#ବ୍ରହ୍ମପୁର ସହରର ରାସ୍ତାଘାଟରେ ସ୍ୱାଧୀନୋତ୍ତର ଅବସ୍ଥାରେ
ସାଇକଲ ରିକ୍ସାର ପ୍ରଚଳନ ପୂର୍ବରୁ ଘୋଡ଼ାଟଣା ‘ଝାଟକା’ ସାଧାରଣ ପରିବହନ ରୂପେ ବ୍ୟବହୃତ ହୋଇଆସିଥିଲା । ଷଷ୍ଠ ଓ ସପ୍ତମ ଦଶକରେ ସହରରେ ଉଭୟ ଝାଟକା
ଓ ରିକ୍ସା ଯାତ୍ରୀ ଓ ମାଲ ପରିବହନରେ ନିୟୋଜିତ ଥିଲେ । ଏହି କୋଡ଼ିଏ ବର୍ଷ ମଧ୍ୟରେ ବ୍ରହ୍ମପୁରରେ ଜନସଂଖ୍ୟା ଓ ଆୟତନ ବୃଦ୍ଧି ସଙ୍ଗେ
ଝାଟକା ସଂଖ୍ୟା କମିଲା ଓ ରିକ୍ସା ସଂଖ୍ୟା ବଢ଼ିଚାଲିଲା । ଅଷ୍ଟମ ଦଶକରୁ ଝାଟକାର ଅସ୍ତିତ୍ୱ
ପ୍ରାୟ ହଜି ଯାଇଥିଲା ।
ପୂର୍ବ-ଏସୀୟ
ରାଷ୍ଟ୍ରଗୁଡ଼ିକରେ ସାଇକଲ ରିକ୍ସା ପ୍ରଚଳନ ପରେ ପରେ କୋଲକତାରେ ଏହି ଯାନ ୧୯୩୦ରେ ଆସି ପହଞ୍ଚି
କ୍ରମଶଃ ସାରା ଭାରତକୁ ବ୍ୟାପିଥିଲା । ଏଥିପୂର୍ବରୁ ସର୍ବତ୍ର ଘୋଡ଼ାଗାଡ଼ି ସାଧାରଣ ପରିବହନର ସ୍ଥାନ
ଅଧିକାର କରିଥିଲା । ଉତ୍ତର ଭାରତରେ ଏହାକୁ ‘ଟାଙ୍ଗା’ କୁହାଯାଉଥିବା ସ୍ଥଳେ
ଦକ୍ଷିଣ ଭାରତରେ ‘ଝାଟକା’ ନାମିତ । କର୍ଣ୍ଣାଟକ,
ତେଲଙ୍ଗନା, ଆନ୍ଧ୍ର ପ୍ରଦେଶରେ ଘୋଡ଼ାଗାଡ଼ିର ଆକାର ପ୍ରକାର ସମାନ । ବ୍ରହ୍ମପୁରରେ ଦାକ୍ଷିଣାତ୍ୟ ଝାଟକାର ଆକାର ପ୍ରଭାବିତ
ହୋଇଥିଲେହେଁ ଦେଖିବାକୁ ଅପେକ୍ଷାକୃତ ସୁନ୍ଦର ଓ ପ୍ରଶସ୍ତ । ଏଠାକାର ସାଇକଲ ରିକ୍ସାର ଆକାର
ଯେପରି ପୁରୀ, କଟକ ବା ବିଶାଖପାଟଣା, ହାଇଦରାବାଦ ରିକ୍ସା ତୁଳନାରେ ସୁନ୍ଦର ଓ ଫର୍ଚ୍ଚା, ତାହା
ଝାଟକାର ଆକାରରେ ମଧ୍ୟ ପ୍ରତିଫଳିତ ହେଉଥିଲା । ସଂଭବତଃ ବ୍ରହ୍ମପୁର ସମତଳ ଅଞ୍ଚଳରେ ଗଢ଼ି
ଉଠିଥିବା ହେତୁ ରାସ୍ତାଘାଟରେ ଯାନବାହାନ ସ୍ୱଚ୍ଛନ୍ଦରେ ଚଳାଚଳ ନିମନ୍ତେ ଅସୁବିଧା ନଥାଏ ।
ଝାଟକା ଗୋଟିଏ
ଘୋଡ଼ା ଟାଣେ । ଏହାର ଚକଗୁଡ଼ିକ ବଡ଼ । ଘୋଡ଼ା ପଛପଟେ ଚାଳକ ବସେ ଏବଂ ତା’ପଛରେ ଯାତ୍ରୀ ବା ମାଲ ପରିବହନ ପାଇଁ ସ୍ଥାନ ଥାଏ ।
ଯାତ୍ରୀମାନେ ଝାଟକାର ପଛପଟୁ ଗାଡ଼ିରେ ଚଢ଼ନ୍ତି । ଝାଟକାରେ ସାଧାରଣତଃ ନଡ଼ା ଉପରେ ପଟି ପଡିଥାଏ
। ତାହା ଉପରେ ଯାତ୍ରୀ ବସନ୍ତି । ଦୁଇ ଚକ ମଧ୍ୟରେ ଝାଟକାର ନିମ୍ନଭାଗରେ ଘୋଡ଼ାର ଆହାର ଘାସ
ରଖିବା ନିମନ୍ତେ ସୁବିଧା ଥାଏ । ଝାଟକାରେ ତିନି ଜଣ ଯାତ୍ରୀ ସ୍ୱଚ୍ଛଳରେ ବସି ଯାତ୍ରା କରିପାରନ୍ତି
। ମାଲପରିବହନ କ୍ଷମତା ପ୍ରାୟ ୭୫ କିଲୋଗ୍ରାମରୁ କୁଇଣ୍ଟାଲ ଯାଏଁ ବଢ଼େ ।
ବ୍ରହ୍ମପୁର ସହର ଜନ୍ମକାଳରୁ ଦକ୍ଷିଣ ଭାରତ ସହ ରାଜନୀତିକ, ବ୍ୟାବସାୟିକ ଓ
ସାମାଜିକସ୍ତରରେ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇ ରହିଥିବା ହେତୁ ଏଠାରେ ଝାଟକାର ପ୍ରଚଳନ ଜନବସତି
ସ୍ଥାପନ ପରେ ପରେ ଆରମ୍ଭ ହୋଇଯାଇଥିବା ଅନୁମାନ କରାଯାଏ । ପ୍ରାଥମିକ ଅବସ୍ଥାରେ ହାଇଦରାବାଦ
ନିଜାମଙ୍କ ଶାସନକାଳରୁ ଆନ୍ଧ୍ରଭାଷାଭାଷୀ ସାହୁକାରମାନେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ
ଚାଷଜମି ଅଧିଗ୍ରହଣ କରି ବ୍ରହ୍ମପୁରରେ ବସବାସ ଆରମ୍ଭ କରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ
ନିଜର ବ୍ୟକ୍ତିଗତ ଝାଟକା ରଖୁଥିଲେ । ଏହାକୁ ବ୍ୟବହାର କରି ନିଜ ସମ୍ପତ୍ତି ପରିଦର୍ଶନ କରୁଥିଲେ
। ପରବର୍ତ୍ତୀ ଅବସ୍ଥାରେ ଗୋପାଳପୁର ବନ୍ଦର ଗଢ଼ି ଉଠିବା ପରେ ରପ୍ତାନୀ ଓ ଆମଦାନୀରେ ସଂପୃକ୍ତ
ବ୍ୟବସାୟୀଗଣ ବଡ଼ବଜାରରେ ସ୍ଥାପିତ ଦୋକାନରୁ ଗୋପାଳପୁର ନିୟମିତ ଝାଟକା ଯୋଗେ ଯା’ଆସ କରୁଥିଲେ । ଶେଷ
ଅବସ୍ଥାରେ ଊନବିଂଶ ଶତାଦ୍ଦୀ ଶେଷାର୍ଦ୍ଧରେ ବ୍ୟକ୍ତିଗତ ‘ପ୍ରାଇଭେଟ’ ସହ ସାର୍ବଜନୀନ ‘ପବ୍ଲିକ’ ଝାଟକା ପ୍ରଚଳିତ ହୋଇଥିଲା
।
ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଦୁଇଗୋଟି ବଡ଼ ଝାଟକା ଷ୍ଟାଣ୍ଡ ଥିଲା । ଏଥିରେ ବହୁ ସଂଖ୍ୟାରେ
ଝାଟକା ରହେ । ଗ୍ରାହକ ବରାଦ କଲେ ଝାଟକା ଭଡ଼ାରେ ଯାଏ । ବଡ଼ବଜାର, ସାନବଜାର, ଭିକ୍ଟୋରିଆ ମାର୍କେଟ,
ଭାପୁର ବଜାର, କୋର୍ଟପେଟା କଚ଼େରୀ ଭଳି ଛକ ସ୍ଥାନଗୁଡ଼ିକରେ ମଧ୍ୟ ଝାଟକା ଷ୍ଟାଣ୍ଡ ରହିଥିଲା । ବ୍ରହ୍ମପୁରରେ
ପାଇପଯୋଗେ ଜଳଯୋଗାଣ ଆରମ୍ଭ ପରେ ପୌର ପାଳିକା ପକ୍ଷରୁ ନିର୍ମିତ ସର୍ବସାଧାରଣ ବ୍ୟବହାରଯୋଗ୍ୟ
ଷ୍ଟାଣ୍ଡପୋଷ୍ଟଗୁଡ଼ିକ ପାର୍ଶ୍ୱରେ ଝାଟକା ଘୋଡ଼ା ଓ ଅନ୍ୟାନ୍ୟ ପଶୁଙ୍କ ତୃଷ୍ଣା ମେଣ୍ଟାଇବା
ପାଇଁ ବଡ଼ ବଡ଼ ପାଣିକୁଣ୍ଡର ବ୍ୟବସ୍ଥା କରାଯାଇଥିଲା । ଭାପୁର ବଜାର ଓ ବଡ଼ ବଜାର ଦେଶୀ ବେହେରା
ସାହୀଠାରେ ଅଧୂନା ତ୍ରିନାଥ ମନ୍ଦିର ଗଢ଼ି ଉଠିଥିବା ସ୍ଥାନରେ ଚୂନ ନିର୍ମିତ ପାଣିକୁଣ୍ଡ ଅଷ୍ଟମ
ଦଶକ ଯାଏଁ ରହିଥିଲା ।
ଝାଟକା ଚାଳନା ଏକ କୌଳିକ ବୃତ୍ତିରୂପେ ପରିଗଣିତ ହେଉଥିଲା । ସହରର ଓକିଲମାନେ ପ୍ରାୟତଃ କୋର୍ଟ କଚ଼େରୀରୁ ଦୂରରେ ବସବାସ କରୁଥିବା ହେତୁ ଝାଟକାରେ ଯିବା ଆସିବା କରୁଥିଲେ । ଘରୋଇ ଡ଼ାକ୍ତରମାନେ ଝାଟକାରେ ରୋଗୀଙ୍କ ଘରକୁ ପରିଦର୍ଶନରେ ଆସିବା ପ୍ରଚଳିତ ଥିଲା । ସର୍ବସାଧାରଣ ବ୍ୟବହାରଯୋଗ୍ୟ ଝାଟକା ଦର ମୂଲଚାଲରେ ସ୍ଥିର କରାଯାଉଥିଲା । ବହୁ ସମୟରେ ଦରକୁ ନେଇ ଉପଭୋକ୍ତାମାନେ ଅସନ୍ତୋଷ ପ୍ରକାଶ କରୁଥିଲେ । ସାଇକଲ ରିକ୍ସାର ପ୍ରଚଳନପରେ ଏହାର ଭଡ଼ା ଝାଟକାଠାରୁ କମ ରହିବା ହେତୁ ଉପଭୋକ୍ତା ରିକ୍ସାକୁ ପସନ୍ଦ କଲେ । ଗ୍ରାମାଞ୍ଚଳରୁ ବହୁ ସଂଖ୍ୟକ ସହରରେ କର୍ମ ନିଯୁକ୍ତି ପାଇଁ ପହଞ୍ଚୁଥିବା ହେତୁ ରିକ୍ସା ଚାଳନା ଏକ ସହଜ କର୍ମନିଯୁକ୍ତି ରୂପେ ପ୍ରବର୍ତ୍ତିତ ହେଲା । ଫଳରେ ରିକ୍ସା ସଂଖ୍ୟା ବଢ଼ିଲା ଏବଂ ଝାଟକା ଲୋକପ୍ରିୟତା ହରାଇ ବସିଲା । ରିକ୍ସାଠାରୁ ଝାଟକା ଅଧିକ ମାଲ ପରିବହନ କରିପାରୁଥିବା କାରଣରୁ ଝାଟକା ଦିନକେତେ ବ୍ରହ୍ମପୁରରେ ମାଲ ପରିବହନରେ ନିୟୋଜିତ ହେଲା । କିନ୍ତୁ ପଟ୍ଟାରିକ୍ସାର ପ୍ରଚଳନପରେ ମାଲ ପରିବହନ କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତାର ସାମ୍ନା କରିପାରିଲା ନାହିଁ । ବ୍ରହ୍ମପୁରରେ ଝାଟକା ଇତିହାସ ପାଲଟିଗଲା ।
No comments:
Post a Comment