Friday, June 18, 2021

Snake-bite scare / ସର୍ପାଘାତ ଭୟ


 

ବର୍ଷାଋତୁ ଆରମ୍ଭରୁ ଗ୍ରାମୀଣ ପରିବେଶରେ ସାଧାରଣ କଥୋପକଥନରେ ସର୍ପାଘାତ ଚର୍ଚ୍ଚା ଲାଗିରହେ । #ବ୍ରହ୍ମପୁର ୩୫୦ ବର୍ଷ ଧରି ଜନପଦ ରୂପେ ପ୍ରତିଷ୍ଠିତ ହୋଇଥିବା ତଥା ଦେଢ଼ ଶହ ବର୍ଷରୁ ସହରାଞ୍ଚଳ ମାନ୍ୟତା ପାଇଥିବା ସତ୍ତ୍ୱେ ସହରବାସୀ ସର୍ପାଘାତ ଭୟରୁ ନିଜକୁ ଦୂରେଇ ପାରନ୍ତି ନାହିଁ ।

 

ପ୍ରଥମତଃ, ବ୍ରହ୍ମପୁରର ସଂଖ୍ୟାଧିକ ପରିବାର ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକର ଗ୍ରାମାଞ୍ଚଳରୁ ଆସି ସହରରେ ସ୍ଥାୟୀଭାବେ ବସବାସ କରିଥାନ୍ତି । ବହୁ ସଂଖ୍ୟକଙ୍କ ସଂପ୍ରସାରିତ ପରିବାର, ଅର୍ଥାତ ଜ୍ଞାତି କୁଟୁମ୍ୱ ଗ୍ରାମାଞ୍ଚଳ ବାସିନ୍ଦା । ସେମାନଙ୍କ ପ୍ରତି ଆପଦବିପଦ ସମଭାବେ ଏଠାକାର ପରିବାରବର୍ଗଙ୍କୁ ପ୍ରଭାବିତ କରେ ।

 

ଦ୍ୱିତୀୟତଃ, ବ୍ରହ୍ମପୁରର କ୍ରମବର୍ଦ୍ଧିତ ପରିସୀମା ଜଗନ୍ନାଥପୁର, ଗୁରୁଣ୍ଡି, କୁକୁଡ଼ାଖଣ୍ଡି ଓ ହଳଦିଆପଦର ଆଡ଼କୁ ସଂପ୍ରସାରିତ ହେଉଥିବା ଅବସରରେ ପାରମ୍ପରିକ ଚାଷଜମିଗୁଡ଼ିକ ସାହୀବସ୍ତିରେ ପରିଣତ ହେବାରେ ଲାଗିଛି । ଜନଶୂନ୍ୟ ଅଞ୍ଚଳ ଜନାକୀର୍ଣ୍ଣ ହେବା ସନ୍ଧି ସମୟରେ ସରିସୃପଙ୍କ ଆତଯାତ ଲାଗିରହେ । ତୃତୀୟତଃ, ସହର ମଧ୍ୟସ୍ଥ ଘଞ୍ଚ ଜନବସତିରେ ମଧ୍ୟ କିଛି ସାର୍ବଜନୀନ ଓ କିଛି ଘରୋଇ ଜମି ଅବ୍ୟବହୃତ ହୋଇ ପଡ଼ିରହିଥିବା ହେତୁ ସାପ, ବିଚ୍ଛା, ମୂଷାଙ୍କ ଆଶ୍ରୟସ୍ଥଳୀ ପାଲଟେ । ସହରର ସମଗ୍ର ଭୌଗଳିକ ପରିସୀମାକୁ ପରିଷ୍କାର ପରିଚ୍ଛନ୍ନ ଦାୟିତ୍ୱ ନେବାରେ ପୌର ନିଗମର ତୃଟିପୂର୍ଣ୍ଣ ନୀତି ନିର୍ଦ୍ଧାରଣ ଅବସ୍ଥାର ଅଧୋଗତି ପାଇଁ ଦାୟୀ ।

 

ଗଞ୍ଜାମ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ଗତ ୨୦୨୦ ଜାନୁୟାରୀରୁ ଡ଼ିସେମ୍ୱର ମାସ ବର୍ଷକ ମଧ୍ୟରେ ଜିଲ୍ଲାରେ ସର୍ପାଘାତରେ ୫୬ ଜଣ ପ୍ରାଣ ହରାଇଥିଲେ । ବିଶେଷଜ୍ଞଙ୍କ ମତରେ ସର୍ପାଘାତ ପରେ ତୁରନ୍ତ ବିଜ୍ଞାନସମ୍ମତ୍ତ ଚ଼ିକିତ୍ସା ଗ୍ରହଣ ନକରିବା ହେତୁ ମୃତ୍ୟୁହାର ଉଚ୍ଚ ସୀମାରେ ରହୁଛି । ସରକାରଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ପ୍ରାଥମିକ, ଗୋଷ୍ଠୀ, ଉପଖଣ୍ଡ ଓ ଅନ୍ୟାନ୍ୟ ଡ଼ାକ୍ତରଖାନାରେ ୨୦୨୧ ବର୍ଷାଋତୁ ଆରମ୍ଭରେ ତିନି ହଜାରରୁ ଅଧିକ ସାପ-କାମୁଡ଼ା ବିଷ-ହରଣ ଇଞ୍ଜେକସନ ମହଜୁଦ ରଖାଯାଇଥିବା ଜଣାଯାଏ । ସାପ କାମୁଡ଼ାରେ ଘରୋଇ ତୁଟୁକା ଚ଼ିକିତ୍ସାରେ ଅଟକିଯିବା ବା ଗୁଣିଗାରେଡ଼ିର ଆଶ୍ରୟ ନେବା ବିପଦ ସୃଷ୍ଟି କରୁଥିବା କୁହାଯାଏ ।

 

ସର୍ପାଘାତ ଭୟ ସମଗ୍ର ଦେଶରେ ଲାଗି ରହିଥିବା ବେଳେ କ୍ରମଶଃ କୁକୁର, ମାଙ୍କଡ଼ ଓ ବିରାଡ଼ି କାମୁଡ଼ା ତଥା ତତଜନିତ ଚ଼ିକିତ୍ସା ହାର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଏ । ଉଦାହରଣରେ କେରଳ ରାଜ୍ୟରେ କୁକୁର କାମୁଡ଼ାର ଦୌରାତ୍ମ୍ୟ ସଂପର୍କରେ କିଛି ବର୍ଷ ପୂର୍ବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା । ସରକାରଙ୍କ ପକ୍ଷରୁ ବୁଲା କୁକୁରଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଥିଲା । ତେବେ ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ କେରଳ ରାଜ୍ୟରେ ୨୦୨୦ରେ କୁକୁର କାମୁଡ଼ା ପାଇଁ ଏକ ଲକ୍ଷ ୬୦ ହଜାର ବ୍ୟକ୍ତି ଚ଼ିକିତ୍ସିତ ହୋଇଥିଲେ । ଆଶ୍ଚର୍ଯ୍ୟର ବିଷୟ ଏହିଯେ ୨୦୨୦ରେ ବିରାଡ଼ି କାମୁଡ଼ା-ଆଞ୍ଚୁଡ଼ା ପାଇଁ ମଧ୍ୟ ଦୁଇ ଲକ୍ଷ ୧୬ ହଜାର ବ୍ୟକ୍ତି ଚ଼ିକିତ୍ସିତ ହୋଇଥିଲେ । କୁକୁର କାମୁଡ଼ା ସଂପର୍କରେ ସମସ୍ତେ ଜାଣନ୍ତି ; କିନ୍ତୁ ବିରାଡ଼ି ସାଧାରଣରେ କାମୁଡ଼ି ନଥାଏ । ବିରାଡ଼ି ଆଞ୍ଚୁଡ଼ା ଜଳାତଙ୍କ ଭଳି ରୋଗ ସୃଷ୍ଟି କରିବା ସଂଭାବନା ଥିବା ହେତୁ ଲୋକେ ସଚ଼େତନ ହୋଇ ଆଣ୍ଟି-ରାବି ଇଞ୍ଜେକସନ ନେବା ପାଇଁ ଆଗଭର ହେଉଥିବା ପ୍ରକାଶ ।

 

ବ୍ରହ୍ମପୁରରେ ସାପ, ବିଚ୍ଛା, ମୂଷାଙ୍କ ବାସସ୍ଥଳୀ ବିଲୋପ କରିବା ନିମନ୍ତେ ସାର୍ବଜନୀନ ଖୋଲାସ୍ଥାନଗୁଡ଼ିକରୁ ଅଳିଆବର୍ଜନା ଉଠାଇବା ନିମନ୍ତେ ପୌରପାଳିକା ପକ୍ଷରୁ ପ୍ରାଥମିକତା ଦିଆଯିବା ଆବଶ୍ୟକ । ବିଷାକ୍ତ ଜୀବଜନ୍ତୁ କାମୁଡ଼ାରୁ ଜନସାଧାରଣଙ୍କୁ ବଞ୍ଚାଇବା ନିମନ୍ତେ ପ୍ରତିଷେଧାତ୍ମକ ପଦକ୍ଷେପ ଓ ଚ଼ିକିତ୍ସାର ସୁବିଧା ସୁଯୋଗ ସଂପର୍କରେ ଅବଗତ କରାଇବାରେ ସହରର ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ଚ଼େତନା ପ୍ରସାର ଲାଗି ସୋସିଆଲ ମିଡ଼ିଆ ଉପଯୋଗରେ ଅଭିଯାନମାନ ଆୟୋଜନ କରିବା ସମୟର ଆହ୍ୱାନ ।


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୯ ଜୁନ ୨୦୨୧ / ପୃଷ୍ଠା :୮)


Photo by Diana Polekhina on Unsplash

No comments:

Post a Comment