Monday, June 28, 2021

Rest of the Pandemic / ମହାମାରୀର ଅବଶିଷ୍ଟାଂଶ


#ବ୍ରହ୍ମପୁର ସହରରେ କୋଭିଡ଼-୧୯ ମହାମାରୀ ଦ୍ୱିତୀୟ ତରଙ୍ଗର ପ୍ରାଦୁର୍ଭାବ ୨୦୨୧ ଜୁଲାଇ ମଧ୍ୟଭାଗ ସୁଦ୍ଧା ଅପସରି ଯିବା ସୁସ୍ପଷ୍ଟ । ପୂର୍ବବର୍ତ୍ତୀ ଚାରି ସପ୍ତାହ ଧରି କ୍ରମାଗତଭାବେ ସଂକ୍ରମଣ ହାର ହ୍ରାସଜନିତ ତଥ୍ୟ ଏବଂ ଗାଣତିକ ମଡ଼େଲ ତାହାହିଁ ସୂଚ଼ିତ କରିଥାଏ । ଏହି ପରିବେଶରେ ଜନସାଧାରଣଙ୍କ ମନରେ ମହାମାରୀର ପରବର୍ତ୍ତୀ ଗତିପ୍ରକୃତି ସଂପର୍କରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

 

ଚିକିତ୍ସା ଶାସ୍ତ୍ର ଅନୁଯାୟୀ ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ନିମନ୍ତେ ଦୁଇଗୋଟି ଦିଗପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ଏକରେ ସଂକ୍ରମିତଙ୍କ ଶରୀରରେ ଭୂତାଣୁ ପ୍ରତିରୋଧକ ଆଣ୍ଟିବଡ଼ି ସୃଷ୍ଟି ଏବଂ ଦୁଇରେ ଟିକାକରଣ ଦ୍ୱାରା ଶରୀରରେ ଭୂତାଣୁ ପ୍ରତିରୋଧକ ଅଣ୍ଟିବଡ଼ି ସୃଷ୍ଟି ଫଳରେ ସାମୂହିକ ପ୍ରତିରୋଧ ହାର୍ଡ-ଇମ୍ୟୁନିଟି ସଂଭବ କୋଭିଡ଼-୧୯ ସଂକ୍ରମଣ ରୋକିବା ନିମନ୍ତେ ଆମେ ଟିକାକରଣକୁ ଆଦରି ନେଇଛୁ । ଭାରତ ସରକାରଙ୍କ ପକ୍ଷରୁ ଦୃଢୋକ୍ତି ପ୍ରକାଶ ପାଉଛି ଯେ ୨୦୨୧ ଶେଷ ସୁଦ୍ଧା ଦେଶର ୧୩୭ କୋଟି ଜନସଂଖ୍ୟାର ୬୩ ପ୍ରତିଶତ ପ୍ରାପ୍ତ ବୟସ୍କ ନାଗରିକଙ୍କୁ ଟିକାକରଣ ସଂଭବ । ଏହି ସମୟସୀମା ବିଶ୍ୱାସକୁ ନେଲେ କିମ୍ୱା ଅଧିକ ତିନିରୁ ଛଅ ମାସ ଯୋଗକଲେ ଦ୍ୱିତୀୟ ତରଙ୍ଗ ଶେଷ ପରେ ପ୍ରାୟ ବର୍ଷକ ଯାଏଁ ଆଂଶିକ ଜନସଂଖ୍ୟା ଟିକାକରଣରେ ସମସ୍ତଙ୍କୁ ମହାମାରୀ ସହ ସଂଘର୍ଷ କରିବାକୁ ପଡ଼ିବା ନିଶ୍ଚିତ ।

 

ବ୍ୟକ୍ତିବିଶେଷସ୍ତରରେ ଟିକାକରଣ ସଂପର୍କରେ କୁହାଯାଉଛି ଯେ ପ୍ରଥମ ଡ଼ୋଜ ଟିକା ନେବା ତିନି ସପ୍ତାହ ପରେ ଶରୀରରେ ୭୦ ପ୍ରତିଶତ ଭୂତାଣୁ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । ଦ୍ୱିତୀୟ ଡ଼ୋଜ ଟିକା ନେବାର ଦୁଇ ସପ୍ତାହ ପରେ ଶରୀରରେ ପ୍ରାୟ ୯୦ ପ୍ରତିଶତ ଯାଏଁ ପ୍ରତିରୋଧକ ଶକ୍ତି ଆଶା କରାଯାଇପାରେ । ତେବେ କେତେକଙ୍କ ଶରୀରରେ ଆବଶ୍ୟକମତେ ଆଣ୍ଟିବଡ଼ି ସୃଷ୍ଟି ହୋଇନପାରେ । ଦ୍ୱିତୀୟତଃ, ଟିକା ନେବା ଦ୍ୱାରା ସଂକ୍ରମିତ ହେବାକୁ ଏଡ଼ାଇ ଦେଇ ହୁଏନା । ଦ୍ୱିତୀୟ ତରଙ୍ଗ କାଳରେ ବିଭିନ୍ନ ଅନୁଧ୍ୟାନରୁ ଜଣାଯାଇଛି ଯେ ଦୁଇ ଡ଼ୋଜ ଟିକା ନେଇଥିବା ବ୍ୟକ୍ତି ସଂକ୍ରମିତ ହେଲେ ଗୁରୁତରଭାବେ ଅସୁସ୍ଥତା ଏବଂ ମୃତ୍ୟୁହାର କମିଯାଉଛି । ତୃତୀୟତଃ, ଭବିଷ୍ୟତରେ ଭୂତାଣୁ ରୂପାନ୍ତରିତ ହୋଇ ବ୍ୟାପିବା ଅବସରରେ ମୌଳିକ ଭୂତାଣୁ ନିମନ୍ତେ ବିକଶିତ ଟିକା କେତେଦୂର ପ୍ରଭାବଶାଳୀ ହୋଇପାରିବ ସେ ସଂପର୍କରେ ମଧ୍ୟ ସନ୍ଦେହ ଉପୁଜିଛି ।

 

ଅତୀତ ଅଭିଜ୍ଞତାରୁ ଜଣାଯାଇଛି ଯେ ଭୂତାଣୁ ସଂକ୍ରମଣ ମହାମାରୀ ଅର୍ଥାତ ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରିବାପରେ କ୍ରମଶଃ ତାହାର ପ୍ରାଦୁର୍ଭାବ ନରମିଯାଇ ଆଞ୍ଚଳିକସ୍ତରରେ ଅନୁଭୂତ ହେବ । ପାଣ୍ଡାମିକରୁ ଏଣ୍ଡାମିକରେ ରୂପାନ୍ତରିତ ହେବ । ଅର୍ଥାତ ଯେଉଁ ଅଞ୍ଚଳରେ ଯେକୌଣସି କାରଣରୁ ବହୁ ସଂଖ୍ୟକଙ୍କୁ ଟିକାକରଣ ହୋଇପାରିବ ନାହିଁ କିମ୍ୱା ଜନସାଧାରଣଙ୍କ ଜୀବନଚର୍ଯ୍ୟାରେ ଦୁରାବସ୍ଥାନ ନୀତି ପାଳିତ ହେବ ନାହିଁ ସେଠାରେ ସଂକ୍ରମଣ ବୃଦ୍ଧି ପାଇବ । ଏଭଳି ସଂକ୍ରମଣ ଅନ୍ୟତ୍ର ମଧ୍ୟ ବ୍ୟାପି ପାରେ । କେଉଁଠି କୋଭିଡ଼-୧୯ ମହାମାରୀର କେତୋଟି ତରଙ୍ଗ ଅନୁଭୂତ ହେବ ତାହା ପାରିପାର୍ଶ୍ୱିକ ପରିସ୍ଥିତି ଉପରେ ନିର୍ଭରଶୀଳ । ଭାରତରେ ଦ୍ୱିତୀୟ ତରଙ୍ଗ ସରିବା ବେଳକୁ ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନ ଇତ୍ୟାଦି ରାଷ୍ଟ୍ରରେ ପୁନଃସଂକ୍ରମଣ ଆଶଙ୍କାକୁ ନେଇ ସେଠାକାର ଜନସାଧାରଣ ବିବ୍ରତ ଥିବା ସମ୍ୱାଦମାନ ପ୍ରକାଶ ପାଉଛି ।

 

ବିଶେଷଜ୍ଞମାନଙ୍କ ମତରେ ଟିକାକରଣ ସଂଖ୍ୟା, ଭୂତାଣୁର ଭବିଷ୍ୟତ ରୂପାନ୍ତର ଓ ଜନସାଧାରଣଙ୍କ ଆଚ଼ରଣ ଉପରେ ସଂକ୍ରମଣ ବୃଦ୍ଧି ବା ହ୍ରାସ ନିର୍ଭର କରିବ । ଟିକାକରଣ ନିମନ୍ତେ ସରକାରୀସ୍ତରରେ ଉଦ୍ୟମ ଅବ୍ୟାହତ ଥିବା, ଭୂତାଣୁର ରୂପାନ୍ତରିକରଣ ତୁରନ୍ତ ଚ଼ିହ୍ନଟ କରି ପ୍ରତିରୋଧାତ୍ମକ ପଦକ୍ଷେପ ପ୍ରଯୋଜନା ନିମନ୍ତେ ବୈଜ୍ଞାନିକମାନେ ଗବେଷଣାରେ ସଂପୃକ୍ତ ଥିବା ଅବସରରେ ବ୍ୟକ୍ତିଗତସ୍ତରରେ ପ୍ରତ୍ୟେକ ନାଗରିକ କିପରି କୋଭିଡ଼ ପ୍ରତିରୋଧ ଆଚ଼ରଣ କୋଭିଡ଼ ଏପ୍ରୋପ୍ରିଏଟ ବିହେଭିଅର ଅଭ୍ୟାସ ବଜାୟ ରଖିବେ ତାହା ନିଜକୁ ସଂକ୍ରମଣମୁକ୍ତ ରଖିବା ସହ ନିଜ ପରିବାର ଓ ସମାଜକୁ ସୁରକ୍ଷିତ କରିବାରେ ସହାୟକ ହେବ ବୋଲି ପରାମର୍ଶ ଦିଆଯାଉଛି ।

 

ମହାମାରୀର ପ୍ରଥମ ତରଙ୍ଗ ପରେ ଟିକାକରଣ ସଂଭବ ହୋଇ ନପାରିବା, ଭୂତାଣୁର ରୂପାନ୍ତର ଓ ଜନସାଧାରଣ କୋଭିଡ଼ ପ୍ରତିରୋଧାତ୍ମକ ଆଚ଼ରଣରୁ ଦୂରେଇଯିବା ଫଳରେ ଦ୍ୱିତୀୟ ତରଙ୍ଗ ବ୍ୟାପିଥିବା କାରଣ ରୂପେ ଚ଼ିହ୍ନଟ କରାଯାଏ । ପ୍ରଥମ ତରଙ୍ଗ ୨୦୨୦ ସେପ୍ଟେମ୍ୱର ଆଡ଼କୁ ଶେଷ ହେବା ତିନିମାସ ପରେ ଟିକା ଉଦ୍ଭାବିତ ହେଲା । ଟିକାକରଣ ତୁରନ୍ତ ଲାଗୁ କରାଗଲେ ସୁଦ୍ଧା ପର୍ଯ୍ୟାପ୍ତ ସଂଖ୍ୟକ ଟିକା ସଂଗ୍ରହ ଓ ଟିକାକରଣର ଉପାଦେୟତା ସଂପର୍କରେ ବିବାଦରେ ତିନିମାସ ବିତିଯିବାପରେ ମାର୍ଚ୍ଚ ୨୦୨୧ରୁ ୬୦ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟିକାକରଣ ଆରମ୍ଭ ବେଳକୁ ଛଅମାସ ଗଡ଼ିଗଲା । ସାଧାରଣ ନାଗରିକ ଛଅମାସର ମୁକ୍ତ ପରିବେଶରେ ହୁଏତ ଅତୀତ ଅଭିଜ୍ଞତାକୁ ଏକ ଦୁଃସ୍ୱପ୍ନ ଭାବି ଟାଳି ଦେଇଥିଲେ । ତିନିଦିଗରୁ ଢ଼ିଲାପଣ ପୁନଃସଂକ୍ରମଣର କାରଣ ସାଜିଲା । ବ୍ରହ୍ମପୁରରେ ଦ୍ୱିତୀୟ ତରଙ୍ଗ ବ୍ୟାପକ ନହେଲେ ସୁଦ୍ଧା ତୀବ୍ରତାରେ ସହରବାସୀଙ୍କୁ ଆବାକ କରିଦେଲା । ଅତଏବ ପ୍ରଥମ ତରଙ୍ଗ ଶେଷ ବେଳର ପରିସ୍ଥିତି ଦ୍ୱିତୀୟ ତରଙ୍ଗ ଶେଷବେଳୁ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇ ସାରିଥିବା ଅନୁଭବ କରାଯାଇପାରେ । ଜନସାଧାରଣ ସଂକ୍ରମଣ ସଂପର୍କରେ ସଚ଼େତନ ଓ ନିଜ ତଥା ପରିବାରକୁ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ଯଥାସାଧ୍ୟ ଉଦ୍ୟମ ନିମନ୍ତେ ବଦ୍ଧପରିକର ବୋଲି କହିବାକୁ ହେବ ।

 

ଦ୍ୱିତୀୟ ତରଙ୍ଗ ପ୍ରକୋପ ହ୍ରାସପରେ ବିଭିନ୍ନ ସରକାରୀ କଟକଣା ପର୍ଯ୍ୟାୟକ୍ରମେ ହଟିଯିବାପରେ ନିଜକୁ ସଂକ୍ରମଣମୁକ୍ତ ରଖିବା ପାଇଁ ସହରର ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବଢ଼ିଯିବ । ଘରବାହାରକୁ ଯିବା ବେଳେ ବା ବସବାସ କରୁଥିବା ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟମାନଙ୍କୁ ସାକ୍ଷାତ ଅବସରରେ ମାସ୍କ ପିନ୍ଧିବା, ମାସ୍କକୁ ନିୟମିତ ସଫା କରିବା, ବାରମ୍ୱାର ହାତ ଧୋଇବା, ଗହଳିକୁ ଏଡ଼ାଇବା, ଗହଳିରେ ବାଧ୍ୟବାଧକତାରେ ପହଞ୍ଚିଲେ ଖୁବ କମ ସମୟ ମଧ୍ୟରେ କାମସାରି ଫେରିବା, ଘର ଭିତର ବଦଳରେ ଘର ବାହାର ପରିବେଶରେ ଦେଖାସାକ୍ଷାତକୁ ଅଗ୍ରାଧିକାର ଦେବା ଓ ପନ୍ଦର ମିନଟ ଯାଏଁ ଅନ୍ୟର ନିକଟତର ନହେବା ଇତ୍ୟାଦି ଆଚ଼ରଣକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ମହାମାରୀର ଅବଶିଷ୍ଟାଂଶ ଅତିକମରେ ୨୦୨୩ ଶେଷଯାଏଁ ଆଶଙ୍କା, ଆକଳନ ଓ ସାବଧାନତାରେ ଯେ କଟିବ ଏଥିରେ ସନ୍ଦେହ ନାହିଁ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୬ ଜୁନ ୨୦୨୧ / ପୃଷ୍ଠା :୮)


Photo by Thula Na on Unsplash

No comments:

Post a Comment