ସ୍ଥୁଳ ବିଚାରରେ ‘କୋଭିଡ଼-୧୯’ ତରଙ୍ଗ-ପରେ-ତରଙ୍ଗ କ୍ରମରେ ସଂକ୍ରମଣ ଜାରୀ ରହିବ । ବୈଜ୍ଞାନିକଙ୍କ ମତରେ ଟିକାକରଣ
ଦ୍ୱାରା ଭୂତାଣୁ ପ୍ରାଦୁର୍ଭାବ ପ୍ରତିହତ ସମ୍ଭବପର । #ବ୍ରହ୍ମପୁର ସମେତ ଆମ ରାଜ୍ୟରେ
ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ସତ; ତେବେ ଟିକା ସଂଗ୍ରହ, ଟିକାକରଣ ସୁଯୋଗ ସୃଷ୍ଟି ଓ ଅନ୍ତତଃପକ୍ଷେ
୬୦ରୁ ୮୦ ପ୍ରତିଶତ ଜନସାଧାରଣଙ୍କୁ ଟିକାପ୍ରଦାନ ସମୟସାପେକ୍ଷ । ଅପରପକ୍ଷେ ଟିକାଗ୍ରହଣ ପରେ
ମଧ୍ୟ ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ଭୟକୁ ଏଡ଼ାଇଦିଆ ନଯାଇପାରେ । ଏହି ପରିପ୍ରେକ୍ଷୀରେ
ମାସ୍କ ପରିଧାନ, ବାରମ୍ୱାର ହାତଧୁଆ ଓ ଦୁରାବସ୍ଥାନ ଦ୍ୱାରା ହିଁ ଜନସଂଖ୍ୟାକୁ ସୁରକ୍ଷିତ
ରଖାଯାଇପାରିବ ବୋଲି ୨୦୨୧ ମେ’ ମଧ୍ୟଭାଗ ସୁଦ୍ଧା ସମସ୍ତେ ବିଶ୍ୱାସ
କରୁଛନ୍ତି । ପୁଣି ଦ୍ୱିତୀୟ ତରଙ୍ଗରେ ଦୃତଗତିରେ ସଂକ୍ରମିତ ଭୂତାଣୁ କବଳରୁ ରକ୍ଷା ପାଇବା ପାଇଁ
ଏନ ୯୫ କିମ୍ୱା ଡ଼ବଲ ମାସ୍କକୁ ଗୁରୁତ୍ୱ ଦିଆଯାଉଛି ।
ଗବେଷଣାରୁ ଏହା ସ୍ୱଷ୍ଟ ପ୍ରମାଣିତ ହୋଇଛି
ଯେ ‘ସାର୍ସ-କୋଭ-୨’ ତଥା ଏହାର ସମସ୍ତ ପ୍ରଜାତି ‘ଭେରିଏଣ୍ଟ’ ଭୂତାଣୁ ଆକ୍ରାନ୍ତଙ୍କ ନାଶା ଓ ମୁଖରୁ କ୍ରମାଗତ
ନିର୍ଗତ ହୋଇଥାଏ । ଲକ୍ଷଣଯୁକ୍ତ ଓ ଲକ୍ଷଣହୀନ ଉଭୟଙ୍କ କ୍ଷେତ୍ରରେ ସଂକ୍ରମିତ ହେବାର
ଅନ୍ତତଃପକ୍ଷେ ଦୁଇ ସପ୍ତାହ ଯାଏଁ ଏହି ପ୍ରକ୍ରିୟା ଊଣା ଅଧିକରେ ଜାରୀ ରହେ । ଯଦି ସଂକ୍ରମିତ ମାସ୍କ ପିନ୍ଧିବେ, ତେବେ
ଭୂତାଣୁ ବିତରଣରେ ଆକଟ ଲାଗିବ । ସେହିପରି ସୁସ୍ଥ ଜନସଂଖ୍ୟା ମାସ୍କ ପିନ୍ଧିଲେ ସଂକ୍ରମଣରୁ
ମୁକ୍ତି ପାଇବେ । ସଂକ୍ରମିତଙ୍କ ଶରୀରରୁ ନିର୍ଗତ ଭୂତାଣୁର କିଛି ଅଂଶ ‘ଏରୋସେଲ’ ବାୟୁମଣ୍ଡଳରେ ଦୁଇତିନି ଘଣ୍ଟା ଯାଏଁ ଲଟକି ରହୁଥିବା ହେତୁ ସଂକ୍ରମିତ ଯେଉଁସବୁ
ସ୍ଥାନରେ ବିଚ଼ରଣ କରିଥାଏ ତାହାର ଅନୁପସ୍ଥିତିରେ ଜନଶୂନ୍ୟ ପରିବେଶରେ ମଧ୍ୟ ସେଠାକାର
ବାୟୁମଣ୍ଡଳରେ ସଂକ୍ରମଣ ସଂଭବପର । ମୁଖ୍ୟତଃ ବନ୍ଦ କଠୋରୀ ତଥା ମୁକ୍ତ ବାୟୁ ପ୍ରବାହିତ
ନହୋଇପାରୁଥିବା ସ୍ଥାନରେ ପ୍ରଭାବ ଅଧିକ ବୋଲି କୁହାଯାଉଛି । କିନ୍ତୁ ସଂକ୍ରମିତ ଓ ସୁସ୍ଥ ଉଭୟ ମାସ୍କ ପରିଧାନ କଲେ ସଂକ୍ରମଣର ଭୟ ଦୂର
ହୋଇପାରିବ । ବହୁଲୋକ ସଂକ୍ରମିତ ହେବା ତଥା ତୀବ୍ରଗତିରେ ବ୍ୟାପୁଥିବା ଭୂତାଣୁ ‘ମ୍ୟୁଟେଣ୍ଟ’ ପ୍ରବାହରେ କେବଳ ମାସ୍କ ନୁହ ବରଂ ଏନ ୯୫ କିମ୍ୱା ଦୁଇ ପରସ୍ତ ମାସ୍କ ପରିଧାନ ଜରୁରୀ ।
ମହାମାରୀ ପ୍ରାଦୁର୍ଭାବର ବର୍ଷକ ପରେ
ସଂଖ୍ୟାଧିକ ଜନସାଧାରଣ ମାସ୍କର ଉପାଦେୟତା ସଂପର୍କରେ ସଚେତନ । ତେବେ ପ୍ରଶ୍ନ ଉଠେ ଘରୋଇ
ପରିବେଶରେ ତ ଦୂରକଥା, ଘର ବାହାରେ ଆତଯାତ ସମୟରେ ମଧ୍ୟ କେତେକ କାହିଁକି ମାସ୍କ ପିନ୍ଧୁ
ନାହାନ୍ତି । ମାସ୍କ ପରିଧାନରେ ଅଭ୍ୟସ୍ତ ନଥିବା, ଦେଶୀୟ ପାଣିପାଗରେ ମାସ୍କ ପରିଧାନରେ ଅସୁଖକର ଅନୁଭବ,
ଅଣ-ବିଜ୍ଞାନ-ସମ୍ମତ୍ତ ଚ଼ିନ୍ତାଧାରା ସମେତ ସହରର ପ୍ରତ୍ୟେକ ବାସିନ୍ଦାଙ୍କଠାରେ ପର୍ଯ୍ୟାପ୍ତ
ପରିମାଣରେ ମାସ୍କର ଅଭାବକୁ ଚାରିଗୋଟି ମୁଖ୍ୟ କାରଣ ରୂପେ ଚ଼ିହ୍ନଟ କରାଯାଇପାରେ । ରାଜ୍ୟରେ
ବର୍ଷାଧିକ କାଳ ଧରି ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ପାଇଁ କୁହାଯାଉଛି ଏବଂ ଘରବାହାରେ ସାର୍ବଜନୀନ
ସ୍ଥଳଗୁଡ଼ିକରେ ମାସ୍କ ନପିନ୍ଧିଲେ ଜରିମାନା ଆଦାୟ କରାଯାଉଛି । ତେବେ ମାସ୍କ ପିନ୍ଧିବା ପାଇଁ ସାଧାରଣ
ଜନତାଙ୍କୁ ପ୍ରଭାବିତ କରିବା ଦିଗରେ ବଡ଼ ଧରଣର ଆୟୋଜନ ସଂଭବପର ହୋଇପାରୁ ନଥିବା ବୋଧହୁଏ ।
ଗଣମାଧ୍ୟମରେ ବିଜ୍ଞାପନ ପ୍ରସାରଣ କାଳରେ
ସାନେନଙ୍କ ଗାଣିତିକ ସୂତ୍ର ପ୍ରାଚୁର୍ଯ୍ୟ ‘ରେଡ଼େନଡ଼ନ୍ସି’କୁ ଗୁରୁତ୍ୱ
ଦିଆଯାଇଥାଏ । କୌଣସି ଦ୍ରବ୍ୟ ବିକ୍ରୀ ବଢ଼ାଇବା ନିମନ୍ତେ ଉପଭୋକ୍ତାଙ୍କ ମଧ୍ୟରେ ବିଭିନ୍ନ
ମଞ୍ଚରୁ ବିଭିନ୍ନ ଆକାରରେ ପ୍ରଚାର କରାଯାଏ । ସାନେନଙ୍କ ଉପପାଦ୍ୟ ଦର୍ଶାଏ ଯେ ଅଧିକ ପରିମାଣରେ
ବାର୍ତ୍ତା ପ୍ରେରିତ ହେଲେ ପ୍ରତିକୂଳ ପରିବେଶରେ କିଛି ନଷ୍ଟ ହୋଇଗଲେ ସୁଦ୍ଧା ଶେଷରେ
ଗ୍ରହୀତାଙ୍କଠାରେ ବେଶ କିଛି ପରିମାଣରେ ପହଞ୍ଚି ପାରେ । ଉପଭୋକ୍ତାଙ୍କୁ ପ୍ରଭାବିତ କରିବା ଲାଗି ବାର୍ତ୍ତା ପ୍ରେରଣରେ ପ୍ରାଚୁର୍ଯ୍ୟ
ଫଳବତୀ ହୋଇଥାଏ । ଠିକ ସେହି ନୀତିରେ ଜନସାଧାରଣଙ୍କଠାରେ ବ୍ୟକ୍ତିଗତସ୍ତରରେ ବିଭିନ୍ନ ଉପାୟରେ
ଯଦି ବହୁ ସଂଖ୍ୟକ ମାସ୍କ ଉପଲବ୍ଧ କରାଯାଇପାରେ ତେବେ ସେମାନଙ୍କ ମାସ୍କ ପରିଧାନ ମାତ୍ରା ଅବଶ୍ୟ
ବଢ଼ିବା ବିଚାର ଯୁକ୍ତିଯୁକ୍ତ ।
ସାର୍ବଜନୀନ ମାସ୍କ ପରିଧାନ ଅଭିଯାନ
ପ୍ରଯୋଜନାରେ ମୁଖ୍ୟତଃ ଏନ ୯୫ ମାସ୍କ ବ୍ୟବହାର ନିମନ୍ତେ ସହରର ସ୍ୱେଚ୍ଛାସେବୀ, ଧାର୍ମିକ,
ବୃତ୍ତିଭିତ୍ତିକ ସଂଗଠନଗୁଡ଼ିକ ପକ୍ଷରୁ ଯୋଜନାବଦ୍ଧ ଉଦ୍ୟମ କରାଯାଇପାରେ । ପ୍ରତି ସାହୀରେ
କିପରି ସମସ୍ତେ ଅଧିକ ସମୟ, ଠିକ ଧରଣର, ଠିକ ଢଙ୍ଗରେ, ମାସ୍କ ପିନ୍ଧିବେ ସେଦିଗରେ ପରିବେଶ
ସୃଷ୍ଟି ନିମନ୍ତେ ଜନସାଧାରଣଙ୍କ ହାତପାଆନ୍ତାରେ ପର୍ଯ୍ୟାପ୍ତ ପରିମାଣରେ ଆକର୍ଷଣୀୟ ମାସ୍କ
ପହୁଞ୍ଚାଇ ଦେବାର ବ୍ୟବସ୍ଥା ଲାଗି ବିକେନ୍ଦ୍ରୀତ ଅଭିଯାନ ଆବଶ୍ୟକ । ଏହା ଜନସାଧାରଣଙ୍କ ସହଭାଗିତାରେ
ଆୟୋଜନ ନହେଲେ ସର୍ବାଧିକ ସୁଫଳ ମିଳିପାରିବ ନାହିଁ । ଅର୍ଥାତ ସ୍ଥାନୀୟ ବାସିନ୍ଦାଙ୍କ ଯୋଗଦାନରେ
ହିଁ ଅଭିଯାନ ପ୍ରଯୋଜନା କରିବାକୁ ପଡ଼ିବ । ପ୍ରତ୍ୟେକ ସାହୀ ପିଲାଙ୍କୁ ପ୍ରବର୍ତ୍ତାଇ ଏହି ଅଭିଯାନରେ
ସାମିଲ କରିବାକୁ ପଡ଼ିବ । ଏଦିଗରେ କୌଣସି ଏକ ବଡ଼ ସ୍ୱେଚ୍ଛାସେବୀ ସଂଗଠନ ନେତୃତ୍ୱ ନେବା
ଆବଶ୍ୟକ ।
ସହରର ଏକ ବା ଏକାଧିକ ପ୍ରତିଷ୍ଠିତ
ସ୍ୱେଚ୍ଛାସେବୀ ସଂଗଠନ ସିଧାସଳଖ ଉତ୍ପାଦକମାନଙ୍କଠାରୁ ସୁଦୃଶ୍ୟ ମାସ୍କ ଆମଦାନୀ କରିବେ ।
ଉଦାହରଣରେ କାରଖାନାଗୁଡ଼ିକରେ ୩୦ରୁ ୪୦ ଟଙ୍କା ମୂଲ୍ୟରେ ଉଚ୍ଚମାନର ଏନ ୯୫ ମାସ୍କ ଉପଲବ୍ଧ ।
ତାହା ସାହୀସ୍ତରରେ ସ୍ୱେଚ୍ଛାସେବୀଙ୍କ ଜରିଆରେ ଆର୍ଥିକ ଦିଗରୁ ଅନଗ୍ରସର ପ୍ରତ୍ୟେକ
ବାସିନ୍ଦାଙ୍କ ପାଇଁ ଖଣ୍ଡ ପିଛା କୋଡ଼ିଏ ଟଙ୍କା ଓ ଆର୍ଥିକ ଦିଗରୁ ସ୍ୱଚ୍ଛଳ ବ୍ୟକ୍ତିଙ୍କ ପାଇଁ
ଖଣ୍ଡ ପିଚ୍ଛା ପଚ଼ାଶ ଟଙ୍କାରେ ଅନ୍ତତଃ ପକ୍ଷେ ଜଣକା ଚାରି ଖଣ୍ଡ ଲେଖା ବିତରଣ କରାଯାଇପାରିବ ।
ଭଲ ମାସ୍କର ବଜାର ଦର ସତୁରିରୁ ଶହେ ଟଙ୍କା ହୋଇଥିବା ହେତୁ ଘରଦୁଆରେ ଅଡ଼ିଶା-ପଡ଼ିଶା
ପିଲାଙ୍କଠାରୁ ୨୦ ଟଙ୍କାରୁ ୫୦ ଟଙ୍କାରେ ମାସ୍କ କିଣିବା ପାଇଁ ଲୋକେ କୁଣ୍ଠାବୋଧ କରିବେ ନାହିଁ
। ଲୋକଙ୍କ ପାଖେ ଲୋଭନୀୟ ଉଚ୍ଚମାନର ଏନ ୯୫ ମାସ୍କ ଅଧିକ ସଂଖ୍ୟାରେ ଉପଲବ୍ଧ ହେଲେ ସେମାନଙ୍କ
ମାସ୍କ-ପିନ୍ଧା-ଅଭ୍ୟାସ ବୃଦ୍ଧି ପାଇବା ଆଶା କରାଯାଇପାରେ । କରୋନା ଭୂତାଣୁ ସାଧାରଣରେ ତିନି
ଦିନ ଯାଏଁ ଜୀବିତ ରହୁଥିବା ହେତୁ ଦିନକୁ ଗୋଟିଏ ଏନ ୯୫ ମାସ୍କ ପରିଧାନ କରି ସେହି ଗୋଟାକୁ ତିନି
ଦିନ ପରେ ପୁଣି ବ୍ୟବହାର କରିବାଲାଗି ପରାମର୍ଶ ଦିଆଯାଉଥିବା ହେତୁ ପ୍ରତ୍ୟେକଙ୍କୁ ଅନ୍ତତଃ
ପକ୍ଷେ ଚାରିଗୋଟି ଏନ ୯୫ ମାସ୍କ ଆବଶ୍ୟକ ପଡ଼ିଥାଏ ।
ମହାମାରୀର ପ୍ରଭାବ ଟିକାକରଣ ଉପରେ
ନିର୍ଭରଶୀଳ ଥିବା ହେତୁ ୨୦୨୩ ଶେଷଯାଏଁ ବହୁ ସଂଖ୍ୟକଙ୍କୁ ଟିକାକରଣ ପାଇଁ ଆମକୁ ଅପେକ୍ଷା
କରିବାକୁ ପଡ଼ିପାରେ ବୋଲି ଧରି ନିଆଯାଇପାରେ । ଅତଏବ ଆଗାମୀ ଅଢ଼େଇ ବର୍ଷ ଧରି ଊଣା ଅଧିକରେ ଆମ
ମାସ୍କ ପିନ୍ଧା ଅପରିହାର୍ଯ୍ୟ । ‘କୋଭିଡ଼-୧୯’ ପୂର୍ବରୁ ବିଗତ ଦୁଇ
ଦଶନ୍ଧି ଧରି ଅନ୍ୟାନ୍ୟ ସଂକ୍ରମିତ ଶ୍ୱାସରୋଗ କାରଣରୁ ହଂକଂ, ତାଇୱାନ, କୋରିଆ, ମାଲେସିଆ,
ସିଙ୍ଗାପୁର ଭଳି ପୂର୍ବ-ଏସୀୟ ରାଷ୍ଟ୍ରଗୁଡ଼ିକରେ ମାସ୍କ ପରିଧାନ ବସ୍ତ୍ର–ପରିଧାନର-ପରିପାଟୀ ଅଂଶବିଶେଷରେ
ପରିଣତ ହୋଇସାରିଛି । ଆମ ସହରରେ ସେହି ପରିବେଶ ପ୍ରତିବିମ୍ୱିତ ହେବା ଆବଶ୍ୟକ ଏବଂ ସେଥିଲାଗି
ଆମକୁ ଯୋଜନାମାନ ପ୍ରଣୟନ କରିବା ସମୟର ଆହ୍ୱାନ ।
Photo by Evgeni Tcherkasski on Unsplash
No comments:
Post a Comment