#ବ୍ରହ୍ମପୁର ସହରର କେତେକ ଅନାଲୋଚିତ ସମସ୍ୟା ମଧ୍ୟରେ ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ ଅନ୍ୟତମ । ପାରମ୍ପରିକଭାବେ ବ୍ରହ୍ମପୁର ଏକ ସ୍ୱଚ୍ଛ, ସୁନ୍ଦର ସହରରୂପେ ଗଢ଼ି ଉଠିଥିଲା । ଅତୀତରେ ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରେ ବ୍ରହ୍ମପୁର ପୌରପାଳିକା ସ୍ୱଚ୍ଛତାଲାଗି ସୁନାମ ଅର୍ଜନ କରିଥିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ । ତେବେ ସ୍ୱାଧୀନୋତ୍ତର ଅବସ୍ଥାରେ ସହର ନିଜର ମୌଳିକ ସତ୍ତା ହରାଇ ବସୁଥିବା ଦେଖିବାକୁ ମିଳେ । ବହୁବିଧ ସମସ୍ୟା ମଧ୍ୟରେ ସହରର ପ୍ରତି ବାସଗୃହ ପ୍ରବେଶଦ୍ୱାର କାନ୍ଥରେ କଦାକାର ବିଦ୍ୟୁତ ମିଟର ସ୍ଥାପନ ଏକ ଉଦାହରଣ ।
ବ୍ରହ୍ମପୁର ବିଦ୍ୟୁତ ଯୋଗାଣ ଓ ବଣ୍ଟନ
ପରିଚାଳନାଭାର ୨୦୨୧ ଜାନୁୟାରୀ ମାସରୁ ଟାଟା ପାୱାର ଗ୍ରହଣ କରିବା ମାତ୍ରେ ଖାଉଟିମାନଙ୍କ ଘରେ
ଲାଗିଥିବା ମିଟରଗୁଡ଼ିକ ତୃଟିପୂର୍ଣ୍ଣ ଦର୍ଶାଇ ବଦଳାଇବାକୁ ବାଧ୍ୟ କରାଯିବା ଅଭିଯାନ ଆରମ୍ଭ
ହୋଇଛି । କର୍ତ୍ତୃପକ୍ଷ ଅତ୍ୟନ୍ତ ବେପରୁୱାଭାବେ ଖାଉଟିଙ୍କ ଦାଣ୍ଡ ଦ୍ୱାର କାନ୍ଥରେ ମିଟର
ବସାଉଥିବା ହେତୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ପ୍ରବେଶ ଦ୍ୱାରରେ ଜୀବନ୍ତ
ବିଦ୍ୟୁତ ତାର ଓ ସାମଗ୍ରୀ ବିପଦପୂର୍ଣ୍ଣ ପରିବେଶ ସୃଷ୍ଟି କରୁଥିବା ସ୍ଥଳେ ଅତୀତରେ ଶିଶୁମାନେ
ଦୁର୍ଘଟଣା ଶୀକାର ହେବା ଉଦାହରଣର ଅଭାବ ନାହିଁ । ବ୍ରହ୍ମପୁର ଏକ ବାତ୍ୟାପ୍ରବଣ ସହରରେ ସାମିଲ ହେଉଥିବା ଅନ୍ୟ ସମ୍ଭାବ୍ୟ ବିପଦ । ସର୍ବୋପରି ବାସଗୃହଦ୍ୱାରରେ ଅସଜଡ଼ା ତାର
ବାସଗୃହର ସୌନ୍ଦର୍ଯ୍ୟହାନୀର କାରଣ ପାଲଟୁଛି ।
କମ୍ପାନୀ
କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଯୁକ୍ତ ତୃତୀୟପକ୍ଷ ଠିକା ସଂସ୍ଥାଦ୍ୱାରା ମିଟର ବଦଳ କାର୍ଯ୍ୟକାରୀ
କରାଯାଏ । ଏହି ଅବସରରେ ଉପଭୋକ୍ତା ଦୁଃବ୍ୟବହାର ଶୀକାର ହେଉଥିବା ଅଭିଯୋଗ ହୁଏ । ମଧ୍ୟାହ୍ନ
ସମୟରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିରେ ମିଟର ବଦଳ ଦଳ ଘରେ ଘରେ ପହଞ୍ଚି ଜବରଦସ୍ତି ଅଜାଗାରେ
ନୂଆ ମିଟର ବସାନ୍ତି । ସାଧାରଣତଃ ଏହି ଅବସରରେ କୌଣସି ଇଞ୍ଜିନିୟର ଉପସ୍ଥିତ ନଥାନ୍ତି ।
ମିଟର ବଦଳାଇବା ଠିକା କାମ ଏତେ ଲୋଭନୀୟ
ସାଜିଛି ଯେ ଟାଟା ପାୱାର ଦାୟିତ୍ୱ ଗ୍ରହଣ କରିବା ଦୁଇ ସପ୍ତାହ ମଧ୍ୟରେ ଟାଟା ପାୱାର ସ୍ୱୀକୃତ
ଦାବୀ କରି ବିଭିନ୍ନ ଅଞ୍ଚଳରେ ଏଜେଣ୍ଟ ନିଯୁକ୍ତ କରିବାଲାଗି ଠକେଇ ଅଭିଯୋଗରେ ପୋଲିସ
ବ୍ରହ୍ମପୁରରୁ ଜଣକୁ ଗିରଫ କରିଥିଲା । ଗ୍ରାମପଞ୍ଚାୟତ ପାଇଁ ୩୦ ହଜାର, ବ୍ଳକ ପାଇଁ ୫୦ ହଜାର ଓ
ଏନଏସସି- ମ୍ୟୁନିସିପାଲଟି ପାଇଁ ଏକ ଲକ୍ଷ ହିସାବରେ ସେ ୫୫ ଲକ୍ଷ ଟଙ୍କା ଅମାନତ ସଂଗ୍ରହ
କରିଥିବା କୁହାଯାଉଛି ।
‘ଓଡ଼ିଶା ଇଲେକ୍ଟ୍ରିସିଟି କମିସନ’
ପକ୍ଷରୁ ଓଡ଼ିଶା ଗେଜେଟରେ ୨୭ ଅଗଷ୍ଟ ୨୦୧୯ରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ’ ଓଡ଼ିଶା ରେଗୁଲେଟରି କମିସନ ଡ଼ିଷ୍ଟ୍ରିବ୍ୟୁସନ (କଣ୍ଡିସନ୍ସ ଅଫ ସପ୍ଲାଇ) କୋଡ଼
୨୦୧୯ର ପଞ୍ଚମ ଅଧ୍ୟାୟ ଧାରା ୯୭ରେ ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି ଯେ ବିଦ୍ୟୁତ ଯୋଗାଣ
ନିମନ୍ତେ ବାସଗୃହରେ ମିଟର ବସାଇବାରେ ଗୃହସ୍ୱାମୀ ସ୍ଥାନ ଚ଼ିହ୍ନଟ କରିବେ । ସପ୍ଲାଇ କମ୍ପାନୀ
ବୈଷୟିକ ଅସୁବିଧା ଥିଲେ ବିକଳ୍ପ ପ୍ରସ୍ତାବ ଦେବେ । ଖାଉଟି ଓ କମ୍ପାନୀ ଇଞ୍ଜିନିୟରଙ୍କ ସହମତିକ୍ରମେ ନୂଆମିଟର ବସାଯିବା କିମ୍ୱା ବଦଳ
କରାଯିବା ପ୍ରାବଧାନ ରହିଛି ।
ତେବେ ବ୍ରହ୍ମପୁରରେ ଏହି ନିୟମ ପାଳନ
ହେଉନଥିବା ଦେଖିବାକୁ ମିଳେ । ମିଟର ବଦଳ ପୂର୍ବରୁ ଉପଭୋକ୍ତାଙ୍କ ଲିଖିତ ମତାମତ ନିଆ ଯାଏ ନାହିଁ
। ବଦଳ ସ୍ଥାନ ବିରୁଦ୍ଧରେ ଆପତ୍ତି ଶୁଣିବା ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ
କରନ୍ତି ନାହିଁ । ସାଧାରଣ ଖାଉଟି ପକ୍ଷେ ଉପଭୋକ୍ତା ଅଦାଲତ ଏବଂ ପରେ ଉଚ୍ଚ ନ୍ୟାୟାଳୟଠାରେ
ମାମଲା ଦାୟର କରିବା ନିମନ୍ତେ ଧୈର୍ଯ୍ୟ, ସମୟ ଓ ସାଧନ ନଥାଏ । ଫଳରେ ସହରର ବିଦ୍ୟୁତ ଉପଭୋକ୍ତା
ନୀରବରେ ଜୁଲମ ସହିବାକୁ ବାଧ୍ୟ ହୋଇଥାନ୍ତି ।
ମୁଖ୍ୟତଃ, ବିଦ୍ୟୁତ ରାଜସ୍ୱ ବୃଦ୍ଧି
ଉଦ୍ଦେଶ୍ୟରେ ପୂର୍ବରୁ ବାସଗୃହ ବାରଣ୍ଡାରେ ସ୍ଥାପିତ ମିଟରଗୁଡ଼ିକୁ ପ୍ରବେଶଦ୍ୱାର କାନ୍ଥକୁ
ଆଣିବାକୁ ବିଦ୍ୟୁତ କର୍ତ୍ତୃପକ୍ଷ ୨୦୧୩ରେ ନିଷ୍ପତ୍ତି ଗ୍ରହଣ କରିଥିଲେ । ତେବେ ୨୦୧୩ରେ ‘ସାଉଥକୋ
ୟୁଟିଲିଟି’ ଗଠିତ ହେବାପରେ ସାତବର୍ଷ ପରେ ମଧ୍ୟ ୩୫.୨୯ ପ୍ରତିଶତ କ୍ଷତି କାରଣରୁ ନିଲାମରେ ୨୦୨୦
ଡ଼ିସେମ୍ୱର ଶେଷ ସପ୍ତାହରେ ଟାଟା ପାୱାର କମ୍ପାନୀକୁ ଟେକି ଦିଆଗଲା । ଏଥିରୁ ସାଧାରଣ ଉପଭୋକ୍ତାଙ୍କ
ବାସଗୃହ ପ୍ରବେଶଦ୍ୱାର କାନ୍ଥରେ ମିଟର ସ୍ଥାପନ ଦ୍ୱାରା ବିଦ୍ୟୁତ ଆୟ ବଢ଼ିନଥିବା ପ୍ରମାଣିତ ।
ପ୍ରଚଳିତ ପଦ୍ଧତିର ଆଳ ଦେଖାଇ ନବଗଠିତ ‘ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା
ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼’ ପକ୍ଷରୁ ଖାଉଟିମାରଣ ନୀତି ଅବଲମ୍ୱନ ଆଦୌ
ସ୍ପୃହଣୀୟ ନୁହେଁ ।
ପୁରୁଣା ମିଟରକୁ ତୃଟିପୂର୍ଣ୍ଣ ଦର୍ଶାଇ
ସଂଖ୍ୟା ଗଣତିରେ ବିଦ୍ୟୁତ କର୍ତ୍ତୃପକ୍ଷ ବାହାବା ନେବାକୁ ଚେଷ୍ଟା କରନ୍ତି । ମିଟର
ପ୍ରବେଶଦ୍ୱାର କାନ୍ଥରେ ଲଗାଇଲେ ବିଦ୍ୟୁତ ଚୋରି ରୋକାଯାଇପାରିବ ବୋଲି ଧାରଣା ଦିଆଯାଏ । ବେକରେ
ଫଳକ ଓହଳାଇବା ଭଳି ଖାଉଟିଙ୍କ ଘର ଦାଣ୍ଡକାନ୍ଥରେ ମିଟର ବସାଯିବା ଲଜ୍ଜାଜନକ । ତେବେ ସାତବର୍ଷର
ତଥାକଥିତ ସାବଧାନତା ସତ୍ତ୍ୱେ ବାର୍ଷିକ କ୍ଷତି ପରିମାଣ କାହିଁକି ବୃଦ୍ଧି ପାଇଲା ?
ଉଲ୍ଲେଖ ଅନାବଶ୍ୟକ ଯେ ସଲାସୁତୁରାର ବିଦ୍ୟୁତ ବାଟମାରଣା ହେଉଛି । ‘ପ୍ରିପେଡ଼
ସ୍ମାର୍ଟ ମିଟର’ ଲଗାଇଲେ ସ୍ୱଚ୍ଛତା ସମ୍ଭବ ।
ଦେଶବ୍ୟାପୀ ବିଦ୍ୟୁତ ବିତରଣମାନ ବୃଦ୍ଧି
ସକାଶେ ଉପଭୋକ୍ତାଙ୍କ ଗୃହରେ ପ୍ରିପେଡ଼ ସ୍ମାର୍ଟମିଟର ସ୍ଥାପନ ଲାଗି କେନ୍ଦ୍ର ସରକାରଙ୍କ
ପକ୍ଷରୁ ତିନିବର୍ଷ ତଳୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିତରଣ ସଂସ୍ଥା ଓ ଖାଉଟି ଉଭୟଙ୍କ
ମଧ୍ୟରେ ବିଦ୍ୟୁତ ଯୋଗାଣରେ ସ୍ୱଚ୍ଛତା ସ୍ଥାପନ ନିମନ୍ତେ ‘ପ୍ରି-ପେଡ଼ ସ୍ମାର୍ଟ
ମିଟର’ ସ୍ଥାପନ ନିମନ୍ତେ ଗୁରୁତ୍ୱ ଦିଆଯାଉଛି । ଅର୍ଥମନ୍ତ୍ରୀ
କେନ୍ଦ୍ର ବଜେଟ ୨୦୨୧-୨୨ରେ ପ୍ରିପେଡ଼ ସ୍ମାର୍ଟମିଟର ବଦଳ ତଥା ଆନୁସଙ୍ଗିକ କାର୍ଯ୍ୟକ୍ରମ
ନିମନ୍ତେ ତିନି ଲକ୍ଷ କୋଟି ଟଙ୍କାର ପାଞ୍ଚ ବର୍ଷିଆ ଯୋଜନା ଘୋଷଣା କରିଛନ୍ତି । ଓଡ଼ିଶା ରେଗୁଲେଟରି କମିସନ ୨୦୧୯ରେ ପ୍ରକାଶିତ କୋଡ଼ ପଞ୍ଚମ
ଅଧ୍ୟାୟ ଧାରା ୯୭ (ଚାରି-ତିନି)ରେ ୨୦୨୨ ସୁଦ୍ଧା ଖାଉଟିଙ୍କ ଘରେ ପ୍ରିପେଡ଼ ସ୍ମାର୍ଟମିଟର
ସ୍ଥାପନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ବିଦ୍ୟୁତ
ଉପଭୋକ୍ତାଙ୍କ ଘରେ ‘ପ୍ରିପେଡ଼ ସ୍ମାର୍ଟ ମିଟର’ ସ୍ଥାପନ
ନିମନ୍ତେ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭୁବନେଶ୍ୱର, କଟକ ଇତ୍ୟାଦିକୁ ନେଇ ଗଠିତ ‘ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ’ ପକ୍ଷରୁ ଏହାର ପରିଚାଳନାଧୀନ ଅଞ୍ଚଳରେ ଏପ୍ରିଲ ୨୦୨୧ରୁ ସ୍ମାର୍ଟମିଟର ଲଗାଇବା
କାର୍ଯ୍ୟ ଆରମ୍ଭ କରାଯିବା ସ୍ଥିର କରାଯାଇଥିବା ଫେବୃୟାରୀ ପ୍ରଥମ ସପ୍ତାହରେ ସାମ୍ୱାଦିକ
ସମ୍ମିଳନୀରେ କୁହାଯାଇଛି । ପ୍ରଥମେ ହାଇ-ଏଣ୍ଡ ଗ୍ରାହକ ଯେଉଁମାନେ ୩୦୦ ୟୁନିଟରୁ ଅଧିକ ବିଦ୍ୟୁତ
ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ସ୍ମାର୍ଟମିଟର ବ୍ୟବହାର କରାଯିବ । ପରବର୍ତ୍ତୀ ସମୟରେ
ଅନ୍ୟ ବର୍ଗର ଗ୍ରାହକଙ୍କ ପାଖରେ ତାହା ପହଞ୍ଚିବ । ଏଠାରେ ‘ସାଉଥକୋ’ ପକ୍ଷରୁ ୨୦୨୦ ଫେବୃୟାରୀ ସୁଦ୍ଧା ୧୫୦ ଗୋଟି ସ୍ମାର୍ଟମିଟର ପରୀକ୍ଷାମୂଳକଭାବେ
ଲଗାଯାଇଥିବା ସୂଚନା ଦିଆଯାଇଥିଲା ।
ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ନବଗଠିତ
‘ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡ଼ିଷ୍ଟ୍ରବ୍ୟୁସନ ଲିମିଟେଡ଼’
ପକ୍ଷରୁ ଯଦି ତୃଟିପୂର୍ଣ୍ଣ ମିଟର ବଦଳ ଅଭିଯାନ ହୁଏ, ତେବେ ପ୍ରିପେଡ଼ ସ୍ମାର୍ଟମିଟର ସ୍ଥାପନ
ପାଇଁ କାହିଁକି ପଦକ୍ଷେପ ନିଆଯାଉନାହିଁ ତାହା
ଜଣାପଡୁ ନାହିଁ । ଏପରିକି ଉପଭୋକ୍ତାମାନେ ନିଜ ପକ୍ଷରୁ ଅନୁରୋଧ ଜଣାଇଲେ ମଧ୍ୟ କର୍ତ୍ତୃପକ୍ଷ
ଧ୍ୟାନ ଦେଉ ନାହାନ୍ତି । ପ୍ରିପେଡ଼ ସ୍ମାର୍ଟମିଟର ବଦଳାଗଲେ ଏକ ପକ୍ଷରେ ବିଦ୍ୟୁତ ଯୋଗାଣରେ
ସ୍ୱଚ୍ଛତା ସୁଯୋଗ ସୃଷ୍ଟି ସାଙ୍ଗକୁ ଅପରପକ୍ଷରେ ଉପଭୋକ୍ତାଙ୍କ ଗୃହ ପ୍ରବେଶ ଦ୍ୱାର କାନ୍ଥରେ
ମିଟର ସ୍ଥାପନ ସମସ୍ୟା ହଟିବ । କାରଣ ମିଟରରୁ ବିଦ୍ୟୁତ ବ୍ୟବହାର ତଥ୍ୟ ସଂଗ୍ରହ ଆବଶ୍ୟକ ନପଡିଲେ
ଘର ଭିତରେ ଦାଣ୍ଡବାରଣ୍ଡାରେ ମିଟର ସ୍ଥାପନରେ ଯୋଗାଣ କର୍ତ୍ତୃପକ୍ଷଙ୍କ କୌଣସି ଅସୁବିଧା ରହିବ
ନାହିଁ । ଅଧିକନ୍ତୁ ବାହାର କାନ୍ଥରେ ସ୍ମାର୍ଟମିଟର ସ୍ଥାପନ ପରେ ନିକଟ ଭବିଷ୍ୟତରେ ସେଥି ସହ
ସଂଯୁକ୍ତ କରି ପ୍ରି-ପେଡ଼ ଯନ୍ତ୍ରପାତି ଖଞ୍ଜିବା ଉପଯୋଗୀ ସାବ୍ୟସ୍ତ ନ ହୋଇପାରେ ଏବଂ ପୁଣି
ମିଟରକୁ ଘର ବାରଣ୍ଡାକୁ ସ୍ଥାନାନ୍ତରିତ କରିବାକୁ ପଡ଼ିପାରେ ।
ମିଟର ବଦଳ ସହ ବ୍ରହ୍ମପୁର ନାଗରିକ
ଅନ୍ୟାନ୍ୟ ବିଦ୍ୟୁତ ବିତରଣଜନିତ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ସହରର ଜନାକୀର୍ଣ୍ଣ
ଅଞ୍ଚଳରେ ବିଦ୍ୟୁତ ଟ୍ରାନ୍ସଫରମରଗୁଡ଼ିକ ଖୋଲାରେ ଛାଡ଼ିବା ତଥା ସମୟେ ସମୟେ ସେଥିରୁ ବିଦ୍ୟୁତ
ଲିକ ହେଉଥିବା ଏକ ଦୈନନ୍ଦିନ ଘଟଣା । ସେହିପରି ବିଦ୍ୟୁତ ପୋଲଗୁଡ଼ିକରେ ତାର ଅସଜଡ଼ା ଅବସ୍ଥାରେ
ବର୍ଷ ବର୍ଷ ଧରି ପଡ଼ି ରହିଛି । ପୂର୍ବ ୨୦୧୩ରେ ‘ଫାଇଲିନ’ ଓ ୨୦୧୮ରେ ‘ତିତିଲି’ ବାତ୍ୟା ପରେ ପରେ ଜରୁରିଭିତ୍ତିରେ ରାସ୍ତାଘାଟର
ପୋଲରେ ଯେଉଁ ବିଦ୍ୟୁତ ତାର ଟଣାଯାଇଥିଲା ତାହାର ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇନାହିଁ ।
ଦୀର୍ଘକାଳ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ ବିତରଣ ତାର ପଡ଼ି ରହିବା ଜନଜୀବନ ପ୍ରତି
ଉଦବେଗର ବିଷୟ ।
‘ସାଉଥକୋ ୟୁଟିଲିଟି’ ନିଜର ଅପରାଗତା
ହେତୁ କ୍ଷତି ସହୁଥିବା କାରଣରୁ ସହରର ବିଦ୍ୟୁତ ବିତରଣ ପ୍ରକ୍ରିୟା ସଜାଡ଼ିବାରେ ସମର୍ଥ ହୋଇପାରି
ନଥିଲା ବୋଲି କୈଫିୟତ ଦିଆଯାଏ । ତେବେ ବର୍ତ୍ତମାନ ଟାଟା ପାୱାର ଭଳି ଏକ ଜାତୀୟସ୍ତରର ବିତରଣ
ସଂସ୍ଥା ସହରର ବିଦ୍ୟୁତ ବଣ୍ଟନରେ ସାମିଲ ହୋଇଥିବା ତଥା କେନ୍ଦ୍ରୀୟ ବଜେଟରେ ଐତିହାସିକ
ପରିମାଣରେ ଅର୍ଥମଞ୍ଜୁର କରାଯାଇଥିବା ହେତୁ ବ୍ରହ୍ମପୁରବାସୀ ବିଦ୍ୟୁତ ବିତରଣରେ ସଂସ୍କାର ଆଶା
କରିବା ସ୍ୱାଭାବିକ ।
No comments:
Post a Comment