Friday, November 5, 2021

Andhra Mahila Samiti / ଆନ୍ଧ୍ର ମହିଳା ସମିତି

 


#ବ୍ରହ୍ମପୁର ଗିରି ମାର୍କେଟ ସଂଲଗ୍ନ ଆନ୍ଧ୍ର ମହିଳା ସମିତିର ପୁରାତନ କୋଠାଟି ୨୦୨୧ ବର୍ଷା ଋତୁରେ ଭୁଷୁଡ଼ି ଭାଙ୍ଗିରୁଜି ଯାଇଥିଲା । ପ୍ରକାଶମ ହଲ ପଛପଟେ ଅବସ୍ଥିତ ଆନ୍ଧ୍ର ମହିଳା ସମାଜ ପ୍ରାଙ୍ଗଣରେ ଦୁଇଗୋଟି କୋଠା ଥିଲା । ପୁରୁଣା କୋଠାଟିର ନିର୍ମାଣ କାର୍ଯ୍ୟ ୧୯୧୫ରେ ସରି ଉଦଘାଟିତ ହୋଇଥିଲା । ଅର୍ଥାତ ଭୁଷୁଡ଼ି ଯାଇଥିବା କୋଠାଟି ୧୦୬ ବର୍ଷର ଐତିହ୍ୟ ବହନ କରୁଥିଲା । ଅବଶ୍ୟ ମହିଳା ସମିତି ପାଇଁ ନୂଆ କୋଠା ନିର୍ମାଣ ସରିବା ପରେ ପୁରୁଣା କୋଠାଟି ପ୍ରାୟତଃ ଅବ୍ୟବହୃତ ଅବସ୍ଥାକୁ ଆସିଯାଇଥିଲା ।
 
କୁହାଯାଏ ଯେ ଆନ୍ଧ୍ର ମହିଳା ସମିତି ଗଠନ ପରେ ସ୍ଥାୟୀ କାର୍ଯ୍ୟାଳୟ ସ୍ଥାପନ ଉଦ୍ଦେଶ୍ୟରେ ୧୯୦୯ରୁ ଉଦ୍ୟମ ଆରମ୍ଭ ହୋଇଥିଲା । ବ୍ରହ୍ମପୁର ପୌରପାଳିକାଠାରୁ ଜମି ଅଧିଗ୍ରହଣ ପରେ ସ୍ଥାନୀୟ ତେଲୁଗୁ ମହିଳା ନେତ୍ରୀମାନେ ଦାନ ସଂଗ୍ରହ କରି ନିର୍ମାଣ କାର୍ଯ୍ୟକୁ ଆଗାଇଥିଲେ ଏବଂ ଏହି ପ୍ରକ୍ରିୟା ପ୍ରାୟ ପାଞ୍ଚ ଛଅ ବର୍ଷ ଧରି ଚାଲିଥିଲା
 
ପ୍ରକାଶମ ହଲ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜର ପ୍ରେକ୍ଷାଳୟ । ବ୍ରହ୍ମପୁରରେ ଆନ୍ଧ୍ର ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଉଦ୍ଦେଶ୍ୟରେ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜ ୧୯୦୯ରେ ସଂଗଠିତ ହୋଇଥିଲା । ଠିକ ସେହି ସମୟରେ ହିଁ ଆନ୍ଧ୍ର ମହିଳା ସମାଜ ଅନୁରୂପ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା । ଏଠାରେ ସପ୍ତାହରେ ଥରେ ସଦସ୍ୟାମାନେ ବୈଠକରେ ଏକତ୍ରୀତ ହୋଇ ଆଲୋଚ଼ନା କରିଥାନ୍ତି । ଆନ୍ଧ୍ର ମହିଳା ସମାଜ ଆନୁକୂଲ୍ୟରେ ଏକ ପାଠାଗାର ଚାଲୁଥିଲା ଏବଂ ସପ୍ତାହରେ ଦୁଇଦିନ ପ୍ରତି ମଙ୍ଗଳ ଓ ଗୁରୁବାର ଦିନ ବ୍ୟବହାର ପାଇଁ ଖୋଲାଯାଉଥିଲା ।
 
ବ୍ରହ୍ମପୁରରେ ୧୯୮୨ରେ ଦୂରଦର୍ଶନ ଏବଂ ୧୯୯୨ରେ ଘରୋଇ କେବଲ ଟେଲିଭିଜନ ସଂସ୍କୃତି ପ୍ରବେଶ ପୂର୍ବାବସ୍ଥା ଯାଏଁ ଆନ୍ଧ୍ର ମହିଳା ସମାଜର କାର୍ଯ୍ୟକ୍ରମ ଚଳଚଞ୍ଚଳ ରହିଆସିଥିଲା । ସହରରେ ଆନ୍ଧ୍ର ଭାଷାଭାଷୀ ମହିଳାଙ୍କ ନିମନ୍ତେ ମୁଖ୍ୟତଃ ଏସ.ଏସ.ଭି.ଟି ଟକିଜରେ ଆନ୍ଧ୍ର ଚଳଚ଼ିତ୍ର ପ୍ରଦର୍ଶନ ବ୍ୟତୀତ ମନୋରଞ୍ଜନର ଅନ୍ୟ କୌଣସି ସୁବିଧା ନଥିବା ହେତୁ ଶିକ୍ଷିତାମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂପୃକ୍ତ ରହୁଥିଲେ । ବିଗତ ଶତାଦ୍ଦୀର ଷଷ୍ଠ, ସପ୍ତମ ଓ ଅଷ୍ଟମ ଦଶକରେ ଆନ୍ଧ୍ର ସମ୍ୱାଦପତ୍ର ଓ ପତ୍ରପତ୍ରିକା ସର୍ବାପେକ୍ଷା ଲୋକପ୍ରିୟତା ହାସଲ କରିଥିଲା । ଆନ୍ଧ୍ର ଭାଷାଭାଷୀମାନଙ୍କ  ମଧ୍ୟରେ ଆନ୍ଧ୍ର ସାହିତ୍ୟର ବ୍ୟାପକ ପ୍ରଭାବ ଅନୁଭୂତ ହେଉଥିଲା । ଏହି ଅବସରରେ ଆନ୍ଧ୍ର ମହିଳା ସମାଜର ପାଠାଗାର ଏବଂ ଏଥିସଂଲଗ୍ନ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜର ଗ୍ରନ୍ଥାଗାରର ଗୁରୁତ୍ୱ ବୃଦ୍ଧି ପାଇଥିଲା । ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜର ପାଠାଗାର ପ୍ରତିଦିନ ସଂଧ୍ୟାରେ ଖୋଲାଯାଉଥିଲେହେଁ ସେଠାକୁ ମହିଳାମାନେ ପ୍ରବେଶ କରୁନଥିଲେ । କିନ୍ତୁ ଗ୍ରନ୍ଥାଗାରରୁ ପୁସ୍ତକ ସଂଗ୍ରହରେ ବାରଣ ନଥିଲା ।
 
ଆନ୍ଧ୍ର ମହିଳା ସମାଜ ପକ୍ଷରୁ ଉତ୍ସାବାନୁଷ୍ଠାନରେ ଆନ୍ଧ୍ର ପ୍ରଦେଶରୁ ଖ୍ୟାତନାମା ବକ୍ତାମାନେ ଯୋଗ ଦେଉଥିଲେ । ଏହାର ରୌପ୍ୟ ଜୟନ୍ତୀ ୧୯୩୧, ସୁବର୍ଣ୍ଣ ଜୟନ୍ତୀ ୧୯୫୯ ଏବଂ ପ୍ଳାଟିନମ ଜୁବୁଲୀ ୧୯୭୨ରେ ପାଳିତ ହୋଇଥିଲା । ସମାଜ ପକ୍ଷରୁ ନାଟକ ମଞ୍ଚସ୍ଥ ଏବଂ କବି ସମ୍ମିଳନୀ ଆୟୋଜନ ପରମ୍ପରା ରହିଥିଲା । ଶ୍ରୀକୃଷ୍ଣ ତୁଳାଭରମ ନାମକ ଏକ ନାଟକ ପ୍ରଦର୍ଶନ ସହରର ଆନ୍ଧ୍ରଭାଷାଭାଷୀଙ୍କ ମଧ୍ୟରେ ଏକ ଗୌରବଜ୍ଜଳ ଅନୁଭୂତି । ଏଥିଲାଗି ସମାଜ ପ୍ରାଙ୍ଗଣରେ ଏକ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମିତ ହୋଇଥିଲା । ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସମାଜ ପକ୍ଷରୁ ଟେଇଲରିଂ, ଏମ୍ୱ୍ରଡ଼ରି ଓ ସଙ୍ଗୀତ ଶିକ୍ଷାର ବ୍ୟବସ୍ଥା କରାଯାଉଥିଲା ।
 
ବ୍ରହ୍ମପୁରରେ ଟେଲିଭିଜନ ସଂସ୍କୃତି ପ୍ରବେଶପରେ ଓଡ଼ିଆ ଭଳି ଆନ୍ଧ୍ର ଭାଷାଭାଷୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଶୀଥିଳ ପଡ଼ିଯାଇଥିବା ଲକ୍ଷ୍ୟ କରାଯାଏ । ମହାମାରୀ-ପର ଅବସ୍ଥାରେ ସହରବାସୀଙ୍କ ମଧ୍ୟରୁ ଅର୍ଦ୍ଧେକ ଦୈନିକ ହାରାହାରି ପାଞ୍ଚ ଘଣ୍ଟା ଯାଏଁ ମୋବାଇଲ ଫୋନରେ ସମୟ ବିତାଉଥିବା ହେତୁ କ୍ରମଶଃ ପାରସ୍ପରିକ ଯୋଗାଯୋଗଠାରୁ ଆରମ୍ଭ କରି ସାମାଜିକ ଓ ସାଂସ୍କୃତିକ ସଂପୃକ୍ତି ମୋବାଇଲ ଫୋନ ପରଦାରୁ ସ୍ଥାନାନ୍ତରିତ ହେବାରେ ଲାଗିଛି । ମୋବାଇଲ ଇଣ୍ଟରନେଟ ପରକୁ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ, ଆଗୁମେଣ୍ଟଡ଼ ରିଆଲିଟି ଓ ଇମେରସିଉଭ ଟେକନୋଲଜି ସମୃଦ୍ଧ ମେଟାଭର୍ସ ପହଞ୍ଚୁଥିବା ଅବସରରେ ଭର୍ଚୁଆଲ ପରିବେଶ ଜନସମାଜରେ ଆଦୃତ ହେବା ସୁନିଶ୍ଚିତ । ଏହି ପରିପେକ୍ଷୀରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ନିଜ ସ୍ଥାନ ଭର୍ଚୁଆଲ ଜଗତରେ ଖୋଜିବାହାର କରିବା ସମୟ ଉପନୀତ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୬ ନଭେମ୍ୱର ୨୦୨୧ / ପୃଷ୍ଠା : ୮)

Photograph : odishabytes.com

No comments:

Post a Comment