Friday, February 5, 2021

The impact of the central budget / କେନ୍ଦ୍ର ବଜେଟର ପ୍ରଭାବ



ପ୍ରଚଳିତ ସରକାରୀ ଆର୍ଥିକ ବ୍ୟବସ୍ଥାରେ #ବ୍ରହ୍ମପୁର ଭଳି ମଧ୍ୟମ ଧରଣର ସହରାଞ୍ଚଳରେ ବିଭିନ୍ନ ସାର୍ବଜନୀନ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଦ୍ୱାରା ପରିଚାଳିତ । ଏହି କାରଣରୁ ଉଭୟସ୍ତରରେ ଗୃହୀତ ବାର୍ଷିକ ବଜେଟରେ ପ୍ରଦତ୍ତ ଆର୍ଥିକ ନୀତି ଏଠାକାର ଜନଜୀବନକୁ ପ୍ରଭାବିତ କରେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଫେବୃୟାରୀ ପହିଲାରେ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଇଛି । ସେଥି ଅନୁଯାୟୀ ସହରରେ କେତେକ ପରିବର୍ତ୍ତନ, ତୁରନ୍ତ ନହେଲେ ସୁଦ୍ଧା ଦୀର୍ଘ ମିଆଦୀ ସୂତ୍ରରେ ଆଶା କରାଯାଇପାରେ ।

 

ପ୍ରଥମତଃ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବ ବର୍ଷ ତୁଳନାରେ ୧୧୮ ପ୍ରତିଶତ ଅଧିକ ବ୍ୟୟ ବରାଦ କରାଯାଇଛି । ସେଥିମଧ୍ୟରେ କୋଭିଡ଼-୧୯ ପ୍ରତିଷେଧକ ଟିକାକରଣ ନିମନ୍ତେ ୩୫ ହଜାର କୋଟି ଟଙ୍କା ଅନ୍ତର୍ଭୁକ୍ତ । ପୂର୍ବ ବର୍ଷ ୨୦୨୦ରେ ଭୂତାଣୁ ସଂକ୍ରମଣ ଏବଂ ୨୦୨୧ ଫେବୃୟାରୀ ସୁଦ୍ଧା ସଂକ୍ରମଣ ଭୟ ହଟି ନଥିବା ତଥା ରୋଗର ପ୍ରଭାବ ଦୀର୍ଘକାଳ ଯାଏଁ ବଳବତ୍ତର ରହିବା ଆକଳନ କରାଯାଉଥିବା ହେତୁ ଜନସାଧାରଣଙ୍କ ମଧ୍ୟରେ ଟିକାକରଣ ନିମନ୍ତେ ବଜେଟରେ ବ୍ୟବସ୍ଥା ସ୍ୱାଗତଯୋଗ୍ୟ ।

 

ବିଶେଷଜ୍ଞମାନେ କହୁଛନ୍ତି ଏହି ଅର୍ଥ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ୨୭ କୋଟି ନାଗରିକଙ୍କ ପାଇଁ ପର୍ଯ୍ୟାପ୍ତ ନହୋଇପାରେ । ତେବେ ଟିକାକରଣର ଗତିପ୍ରକୃତି ଓ ସମୟକ୍ରମେ ଟିକାର ଦର ହ୍ରାସ ଭଳି ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆ ନଯାଇପାରେ । ଅର୍ଥମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ଟିକାକରଣ ନିମନ୍ତେ ଅଧିକ ଖର୍ଚ୍ଚ ଆବଶ୍ୟକ ପଡ଼ିଲେ ଅର୍ଥ ମଂଜୁର କରାଯିବ । ମୋଟାମୋଟି ଭାବେ ନିଶ୍ଚିତ ଟିକାକରଣରେ ସହରବାସୀଙ୍କ ନିମନ୍ତେ ସୁସମ୍ୱାଦ ।

 

ସ୍ୱାସ୍ଥ୍ୟ ସେବାରେ କେନ୍ଦ୍ର ସରକାର ଏକ ତୃତୀୟାଂଶ ଅନୁଦାନ ଦେଉଥିବା ସ୍ଥଳେ ରାଜ୍ୟ ସରକାର ଦୁଇ ତୃତୀୟାଂଶ ଖର୍ଚ୍ଚ କରିଥାନ୍ତି । ଅତଏବ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟସେବାରେ ବର୍ଦ୍ଧିତ ବଜେଟ ଅଟକଳର ବ୍ରହ୍ମପୁରରେ କାର୍ଯ୍ୟକାରିତା ରାଜ୍ୟ ସରକାରଙ୍କ ଫେବୃୟାରୀ ୨୨ ତାରିଖରେ ଉପସ୍ଥାପନ ହେବାକୁ ଥିବା ବଜେଟ ଉପରେ ନିର୍ଭର କରିବ । କେନ୍ଦ୍ର ବଜେଟ ସହ ୧୫ଶ ଆର୍ଥିକ କମିସନଙ୍କ ରିପୋର୍ଟ ମଧ୍ୟ ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇଛି । ସେଥିରେ ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି । ଅତଏବ ବ୍ରହ୍ମପୁରରେ ଆଗାମୀ ପାଞ୍ଚ ବର୍ଷରେ ଜାତୀୟ ସ୍ୱାସ୍ଥ୍ୟ ମିସନ ଅନୁଦାନରେ ପରିଚାଳିତ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିରେ ଉନ୍ନତି ତଥା ସ୍ୱାସ୍ଥ୍ୟସେବା ତାଲିମ କ୍ଷେତ୍ରରେ ସଂପ୍ରସାରଣ ସମ୍ଭବ

 

ଦ୍ୱିତୀୟତଃ, କେନ୍ଦ୍ର ସରକାରଙ୍କ ପ୍ରଣୀତ ନୀତି ଅନୁଯାୟୀ ଜନସାଧାରଣଙ୍କୁ ସାଧାରଣ ପରିବହନ ସେବା ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର ନିମନ୍ତେ ପ୍ରୋତ୍ସାହିତ କରିବା ସାଙ୍ଗକୁ ବ୍ୟକ୍ତିଗତସ୍ତରରେ ମଟରଗାଡ଼ି ବ୍ୟବହାରକୁ ନିରୁତ୍ସାହିତ କରାଯିବ । ପର୍ଯ୍ୟାୟକ୍ରମେ ପୁରୁଣା ମଟରଗାଡ଼ିଗୁଡ଼ିକ ହଟାଇ ଦେଇ ବିଦ୍ୟୁତ ଚାଳିତ ଯାନବାହାନ ପ୍ରଚଳନ ଫଳରେ ପ୍ରଦୂଷଣ ରୋକିବା ଦିଗରେ ବଡ଼ ସଫଳତା ମିଳିବ । ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ନିମନ୍ତେ ଅଭିଯାନରେ ଭାରତର ସାମିଲ ଥିବା ହେତୁ ଏହି ଧରଣର ପଦକ୍ଷେପମାନ ବଳବତ୍ତର ରହିବ ।

 

କେନ୍ଦ୍ର ବଜେଟ ଅନୁଯାୟୀ ଦେଶରେ ଅଧିକ କୋଡ଼ିଏ ହଜାର ସିଟିବସ ସେବା ସରକାରୀ-ଘରୋଇ ସହଭାଗିତାରେ ଆୟୋଜନ ନିମନ୍ତେ ପ୍ରାବଧାନ ରହିଛି । ଫଳରେ ବ୍ରହ୍ମପୁରକୁ ଅଧିକା ସିଟିବସ ମିଳିପାରେ । ସେହିପରି ୧୫ ବର୍ଷରୁ ପୁରୁଣା ବ୍ୟାବସାୟିକ ଓ ୨୦ ବର୍ଷରୁ ପୁରୁଣା ବ୍ୟକ୍ତିଗତ ମଟରଗାଡ଼ିଗୁଡ଼ିକୁ ଏଣିକି ଫିଟନେସ ସାର୍ଟିଫିକେଟ ହାସଲ କରିବା ନିମନ୍ତେ ଏକ ସ୍ୱୟଂକ୍ରିୟ ଯାନ୍ତ୍ରିକ କେନ୍ଦ୍ରଗୁଡ଼ିକରେ ଉପସ୍ଥାପିତ କରିବାକୁ ପଡ଼ିବ । ପ୍ରତ୍ୟେକ ଯାନର ପ୍ରଦୂଷଣ ମାତ୍ରା ବିଚାରକୁ ନେଇ ଚଳାଚଳ ଲାଗି ଅନୁମତି ଦିଆଯିବ । ଏହି ନୀତି ଲାଗୁ ହେଲେ ବ୍ରହ୍ମପୁରର ପ୍ରାୟ ଏକ ଚତୁର୍ଥାଂଶ ଯାଏଁ ମଟରଗାଡ଼ି ରାସ୍ତାରୁ ହଟିବା ଆକଳନ କରାଯାଏ

 

ତୃତୀୟତଃ, ଦେଶବ୍ୟାପୀ ବିଦ୍ୟୁତ ପରିବହନ ଓ ବିତରଣ କ୍ଷେତ୍ରରେ ସୁଧାର ଆଣିବା ଲାଗି ଚଳିତ ବଜେଟରେ ତିନି ଲକ୍ଷ କୋଟି ଟଙ୍କାର ପାଞ୍ଚ ବର୍ଷିଆ ପୁନଃବିନ୍ୟାସ ଯୋଜନା ଘୋଷଣା କରାଯାଇଛି ଏହି ଅନୁଦାନରେ ଭିତ୍ତିଭୂମି ବିକାଶ ସହ ଗ୍ରାହକଙ୍କ ଘରେ ଘରେ ସ୍ମାର୍ଟମିଟର ସ୍ଥାପନ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ । ଶକ୍ତି ମନ୍ତ୍ରଣାଳୟ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ବାବଦରେ ଏକ ଲକ୍ଷ କୋଟି ଟଙ୍କା ଚିହ୍ନଟ କରିଥିବା ଜଣାଯାଏ ବ୍ରହ୍ମପୁରର ବିଦ୍ୟୁତ ଯୋଗାଣ ପରିଚାଳନାଭାର ଜାନୁୟାରୀ ପ୍ରଥମ ସପ୍ତାହରୁ ଟାଟା ପାୱାର ଗ୍ରହଣ କରିଛି । କେନ୍ଦ୍ର ସରକାରଙ୍କ ବିଦ୍ୟୁତ ବଣ୍ଟନ ସଂସ୍କାର ଯୋଜନାରେ ବ୍ରହ୍ମପୁରରେ ଜନାକୀର୍ଣ୍ଣ ରାସ୍ତାଘାଟରେ ମୁକୁଳା ଟ୍ରାନ୍ସମିଟର, ଅସଜଡା ପୋଲ ୱାଏରିଂ ଓ ପ୍ରତି ଘରଦ୍ୱାରରେ ମିଟର-ଜୀବନ୍ତ ବିଦ୍ୟୁତବାହୀ ତାରର ବିକୃତ ଓ ବିପଦଜନକ ଚ଼ିତ୍ରରେ କିଛିଟା ପରିବର୍ତ୍ତନ ଆଶା କରାଯାଇପାରେ ।

(ଅନୁପମ ଭାରତ / ୬ ଫେବୃୟାରୀ ୨୦୨୧/ ପୃଷ୍ଠା : ୮)

Illustration : "Budget" by Got Credit is licensed under CC BY 2.0

No comments:

Post a Comment