ପ୍ରାକ୍-ମୌସୁମୀ ପରିମଳ ପ୍ରସ୍ତୁତି ବର୍ଷା
ଋତୁରେ ସମ୍ଭାବ୍ୟ ଜଳାର୍ଣ୍ଣବ ପରିବେଶରେ ପ୍ରଦୂଷଣ ନିରାକରଣ ପଦକ୍ଷେପଗୁଡ଼ିକୁ ବୁଝାଇଥାଏ । #ବ୍ରହ୍ମପୁର
ସହରାଞ୍ଚଳରେ ଘଞ୍ଚ ଜନବସତି ହେତୁ ସାମାନ୍ୟ ବର୍ଷାରେ ଜଳ ନିଷ୍କାସନ ନହୋଇପାରିଲେ ରାସ୍ତାଘାଟ ଜଳମଗ୍ନ
ହେବା ସ୍ୱାଭାବିକ । ଏହା ପ୍ରଦୂଷଣର କାରଣ ପାଲଟେ । ଏଭଳି ପରିସ୍ଥିତିକୁ କେତେକାଂଶରେ ପ୍ରତିରୋଧ
କରିବା ନିମନ୍ତେ ନାଳନର୍ଦ୍ଦମା ତଥା ଗଳିରାସ୍ତାରେ ଜମୁଥିବା ଅଳିଆଆବର୍ଜନା ସଫେଇ ପ୍ରତି
ଗୁରୁତ୍ୱ ଦିଆଯାଇଥାଏ । ମୌସୁମୀବର୍ଷା ଆସିବା ପୂର୍ବରୁ ଏଥିପ୍ରତି ପୌରପାଳିକା ଧ୍ୟାନ ଦେଲେ
ସେହି ବର୍ଷ ସହରରେ ବର୍ଷା ଋତୁରେ ଅପେକ୍ଷାକୃତ ପରିଷ୍କାର ପରିବେଶ ଆଶା କରାଯାଇପାରେ ।
ସାଧାରଣତଃ ଓଡ଼ିଶାକୁ ରଜ ସଂକ୍ରାନ୍ତି ଠିକ
ପୂର୍ବରୁ ମୌସୁମୀ ବର୍ଷା ପ୍ରବେଶ କରୁଥିବା ସ୍ଥଳେ ବ୍ରହ୍ମପୁରରେ ପ୍ରାୟତଃ ଜୁନ ମଧ୍ୟଭାଗରୁ
ଜୁଲାଇ ମଧ୍ୟଭାଗ ଯାଏଁ ଲଘୁଚାପ ସୃଷ୍ଟି ନହେଲେ ବର୍ଷା ହୁଏନି । ଜୁଲାଇ ମଧ୍ୟଭାଗରୁ ସେପ୍ଟେମ୍ୱର
ମଧ୍ୟଭାଗ ସହରରେ ବର୍ଷା ଦିନ । ବର୍ଷାଜଳ ନିଷ୍କାସନ ଅଭାବ କାରଣରୁ ବର୍ଷଣମୁଖର ଦିବସଗୁଡ଼ିକରେ
ସହରବାସୀ ନାନା ଅସୁବିଧା ଭୋଗ କରିଥାନ୍ତି । ଖାଲୁଆ ଅଞ୍ଚଳଗୁଡ଼ିକରେ ବର୍ଷା ପାଣି ଜମି ରହିବା
ଫଳରେ ଅଗଷ୍ଟ ମଧ୍ୟଭାଗରୁ ମଶାଙ୍କ ଉତ୍ପାତ ଆରମ୍ଭ ହୋଇଯାଏ । ସହରବାସୀ ମାସାଧିକକାଳ
ବ୍ୟତିବ୍ୟସ୍ତ ହେବାପରେ ସେପ୍ଟେମ୍ୱର ଶେଷଭାଗରେ ‘ଟିଫା’ ମେସିନ ଚାଲେ । ସେତେବେଳକୁ
ତିନି ସପ୍ତାହ ଜୀବନଚକ୍ରରେ ପ୍ରଥମ ପାଳିର ମଶା ଅପସରିଯାଇ ଦ୍ୱିତୀୟ, ତୃତୀୟ ପାଳିର ରାଜତ୍ୱ
ଚାଲିଥାଏ । ପୌରପାଳିକା ପକ୍ଷରୁ ବର୍ଷା ଆରମ୍ଭ ହେବା ପୂର୍ବରୁ ଖାଲୁଆ ଅଞ୍ଚଳଗୁଡ଼ିକ ସଫାସୁତୁରା
କରିବା ଏବଂ ବର୍ଷା ଆରମ୍ଭ ମାତ୍ରେ ମଶା ‘ଲାର୍ଭା’ ନଷ୍ଟ କରିବା ପାଇଁ ଔଷଧ ସିଞ୍ଚନ ତଥା ଟିଫା ମେସିନରେ ‘ଫଗିଙ୍ଗ’ ଯୋଗେ ପ୍ରଥମପାଳିରୁ ମଶା ନିପାତ ଅଭିଯାନ ଆରମ୍ଭ କଲେ ସାମଗ୍ରୀକଭାବେ ପରିସ୍ଥିତି
ସୁଧାରିବାରେ ସହାୟକ ହୋଇପାରନ୍ତା ।
ବ୍ରହ୍ମପୁରରେ ମଶାବାହିତ ମ୍ୟାଲେରିଆ,
ଡ଼େଙ୍ଗୁ, ମସ୍ତିସ୍କ ଜ୍ୱର ପ୍ରତିବର୍ଷ ବର୍ଷା ଓ ଶୀତ ଋତୁରେ ଲାଗି ରହିଥାଏ । ଏହାର ଆପେକ୍ଷିକ
ପ୍ରଭାବ ସହରର ପରିବେଶଗତ ପରିଚ୍ଛନ୍ନତା ଉପରେ ନିର୍ଭରଶୀଳ । ଦେଢ଼ବର୍ଷ ଧରି ମହାମାରୀ ପରିଚାଳନାରେ ପୌର କର୍ମକର୍ତ୍ତାଗଣ ସଂପୃକ୍ତ ରହିବା
ଫଳରେ ଜନସ୍ୱାସ୍ଥ୍ୟରକ୍ଷାର ମୌଳିକ ଉପାଦାନ ପରିବେଶ ପରିଚ୍ଛନତାର ଗୁରୁତ୍ୱ ହ୍ରାସ ପାଇଥିବା
ପରିଲକ୍ଷିତ । ‘କୋଭିଡ଼-୧୯’ର ଦ୍ୱିତୀୟ ତରଙ୍ଗ ଜୁନ ମାସ ପ୍ରଥମ ସପ୍ତାହରୁ
ଅପସରି ଯାଇଥିବା ସ୍ଥଳେ ପୌରପାଳିକା ପ୍ରାକ୍-ମୌସୁମୀ ପରିବେଶ ସୁରକ୍ଷାରେ ସମୟ ଓ ସାମର୍ଥ୍ୟ
ବିନିଯୋଗ କରିବା ଏକ ଉଚ଼ିତ ପଦକ୍ଷେପ ବିଚାର କରାଯାଇପାରେ ।
ବ୍ରହ୍ମପୁରର ବିଭିନ୍ନ ସାହୀବସ୍ତିରେ
ଦୀର୍ଘଦିନଧରି ଅଳିଆ ଜମି ରହୁଥିବା ଏକ ଅସମାହିତ ସମସ୍ୟା । ଗଦାଗଦା ପଡ଼ିରହିଥିବା ଆବର୍ଜନାରେ
ବର୍ଷାପାଣି ପଡ଼ିବା ଦ୍ୱାରା ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୁଏ । ମଶା ଓ ଅନ୍ୟାନ୍ୟ
କୀଟପତଙ୍ଗଙ୍କ ଆଶ୍ରୟ ସ୍ଥଳୀରେ ରୂପାନ୍ତରିତ ହୁଏ ଏବଂ ସେମାନେ ସଂକ୍ରାମକ ରୋଗର ବାହକ
ପାଲଟିଥାନ୍ତି । ପ୍ରାକ୍-ମୌସୁମୀ ପରିମଳ ପ୍ରସ୍ତୁତିରେ ସହରର ଜନାକୀର୍ଣ୍ଣ ଅଞ୍ଚଳରେ
ପଡ଼ିରହିଥିବା ଅଳିଆ ଉଠାଇବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଆବଶ୍ୟକ । ଏଦିଗରେ ପୌରପାଳିକା
ନୀତିଗତ ନିଷ୍ପତ୍ତି ଗ୍ରହଣ କରି ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ତୁରନ୍ତ ପ୍ରଯୋଜନା କଲେ ଜୁଲାଇ
ମଧ୍ୟଭାଗରେ ସହରକୁ ବର୍ଷା ଆସିବା ପୂର୍ବରୁ ପରିଚ୍ଛନତାରେ ଅନ୍ତତଃପକ୍ଷେ ତିରିଶି ପ୍ରତିଶତ ଯାଏଁ
ଉନ୍ନତି ସମ୍ଭବପର ହୁଅନ୍ତା ।
ପୁରୁଣା ସହରର ବହୁ ଗୋର୍ଜୀରାସ୍ତା ବା ବାସଗୃହ ପଛପଟ ରାସ୍ତାଗୁଡ଼ିକର ସଫେଇ ନିମନ୍ତେ ବିଧିବଦ୍ଧ ସଫେଇ କର୍ମଚାରୀ ନିଯୁକ୍ତ ହୋଇନାହାନ୍ତି । ଅତୀତରେ ଏହି ଅଣ-ଓସାରିଆ ରାସ୍ତାଗୁଡ଼ିକ ଉଠା ପାଇଖାନା ସଫେଇ କର୍ମଚାରୀଙ୍କ ଚଳପ୍ରଚଳ ଲାଗି ‘ସ୍କେଭେଞ୍ଜର ଲେନ’ ନିର୍ମିତ ହୋଇଥିଲା । ସହରବାସୀ ଅଭ୍ୟାସବଶତଃ ଘର ପାଚ଼େରୀ ବାହାରକୁ ଅଳିଆ ଫୋପାଡ଼ିଥାନ୍ତି । ଏହା ଦୀର୍ଘକାଳ ଧରି ଜମି ରହେ । ନିୟମିତ ସମୟ ବ୍ୟବଧାନରେ ସଫା ନକରାଗଲେ ପ୍ରଦୂଷଣ ମାତ୍ରା ବଢ଼ିଚାଲେ । ଏହାକୁ ରୋକିବା ନିମନ୍ତେ ସହରବାସୀ ଘରର ଅଳିଆ କିପରି ଆବର୍ଜନା ସଂଗ୍ରହକାରୀ ଗାଡ଼ିରେ ନିୟମିତ ଦେବେ ସେ ଦିଗରେ ମଧ୍ୟ ଚ଼େତନା ଜାଗ୍ରତ ଅନ୍ୟତମ ସ୍ଥାୟୀ ସମାଧାନର ରାସ୍ତା । ପୌରପାଳିକା ପକ୍ଷରୁ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ସହାୟତାରେ ଘରର ଅଳିଆ ଆବର୍ଜନା ସହରର ପ୍ରତ୍ୟେକ ପରିବାର ସଂଗ୍ରହକାରୀ ଗାଡ଼ିରେ କିପରି ଦେବା ଅଭ୍ୟାସ କରିବେ ସେ ଦିଗରେ ଅଭିଯାନ ପ୍ରଯୋଜନା ମଧ୍ୟ ସମୟର ଆହ୍ୱାନ । ବଡ଼ ବଡ଼ ସହରରେ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ଆବର୍ଜନା ନିୟନ୍ତ୍ରଣ କ୍ଷେତ୍ରରେ ବହୁବିଧ କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଏ । ବ୍ରହ୍ମପୁର ମଧ୍ୟ ସେଥିରେ ସାମିଲ ହେଉ !
(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୨ ଜୁନ ୨୦୨୧ / ପୃଷ୍ଠା :୮)
Photo by Sandeep Vattapparambil on Unsplash
No comments:
Post a Comment