Friday, September 17, 2021

Ring Road / ରିଂ-ରୋଡ଼

 


#ବ୍ରହ୍ମପୁର ସହର ଏକ ବ୍ୟାବସାୟିକ କେନ୍ଦ୍ରଭାବେ ଗଢ଼ି ଉଠିବାରେ ଜାତୀୟ ରାଜପଥ, ରେଳପଥ ଓ ଗୋପାଳପୁର ବନ୍ଦର ମାଧ୍ୟମରେ ଜଳପଥ ସଂଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସହରର ଏକ ପାର୍ଶ୍ୱରେ ଚ଼େନ୍ନାଇ-କୋଲକତା ୧୬ ନମ୍ୱର ଜାତୀୟ ରାଜପଥ ଏବଂ ଅପର ପାର୍ଶ୍ୱରେ ଗୋପାଳପୁର-ରାୟପୁର ୫୯ ନମ୍ୱର ଜାତୀୟ ରାଜପଥ ଲମ୍ୱିଛି । ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ ପ୍ରବର୍ତ୍ତିତ ହେବା ପରେ ୧୮୩୦ ମସିହା ପରେ ପକ୍କା ରାସ୍ତା ନିର୍ମାଣ କାମ ଆରମ୍ଭ କରିଥିଲେ । ୧୮୫୦ ସୁଦ୍ଧା ପ୍ରାୟ ଅଢ଼େଇ ହଜାର କିଲୋମିଟର ପକ୍କା ରାସ୍ତା ନିର୍ମିତ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସେହି ସଂଯୋଗଗୁଡ଼ିକ ପ୍ରଥମ ଜାତୀୟ ରାଜପଥର ମାନ୍ୟତା ଲାଭ କଲା । ୧୮୬୫ରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ନଅଙ୍କ ଦୁର୍ଭିକ୍ଷ ସୁଦ୍ଧା ତତ୍କାଳୀନ ମାଡ୍ରାସ ସହ ରାଜଧାନୀ କଲିକତା ଯୋଗକାରୀ ପକ୍କା ସଡ଼କ ପଥ ନିର୍ମିତ ହୋଇପାରିନଥିଲା । ସେହି କାରଣରୁ ବିଳମ୍ୱରେ ଦୁର୍ଭିକ୍ଷ ପରିସ୍ଥିତି ସଂପର୍କରେ ଇଂଲିଶ ପ୍ରଶାସକମାନେ ଅବଗତ ହେବା ପରେ ସବୁଦିନିଆ ରାସ୍ତାଘାଟ ଅଭାବରୁ ପଡ଼ୋଶୀ ଅଞ୍ଚଳରୁ ଖାଦ୍ୟଶସ୍ୟ ଆମଦାନୀ କରିପାରିଲେ ନାହିଁ । ଫଳରେ ଏକତୃତୀୟାଂଶ ଓଡ଼ିଆ ଅନାହାର ଓ ଅପପୃଷ୍ଟିରେ ମୃତ୍ୟୁମୁଖରେ ପଡ଼ିଥିଲେ । ତତ୍ ପରବର୍ତ୍ତୀ ଅବସ୍ଥାରେ ଏହି ଅଞ୍ଚଳରେ ରାସ୍ତାଘାଟର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା ।
 
ଚ଼େନ୍ନାଇ-କୋଲକତା ୧୬ ନମ୍ୱର ଜାତୀୟ ରାଜପଥ ବ୍ରହ୍ମପୁର ସହର ଦେଇ ଯାଉଥିଲା । ଆନ୍ଧ୍ର ପଟୁ ଗୋସାଇଁନୂଆଗାଁ ରେଳ ଲେଭଲ କ୍ରସିଂ ଦେଇ ଯାନବାହାନ ବିଜିପୁର, ଗିରି ରୋଡ଼, କମାପଲ୍ଲୀ ଦେଇ ଜଗନ୍ନାଥପୁର ଲେଭଲ କ୍ରସିଂରେ ବ୍ରହ୍ମପୁର ଛାଡୁଥିଲେ । ହଳଦିଆପଦରଠାରୁ ଜଗନ୍ନାଥପୁର ସନ୍ନିକଟ ରଘୁନାଥପୁର ଯାଏଁ ବାଇପାସ ରୋଡ଼ ନିର୍ମିତ ହେବା ପରେ ସହର ମଧ୍ୟ ଦେଇ ଯାନବାହାନ ଚଳାଚଳ ଭିଡ କମିଥିଲା । ରଘୁନାଥପୁରରୁ ଆସିକା ରୋଡ଼ ଦେଇ ବ୍ରହ୍ମପୁର ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ସହ ସଂଯୋଗ ସ୍ଥାପିତ ହୋଇଥିଲେ ହେଁ ମୂଳରୁ ତାହା ଜାତୀୟ ରାଜ୍ୟପଥରେ ଅନ୍ତର୍ଭୁକ୍ତ ନଥିଲା । ପରେ ଗୋପାଳପୁର-ରାୟପୁର ୫୯ ନମ୍ୱର ଜାତୀୟ ରାଜ୍ୟପଥର ମାନ୍ୟତା ପାଇଲା । ଏଯାଏଁ ଏହି ଜାତୀୟ ରାଜପଥ ନିମନ୍ତେ ବାଇପାସ ନିର୍ମିତ ହୋଇନଥିବା ହେତୁ ଜଗନ୍ନାଥପୁର ରେଳ ଲେଭଲ କ୍ରସିଂରୁ କମାପଲ୍ଲୀ, ଗିରିରୋଡ଼, ଖଲ୍ଲିକୋଟ କଲେଜ, ଷ୍ଟେଟ ବ୍ୟାଙ୍କ, ସିଟି ହସପିଟାଲ, ଗେଟବଜାର ଓ ଆସିକା ରୋଡ଼ ଦେଇ ରତ୍ନପୁର ଯାଏଁ ପରିବ୍ୟାପ୍ତ ।
 
ଚ଼େନ୍ନାଇ-କୋଲକତା ୧୬ ନମ୍ୱର ଜାତୀୟ ରାଜପଥ ପୂର୍ବରୁ ୫ ନମ୍ୱର ଜାତୀୟ ରାଜପଥ ଏବଂ ୫୯ ନମ୍ୱର ଗୋପାଳପୁର-ରାୟପୁର ଜାତୀୟ ରାଜପଥ ପୂର୍ବରୁ ୨୧୭ ନମ୍ୱର ଜାତୀୟ ରାଜପଥ ରୂପେ ପରିଚ଼ିତ ଥିଲା । ନ୍ୟାସନାଲ ହାଇୱେ ଅଥାରିଟି ଅଫ ଇଣ୍ଡିଆ ପକ୍ଷରୁ ୨୦୧୦ରେ ଦେଶର ସମସ୍ତ ଜାତୀୟ ରାଜପଥଗୁଡ଼ିକୁ ନୂତନ ନମ୍ୱର ପ୍ରଦତ୍ତ ହୋଇଥିଲା । ହଳଦିଆପଦର- ରଘୁନାଥପୁର ବାଇପାସ ସୁବିଧା ହେତୁ ୧୬ ନମ୍ୱର ଜାତୀୟ ରାଜପଥଜନିତ ଯାନବାହାନ ଭିଡ଼ରୁ ବ୍ରହ୍ମପୁର ମୁକୁଳି ପାରିଥିବା ସ୍ଥଳେ ୫୯ ନମ୍ୱର ରାଜପଥ ସହର ମଧ୍ୟ ଦେଇ ପ୍ରାୟ ୧୨କିଲୋମିଟର ଗତି କରୁଥିବା ହେତୁ ଟ୍ରାଫିକ ଭିଡ଼ ଲାଗି ରହୁଛିଏହି ସମସ୍ୟାର ସମାଧାନ ନିମନ୍ତେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରଘୁନାଥପୁରଠାରୁ ରତ୍ନପୁର ଯାଏଁ ପ୍ରାୟ ୧୪ କିଲୋମିଟର ବାଇପାସ ରାସ୍ତା ନିର୍ମାଣ ପାଇଁ ୨୦୨୧ ଏପ୍ରିଲ ମାସରେ ୧୯୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଏବଂ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ଜଣାଯାଏ ।
 
ବ୍ରହ୍ମପୁର ସହର ଚ଼ତୁର୍ଦ୍ଦିଗରେ ଏକ ରିଂ-ରୋଡ଼ର ପରିବେଶ ସୃଷ୍ଟି କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ରତ୍ନପୁରରୁ ହଳଦିଆ ପଦର ଯାଏଁ ୧୭ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ହଳଦିଆ ପଦରରୁ ରଘୁନାଥପୁର ସଂଯୋଗ କରୁଥିବା ୧୬ ନମ୍ୱର ଜାତୀୟ ରାଜପଥ ବାଇପାସ, ରଘୁନାଥପୁରରୁ ରତ୍ନପୁର ସଂଯୋଗ କରୁଥିବା ୫୯ ନମ୍ୱର ରାଜପଥ ବାଇପାସ ସହ ରତ୍ନପୁରରୁ ହଳଦିଆପଦର ସଂଯୋଗ କରୁଥିବା ରାସ୍ତା ସାମଗ୍ରିକଭାବେ ପ୍ରାୟ ୪୭ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରିଂ-ରୋଡ଼ର ସୁବିଧା ପ୍ରଦାନ କରିବ ବୋଲି ହିସାବ କରାଯାଉଛି । ଏହି ସମନ୍ୱିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ନଭେମ୍ୱର ୨୦୧୬ରେ ସ୍ଥାପିତ ହୋଇଥିଲା । ପ୍ରାୟ ଏକତୃତୀୟାଂଶ ପୂର୍ବ ନିର୍ମିତ ରାଜପଥ ବାଇପାସ ସହ ଦ୍ୱିତୀୟ ତୃତୀୟଂଶର ରାଜପଥ ବାଇପାସ ନିର୍ମାଣ କାମ ନିମନ୍ତେ ସଜବାଜ ଚାଲିଥିବା ସ୍ଥଳେ ଶେଷ ତୃତୀୟଂଶ ନିମନ୍ତେ ଜମି ଆଧିଗ୍ରହଣ ସରି ନାହିଁ । ତେବେ ବ୍ରହ୍ମପୁର ପାଇଁ ରିଂ-ରୋଡ଼ ନିର୍ମାଣ ନିଷ୍ପତ୍ତି ୨୦୧୩ରେ ଘୋଷିତ ହେବା ଢ଼େର ଆଗରୁ ପ୍ରସ୍ତାବିତ ରାସ୍ତାର ଦୁଇ ପାର୍ଶ୍ୱରେ ଜମିଜମା କିଣାବିକା ଚାଲି ଆସିଛି !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୮ ସେପ୍ଟେମ୍ୱର ୨୦୨୧ / ପୃଷ୍ଠା : ୮)

No comments:

Post a Comment