Friday, May 7, 2021

Combating the criminal environment / ଅପରାଧିକ ପରିବେଶ ମୁକାବିଲା

 

ସଂପ୍ରସାରିତ ମହାମାରୀ କାଳରେ #ବ୍ରହ୍ମପୁର ସହରରେ ଅପରାଧିକ ପରିବେଶ ସୃଷ୍ଟିର ଆଶଙ୍କାକୁ ଏଡ଼ାଇ ଦେଇ ହୁଏନାହିଁ । କୋଭିଡ଼– ୧୯ ଯୋଗୁଁ ଜନଜୀବନ ଓ ଅର୍ଥନୀତିକ ସ୍ଥିତି ପ୍ରଭାବିତ । ଏହି କାରଣରୁ ସମାଜର ବିଭିନ୍ନ ସ୍ତରରେ ବିଭ୍ରାଟ ସୃଷ୍ଟି ହେବା ସ୍ଵାଭାବିକ ଏବଂ ଅପରାଧିକ ଘଟଣାବଳୀର ସମ୍ଭାବ୍ୟ ସଂଖ୍ୟା ବୃଦ୍ଧି ପ୍ରତି ସତର୍କତା ପାଳନ ସମୟର ଆହ୍ଵାନଏମିତିରେ ବ୍ରହ୍ମପୁରରେ ବନ୍ଦ ଘରୁ ଚୋରି, ନିଛାଟିଆ ଜନବସତିରେ ଡକାୟତି ତଥା ରାସ୍ତାଘାଟରୁ ସୁନା ଗହଣା, ଟଙ୍କା ଥଳି ଛଡ଼ାଇନେବା ଘଟଣା ଲାଗିରହିଥାଏ । ତେବେ ନିକଟରେ ୨୦୨୧ ଏପ୍ରିଲ ଶେଷ ସପ୍ତାହରେ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏକାକୀ ବସବାସ କରୁଥିବା ଜଣେ ବରିଷ୍ଠ ନାଗରିକଙ୍କ ଘରେ ସନ୍ଧ୍ୟାବେଳେ କିଛି ଯୁବକ ତାଙ୍କ ଉପସ୍ଥିତିରେ ଜବରଦସ୍ତ ପଶି ଲୁଟ ସମ୍ବାଦ ସହରରେ ଆଲୋଡନ ସୃଷ୍ଟି କରିଥିଲା । ଏହି ପରିପ୍ରେକ୍ଷୀରେ ସହରବାସୀଙ୍କ ଜନଜୀବନ ସୁରକ୍ଷାର କେତେଗୋଟି ଦିଗର ବିଚାର ବିମର୍ଷ ଉପଯୋଗୀ ମନେହୁଏ ।
 
ବ୍ରହ୍ମପୁରରେ ମହାମାରୀର ପ୍ରଥମ ତରଙ୍ଗ ପ୍ରାର୍ଦୁଭାବ ୨୦୨୦ ମେ-ଜୁନ-ଜୁଲାଇ-ଅଗଷ୍ଟ ଲାଗିରହିବା ବର୍ଷକ ପରେ ୨୦୨୧ ଏପ୍ରିଲରେ ସୃଷ୍ଟ ଦ୍ଵିତୀୟ ତରଙ୍ଗ ଅନ୍ତତଃ ପକ୍ଷେ ମେ-ଜୁନ-ଜୁଲାଇ ଯାଏଁ ବଳବତ୍ତର ରହିବା ନେଇ ବିଭିନ୍ନସ୍ତରରେ ପ୍ରସ୍ତୁତି ଜାରିରହିଛି । ଟିକାକରଣ ଦ୍ୱାରା ଜନସାଧାରଣରେ ଭୂତାଣୁ ପ୍ରତିରୋଧ ଶକ୍ତି ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ଥଳେ ୨୦୨୧ ଅକ୍ଟୋବର ସୁଦ୍ଧା ୪୦ ପ୍ରତିଶତ ସହରବାସୀଙ୍କୁ ଟିକା ପ୍ରଦାନ ଆଶା କରାଯାଉଛି । ଅର୍ଥାତ ଦଶହରା ଯାଏଁ ସାମାଜିକସ୍ତରରେ ବିଭିନ୍ନ ସଂକ୍ରମଣ ପ୍ରତିଷେଧକ ପଦକ୍ଷେପମାନ ଗ୍ରହଣ ଅପରିହାର୍ଯ୍ୟ ହୋଇପାରେ । ଏଥିଯୋଗୁଁ ଦୈନନ୍ଦିନ ଜୀବନଜୀବିକା ବ୍ୟାହତ ହେବା ଅବସମ୍ଭାବୀ ।
 
ଯେକୌଣସି ସାମାଜିକ ଅସ୍ଥିରତା ଅପରାଧ ପ୍ରବଣତା ସୃଷ୍ଟିର କାରଣ । ଅତୀତରେ ମହାମାରୀଗୁଡ଼ିକର ସମୟସୀମା ତଥା ତତ୍ ପରବର୍ତ୍ତୀ ଅବସ୍ଥାରେ ଅପରାଧ ସଂଖ୍ୟା ବୃଦ୍ଧିର ପରିସଂଖ୍ୟାନ ଦୃଷ୍ଟିକୁ ଆସିଥାଏ । ମହାମାରୀରେ ବୃତ୍ତି ଓ ନିଯୁକ୍ତି ହରାଇବା, ଅଭାବ ଅନଟନ, ଦୂରାବସ୍ଥା ହେତୁ ମାନସିକ ଅବସାଦ ଓ ଆନୁଷ୍ଠାନିକ ସକାରାତ୍ମକ ସଂପୃକ୍ତି ଅଭାବ କାରଣରୁ ଅପରାଧିକ କାରବାର ବୃଦ୍ଧି ପାଇଥାଏ । ଏହାର ମୁକାବିଲା କରିବା ନିମନ୍ତେ ସ୍ଥାନୀୟ ପୋଲିସ ପକ୍ଷରୁ ରଣନୀତି ପ୍ରସ୍ତୁତ ହୁଏ । ମହାମାରୀଜନିତ ସଂକ୍ରମଣ ରୋକିବା ପାଇଁ ପ୍ରଶାସନିକ କଟକଣା ପାଳନ ଦିଗରେ ପୁଲିସ ଦାୟିତ୍ୱ ନିର୍ବାହ କରିଚାଲିଥିବା ସ୍ଥଳେ ସହରରେ ଅପରାଧିକ କାର୍ଯ୍ୟକଳାପ ରୋକିବା ନିମନ୍ତେ କଣ ଆଗୁଆ ପଦକ୍ଷେପ ଗ୍ରହଣ କରୁଛି ତାହା ସହରବାସୀଙ୍କ ସୁରକ୍ଷାର କବଚ ସାଜିବ ।
 
ଜନବସତିରେ ଚୋରି, ଛିନତାଇ, ବଟି ଆଦାୟ ଓ ଗୁଣ୍ଡାଗର୍ଦ୍ଦି ଭଳି ଛୋଟକାଟର ଅପରାଧରେ ସାଧାରଣ ନାଗରିକ ହନ୍ତସନ୍ତ ହୋଇଥାନ୍ତି । ଅପରାଧିକ କାର୍ଯ୍ୟକଳାପରେ ପାଦ ଥୋଉଥିବା ବିଶୃଙ୍ଖଳିତ ଆଚରଣକୁ ମୂଳରୁ ସଜଡ଼ା ଯାଇ ପାରିଲେ ଜନସାଧାରଣ ଉପଦ୍ରବରୁ ମୁକ୍ତି ପାଇପାରିଥାନ୍ତି । ପୁଲିସ ପକ୍ଷରୁ ଏଦିଗରେ ଦୀର୍ଘସୂତ୍ରୀ ଯୋଜନା ପ୍ରଣୟନ ଉନ୍ନତ ସାମାଜିକ ସ୍ଥିତି ପବ୍ଳିକଗୁଡ଼ରେ ପର୍ଯ୍ୟବସିତ ।
 
ବିଶୃଙ୍ଖଳା ସୃଷ୍ଟିକାରୀ ଛୋଟମୋଟ ଅପରାଧିକ ଦମନରେ ପୋଲିସ ସ୍ଥାନୀୟ ବାସିନ୍ଦାଙ୍କ ସହଭାଗିତା ଲୋଡ଼ିବା ଅପରିହାର୍ଯ୍ୟ । ଦେଶବିଦେଶରେ ସିଟିଜେନପୋଲିସିଂ ବା କମ୍ୟୁନିଟି ପୋଲିସିଂମଡ଼େଲ ଉପଯୋଗରେ ଅପରାଧ ହ୍ରାସରେ ସଫଳତା ପାଇପାରିଥିବା ବହୁ ଉଦାହରଣ ରହିଛି । ପ୍ରାଥମିକ ପର୍ଯ୍ୟାୟରେ ପ୍ରତି ପୋଲିସଫାଣ୍ଡିସ୍ତରରେ କିଛି ଯୁବ-ସ୍ୱେଚ୍ଛାସେବୀ ଓ ମୁରବୀ ସ୍ଥାନୀୟ ଉପଦେଷ୍ଟାଙ୍କୁ ନେଇ ଅଣଆନୁଷ୍ଠାନିକ ସୁରକ୍ଷା ମଣ୍ଡଳୀମାନ ଗଠନ କରାଯାଇ ଜଣେ ଅଧିକାରୀଙ୍କ ସହ ସଂଯୋଗ ସ୍ଥାପନ କରାଯାଇପାରେ । ଏହା ଅପରାଧିକ ତତ୍ତ୍ୱଙ୍କୁ ତୃଣମୂଳସ୍ତରରେ ଆକଟ କରିବାଲାଗି ପୂର୍ବପ୍ରସ୍ତୁତିରେ ସହାୟକ ହୁଅନ୍ତା ।
 
ପରିବର୍ତ୍ତିତ ପରିବେଶରେ ମୋବାଇଲ ଫୋନ ଯୋଗେ ବିସ୍ତୃତ ଜନସଂଖ୍ୟା ସଂଯୁକ୍ତ ଥିବା ହେତୁ ପ୍ରତି ସାତଜଣିଆ ମଣ୍ଡଳୀ ହ୍ୱାଟସପଭିଡ଼ିଓ କଲରେ ପ୍ରତି ବସ୍ତିର ଆଇନଶୃଙ୍ଖଳା ପରିସ୍ଥିତି ପ୍ରତି ସପ୍ତାହରେ ଥରେ କିମ୍ବା ଆବଶ୍ୟକ ସ୍ଥଳେ ଦିନକ ଅନ୍ତରରେ ସ୍ୱେଚ୍ଛାସେବୀ ଓ ଉପଦେଷ୍ଟାଙ୍କ ସହ ଆଲୋଚନା କରି ପୋଲିସ କାର୍ଯ୍ୟାନୁଷ୍ଠାନର ରୂପରେଖ ପ୍ରସ୍ତୁତି ଲାଗି ସୁଯୋଗ ସୃଷ୍ଟି ହୋଇପାରନ୍ତା । ମୂଳତଃ ଏଭଳି ପ୍ରୟାସରେ ପୋଲିସ ବାସ୍ତବ ସ୍ଥିତି ପରଖି ପାରନ୍ତା ।
 
ଆଧୁନିକ ଯୁଗରେ ତଥ୍ୟ ହିଁ ସମ୍ବଳ । ସହରର ଛୋଟମୋଟ ଅପରାଧ ସଂପର୍କିତ ତଥ୍ୟାବଳୀ କ୍ରମାଗତଭାବେ ଏକକ୍ରୀତ କଲେ ସାମଗ୍ରୀକସ୍ତରରେ ଆବଶ୍ୟକ ସ୍ଥଳେ ତାହା ତଦନ୍ତକୁ ଶାଣିତ କରିବା ସମ୍ଭବ । ଆଗକୁ କୃତ୍ରିମ ବୁଦ୍ଧିମତା ଆରଟିଫିସିଆଲ ଇଣ୍ଟଲିଜେନ୍ସ ଭଳି ବୈଷୟିକ କୌଶଳ ଉପଯୋଗରେ ଜଟିଳ ଅପରାଧିକ ସମସ୍ୟା ସମାଧାନ ମଧ୍ୟ ଆଶା କରାଯାଇପାରେ । ଏଦିଗରେ ଅନ୍ତତଃ ବିଚାରବିମର୍ଷ ଭବିଷ୍ୟତର ରୂପରେଖ ଅଙ୍କନରେ ସହାୟକ ହେବା ବିଶ୍ଵାସ କରାଯାଇପାରେ ।

Photo by Ari Spada on Unsplash

No comments:

Post a Comment