Friday, May 14, 2021

Potagada / ପୋତାଗଡ଼



 #ବ୍ରହ୍ମପୁର ସହରଠାରୁ ୩୨ କିଲୋମିଟର ଦୂର ଭୁବନେଶ୍ୱର ଜାତୀୟ ରାଜପଥରେ ଅବସ୍ଥିତ ଗଞ୍ଜାମ ସହର ସଂଲଗ୍ନ ପୋତାଗଡ଼ ବ୍ରିଟିଶ ଶାସନର ଏକ ସ୍ମାରକୀ । ଅଢ଼େଇ ଶହ ବର୍ଷ ପୂର୍ବେ ନିର୍ମିତ ଏକ ଦୁର୍ଗର ଭଗ୍ନାବିଶେଷ ପୋତାଗଡ଼ ନାମରେ ଖ୍ୟାତ । ଦୁର୍ଗ ନିର୍ମାଣର ମାତ୍ର ପଚାଶ ବର୍ଷ ମଧ୍ୟରେ ମହାମାରୀ କାରଣରୁ ବ୍ରିଟିଶ ଶାସକଗଣ ଦୁର୍ଗ ପରିତ୍ୟାଗ କରି ବ୍ରହ୍ମପୁର ପଳାଇବାକୁ ବାଧ୍ୟ ହୋଇଥିଲେ । ଋଷିକୂଲ୍ୟା ନଦୀ କୂଳରେ ଅବସ୍ଥିତ ଏହି ଅବ୍ୟବହୃତ ଦୁର୍ଗର ଭୂତଳ ଅଂଶ ବନ୍ୟାଜଳ-ବାହିତ ବାଲି ଦ୍ୱାରା ପୋତି ହୋଇଯିବା ପରେ କାଳକ୍ରମେ ଏହାକୁ ପୋତାଗଡ଼ ନାମିତ କରାଯାଇଥିବା କୁହାଯାଏ ।

 

ପୋତାଗଡ଼ର ସଂରକ୍ଷଣ ଓ ଏହାକୁ ପର୍ଯ୍ୟଟନ ସ୍ଥଳୀରୂପେ ବିକାଶ କରିବା ନିମନ୍ତେ ଦୀର୍ଘକାଳରୁ ଦାବୀ ହୋଇଆସିଥିଲା । ମୁଖ୍ୟତଃ ଜାତୀୟସ୍ତର ପ୍ରାଚ଼ୀନ କାର୍ତ୍ତିରାଜି ସଂରକ୍ଷଣରେ ଅଗ୍ରଣୀ ଇନଟାକ ସଂଗଠନ ପକ୍ଷରୁ ସରକାରଙ୍କ ଉପରେ ଚାପ ପକାଇବା ନିମନ୍ତେ ଉଦ୍ୟମ କରାଯାଇଥିଲା । ଇନଟାକର ବ୍ରହ୍ମପୁର ସଂଯୋଜକ ଆଇନଜୀବୀ ଡ଼କ୍ଟର ସୁଧାଂଶୁ ପତି ଏଦିଗରେ ଯତ୍ନବାନ ଥିଲେ । ପୋତାଗଡ଼ ଉନ୍ନୟନ ପ୍ରକଳ୍ପକୁ ନେଇ ସ୍ଥାନୀୟ ନେତୃବର୍ଗଙ୍କ ମଧ୍ୟରେ ବାଦବିବାଦ ମଧ୍ୟ ସୂତ୍ରପାତ ହୋଇଥିଲା । ତେବେ ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ପୋତାଗଡ଼କୁ କୋଭିଡ଼-୧୯ ଦ୍ୱିତୀୟ ତରଙ୍ଗ ପୂର୍ବରୁ ପର୍ଯ୍ୟଟନ ସ୍ଥଳୀ ଭାବେ ପ୍ରସ୍ତୁତ କରାଉଥିବା ସୂଚ଼ନା ମିଳିଥିଲା । ଏପ୍ରିଲ ୨୦୨୧ ପ୍ରଥମାର୍ଦ୍ଧରେ ପୋତାଗଡ଼ ପରିଦର୍ଶନ ନିମନ୍ତେ ପ୍ରବେଶ ଶୁଳ୍କ ବିଜ୍ଞପ୍ତି ଫଳକ ସ୍ଥାପନ କରାଯାଇଥିବା ବିବରଣୀ ସମ୍ୱାଦପତ୍ରଗୁଡ଼ିକରେ ପ୍ରକାଶିତ ହୋଇଥିଲା ।

 

ପୋତାଗଡ଼ର ଐତିହାସିକଭିତ୍ତିଭୂମିକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଥାଏ । ତେବେ ମାଡ୍ରାସ ପ୍ରେସିଡ଼େନ୍ସି ପ୍ରଶାସନିକ ଅଧିକାରୀ ଟି.ଜେ . ମାଲଟବୀଙ୍କ ଦ୍ୱାରା ପ୍ରସ୍ତୁତ ତଥା ୧୯୧୮ରେ ମୁଦ୍ରିତ ଦି ଗଞ୍ଜାମ ଡ଼ିଷ୍ଟ୍ରୀକ୍ଟ ମ୍ୟାନୁଏଲକୁ ପ୍ରାମାଣିକ ଗ୍ରନ୍ଥ ଭାବେ ଗ୍ରହଣ କରାଯାଇପାରେ ଗଞ୍ଜାମରେ ବ୍ରିଟିଶ ପ୍ରଶାସନର ଇତିହାସ ସଂପର୍କରେ ଏହା ଅନ୍ୟତମ ପ୍ରାଚ଼ୀନତମ ଦଲିଲ । ଏଥିରେ ପୃଷ୍ଠା ୩୨, ୩୩ ଓ ୩୪ରେ ପ୍ରାଚ଼ୀନ ଗଞ୍ଜାମ ବନ୍ଦର ତଥା ଦୁର୍ଗର ନିର୍ମାଣ ଓ ପତନର କାରଣ ସଂପର୍କରେ ସ୍ପଷ୍ଟ ବର୍ଣ୍ଣନା ରହିଛି ।

 

ପୋତାଗଡ଼ ଦୁର୍ଗ ନିର୍ମିତ ହେବା ବହୁପୂର୍ବରୁ ଗଞ୍ଜାମ ବଙ୍ଗୋପସାଗର କୂଳରେ ଏକ ଚଳଚଞ୍ଚଳ ବନ୍ଦର ରୂପେ ଖ୍ୟାତି ଅର୍ଜନ କରିଥିଲା । ସପ୍ତମ ଶତାଦ୍ଦୀରେ ଚ଼ୀନ ପରିବ୍ରାଜକ ହୁଏସାଂ ନିଜ ଭ୍ରମଣ ବୃତ୍ତାନ୍ତରେ କଳିଙ୍ଗ ଓ କଙ୍ଗୋଦ ସୀମାରେ କଞ୍ଜୁତୋ ନାମରେ ଏକ ସହର ସଂପର୍କରେ ସୂଚନା ଦେଇଥିବା କେତେକ ଐତିହାସିକ ଦାବୀ କରନ୍ତି । ସେମାନଙ୍କ ମତରେ କଞ୍ଜୁତୋ ହିଁ ପରେ ଗଞ୍ଜୁତୋ-ଗଞ୍ଜା-ଗଞ୍ଜାମରେ ରୂପାନ୍ତରିତ ହୋଇଥିଲା । ୧୭୬୭ରେ ଇଂଲିଶମାନେ ଗଞ୍ଜାମ ବନ୍ଦର ଫରାସୀଙ୍କଠାରୁ ଦଖଲ କରିବା ପରେ ମାଲଟବୀଙ୍କ ସୂଚ଼ନା ପ୍ରକାରେ ତତ୍କାଳୀନ ରେସିଡ଼େଣ୍ଟ କଟସଫୁଡ଼ ସାହେବଙ୍କ ଦ୍ୱାରା ୧୭୬୮ରେ ଦୁର୍ଗ ନିର୍ମିତ ହୋଇଥିଲା । ଇଷ୍ଟଇଣ୍ଡିଆ କମ୍ପାନୀର ବ୍ୟାବସାୟିକ ତଥା ରାଜନୀତିକ ଉଭୟ କାରବାର ଏଠାରୁ ନିୟନ୍ତ୍ରିତ ହେଉଥିଲା । ପରେ ସବ-ମାଜିଷ୍ଟ୍ରେଟ ଓ କନଜରଭେଟର-ଅଫ-ପୋର୍ଟ ଅବସ୍ଥାପିତ ହୋଇ ଟିକସ ଆଦାୟ ତଦାରଖ କରୁଥିଲେ ।

 

ମାଲଟବୀଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ପ୍ରକାରେ ଋଷିକୂଲ୍ୟାର ଗତିପଥ ବଦଳୁଥିବା ହେତୁ ବନ୍ଦରର ଅବସ୍ଥିତି ମଧ୍ୟ ପରିବର୍ତ୍ତନ ଘଟୁଥିଲା । ବଡ଼ ଜାହାଜଗୁଡ଼ିକ ବନ୍ଦରଠାରୁ ଦୁଇ ମାଇଲ ଦୂର ଗଭୀର ସମୁଦ୍ରରେ ଲଙ୍ଗର ପକାଉଥିଲେ । ଋଷିକୂଲ୍ୟା ନଦୀର ସ୍ଥିର ଜଳରେ ଛୋଟ ଜାହାଜରେ ପଣ୍ୟ ଦ୍ରବ୍ୟ ବୋଝୋଇ ହୋଇ ବଡ଼ ଜାହାଜକୁ ସ୍ଥାନାନ୍ତରିତ ହେଉଥିଲା । ଦୁର୍ଗ ସଂଲଗ୍ନ ଋଷିକୂଲ୍ୟା ନଦୀ ବକ୍ଷରେ ବନ୍ଦର କାର୍ଯ୍ୟ କରୁଥିଲା ।

 

ମାଲଟବୀ ଉଲ୍ଲେଖ କରିଛନ୍ତି ଗଞ୍ଜାମ ବନ୍ଦର ସହରରେ ୧୮୦୨ ମସିହାରୁ ଜ୍ୱରରୋଗର ପ୍ରାଦୁର୍ଭାବ ଲାଗି ରହିଥିଲା । ୧୮୧୫ ବେଳକୁ ଏହା ମହାମାରୀ ଆକାର ଧାରଣ କଲା । ସଂକ୍ରମଣ ଭୟରେ ଇଂଲିଶମାନେ ବନ୍ଦର କାରବାର ବନ୍ଦ କରି ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରିଥିଲେ । ୧୮୧୫ରେ ଗଞ୍ଜାମର ଜନସଂଖ୍ୟା ୩୦ ହଜାର ଥିବା ସ୍ଥଳେ ୧୮୧୮ରେ ଛଅ ହଜାରକୁ କମି ଆସିଥିଲା । ଅର୍ଥାତ ତିନିବର୍ଷରେ ୨୪ ହଜାର ଗଞ୍ଜାମ ଛାଡ଼ିଥିଲେ । ସେଥି ମଧ୍ୟରୁ କେତେକ ମୃତ୍ୟୁ ମୁଖରେ ପଡିଥିଲେ । ଗଞ୍ଜାମ ଦୁର୍ଗରେ ଇଂଲିଶମାନଙ୍କ ଦପ୍ତର ବନ୍ଦ ହୋଇଯିବା ହେତୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଲା ।

 

ପୋତାଗଡ଼ ଦୁର୍ଗରେ ସାହେବ ଓ ସାହେବାଣୀଙ୍କ ବସବାସ ନିମନ୍ତେ ସ୍ୱତନ୍ତ୍ର କଠୋରୀ, ଅସ୍ତ୍ରାଗାର, ଘୋଡ଼ାଶାଳ, ହାତୀଶାଳ, ଉପାସନା ଗୃହ ଓ ଦୁର୍ଗକୁ ଘେରି ଗଡ଼ଖାଇ ଇତ୍ୟାଦି ଚ଼ିହ୍ନଟ ହୋଇଥାଏ । ଦୀର୍ଘଦିନ ଧରି ଏହା ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀ ରୂପେ ଆଖପାଖ ଜନସାଧାରଣଙ୍କୁ ଆକୃଷ୍ଟ କରି ଆସିଥିଲା । କୋଭିଡ଼ କଟକଣା ଯୋଗୁଁ ପ୍ରବେଶ ନିମନ୍ତେ କଟକଣା ଜାରୀ ହୋଇଥିବା ସ୍ଥଳେ ଆଗକୁ ପୋତାଗଡ଼ ପରିଦର୍ଶନ ନିମନ୍ତେ ବୟସ୍କଙ୍କ ପାଇଁ ୧୦ ଟଙ୍କା ଓ ଶିଶୁଙ୍କ ପାଇଁ ୫ ଟଙ୍କା ପ୍ରବେଶ ଦେୟ ଆଦାୟ କରାଯିବ । ପାର୍କିଂ ନିମନ୍ତେ ଦୁଇ ଚକିଆ ପ୍ରତି ୧୦ ଟଙ୍କା ଓ ଚାରି ଚକିଆ ନିମନ୍ତେ ୨୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ପୋତାଗଡ଼ର ଭିଡ଼ିଓଗ୍ରାଫି ନିମନ୍ତେ ଶହେ ଟଙ୍କା ଧାର୍ଯ୍ୟ ହୋଇଛି । ପର୍ଯ୍ୟାକ୍ରମେ ଉଦ୍ୟାନ, ଭୋଜନାଳୟ ଓ ନୌକା ବିହାର ବ୍ୟବସ୍ଥା ମଧ୍ୟ କରାଯିବା ସ୍ଥିରୀକୃତ ହୋଇଥିବା ପ୍ରକାଶ । ଫଳରେ ପୋତାଗଡ଼ ଏକ ସ୍ୱୟଂସଂପୁର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ରୂପେ ବିକଶିତ ହେବା ଆଶା କରାଯାଏ ।

(ଅନୁପମ ଭାରତ’/ ୧୫ ମେ ୨୦୨୦/ ପୃଷ୍ଠା :୮)

No comments:

Post a Comment