Friday, July 30, 2021

Mahuri Paika Mutiny / ମହୁରି ପାଇକ ବିଦ୍ରୋହ

 

ଅଗଷ୍ଟ ମାସରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ସ୍ମୃତି ସାଉଁଟାଯାଏ । #ବ୍ରହ୍ମପୁର ସହରରେ ବ୍ରିଟିଶ ବିରୋଧୀ ସ୍ୱାଧୀନତା ସଂଗ୍ରାମକୁ ଦୁଇ ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ପ୍ରଥମ ପର୍ଯ୍ୟାୟରେ ଅଷ୍ଟାଦଶ ଓ ଊନବିଂଶ ଶତାଦ୍ଦୀରେ ମହୁରି ରାଜତ୍ୱକାଳରେ ସ୍ଥାନୀୟ ପାଇକ ବିଦ୍ରୋହ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବିଂଶ ଶତାଦ୍ଦୀର ଜାତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ । ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ହୀରକ ଜୟନ୍ତୀ ପାଳନ ଦିଗକୁ ମୁହାଁଉଥିବା ବେଳେ ସହରରେ ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟକ୍ଷ ଅଭିଜ୍ଞତା ହାତଗଣତି ବରିଷ୍ଠ ନାଗରିକଙ୍କ ମଧ୍ୟରେ ସୀମିତ । ଏହି ପରିବେଶରେ ଇତିହାସର ପୁନଃଆଲୋଚ଼ନା ଗୁରୁତ୍ୱ ବହନ କରେ ।
 
ମହୁରି ରାଜ୍ୟ ୧୭୬୭ରେ ଇଣ୍ଟ ଇଣ୍ଡିଆ କମ୍ପାନୀ ଶାସନକୁ ଆସିବା ପୂର୍ବରୁ ୧୭୫୩ରୁ ୧୭୫୯ ଛଅବର୍ଷ ଫରାସୀ ଶାସନାଧୀନ ରହିଥିଲା । ଫରାସୀ ସୈନ୍ୟ ଦଳ ମହୁରି ରାଜ୍ୟରେ ପହଞ୍ଚିବା ପରେ ସେମାନଙ୍କ ଥଇଥାନ ମହୁରି ରାଜା କରିପାରିଲେ ନାହିଁ । ଫଳରେ ସେମାନେ ବ୍ରହ୍ମପୁରରେ ବ୍ୟାପକ ଲୁଟତରାଜ କରିଥିଲେ । ସ୍ଥାନୀୟ ବାସିନ୍ଦା ଏହାର ପ୍ରତିରୋଧ କରି ଫରାସୀ ଶାସନର ବିରୋଧ କରିଥିଲେ । ବ୍ରିଟିଶ ଶାସକ ମହୁରି ରାଜ୍ୟରେ ପହଞ୍ଚିବା ପରେ ବିଭିନ୍ନ କାରଣରୁ ବିରୋଧର ନେତୃତ୍ୱ ମହୁରି ପାଇକମାନଙ୍କ ଦ୍ୱାରା ୧୮୬୬ରେ ସଂଘଠିତ ନଅଙ୍କ ଦୁର୍ଭିକ୍ଷ ଯାଏଁ ଦୀର୍ଘ ଶହେ ବର୍ଷ ଧରି ଜାରୀ ରହିଥିଲା । ବ୍ରହ୍ମପୁରରେ ବ୍ରିଟିଶ ବିରୋଧୀ ଏହି ଅଭିଯାନକୁ ସ୍ୱାଧୀନତା ସଂଗ୍ରାମର ଆଦି ପର୍ବ ଭାବେ ଗ୍ରହଣ କରାଯାଇପାରେ ।
 
ମହୁରି ରାଜ୍ୟରେ ବ୍ରିଟିଶ ଶାସନ ପ୍ରବର୍ତ୍ତିତ ହେବା ବେଳକୁ ମହୁରି ରାଜାଙ୍କ ନିକଟରେ ୨,୮୫୦ ଜଣ ପାଇକ ପଞ୍ଜୀକୃତ ଥିଲେ । ଏମାନଙ୍କୁ ଆବଶ୍ୟକମତେ ରାଜା ଦୈନିକ ମଜୁରୀ ଦେଇ ନିୟୋଜିତ କରୁଥିଲେ । ପଡ଼ୋଶୀ ରାଜ୍ୟମାନଙ୍କରୁ ମଧ୍ୟ ପାଇକ ସଂଗ୍ରହ ବିଧି ପ୍ରଚଳିତ ଥିଲା । ମହୁରି ରାଜ୍ୟରେ ବ୍ରିଟିଶ ଶାସନ ଲାଗୁ ପରଠୁ ଅଶାନ୍ତ ପରିବେଶ ଲାଗି ରହିଥିଲା ଇଣ୍ଟ ଇଣ୍ଡିଆ କମ୍ପାନୀ ପକ୍ଷରୁ ଧାର୍ଯ୍ୟ କର ରାଜା ଠିକ ସମୟରେ ଦଖଲ କରିପାରୁ ନଥିଲେ, ରାଜ ପରିବାରରେ ଶାସନ କ୍ଷମତା ଅକ୍ତିଆର କରିବାକୁ ନେଇ ଦ୍ୱନ୍ଦ ଲାଗି ରହିଥିଲା ଏବଂ ଜନସାଧାରଣ ବ୍ରିଟିଶ ପ୍ରଶାସନଙ୍କ ନୀତି ଉପରେ ଅସନ୍ତୁଷ୍ଟ ଥିଲେ । ଫଳରେ ବାରମ୍ୱାର ଛୋଟବଡ଼ ବିଶୃଙ୍ଖଳା ସୃଷ୍ଟି ହେଉଥିଲା ଏବଂ ମୁଖ୍ୟତଃ ପାଇକ ସର୍ଦ୍ଦାରମାନେ ଏହାର ନେତୃତ୍ୱ ନେଉଥିଲେ ।
 
ମହୁରି ରାଜାଙ୍କ ପକ୍ଷରୁ ଗୋପୀ ମାର୍ଥାଙ୍କୁ ୧୭୮୧ରେ ଦିୱାନ ନିଯୁକ୍ତି ଦିଆଯାଇଥିଲା । ତେବେ ସେ କର ଆଦାୟରେ ବିଫଳ ରହିବାରୁ ବର୍ଷକ ପରେ ବ୍ରିଟିଶ ପ୍ରଶାସନ ନିର୍ଦ୍ଦେଶରେ ବରଖାସ୍ତ କରିଥିବାରୁ ସେ ସରକାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ଏହି ସମୟରେ କର ଆଦାୟକୁ କେନ୍ଦ୍ର କରି ବ୍ରହ୍ମପୁର ରାଜପ୍ରସାଦକୁ କିଛି ଦିନ ବ୍ରିଟିଶ ପ୍ରଶାସନ ପକ୍ଷରୁ ଦଖଲ ଏବଂ ସମଗ୍ର ରାଜ୍ୟରେ ଫଳନ୍ତା ଫସଲକୁ ବାଜ୍ୟାପ୍ତ କରିଦେଇଥିଲେ । କର ଆଦାୟ ନିମନ୍ତେ କରସୁଜିଲାଲା ନାମକ ଜଣେ ରାଜପରିବାର ବାହାର ବ୍ୟକ୍ତିଙ୍କୁ ବ୍ରିଟିଶ ପ୍ରଶାସନ ଦାୟିତ୍ୱ ଅର୍ପଣ କରିଥିଲେ । ଏଥିରେ ରାଜପରିବାର ସଦସ୍ୟ ଓ ପାଇକମାନେ ଉତକ୍ଷିପ୍ତ ହୋଇ ବିଦ୍ରୋହ କରିଥିଲେ । ସୁରସିଂ ମାର୍ଥା ୧୭୮୯ରେ କରସୁଜଲାଲାଙ୍କୁ ହତ୍ୟା କରିଥିଲେ ।
 
ବ୍ରିଟିଶ ପ୍ରଶାସନ ମହୁରି ରାଜ୍ୟ ଦଖଲ ପରେ ମହୁରି ରାଜା ନାରାୟଣ ଦେବ ଓ ହରିହର ନରେନ୍ଦ୍ର ଦେବଙ୍କ ଶାସନ ସୀମା ଅଳ୍ପ କାଳ । ସେମାନଙ୍କ ମୃତ୍ୟୁ ପରେ ନରେନ୍ଦ୍ର ଦେବ ନିଃସନ୍ତାନ ଥିବା ହେତୁ ସାବତ ଭାଇମାନେ ରାଜଗାଦୀ ଦାବୀ କରିଥିଲେ । କିନ୍ତୁ ବ୍ରିଟିଶ ପ୍ରଶାସନ ରାଣୀ କୃଷ୍ଣପ୍ରିୟା ଦେବୀଙ୍କୁ ଶାସନଭାର ଅର୍ପଣ କରିବା ଫଳରେ ସାବତ ଭାଇ ସାନ ଦେଓ ଓ ମଝିଆ ଦେଓ ପାଇକମାନଙ୍କ ସହାୟତାରେ ବିଦ୍ରୋହ ଦୀର୍ଘ ସମୟ ଧରି ଚାଲିଥିଲା । କରସୁଜିଲାଲାଙ୍କ ମୃତ୍ୟୁ ପରେ ତାଙ୍କରି କନିଷ୍ଠ ଭ୍ରାତା ନସରଭାନଜୀ ଏବଂ ପରେ ବଦାମ ଚ଼େଲମାୟାଙ୍କୁ ବ୍ରିଟିଶ ପ୍ରଶାସନ ରାଜ୍ୟରୁ କର ଆଦାୟ ନିମନ୍ତେ ନିଯୁକ୍ତ କରିଥିବାରୁ ଜନଅସନ୍ତୋଷ ବ୍ୟାପିଥିଲା । ସୁରସିଂ ମାର୍ଥାଙ୍କ ମୃତ୍ୟୁପରେ ତାଙ୍କରି ପୁତୁରା ଲକ୍ଷ୍ମଣ ବିଷୋୟୀ ଘୁମୁସର ରାଜାଙ୍କ ସହଯୋଗରେ ଦୀର୍ଘ ୧୫ ବର୍ଷ ଧରି ବିଦ୍ରୋହ ଚଳାଇଥିଲେ । ଶେଷରେ ତାଙ୍କୁ ଆଜୀବନ ଦ୍ୱୀପାନ୍ତର ଦଣ୍ଡିତ କରାଯାଇଥିଲା
 
ଏତାଦୃଶଭାବେ ୧୮୫୦ ଅକ୍ଟୋବର ୭ ତାରିଖ ଦିନ ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟକୁ ବ୍ରିଟିଶ ପ୍ରଶାସନ ବାଜ୍ୟାପ୍ତ କରି ମାତ୍ର ୧୦୦ ଟଙ୍କାରେ କ୍ରୟ କରିଥିବା ଘୋଷଣା କରିଥିଲେ । ମହୁରି ରାଜ୍ୟ ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରେ ବ୍ରହ୍ମପୁର ରେଭନ୍ୟୁ ତାଲୁକଭାବେ ଘୋଷିତ ହେବା ପରବର୍ତ୍ତୀ ପ୍ରାୟ ୫୦ ବର୍ଷ ବିଦ୍ରୋହ ପ୍ରଶମିତ ହୋଇ ବିଂଶ ଶତାଦ୍ଦୀ ଆରମ୍ଭରେ ପୁଣି ସ୍ୱାଧୀନତା ସଂଗ୍ରାମରୂପେ ଉଜ୍ୱୀବିତ ହୋଇଥିଲା ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩୧ ଜୁଲାଇ ୨୦୨୧ / ପୃଷ୍ଠା :୮)

Photo by Lou Levit on Unsplash

No comments:

Post a Comment