Friday, September 24, 2021

Khallikote University / ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ

 


ଶିକ୍ଷାନୁଷ୍ଠାନ ଖବରଅନ୍ତର ରଖୁଥିବା #ବ୍ରହ୍ମପୁର ସହରବାସୀଙ୍କ ମଧ୍ୟରୁ ଅନେକ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ସାଂଗଠନିକ ସ୍ଥିତି ସଂପର୍କରେ ଅସ୍ପଷ୍ଟ । କିଛି ବର୍ଷପୂର୍ବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଗଠନ ହେବା ପରେ ପୁରୁଣା ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଚାଲୁଥିଲା । ଦିନ କେତେପରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ସହରର ଉପାନ୍ତ କନିଷିକୁ ସ୍ଥାନାନ୍ତରିତ ହେଲା । ଅଗଷ୍ଟ ୨୦୨୧ରୁ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ ପାହ୍ୟା ମିଳିଲା ଏବଂ ପୂର୍ବରୁ ଆରମ୍ଭ ହୋଇଥିବା କନିଷିର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ, ଅସ୍ଥାବର ସମ୍ପତ୍ତି ଓ ଛାତ୍ରଛାତ୍ରୀ ଅକ୍ଟୋବର ୨୦୨୧ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ମିଶିଯିବ, ଏସବୁ ଘଟଣାକ୍ରମ ସହଜରେ ବୁଝି ହୁଏନାହିଁ ।

 

ସହରବାସୀଙ୍କ ଅତିପରିଚ଼ିତ ଖଲ୍ଲିକୋଟ କଲେଜ ୧୮୫୬ରେ ଏକ ବିଦ୍ୟାଳୟ ରୂପେ ଆରମ୍ଭ ହୋଇଥିଲା । ଏହା ୧୮୭୮ରେ ଇଣ୍ଟରମିଡ଼ିଏଟ କଲେଜସ୍ତରକୁ ଉନ୍ନୀତ ହେଲା । ପ୍ରଥମ ପର୍ଯ୍ୟାୟରେ ଏହି ଶିକ୍ଷାନୁଷ୍ଠାନର ନାମ ଖଲ୍ଲିକୋଟ ସହ ଯୋଡ଼ି ହୋଇନଥିଲା । ଖଲ୍ଲିକୋଟ ଇଷ୍ଟେଟର ରାଜା ହରିହର ମର୍ଦ୍ଦରାଜ ଶିକ୍ଷାନୁଷ୍ଠାନ ପରିଚାଳନା ନିମନ୍ତେ ବେଶ କିଛି ଦାନ ଦେବାପରେ ୧୮୯୩ରେ ଏହା ଖଲ୍ଲିକୋଟ କଲେଜ ନାମିତ ହୋଇଥିବା ଜଣାଯାଏ । ସେହିପରି ଧରାକୋଟ ଇଷ୍ଟେଟ ରାଜା ମଦନ ମୋହନ ସିଂହ ୧୯୧୦ରେ ଦଶ ହଜାର ଟଙ୍କା ଦାନ ଦେବା ଫଳରେ ବିଜ୍ଞାନ ପରୀକ୍ଷାଗାର ନିମନ୍ତେ ଏକ ଦୁଇ ମହଲା କୋଠା ନିର୍ମାଣ କରାଯାଇଥିଲା । ଏହା ବିପଦଶଙ୍କୁଳ ଘୋଷିତ ହେବାପରେ ୨୦୨୧ରେ ହିଁ ତାହାକୁ ଭାଙ୍ଗି ଦିଆଯାଇଛି । ସେଠି ନୂଆ କୋଠା ନିର୍ମାଣ ହେବ ।

 

ସ୍ୱାଧୀନୋତ୍ତର ଅବସ୍ଥାରେ ଖଲ୍ଲିକୋଟ କଲେଜ ଘରୋଇ ପରିଚାଳନାଧୀନ ଥିବା ଅବସରରେ ଅଧ୍ୟାପନା କ୍ଷେତ୍ରରେ ଯେପରି ନାମ କମାଇଥିଲା, ଶିକ୍ଷାନୁଷ୍ଠାନ ପରିଚାଳନା ନିମନ୍ତେ ସମ୍ୱଳ ସୃଷ୍ଟିରେ ମଧ୍ୟ ସେହିପରି ସଫଳତା ହାସଲ କରିଥିଲା । ଖଲ୍ଲିକୋଟ କଲେଜ ପରିଚାଳନା ସମିତି ସୌଜନ୍ୟରେ ଲଟେରୀ ବ୍ୟବସାୟରୁ ବିପୁଳ ଅନୁଦାନ ସଂଗୃହୀତ ହୋଇପାରୁଥିଲା । ସେହି ଆୟରେ ତିନିଗୋଟି ଦୁଇ ମହଲା କୋଠା ସାଙ୍ଗକୁ ଦୁଇଗୋଟି ହଷ୍ଟେଲ ଓ ଷ୍ଟାଡ଼ିଏମରେ ଗ୍ୟାଲେରୀ ନିର୍ମିତ ହୋଇଥିଲା । ଖଲ୍ଲିକୋଟ ମହାବିଦ୍ୟାଳୟ ସରକାରୀ ପରିଚାଳନଧୀନ ହେବା ପରେ ୧୯୭୯ରେ ତିନିମହଲା ବିଶିଷ୍ଟ ମୁଖ୍ୟ କୋଠା ଏବଂ ୧୯୮୨ରେ ଶତବାର୍ଷକୀ ପାଳନ ଅବସରରେ ବିଜ୍ଞାନ କୋଠା ସହ ପ୍ରେକ୍ଷାଳୟ ନିର୍ମିତ ହୋଇଥିଲା ।

 

ଖଲ୍ଲିକୋଟ ମହାବିଦ୍ୟାଳୟ ୧୯୦୦ ମସିହାରେ ସ୍ୱୟଂଶାସିତ ହେବାପରେ ୨୦୧୫ରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ନାମରେ ଏକ ନୂତନ ବିଶ୍ୱବିଦ୍ୟାଳୟ ଆତ୍ମପ୍ରକାଶ କଲା । ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ଅଧୀନରେ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ସାଙ୍ଗକୁ ଅନ୍ୟ ଚାରିଗୋଟି ଶିଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଓ ଗୋପାଳପୁର ଡ଼ିଗ୍ରୀ ମହାବିଦ୍ୟାଳୟ ସହବନ୍ଧିତ ହେଲା । ଏହାର କାର୍ଯ୍ୟାଳୟ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେହିଁ ଚାଲିଲା । ତେବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଛଅଗୋଟି ସ୍ୱତନ୍ତ୍ର ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ଓ ଅଧ୍ୟାପକ ନିଯୁକ୍ତି ପରେ ସ୍ଥାନ ଅଭାବ ଦୃଷ୍ଟିରେ ରଖି କନିଷିରେ ଏକ ଘରୋଇ ରିସର୍ଟକୁ ସ୍ଥାନାନ୍ତରିତ ହୋଇଥିଲା । କନିଷିରେ ସରକାରଙ୍କ ପକ୍ଷରୁ ବିଶ୍ୱବିଦ୍ୟାଳୟର କୋଠାବାଡ଼ି ନିର୍ମାଣ ନିମନ୍ତେ ଜମି ଦିଆଗଲା, କିନ୍ତୁ ବିଭିନ୍ନ କାରଣରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ ।

 

ଓଡ଼ିଶାର ତିନିଗୋଟି ପ୍ରମୁଖ ମହାବିଦ୍ୟାଳୟ କଟକର ରେଭେନ୍ସା, ସମ୍ୱଲପୁରର ଗଙ୍ଗାଧର ମେହର ଓ ବ୍ରହ୍ମପୁରର ଖଲ୍ଲିକୋଟ ମହାବିଦ୍ୟାଳୟ ଦୀର୍ଘକାଳ ସ୍ୱୟଂଶାସିତ ହେବାପରେ ବିଶ୍ୱବିଦ୍ୟାଳୟରେ ପରିଣତ କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । କଟକ ଓ ସମ୍ୱଲପୁର ଏକକ ବିଶ୍ୱବିଦ୍ୟାଳୟରେ, ଅର୍ଥାତ କୌଣସି ମହାବିଦ୍ୟାଳୟ ସହ ସହବନ୍ଧିତ ନହୋଇ କାର୍ଯ୍ୟ ଆରମ୍ଭ କରିଥିବା ସ୍ଥଳେ ବ୍ରହ୍ମପୁରରେ ପାଞ୍ଚଗୋଟି ମହାବିଦ୍ୟାଳୟ ସହ ସହବନ୍ଧିତ କରି କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ରୂପେ ପରୀକ୍ଷା ନିରୀକ୍ଷା କରିଥିଲେ । ଆଶାଥିଲା କେନ୍ଦ୍ର ସରକାରଙ୍କଠାରୁ ସ୍ୱତନ୍ତ୍ର ଅନୁଦାନ ମିଳିବ । କିନ୍ତୁ ତାହା ସମ୍ଭବପର ନହୋଇପାରିବା କାରଣରୁ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ନିଯୁକ୍ତି ଅଭାବରୁ ପରୀକ୍ଷା ପରିଚାଳନାରେ ବିଭ୍ରାଟ ଘଟିଲା । ଅପରପକ୍ଷେ ସ୍ନାତକୋତ୍ତର ପାଠ୍ୟକ୍ରମ ନିମନ୍ତେ ଫିସ ଅତ୍ୟାଧିକ ଧାର୍ଯ୍ୟ ହେବା ଯୋଗୁଁ ପିଲାଏ ନାମ ଲେଖାଇଲେ ନାହିଁ । ପରିଚାଳନାଗତ ଅସୁବିଧା ଏଡ଼ାଇବା ପାଇଁ ଜୁନ ୨୦୨୦ରୁ ସହବନ୍ଧିତ ମହାବିଦ୍ୟାଳୟଗୁଡ଼ିକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଫେରାଇ ନିଆଯାଇ ଖଲ୍ଲିକୋଟ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତିତ କରାଯାଇଥିଲା ।

 

ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ ୩୦ ସେପ୍ଟେମ୍ୱର ୨୦୨୧ରୁ ଆଗରୁ ପ୍ରତିଷ୍ଠିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଲୋପ ପାଇବ । ଏଠାରେ ନିଯୁକ୍ତ ୨୭ ଜଣ ଅଧ୍ୟାପକଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନିୟମିତ କର୍ମଚାରୀରୂପେ ୧ ଅକ୍ଟୋବର ୨୦୨୧ରୁ କାର୍ଯ୍ୟକରିବେ । ଅଧ୍ୟୟନରତ ୯୬ ଜଣ ଛାତ୍ରଛାତ୍ରୀ ଦୁଇ ବର୍ଷିଆ ସ୍ନାତକୋତ୍ତର ଶିକ୍ଷାକ୍ରମର ଶେଷ ବର୍ଷକ ଭଞ୍ଜବିହାରରେ ପଢ଼ିବେ । ଅପରପକ୍ଷେ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ଏକକ ବିଶ୍ୱବିଦ୍ୟାଳୟସ୍ତରକୁ ଉନ୍ନୀତ ହୋଇ ଅଗଷ୍ଟ ମାସରୁ କାର୍ଯ୍ୟାରମ୍ଭ କରିଛି ।

 

ମୋଟ ଉପରେ କହିବାକୁ ଗଲେ ବ୍ରହ୍ମପୁର ଖଲ୍ଲିକୋଟ ମହାବିଦ୍ୟାଳୟ କଟକର ରେଭେନ୍ସା, ସମ୍ୱଲପୁର ଗଙ୍ଗାଧର ମେହର ମହାବିଦ୍ୟାଳୟ ଭଳି ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି । ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଛାଡ଼ି ୨୦୧୫ରୁ ଗଢ଼ିଉଠିଥିବା ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ସରକାରୀ ନିଷ୍ପତ୍ତି ଅନୁଯାୟୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବିଲୀନ ହୋଇଯାଇଛି । ଉପସଂହାରରେ ଏହି ସମସ୍ତ ଘଟଣାକ୍ରମରୁ ଜଣାଯାଏ ଯେ ଉଚ୍ଚଶିକ୍ଷା ପରିଚାଳନା କ୍ଷେତ୍ରରେ ଏକ ପରୀକ୍ଷାମୂଳକ ଉଦ୍ୟମ କରାଯାଇଥିଲା ଏବଂ ତାହା ସଫଳ ହେଲା ନାହିଁ !


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୫ ସେପ୍ଟେମ୍ୱର ୨୦୨୧ / ପୃଷ୍ଠା : ୮)


(Photo by : Abha S Pradhan is licensed under CC BY-SA 4.0)

No comments:

Post a Comment