#ବ୍ରହ୍ମପୁର ମେଡ଼ିକାଲ କଲେଜର ପ୍ରଥମ ଅଧ୍ୟକ୍ଷ ଡ଼ାକ୍ତର
(ପ୍ରଫେସର) ସୁକୁମାର ଦାସ ମେ’୨୦୨୧ରେ ପରିଣତ ବୟସରେ ପରଲୋକ ଗମନ କଲେ
। ସେ ୧୯୬୩ ରୁ ୧୯୭୩ ଦଶ ବର୍ଷ ଧରି ଅଧ୍ୟକ୍ଷ ପଦରେ ନିଯୁକ୍ତ ଥିଲେ । ପ୍ରଫେସର ଦାସ କଟକ ସହର
ବାସିନ୍ଦା, ଖ୍ରୀଷ୍ଟିଆନ ଧର୍ମାବଲମ୍ୱୀ । ଶଲ୍ୟ ଚ଼ିକିତ୍ସକ ‘ସର୍ଜନ’ ଭାବେ ତାଙ୍କରି ଖ୍ୟାତି ରହିଥିଲା । ମେଡ଼ିକାଲ କଲେଜକୁ ଶୈଶବାବସ୍ଥାରେ ଯତ୍ନ ନେବାରେ
ପ୍ରଫେସର ଦାସଙ୍କ ଅବଦାନ ବ୍ରହ୍ମପୁର ପାଇଁ ଅନନ୍ୟସାଧାରଣ ।
ପତଳା ଶରୀର, ଆଭିଜାତ୍ୟପୂର୍ଣ୍ଣ ଠାଣି,
ଶାନ୍ତ ଚେହରାରେ କାର୍ଯ୍ୟବ୍ୟସ୍ତତାର ଛାପ; ପ୍ରଫେସର ଦାସଙ୍କୁ ବ୍ରହ୍ମପୁରବାସୀ ନିଆରା ମଣିଷ ଭାବେ ଗ୍ରହଣ
କରିନେଇଥିଲେ । ମେଡ଼ିକାଲ କଲେଜର ଅଧ୍ୟକ୍ଷ ଅର୍ଥ ସେ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆବଦ୍ଧ ।
ଅକାଳେ ସକାଳେ ମେଡ଼ିକାଲ କଲେଜର ସଭାସମିତିରେ ଯୋଗ ଦେଇ ଛୋଟିଆ ବକ୍ତବ୍ୟଟିଏ ରଖନ୍ତି । ଅତୀତରେ
ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତିମାନେ ପ୍ରାୟତଃ ସମାଜଠାରୁ ନିଜକୁ ଦୂରେଇ ରଖୁଥିଲେ । ତେବେ ସେମାନଙ୍କ ନିକଟକୁ ଗୁହାରି ନେଇ ଗଲେ, କାହାରିକୁ ଫେରାଇ ଦିଅନ୍ତି ନାହିଁ ।
ଊଣାଅଧିକେ ସାଧ୍ୟମତେ ସମସ୍ତଙ୍କ କଥା ବୁଝନ୍ତି । ସର୍ବୋଚ୍ଚ ଅଧିକାରୀଙ୍କ ନିକଟରେ ସମସ୍ୟା
ଉପସ୍ଥାପନ କଲେ ତାହାର ନିଷ୍ପତ୍ତି ତୁରନ୍ତ ମିଳି ଯାଉଥିଲା । ଆଜିକା ଭଳି ଅଧସ୍ତନ କର୍ମଚାରୀଙ୍କ
ନିକଟକୁ ପୁଣି ଠେଲି ଦିଆଯାଉ ନଥିଲା !
ପ୍ରଫେସର ଦାସ ଥିଲେ ଉଚ୍ଚମନା । ବ୍ରହ୍ମପୁର
ମେଡ଼ିକାଲ କଲେଜ ପ୍ରଶସ୍ତ ପ୍ରାଙ୍ଗଣ ତାଙ୍କରି ଦୂରଦୃଷ୍ଟିର ପରିଚ଼ୟ ଦିଏ । ନିକଟ ଅତୀତରେ
କ୍ୟାମ୍ପସ ପ୍ରତିଷ୍ଠାର ପଚାଶ ବର୍ଷପରେ ପୁରାତନ କୋଠାରାଜି ନିକଟରେ ନୂତନ କୋଠା ନିର୍ମାଣ
ନିମନ୍ତେ ସ୍ଥାନର ଅଭାବ ପରିଲକ୍ଷିତ ହୋଇନଥିଲା । କୁହାଯାଏ ଯେ କଲେଜର କୋଠାବାଡ଼ି ନିର୍ମାଣ
ପୂର୍ବରୁ ପ୍ରଫେସର ଦାସଙ୍କ ସମେତ ଏକ ଉଚ୍ଚକ୍ଷମତାସମ୍ପନ୍ନ ପ୍ରତିନିଧି ଦଳ ଦେଶର ବିଭିନ୍ନ
ମେଡ଼ିକାଲ କଲେଜ ଓ ହସପିଟାଲ ଭ୍ରମଣକରି ଅଭିଜ୍ଞତା ସଂଗ୍ରହ କରିଥିଲେ ଏବଂ ସେହି ଜ୍ଞାନ ଏଠାକାର
କ୍ୟାମ୍ପସ ପ୍ରଯୋଜନାରେ ନିୟୋଜିତ ହୋଇଥିଲା ।
ପ୍ରଫେସର ଦାସ ୧୯୬୩ ନଭେମ୍ୱର ୧୩ ତାରିଖ
ଦିନ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୩୦ ତାରିଖ ଦିନ ତତ୍ କାଳୀନ ରାଜ୍ୟ
ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବ୍ରହ୍ମପୁର ବାସିନ୍ଦା ଡ଼ାକ୍ତର ପି.ଭି. ଜଗନ୍ନାଥ ରାଓ ମେଡ଼ିକାଲ
କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସରକାରଙ୍କ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ୧୬୭
ଏକର ପରିମିତ ଜମିରେ କୋଠାବାଡ଼ି ନିର୍ମାଣ କାମ ୧୯୬୬ ରୁ ଆରମ୍ଭ ହୋଇ ତିନି ବର୍ଷ ପରେ ପ୍ରଥମେ
ମେଡ଼ିକାଲ କଲେଜ କୋଠାଟି ୧୯୬୯ରେ ଉଦ୍ ଘାଟିତ
ହୋଇଥିଲା । ପ୍ରକାଣ୍ଡ କୋଠାକୁ ଦେଖି ବ୍ରହ୍ମପୁରବାସୀଙ୍କ ଆଖି ଝଲସି ଯାଇଥିଲା । ଏ ଯାଏଁ ସହରରେ
ତାହାଠାରୁ ବଡ଼ କୋଠା ନିର୍ମିତ ହୋଇପାରି ନାହିଁ ।
ବ୍ରହ୍ମପୁର ମେଡ଼ିକାଲ କଲେଜ କଟକର
ଶ୍ରୀରାମଚ଼ନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ୧୯୬୧ରେ ଆରମ୍ଭ ହୋଇଥିଲା । ପ୍ରଥମ ବର୍ଷ ମାତ୍ର ୪୦
ଜଣ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଥିଲେ । ବ୍ରହ୍ମପୁରସ୍ଥିତ ଅଧୁନା ସିଟି ହସପିଟାଲ ସାମ୍ନା
ପୁରାତନ ରାଜସ୍ୱ ବିଭାଗ କୋଠାକୁ ୧୯୬୨ରେ କଲେଜ ଆସିଥିଲା । କଲେଜର କାର୍ଯ୍ୟାଳୟ ବର୍ତ୍ତମାନ
କ୍ୟାମ୍ପସର ସମ୍ମୁଖଭାଗରେ ଚକ୍ଷୁ ପ୍ରତିଷ୍ଠାନ କାର୍ଯ୍ୟକରୁଥିବା ଦକ୍ଷିଣାଞ୍ଚଳ ରାଜସ୍ୱ ବିଭାଗ
କମିଶନରଙ୍କ ପୁରାତନ କାର୍ଯ୍ୟାଳୟ କୋଠା କିଛିକାଳ ବ୍ୟବହୃତ ହୋଇଥିଲା । ପ୍ରଫେସର ଦାସଙ୍କ ସମୟରେ
୧୯୬୬-୬୭ରେ ବ୍ରହ୍ମପୁର ମେଡ଼ିକାଲ କଲେଜର ନାମ ‘ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ’ରେ ପୁନଃନାମିତ ହୋଇଥିଲା ।
ବ୍ରହ୍ମପୁର ସହରରେ ଷଷ୍ଠ ଦଶକରେ ଖଲ୍ଲିକୋଟ
କଲେଜ ଓ ଇଂଜିନିୟରିଂ ସ୍କୁଲ ସାଙ୍ଗକୁ ମେଡ଼ିକାଲ କଲେଜ ଛାତ୍ରଙ୍କ ଆଧିପତ୍ୟ ରହିଥିଲା ।
ପ୍ରଫେସର ଦାସ ଅଧ୍ୟକ୍ଷ ପଦବୀ ସମ୍ଭାଳିବା ସମୟକାଳରେ ୧୯୬୪ରେ ପୋଲିସ ବିରୋଧି ଏବଂ ୧୯୬୭ରେ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ର ଆନ୍ଦୋଳନରେ ମେଡ଼ିକାଲ କଲେଜର ଛାତ୍ରମାନେ ଅଂଶଗ୍ରହଣ
କରିଥିଲେ । ତେବେ କଲେଜ କ୍ୟାମ୍ପସରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପ୍ରଫେସର
ଦାସଙ୍କ ଛାତ୍ରବତ୍ସଳତାର ପରିଚ଼ୟ ଦେଇଥିଲା ।
ବ୍ରହ୍ମପୁର ରୋଟାରୀ କ୍ଳବରେ ପ୍ରଫେସର ଦାସ
ସକ୍ରିୟ ରହି ଆସିଥିଲେ । ସେତେବେଳକୁ ଏଠାରେ କ୍ଳବର ମାତ୍ର ଗୋଟିଏ ଶାଖା ଥାଏ । ବ୍ରହ୍ମପୁରରୁ ବିଦାୟ ନେବାପରେ କଟକ ରୋଟାରୀ କ୍ଳବ
ତଥା ରୋଟାରୀ ଜିଲ୍ଲାର ସାଂଗଠନିକ କାର୍ଯ୍ୟକଳାପରେ ସେ ବରାବର ସଂଶ୍ଳିଷ୍ଟ ରହୁଥିଲେ ।
ଡ଼ାକ୍ତର (ପ୍ରଫେସର) ସୁକୁମାର ଦାସ ଆମ ଗହଣରୁ ଚାଲିଯାଇଛନ୍ତି ସତ, ତେବେ ତାଙ୍କରି ହାତଗଢ଼ା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ତାଙ୍କରି ସ୍ମୃତି ବହନ କରିଚାଲିଥିବ ।
Photo by Markus Frieauff on Unsplash
No comments:
Post a Comment