Friday, July 16, 2021

Ganjam and Berhampur Town / ଗଞ୍ଜାମ ଓ ବ୍ରହ୍ମପୁର ସହର

 


ମହୁରି ରାଜବାଟୀକୁ କେନ୍ଦ୍ରକରି ଗଢ଼ି ଉଠିଥିବା ଜନବସତି #ବ୍ରହ୍ମପୁର ନାମିତ ହେବା ସମୟରେ ମହୁରି ରାଜ୍ୟ ମୋଗଲ ଅଧୀନରେ ହାଇଦରାବାଦ ନିଜାମଙ୍କ ଶାସନାଧୀନ ଥିଲା । ଐତିହାସିକ ତଥ୍ୟ ଅନୁଯାୟୀ ମହୁରି ରାଜ୍ୟ ୧୬୬୭ରୁ ୧୭୫୩ ପର୍ଯ୍ୟନ୍ତ ମୋଗଲ, ୧୭୫୩ ରୁ ସ୍ୱଳ୍ପକାଳ ଫରାସୀ ଏବଂ ପରେ ବ୍ରିଟିସ ଶାସନାଧୀନ ହୋଇଥିଲା । ମହୁରି ରାଜ୍ୟ ରାଜଧାନୀଭାବେ ବ୍ରହ୍ମପୁର ସହର କ୍ରମବିକଶିତ ହୋଇଥିବା ସ୍ଥଳେ ଏହା ଗଞ୍ଜାମ ଜିଲ୍ଲାର ସଦର ମହକୁମା ନ ହୋଇପାରିବା ପଛରେ ଏକ ବିଶିଷ୍ଟ ଘଟଣା ରହିଛି ।
 
ଦକ୍ଷିଣ ଓଡ଼ିଶାକୁ ଇଷ୍ଟଇଣ୍ଡିଆ କମ୍ପାନୀର ପ୍ରବେଶ ପରେ ୧୭୬୭ରେ ଗଞ୍ଜାମ ବନ୍ଦରରେ ପ୍ରଥମ ରେସିଡ଼ାଣ୍ଟ ଏଡ଼ୱାର୍ଡ କୋଟସ ଫୋର୍ଡ ନାମକ ଜଣେ ଇଂଲିଶ ଇଞ୍ଜିନିୟରଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା କାର୍ଯ୍ୟ ଆରମ୍ଭ କରିଥିଲା । ବ୍ରହ୍ମପୁର ମହୁରି ରାଜ୍ୟର ରାଜଧାନୀ ଥିବା ହେତୁ ବ୍ରହ୍ମପୁର ବଦଳରେ ଗଞ୍ଜାମରେ ମହୁରି ରାଜ୍ୟ ବଦଳରେ ନୂତନ ପ୍ରଶାସନିକ ଢ଼ାଞ୍ଚାରେ ଗଞ୍ଜାମ ଜିଲ୍ଲାର ମାନଚ଼ିତ୍ର ଅଙ୍କନ କରି ସଦର ମହକୁମା ସ୍ଥାପନ ଯୁକ୍ତିଯୁକ୍ତ ମନେହୁଏ । ମହୁରି ରାଜପରିବାର ବ୍ରିଟିସ ଶାସନାଧୀନ ହୋଇଥିଲେହେଁ ବରାବର ପ୍ରତିରୋଧ କରୁଥାନ୍ତି । ଫଳରେ ଦୁଇ ସହର ମଧ୍ୟରେ ଏକରକମ ଛକାପଞ୍ଜା ପରିସ୍ଥିତି ଲାଗି ରହିଥାଏ ।
 
ନୌବାଣିଜ୍ୟ ସମୃଦ୍ଧ ଗଞ୍ଜାମ ସହର ନବ ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲାର ସଦର ମହକୁମା ରୂପେ ବିକଶିତ ହେବା ଅବସରରେ ବାଣିଜ୍ୟ କାରବାର ସାଙ୍ଗକୁ ପ୍ରଶାସନିକ ଦପ୍ତର, ସୈନ୍ୟ ଛାଉଣୀ ଇତ୍ୟାଦି ଉପସ୍ଥିତିରେ ଜନସଂଖ୍ୟା ଦୃତଗତିରେ ବୃଦ୍ଧି ପାଇବାକୁ ଲାଗିଲା । ଦୁଃଭାଗ୍ୟକ୍ରମେ ଜନସଂଖ୍ୟା ବୃଦ୍ଧି ସଙ୍ଗେ ସେଠାକାର ପରିମଳ ବ୍ୟବସ୍ଥାରେ ସୁଧାର ସଂଭବ ନ ହୋଇପାରିବା ହେତୁ ୧୮୧୫ରେ ମହାମାରୀ ବ୍ୟାପିଲା ଏବଂ ବହୁ ସଂଖ୍ୟକ ମୃତ୍ୟୁ ବରଣ କଲେ । ଫଳରେ ବ୍ରିଟିସ ପ୍ରଶାସନ ବାଧ୍ୟବାଧକତାରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ବଦଳାଇ ସେନାବାହିନୀ ପୁର୍ନବାସ ଆୟୋଜନରେ ଲାଗି ପଡ଼ିଥିଲେ ।
 
ଗଞ୍ଜାମ ସହର ପରେ ଜିଲ୍ଲାରେ ବ୍ରହ୍ମପୁର ଦ୍ୱିତୀୟ ବୃହତ ସହର ରୂପେ ଗଢ଼ି ଉଠିଥିବା ହେତୁ ସ୍ୱାଭାବିକଭାବେ ବ୍ରିଟିସ ପ୍ରଶାସନ ଗଞ୍ଜାମ ଜିଲ୍ଲାର ସଦର ମହକୁମା ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରିବା ନିମନ୍ତେ ଯୋଜନା କରିଥିଲେ । କିନ୍ତୁ ବ୍ରହ୍ମପୁରରେ ବ୍ରିଟିସ ଶାସକଙ୍କ ଉପସ୍ଥିତି ସେମାନଙ୍କ ଉତ୍ପାତର କାରଣ ସାଜିବା ଆଶଙ୍କାରେ ମହୁରି ରାଜା ଆପତ୍ତି ଉଠାଇଥିଲେ । ବ୍ରହ୍ମପୁରକୁ ସେ ନିଜର ବ୍ୟକ୍ତିଗତ ସମ୍ପତ୍ତି ଦାବୀ କରିଥିଲେ । ଅନ୍ୟ ଉପାୟ ନପାଇ ଗଞ୍ଜାମ ସହରରୁ କିଛି ଦୂରରେ ଅବସ୍ଥିତ ସୀତାରାମପଲ୍ଲୀକୁ ଜିଲ୍ଲା ସଦର ମହକୁମା ଘୁଞ୍ଚାଇ ଅଣାଯାଇଥିଲାପରବର୍ତ୍ତୀ କାଳରେ ଏହା ଛତ୍ରପୁର ନାମିତ ହେଲା ।
 
ବ୍ରିଟିସ ଶାସନାଧୀନ ମହୁରି ରାଜାଙ୍କ କର ପ୍ରଦାନ ସଂପର୍କୀତ ବିବାଦ ଲାଗି ରହିଥାଏ । ଗଞ୍ଜାମ ଜିଲ୍ଲା ସଦର ମହକୁମା ସ୍ଥାନାନ୍ତର ଘଟଣାର ମାତ୍ର ୨୦ ବର୍ଷପରେ ୧୮୩୫ରେ ବକେୟା କର ବାବଦରେ ଅର୍ଥ ପ୍ରଦାନ ନକରିପାରିବା ହେତୁ ବ୍ରହ୍ମପୁର ସହରକୁ ବ୍ରିଟିସ ପ୍ରଶାସନ କ୍ରୟ କରିନେଲେ । ଫଳରେ ବ୍ରହ୍ମପୁରରେ ସେମାନଙ୍କ ପକ୍ଷରୁ ପ୍ରଶାସନିକ ଦପ୍ତରମାନ ସ୍ଥାପନ କରିବାରେ ଆଉ ପ୍ରତିରୋଧ ରହିଲା ନାହିଁ । କାଳକ୍ରମେ କେତେକ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ବ୍ରହ୍ମପୁରକୁ ସ୍ଥାନାନ୍ତରିତ ହେଲା ।
 
ବ୍ରହ୍ମପୁର ପୌରପାଳିକା ୧୮୬୭ରେ ପ୍ରତିଷ୍ଠିତ ହୋଇଥିଲା । ୧୮୭୧ରେ ଜନଗଣନା ଅନୁଯାୟୀ ସହରର ଜନସଂଖ୍ୟା ପ୍ରାୟ ୨୨ ହଜାର ଥିଲା । କିନ୍ତୁ ଷାଠିଏ ବର୍ଷ ପୂର୍ବେ ୧୮୧୫ରେ ଗଞ୍ଜାମ ସହରରେ ମହାମାରୀ ବେଳେ ଜନସଂଖ୍ୟା ତିରିଶି ହଜାର ଥିବା କୁହାଯାଏ । ଐତିହାସିକଙ୍କ ମତରେ ଗଞ୍ଜାମ ମହାମାରୀରେ ଚ଼ବିଶି ହଜାର ଯାଏଁ ଜନସଂଖ୍ୟା ପରବର୍ତ୍ତୀ ତିନି ବର୍ଷ ମଧ୍ୟରେ ଗଞ୍ଜାମ ସହର ଛାଡ଼ିଥିଲେ । ରେକର୍ଡ଼ ଅନୁଯାୟୀ ୧୯୧୮ ସୁଦ୍ଧା ଗଞ୍ଜାମ ସହରର ଜନସଂଖ୍ୟା ଛଅ ହଜାରକୁ ହ୍ରାସ ପାଇଥିଲା ।
 
ବ୍ରିଟିସ ପ୍ରଶାସକ ଟି.ଜେ.ମାଲଟବୀଙ୍କ ଦ୍ୱାରା ପ୍ରସ୍ତୁତ ତଥା ୧୯୧୮ରେ ପ୍ରକାଶିତ ଗଞ୍ଜାମ ଡ଼ିଷ୍ଟ୍ରୀକ୍ଟ ମାନୁଏଲରେ ଉଲ୍ଲେଖ ରହିଛି ଯେ ୧୮୧୫ ଗଞ୍ଜାମ ମହାମାରୀର ପ୍ରକୃତ କାରଣ ଓ ବିବରଣୀ ରହସ୍ୟାବୃତ । ମହାମାରୀ ପରେ ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ ହୋଇ ତଦନ୍ତ କରାଯାଇଥିଲା ଏବଂ କମିଟିଙ୍କ ପରାମର୍ଶକ୍ରମେ ଲୋକାଲ ଫଣ୍ଡ ଅର୍ଥରେ ନାଳନର୍ଦ୍ଦମା ନିର୍ମାଣ ଓ ଜଳଉତ୍ସର ଉନ୍ନତି ଲାଗି ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ପରିମଳ କାରଣରୁ ଗଞ୍ଜାମ ସହରର ପତନ ହୋଇଥିବା ହେତୁ ବ୍ରହ୍ମପୁରରେ ପୌରପାଳିକା ପ୍ରତିଷ୍ଠା ପରେ ପରିମଳ ଓ ଜଳଉତ୍ସ ଦିଗରେ ବିହିତ ଧ୍ୟାନ ଦିଆ ଯାଇଥିଲା ଏବଂ ଏହି ପ୍ରକ୍ରିୟା ସ୍ୱାଧୀନୋତ୍ତର ଅବସ୍ଥାଯାଏଁ ବଳବତ୍ତର ରହିଥିବା ଲକ୍ଷ୍ୟ କରାଯାଏ । ଏପରିକି ମାଡ୍ରାସ ପ୍ରେସିଡ଼େନ୍ସିରେ ପରିମଳ ଦୃଷ୍ଟିରୁ ବ୍ରହ୍ମପୁର ପୌରପାଳିକା ଉତ୍କର୍ଷ ମାନ୍ୟତା ପାଇଥିବା ଜଣାଯାଏ ।

(Photo by Raimond Klavins on Unsplash)

No comments:

Post a Comment