍କ ଉପଦ୍ରବ ରୋକିବା ନିମନ୍ତେ ନିୟମିତ ଅଭିଯାନ ଆବଶ୍ୟକ । ଏଦିଗରେ ବାହ୍ୟ ଠିକା ସଂସ୍ଥାକୁ ଦାୟିତ୍ୱ ଅର୍ପଣ କରିବା ପ୍ରସ୍ତାବ ବିଚାରଯୋଗ୍ୟ । ଏତଦ୍ୱାରା ସହରର ବିଭିନ୍ନ ଅଞ୍ଚଳରେ ନିୟମିତ ଅଭିଯାନ ଚାଲୁ ରଖାଯାଇପାରିବା ବିଚାର କରାଯାଇପାରେ ।

 

ପରିବର୍ତ୍ତିତ ପରିବେଶରେ ପଶୁ ଓ ମନୁଷ୍ୟର ଏକତ୍ର ବସବାସ କାରଣରୁ ପଶୁବାହୀ ଭୂତାଣୁ ମନୁଷ୍ୟ ଶରୀରକୁ ସଂକ୍ରମିତ ସମସ୍ୟା ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି । ସେହି ଦୃଷ୍ଟିରୁ ପୋଷା କୁକୁଡ଼ା, ପାରା ଓ ବିରାଡ଼ିଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମଧ୍ୟ ତୀକ୍ଷଣ ଦୃଷ୍ଟି ଆବଶ୍ୟକ ପଡ଼େ ।  ଏଦିଗରେ ସତର୍କତା ଜନସ୍ୱାସ୍ଥ୍ୟ ସୁରକ୍ଷାର ଅଂଶବିଶେଷ ।

(‘ଅନୁପମ ଭାରତ’ ବ୍ରହ୍ମପୁର ସଂସ୍କରଣ / ୨୭ ଫେବୃୟାରୀ ୨୦୨୧/ ପୃଷ୍ଠା : ୮)

Illustration : P.M. Digital Documentation

No comments:

Post a Comment